• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଘନେଇଲା ପରିକ୍ରମା ପ୍ରକଳ୍ପ ପଲିଟିକ୍ସ । ନିର୍ବାଚନ ପ୍ରଚାର ପାଇଁ ବିଜେଡିର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥକୁ ଟାର୍ଗେଟ କଲେ ବିରୋଧୀ । ଜଗନ୍ନାଥଙ୍କ ନାଁ କୁ ନେଇ ଶାସକ ଦଳ ରାଜନୀତି କରୁଥିବା ଅଭିଯୋଗ ଉଠିଛି । ସେପଟେ ପ୍ରଚାର ପ୍ରସାର ପାଇଁ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ହିଁ ସବୁ ଅର୍ଥ ଖର୍ଚ୍ଚ କରୁଥିବାବେଳେ ରାଜ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କାହିଁକି ସରକାରୀ ବଜେଟରୁ ଅର୍ଥ ଖର୍ଚ୍ଚ ହେବ ବୋଲି ବିଜେପି ପ୍ରଶ୍ନ କରିଛି । ବିଜେଡିର ଯୁକ୍ତି ଏଥିରେ କୌଣସି ରାଜନୀତି ନାହିଁ ।

ପରିକ୍ରମା ପ୍ରକଳ୍ପ ରଥ ବୁଲିଲା । ଆଉ ତା ସହ ଆରମ୍ଭ ହେଲା ପଲିଟିକ୍ସ । ଗାଁ ଠାରୁ ସହରୁ ସବୁଠି ସରକାର ବୁଲାଉଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଅକ୍ଷତ ଚାଉଳ ବି ସଂଗ୍ରହ ହେଉଛି । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଜୋରଦାର ପ୍ରଚାର କରୁଛନ୍ତି ସରକାର । ନିମନ୍ତ୍ରଣ ପତ୍ର ସବୁ ବର୍ଗଙ୍କ ପାଖକୁ ପଠାଯାଇଛି । ଏହାସତ୍ତ୍ୱେ ରାଜ୍ୟ ତମାମ ରଥ ବୁଲାଇବାର ଆବଶ୍ୟକତା କଣ ପଡିଲା ବୋଲି ବିରୋଧୀଙ୍କ ମନରେ ପ୍ରଶ୍ନ । ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ନିଶାନା କରି କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କାହିଁକି ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହେବ । ଯେଉଁଠି କି ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ହିଁ ସମସ୍ତ ଅର୍ଥ ଖର୍ଚ୍ଚ କରୁଛି ।

ସାଧାରଣ ନିର୍ବାଚନକୁ ୪ ମାସ ବାକି ଥିବାବେଳେ ରଥ ରାଜନୀତି ଜୋର ଧରିଛି । ମୁଖ୍ୟ ବିରୋଧୀ ବିଜେପି କଡା ସମାଲୋଚନା କରି କହିଛି ନିର୍ବାଚନ ବୈତରଣୀ ପାରି ହେବାକୁ ଜଗନ୍ନାଥଙ୍କ ନାଁକୁ ନେଇ ଶାସକ ଦଳ ରାଜନୀତି କରୁଛି । ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର, ମଠ ମନ୍ଦିର ଭଙ୍ଗା ଓ ଚାରିଦ୍ୱାର ଖୋଲା ପ୍ରସଙ୍ଗରେ ସରକାର ନିନ୍ଦିତ ହୋଇଛି । ଏହି କାଳିମାକୁ ଛଡ଼ାଇବା ଲାଗି ପରିକ୍ରମା ପ୍ରକଳ୍ପ ରଥ ରାଜନୀତି କରୁଛି ବିଜେଡ଼ି । କଂଗ୍ରେସ କହିଛି ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରାମଲଲା ଓ ବିଜେଡି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି । କିନ୍ତୁ ଲୋକେ ଜାଣିଛନ୍ତି ପ୍ରକୃତ ରହସ୍ୟ । ବିଜେଡିର ସ୍ପଷ୍ଟୀକରଣ ଏଥିରେ କୌଣସି ରାଜନୀତି ନାହିଁ । ଜଗନ୍ନାଥ ପ୍ରେମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବାକୁ ଯାଉଛନ୍ତି ।

ରାଜନୀତିର ଗୋଲକ ଧନ୍ଦାରେ ଭୋଟରଙ୍କ ଧର୍ମୀୟ ଭାବନାକୁ ଛୁଇଁବା ଲାଗି ରାଜନୈତିକ ଦଳଗୁଡିକର କେତେ ଫନ୍ଦି ଫିକର । ହେଲେ ନିର୍ବାଚନୀରେ ଏହା କାହାକୁ କେତେ ମାଇଲେଜ ଦେଉଛି ତାଉପରେ ନଜର ।

  • Reported by:
  • JAGDISH DAS