• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରାସାଦରୁ ପାର୍ଲାମେଣ୍ଟ୍‌ ଯାଇଥିବା ଦିୟା କୁମାରୀ ଜିତିଲେ ନିର୍ବାଚନ । ସାଂସଦ ଥିବା ସତ୍ତ୍ୱେ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ଦିୟା କୁମାରୀ ବହୁମତରେ ବାଜିମାତ କରିଛନ୍ତି । ରାଜସ୍ଥାନର ବିଦ୍ୟାଧର ନଗରରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା । ତାଙ୍କ ବିପକ୍ଷରେ ଏହି ଆସନରୁ କଂଗ୍ରେସର ଭେଟେରାନ ନେତା ସୀତାରାମ ଅଗ୍ରୱାଲଙ୍କୁ ଟିକେଟ ପ୍ରଦାନ କରାଯାଇଥିଲା । ତେବେ ଦଳର ଆସ୍ଥାକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି ଦିୟା କୁମାରୀ । ୧,୫୮,୫୧୬ ଖଣ୍ଡ ଭୋଟ ପାଇ ଆସନ ହାତେଇଛନ୍ତି ।

ଦିୟା କୁମାରୀଙ୍କ ଠାରୁ କଂଗ୍ରେସ ପ୍ରାର୍ଥୀ ସୀତାରାମ ଅଗ୍ରୱାଲ ୭୧,୩୬୮ ଖଣ୍ଡ ଭୋଟରେ ହାରିଛନ୍ତି । ରାଜ ପରିବାରରୁ ଆସିଥିବା ଦିୟା କୁମାରୀ ବିଜେପିର ବିଜୟ ନେଇ ଆରମ୍ଭରୁ ହିଁ ଦମ୍ଭୋକ୍ତି କରି ଆସିଥିଲେ। ଏବେ ବିଜେପି ମଧ୍ୟ ରାଜସ୍ଥାନରେ ସରକାର ଗଠନ କରିବାକୁ ଯାଉଛି । ବିଜେପି ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ୁଥିଲା। ତେଣୁ ଦିୟା କୁମାରୀ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ରହିଛନ୍ତି ।

ନିର୍ବାଚନରେ ବିପୁଳ ବିଜୟ ପରେ ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦି , ଅମିତ ଶାହା, ଜେପି ନଡ୍ଡା, ରାଜ୍ୟ ନେତା ତଥା ଦଳର କର୍ମୀଙ୍କୁ ପ୍ରଦାନ କରିଛନ୍ତି ଦିୟା କୁମାରୀ । ତିନି ରାଜ୍ୟରେ ମୋଦିଙ୍କର କରିସ୍ମା କାମ କରିଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ରାଜସ୍ଥାନରେ ସେଇ ପୁରୁଣା ଟ୍ରେଣ୍ଡ ଦେଖିବାକୁ ମିଳିଛି । ପ୍ରତି ୫ ବର୍ଷରେ ସରକାର ବଦଳିବାର ଧାରା ଏଥର ମଧ୍ୟ ଦେଖିବାକୁ ମିଳିଛି । ଗଣତିର ଟ୍ରେଣ୍ଡ ଅନୁସାରେ ରାଜସ୍ଥାନରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ଯାଉଛି । ୧୯୯ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୦୦ । ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ ଏବେ ସୁଦ୍ଧା ଆଗୁଆ ରହିଛି ବିଜେପି ।