ମନମୋହନଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ; କହିଲେ, ଯଦି ତାକତ୍ ଅଛି ବିଜେଡି ଖାଲି କରିକି ଦେଖାଅ

ସାରା ଭାରତରେ ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ । ଏ ଭାଡ଼ି ଖାଲି କରିବାର ତାକତ୍ ଅଛି କି ବୋଲି ବଦ୍ରି ପାତ୍ର କହିଛନ୍ତି ।

Badri Patra

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ । ଯଦି ତାକତ ଅଛି ବିଜେଡି ଖାଲି କରିକି ଦେଖାଅ ବୋଲି କହିଛନ୍ତି ବଦ୍ରି ପାତ୍ର । ବୟାନବାଜିରେ ଲାଭ ନାହିଁ, କାହା ମୁହଁରେ ହାତ ଦେଇ ହେବକି ? ସାରା ଭାରତରେ ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ । ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ବଦ୍ରି ପାତ୍ର କହିଛନ୍ତି ।

ସେହିପରି ମନମୋହନ ସାମଲଙ୍କ ବିଜେଡି ଫାଙ୍କା ହେଇଯିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଗଣେଶ୍ଵର ବେହେରା । ସେ କହିଛନ୍ତି, ଏହା ମୁଙ୍ଗେରି ଲାଲ୍ କେ ହସିନ ସପ୍ନେ । ସମୟ କହିବ । ୨ ଜଣ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଅପହରଣ କରି ସେମାନେ ଯେଉଁ ଉଲ୍ଲସିତ ହେଉଛନ୍ତି ସେ ଉଲ୍ଲାସ ସ୍ଵଳ୍ପଆୟୁ । ତାହା ହିଁ ପ୍ରମାଣିତ ବୋଲି କହିଛନ୍ତି ଗଣେଶ୍ୱର ବେହେରା ।

ସୂଚନା ଅନୁସାରେ ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ଏକ ବଡ଼ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ବିଜେଡି ନେତା । ଗଣମାଧ୍ୟମ ସାମ୍ନାରେ ଏମିତି ଏକ ବଡ଼ ବୟାନ ଦେଇଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଥିଲେ ଯେ, ଆଗକୁ ବିଜେଡି ଖାଲି ହୋଇଯିବ । ତାଙ୍କ ଦଳରେ ଆଉ କେହି ରହିବେ ନାହିଁ । ବିଜେପିରେ ମିଶିବାକୁ ଅନେକ ନେତାଙ୍କ ଆବେଦନ ଆସୁଛି । ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧିମାନେ କିଛି ଦିନ ତଳେ ବିଜେପିରେ ମିଶିଥିଲେ । ଦୁଇ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିଲେ । ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।

ସେହିପରି ମନମୋହନ ସାମଲ ଆହୁରି କହିଥିଲେ, ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ । ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡି କହୁ ।

ସେହପରି ବିଜେଡିର ପଦଯାତ୍ରାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ମନମୋହନ ସାମଲ । ସେ କହିଥିଲେ ନବୀନ ପଟ୍ଟନାୟକ ୨୪ ବର୍ଷର ହିସାବ ଦିଅନ୍ତୁ । କେତେ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି ପଦଯାତ୍ରା ବେଳେ ଲୋକଙ୍କୁ କୁହନ୍ତୁ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିଛି । ଯଦି ନବୀନ ବାବୁ ଏହାକୁ ମିଛ ବୋଲି କହୁଛନ୍ତି, ତାହେଲେ ସତ କ’ଣ କୁହନ୍ତୁ । ସୁଭଦ୍ରା, ଧାନର ଏମଏସପି ବୃଦ୍ଧି ଓ ରତ୍ନଭଣ୍ଡାର ଠାରୁ ଆରମ୍ଭ କରି ଭତ୍ତା ଯାଏଁ ବିଜେପି ସବୁ ପ୍ରତିଶ୍ରୁତି ପାଳନ କରିଛି । ୧୦୦ ଦିନରେ ଏଇଟା କେବଳ ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି ବୋଲି ରାଜ୍ୟ ବିଜେପି ସଭାପତି କହିଥିଲେ ।