‘ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି’

ବିଜେଡିକୁ ଟାର୍ଗେଟ କରି ବିଜେପି ନେତା ଅରବିନ୍ଦ ଢାଲି ଆହୁରି କହିଛନ୍ତି ଯେ, ‘ବିଜେଡିରେ ବାକ୍‌ ସ୍ୱାଧୀନତା ନାହିଁ । ବିଜେଡି ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ ।

Arbinda Dhali

ଖାଲି ହୋଇଯିବ କି BJD ବସା ? ବିଜେପି ନେତା ଅରବିନ୍ଦ ଢାଲିଙ୍କ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି । ମମତା ମହାନ୍ତଙ୍କ ଇସ୍ତଫା ପରେ ବିଜେପି ନେତା ଅରବିନ୍ଦ ଢାଲି କହିଛନ୍ତି BJD ବସା ଖାଲି ହୋଇଯିବ । ଭବିଷ୍ୟତରେ BJD ରହିବନି । ସେମାନେ ଚାହିଁଲେ ରଖି ପାରିବେ ନାହିଁ ବୋଲି କହିଛନ୍ତି ଅବରିନ୍ଦ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ଦଳ ବିଲୟ ହୁଏନି । ଆଂଚଳିକ ଦଳର ବିଲୟ ହୁଏ । ଯିଏ ଆଂଚଳିକ ଦଳ ଗଢିଥାଏ, ସେ ଅସୁସ୍ଥ ବା ଆଉ କ’ଣ ହେଲେ ଦଳ ରହେନି । BJDରେ ସ୍ବାଧୀନତା ନାହିଁ, ବାକ୍ ସ୍ୱାଧୀନତା ନାହିଁ, ସୁପ୍ରିମୋଙ୍କୁ ଦେଖା କରି ପାରିବେ ନାହିଁ । ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ପାଣ୍ଡିଆନ୍ ଥିଲେ ସର୍ବେ ସର୍ବା। ୨୫ ବର୍ଷ ଶାସନରେ BJD ଯାହା କରି ପାରି ନଥିଲା ତାକୁ ଆଜି କରି ଦେଖାଉଛନ୍ତି ମୋହନ ସରକାର।

ସେପଟେ ଢାଲିଙ୍କ ନିଆଁରେ ଘିଅ ଢାଳିଛନ୍ତି ଅମର ଶତପଥୀ । ଆମୂଳ ଚୂଳ ସଂଗଠନକୁ ଠିକ୍ ନ କଲେ ଆଗକୁ ଅନେକ ଅଘଟଣ ଘଟିବ ବୋଲି ଆଶଙ୍କା କରିଛନ୍ତି ଅମର । ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ଅଛି। ସଂଗଠନ ଠିକ୍ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି, ଦେଖାଯାଉ ଆଗକୁ କଣ ହେଉଛି କହିଛନ୍ତି ଅମର ଶତପଥୀ । ସେପଟେ ବିଜେଡି ନେତା ଉମା ସାମନ୍ତରାୟ କହିଛନ୍ତି ଆଜି ବି ଦଳ ଶକ୍ତିଶାଳୀ ଅଛି । ଢାଲିଙ୍କ ମନ୍ତବ୍ୟରେ ବିଜେଡିକୁ କିଛି ଫରକ ପଡ଼ିବନାହିଁ ।

ସୂଚନା ଅନୁସାରେ ନିର୍ବାଚନ ପରେ ବିଜୁ ଜନତା ଦଳକୁ ବଡ଼ ଧକ୍କା ଲାଗିଛି । ବୁଧବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ମମତା ମହାନ୍ତ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଥିଲେ ମମତା ମହାନ୍ତ ।

ବିଜେଡି ଛାଡ଼ିବା ପରେ ଗତକାଲି ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ମମତା । ଏହି ମିଶ୍ରଣ ପର୍ବରେ ଓଡ଼ିଶା ପ୍ରଭାରୀ ବିଜୟପାଲ୍‌ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ ।

ତେବେ ବିଜେଡିରୁ ମମତା ମହାନ୍ତଙ୍କ ଇସ୍ତଫା ପରେ ଗତକାଲି ବଡ଼ ବୟାନ ଦେଇଥିଲେ ବିଜେପି ବିଧାୟକ ସରୋଜ ପାଢ଼ୀ । ସେ କହିଥିଲେ, ବୋମା ଫୁଟିଛି, ଆଗାମୀ ଦିନରେ ବିଜେଡିରେ ବଡ଼ ବିସ୍ଫୋରଣ ହେବ । ଅର୍ଥାତ ଆଉ କିଛି ସାଂସଦ ବିଜେଡି ଛାଡ଼ି ପାରନ୍ତି ବୋଲି ସେ ଇଙ୍ଗିତ କରିଛନ୍ତି ।