Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ ରାଜନୈତିକ ଝଡ଼: ମୋଦିଙ୍କ ଶୁଭ ମନାସୀ ଦେଶବ୍ୟାପୀ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ଅତି ଗମ୍ଭୀର ମାମଲା ଦର୍ଶାଇ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି ଦେଶର ପୂର୍ବତନ ପୋଲିସ ଅଫିସର ସଂଘ।

PM's Security Breach

PM's Security Breach

Advertisment

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ରାଜନୈତିକ ଝଡ଼। ବିଜେପି, ପଞ୍ଜାବ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ଏହା ଡ୍ରାମା ବୋଲି ପାଲଟା ଆକ୍ରମଣ କରିଛି କଂଗ୍ରେସ। ତେବେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଆସୁଥିବା ପୋଲିସ ସୂଚନା ଦେଇଥିଲା ଓ ଉଦ୍ଦେଶ୍ୟମୂଳକ ଭାବେ ସେମାନେ ତାଙ୍କ କାରକେଡ୍ ଅବରୋଧ କରିଥିବା ଭାରତୀୟ କୃଷକ ୟୁନିୟନ-କେ ପକ୍ଷରୁ ଦାବି କରାଯିବା ପରେ ବଢିଛି ବିବାଦ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଭେଟି ଗତକାଲିର ଘଟଣା ସଂପର୍କରେ ଜଣାଇଥିବା ବେଳେ , ଆସନ୍ତାକାଲି ସୁପ୍ରିମକୋର୍ଟରେ ଏସଂପର୍କିତ ଏକ ମାମଲାର ଶୁଣାଣି ହେବ।

Advertisment

 ମନ୍ଦିରରେ ପୂଜାର୍ଚ୍ଚନା, ଦୀପ ଦାନ ଗତକାଲି ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ପରେ ତାଙ୍କର ଦୀର୍ଘ ଜୀବନ କାମନା କରି ବିଜେପି ପକ୍ଷରୁ ଦେଶବ୍ୟାପୀ ପୂଜାର୍ଚ୍ଚନା କରାଯାଇଛି। ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ପୂଜା କରିବା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଭୋପାଳର ଗୁଫା ମନ୍ଦିରକୁ ଯାଇ ମୋଦିଙ୍କ ଶୁଭ ମନାସୀ ପୂଜାପାଠ କରିଛନ୍ତି।

ସଂଧ୍ୟାରେ ଦଳ ପକ୍ଷରୁ ଦେଶବ୍ୟାପୀ ଦୀପ ଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏପଟେ ଘଟଣା ପ୍ରତିବାଦରେ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳୀୟ କର୍ମୀ ରାଜ୍ୟ ମୁଖ୍ୟାଳୟରୁ ଶୋଭାଯାତ୍ରାରେ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯିବା ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନିଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

Advertisment

ଏପଟେ ପ୍ରଧାନମନ୍ତ୍ରୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଗତକାଲିର ଘଟଣା ସଂପର୍କରେ ଅବଗତ କରାଇଛନ୍ତି। ଗତକାଲିର ଘଟଣାକୁ ନେଇ କୋବିନ୍ଦ ଗଭୀର ଉଦବେଗ ପ୍ରକାଶ କରିଥିବା ରାଷ୍ଟ୍ରପତି ଭବନ ତରଫରୁ ଟୁଇଟ୍ କରାଯାଇଛି। ତେଣେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ ଲୟର୍ସ ଭଏସ୍ ପକ୍ଷରୁ ଜାରି ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଣି କରିବେ।

 ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ତଦନ୍ତ ଲାଗି ପଞ୍ଜାବ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ମେହତାବ ସିଂହ ଗିଲ୍ ଓ ଗୃହ ଓ ନ୍ୟାୟ ବିଭାଗର ପ୍ରମୁଖ ସଚିବ ଅନୁରାଗ ବର୍ମାଙ୍କୁ ନେଇ ଗଠିତ କମିଟି ତଦନ୍ତ ସାରି ୩ ଦିନରେ ରିପୋର୍ଟ ଦେବ। ଏସବୁ ଭିିତରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଅବରୋଧ ପଛରେ ନିଜ ଭୂମିକା ଥିବା ଦାବି କରିଛି ଭାରତୀୟ କିଷାନ ୟୁନିୟନ କ୍ରାନ୍ତିକାରୀ ଗୋଷ୍ଠୀ। ମାତ୍ର ସହାନୁଭୂତି ସାାଉଣ୍ଟିବାକୁ ଏକ ପ୍ରଧାନମନ୍ତ୍ରୀଙ୍କର ଏହା ବୃଥା ପ୍ରୟାସ ବୋଲି କହିଛନ୍ତି ବିକେୟୁ ନେତା ରାକେଶ ଟିକାୟତ।

Advertisment

ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ଜୋର ଧରିଛି ରାଜନୀତି। ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା। ତେବେ ପ୍ରଧାନମନ୍ତ୍ରୀଙ୍କ ସଭାରେ ଲୋକ ହୋଇନଥିବାରୁ ସେ କାର୍ଯ୍ୟକ୍ରମ ବାତିଲ କରି ଫେରିଯିବାକୁ ବାଧ୍ୟ ହୋଇଥିବା କହିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍ ସିଂହ ସିଦ୍ଧୁ।

ପ୍ରଧାନମନ୍ତ୍ରୀ ଗତକାଲି ଭାରତ-ପାକିସ୍ତାନ ସୀମା ହୁସେନିଓ୍ୱାଲାରେ ଥିବା ଜାତୀୟ ସହିଦ୍ ମେମୋରିଆଲକୁ ଯାଉଥିବା ବେଳେ ଏକ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା। ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଆଗକୁ ବଢିପାରିନଥିଲା। ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ।

ଏପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ଅତି ଗମ୍ଭୀର ମାମଲା ଦର୍ଶାଇ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି ଦେଶର ପୂର୍ବତନ ପୋଲିସ ଅଫିସର ସଂଘ। ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ହୋଇଥିବା ଏଭଳି ସୁରକ୍ଷା ତ୍ରୁଟିକୁ ଉଦ୍ଦେଶ୍ୟମୂଳକ ବୋଲି କହିଛି ପୂର୍ବତନ ପୋଲିସ ଅଫିସର ସଂଘ।

ସେହିଭଳି ଗତକାଲିର କଥାକଥିତ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ସହ ଏଭଳି ଟକରାଟକରି ଘଟଣାକୁ ଅତ୍ୟନ୍ତ ନିନ୍ଦାଜନକ ବୋଲି ଦର୍ଶାଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଯାଉଥିବା ରାସ୍ତାରେ ଧର୍ମଘଟ ପାଇଁ ଆନ୍ଦୋଳନକାରୀମାନେ ସୂଚନା ପାଇଲେ କେମିତି ବୋଲି ପ୍ରଶ୍ନ ଉଠାଇଛି ସଂଘ। ତେଣୁ ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଏହା ଆପଣଙ୍କ ନଜରକୁ ଆଣି ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି, ବୋଲି ପୂର୍ବତନ ପୋଲିସ ଅଫିସର ସଂଘ ଦର୍ଶାଇଛି।

PM Modi President Punjab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ