Advertisment

‘ବାହାରିଆ ଅଣଓଡ଼ିଆ ଠିକାଦାରଙ୍କୁ କାମ ଦେବା ହୋଇଥିଲା ବଡ଼ ଷଡ଼ଯନ୍ତ୍ର’

ଅଣ ଓଡ଼ିଆଙ୍କୁ କାମ ଦେବା ପାଇଁ ଛୋଟ ଛୋଟ କାମକୁ ମିଶାଇ ହଜାରେ କୋଟିରୁ ଅଧିକ ବଡ଼ ଟେଣ୍ଡର କରାଯାଉଥିଲା। ଏସବୁର ଖୋଳତାଡ ନିହାତି ଆବଶ୍ୟକ ବୋଲି ମଧ୍ୟ ସେ ଦାବି କରିଛନ୍ତି।

undefined

Contractor

Advertisment

ବିଜେଡି ସରକାର ସମୟରେ ବାହାରି ଠିକାଦାରଙ୍କ କାରନାମାର ପର୍ଦ୍ଦାଫାଶ କରିବେ ମୋହନ ସରକାର। ଖୋଳତାଡ ହେବ ଟେଣ୍ଡର ପ୍ରକ୍ରିୟା। କେମିତି କାମ ପାଉଥିଲେ ଅଣଓଡିଆ ଠିକାଦାର। କାହିଁକି ଫିଟ୍ ହେଉନଥିଲେ ଓଡିଆ କଣ୍ଟ୍ରାକ୍ଟର । ଛୋଟ ଛୋଟ କାମକୁ ମିଶାଇ ମେଗା ପ୍ରୋଜେକ୍ଟ କରି ଟେଣ୍ଡର କିକବ୍ୟାକ୍ ପଛରେ କିଏ ? ପୂରା ସଂଗଠିତ ଭାବେ ରାଜକୋଷକୁ ଲୁଟିବା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କିଏ ?

Advertisment

ଆଖି ତରାଟି ଦେଲା ଭଳି ତଥ୍ୟ ହେଲା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ପ୍ରାୟ ୩୫ ହଜାର କୋଟି ଟଙ୍କାର କାମ ନେଇଛନ୍ତି ୧୭ଟି ଅଣ ଓଡ଼ିଆ ଠିକା ସଂସ୍ଥା । ଆଉ ବିଜେପି ସରକାର ଆସିବା ପରେ ଏସବୁର ଖୋଳତାଡ଼ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି ବାହାର ଠିକାଦାରମାନେ କାମ କରୁଥିବା ଆମ ନଜରରେ ରହିଛି। କାମ ଏବଂ ପ୍ରକ୍ରିୟା ଯାଞ୍ଚ ହେବ, ବ୍ୟତିକ୍ରମ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ । ଏନେଇ ବିଭାଗ ଆଗକୁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ମଧ୍ୟ କୁହାଯାଉଛି।

ଏପେଟେ ମେଗା ପ୍ରୋଜେକ୍ଟ ଟେଣ୍ଡରର ପୋଲ୍ ଖୋଲିଛନ୍ତି ଉତ୍କଳ କଣ୍ଟ୍ରାକ୍ଟର ଆସୋସିଏସନ ସଭାପତି ପ୍ରଭାତ ଦାସ। ଏହା ପଛରେ ବଡ଼ କିକ୍ ବ୍ୟାକ ଥିବା ସେ ଅଭିଯୋଗ କରିଛନ୍ତି। ଅଣ ଓଡ଼ିଆଙ୍କୁ କାମ ଦେବା ପାଇଁ ଛୋଟ ଛୋଟ କାମକୁ ମିଶାଇ ହଜାରେ କୋଟିରୁ ଅଧିକ ବଡ଼ ଟେଣ୍ଡର କରାଯାଉଥିଲା। ଏସବୁର ଖୋଳତାଡ ନିହାତି ଆବଶ୍ୟକ ବୋଲି ମଧ୍ୟ ସେ ଦାବି କରିଛନ୍ତି।

Advertisment

ସବୁଠୁ ବଡ଼ କଥା ହେଲା ଅଣ ଓଡିଆ ଠିକାଦାରଙ୍କ ନାଁରେ ରହିଛି ମାଳ ମାଳ ଅଭିଯୋଗ। କେଉଁଠି ନଳ ଲାଗିଛି, ହେଲେ ପାଣି ନାହିଁ ତ ଆଉ କେଉଁଠି ଟ୍ୟାପରୁ ବାହାରୁଛି ମଇଳା ପାଣି। ହେଲେ ପୂର୍ବ ସରକାର ନା ସେ ଅଭିଯୋଗକୁ ଶୁଣୁଥିଲା, ନା ତଦନ୍ତ କରୁଥିଲା।

ଏଇ ଯେମିତି କେନ୍ଦ୍ରାପଡ଼ାର ମେଗା ପାନୀୟ ଜଳ ପ୍ରକଳ୍ପ। ଏଠି କାମ ନେଇଥିଲା L&T ସଂସ୍ଥା । ପୂରା ଜିଲ୍ଲାରେ ପ୍ରାୟ ହଜାରେ କୋଟିର କାମ । ପାଇପ୍ ବିଛା ହୋଇଛି ଟ୍ୟାପ ବି ଲାଗିଛି । ହେଲେ ପାଣି ଆସୁନି ବୋଲି ଅଭିଯୋଗ କରିଛନ୍ତି ମାର୍ଶାଘାଇ ବ୍ଲକର ବାସିନ୍ଦା। ବିଭାଗୀୟ ଯନ୍ତ୍ରୀ ବି ମାନିଛନ୍ତି ଆହୁରି ସମୟ ଲାଗିବ।

Advertisment

ଜଗତସିଂହପୁରରେ ବି ସମାନ ସ୍ଥିତି। ଏଠି ବି ବାଲିକୁଦା ଏବଂ ଏରସମା ବ୍ଲକରେ ଲୋକଙ୍କ ଅଭିଯୋଗ ଠିକ୍ ସେ ପାଣି ଆସୁନି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା କାମ ସରିନଥିବା ବେଳେ କିନ୍ତୁ ଅନେକ ଠିକା ସଂସ୍ଥା ୯୦ ପ୍ରତିଶତ ଟଙ୍କା ପାଇସାରିଲେଣି। ତେବେ ଏ ସଂପର୍କରେ L&T କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

ନିର୍ବାଚନ ବେଳେ ପ୍ରସଙ୍ଗ ସାଜିଥିଲେ ଅଣଓଡିଆ ଠିକାଦାର। ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ ଜଳଜୀବନ ମିଶନରେ କେନ୍ଦ୍ର ଦେଇଥିବା ଅର୍ଥକୁ ଖର୍ଚ୍ଚ କରିପାରୁନି ଓଡିଶା। ଆଉ ରାଜ୍ୟ ସରକାରଙ୍କ ଅଣ ଓଡିଆ ଠିକାଦାର ପ୍ରୀତି ଏଥି ପାଇଁ ଦାୟୀ ବୋଲି ମଧ୍ୟ ନିଶାନା କରିଥିଲେ। ଦେଖିବାର କଥା ବିଭାଗର ପରବର୍ତ୍ତୀ ଆଭିମୁଖ୍ୟ କଣ ହେଉଛି ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ