Advertisment

ବିଜେଡିରେ ଏବେ ବରିଷ୍ଠଙ୍କୁ ଗୁରୁତ୍ୱ, ହେଲେ ସାଥ୍ ଦେବେ ତ ଯୁବନେତା ?

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡଚଣାରେ ବାଣ ମାରିବାର ଚାରିଦିନ ପରେ, ଚିହିଁକି ଉଠିଲେ ବିଜେଡି ନେତା……

author-image
Dilip Sabat
ଅଦ୍ୟତନ ହୋଇଛି
BJD leader stood up after Four days of Chief Minister target

BJD leader stood up after Four days of Chief Minister target

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡଚଣାରେ ବାଣ ମାରିବାର ଚାରିଦିନ ପରେ, ଚିହିଁକି ଉଠିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି) । ୨୦୨୪ ସାଧାରଣ ନିର୍ବାଚନରେ ପରାଜୟର ‘ପଶ୍ଚାତାପ’ରେ ଡୁବିରହିବାର ୪ ମାସ ପରେ (ବିଜୁ ଜନତାଦଳ) ବିଜେଡିର ଗର୍ଜନ ଶୁଭିଛି । ଯାଜପୁରରେ ‘ଜନସମ୍ପର୍କ ପଦଯାତ୍ରା’ର ଶୁଭାରମ୍ଭ କରି ସଭାମଂଚରୁ ବବିଙ୍କ ହୁଂକାର ଶୁଭିଲାଣି । ଅନ୍ୟପଟେ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର ବିଜେପିକୁ କଡା ଚ୍ୟାଲେଞ୍ଜ ଦେଇ କହିଲେଣି “ଦମ୍ ଅଛିତ ବିଜେଡି ଭାଡି ଖାଲି କରି ଦେଖାଅ” । ସୁପ୍ରିମୋ ସେପଟେ ଶଙ୍ଖଭବନରେ ସଙ୍ଗଠନକୁ ମଜବୁତ କରିବାର ମନ୍ତ୍ର ଫୁଙ୍କୁଛନ୍ତି ।

Advertisment

ତେବେ ବିଜେଡି କଣ କଡା ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି? ନା ଅସମ୍ଭାଳ ସଙ୍ଗଠନ ସ୍ଥିତିକୁ ସଜାଡିବାକୁ ଏହି ଉଦ୍ୟମ? କାରଣ ଏବେ ଦଳୀୟକନ୍ଦଳ ପ୍ରବଳ ମାତ୍ରାରେ ଦେଖାଯାଉଛି । ଅନ୍ୟପଟେ ଦଳ କ୍ଷମତାରେ ଥିବାବେଳେ “ବାସିପାଣି”ରେ ପଚାରୁନଥିବା ବରିଷ୍ଠଙ୍କୁ ଏବେ ସଙ୍ଗଠନର ମଙ୍ଗ ଧରେଇ ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି ପୂର୍ବରୁ ଦଳରେ ଦବ୍‌ଦବା ଦେଖାଉଥିବା ଯୁବନେତା ବରିଷ୍ଠଙ୍କୁ କେତେ ଗ୍ରହଣ କରୁଛନ୍ତି? ରାଜ୍ୟର ମୁଖ୍ୟ ବିରୋଧୀଦଳ ଭାବେ ଦଣ୍ଡାୟମାନ ବିଜେଡି ପ୍ରତି ଗୁରୁ ଦାୟିତ୍ୱ ରହିଥିବାବେଳେ ସରକାରୀଦଳ ସହିତ ସଂଘର୍ଷ କରିବା ପୂର୍ବରୁ ନିଜ ସ୍ଥିତି ଓ ସଙ୍ଗଠନକୁ ସୁଦୃଢ କରିବା ହେବ ଦଳ ପାଇଁ ବଡ ଆହ୍ୱାନ ।

ବିଜେଡି ହାତରୁ କ୍ଷମତା ଖସିବାର ପ୍ରାୟ ୪ ମାସ ପରେ ସାମ୍ନାକୁ ଆସିଲେ ବବି ଦାସ । ‘ଜନସମ୍ପର୍କ ପଦଯାତ୍ରା’ର ଶୁଭାରମ୍ଭ କରି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଲେ, ବିଜୁ ବାବୁଙ୍କ ସହିତ ରହି ୨୯ ମାସ ଜେଲ ଯା’ବାପ ଯାଇଛି ରାଜନୈତିକ ଆକ୍ରୋଶର ଶୀକାର ହୋଇ, ମୁଁ ୪ ବର୍ଷ ଜେଲ ଯିବାକୁ ରାଜି ଅଛି । ମୁଁ ଯଦି ଦୁର୍ନୀତି କରିଛି ମତେ ବାନ୍ଧୁନ? ଜେଲ ଯିବାକୁ ମୁଁ ପ୍ରସ୍ତୁତ । ୪ ମାସ ହେଲାଣି ମୋତେ ବାନ୍ଧୁନ କାହିଁକି ବୋଲି ବବି ଶାସକ ବିଜେପିକୁ ପ୍ରଶ୍ନ କରିଥିଲେ । ବାସ୍ତବରେ ଏହାର ଦୁଇ ଦିନ ପୂର୍ବରୁ (୨୯ ସେପ୍ଟେମ୍ବର) ଏକ ସଭାମଂଚରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡଚଣାରେ ଦୁର୍ନୀତିରେ ଲିପ୍ତ କାହାକୁ ବି ଛଡ଼ାଯିବନି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Advertisment

୩ଟି ପରିବାର ଯାଜପୁରକୁ ଲୁଟ କରିଛନ୍ତି । ଯେଉଁମାନେ କ୍ରିତଦାସ ସାଜି ନେତାପଣିଆ ଦେଖାଉଥିଲେ, ବିଜେଡିର ସେଇ ନେତୃତ୍ୱମଣ୍ଡଳୀ ଜିଲ୍ଲାକୁ ନଷ୍ଟ କରିଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସମାଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ସେଇ ୩ ପରିବାର କିଏ ବୋଲି ପ୍ରଶ୍ନ କରିଥିଲା । ତେବେ ବବିଙ୍କ ସାମ୍ନାକୁ ଆସି ବିଜେପିକୁ ଏଭଳି ଆକ୍ରମଣ କରିବା ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ଷମତାରେ ଥିବାବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରେ ବିଜେଡିରେ ଯେଉଁ ଦୁଇଜଣଙ୍କୁ ମୋଷ୍ଟ ପାୱାରଫୁଲ ବୋଲି କୁହାଯାଉଥିଲା ସେଥିମଧ୍ୟରୁ ବବି ଦାସ ଅନ୍ୟତମ । ତେବେ ଦଳ ପାୱାରରୁ ଗଲା ପରେ ବିଜେଡିରେ ବବିଙ୍କ ପତିଆରା ଆଉ ଦେଖିବାକୁ ମିଳିନଥିଲା । ଏଭଳି କି ଦଳର କୌଣସି ସାଙ୍ଗଠନିକ ବଡ ପଦ ପଦବୀରେ ମଧ୍ୟ ତାଙ୍କୁ ରଖାଯାଇ ନାହିଁ ।

ଏପଟେ କିନ୍ତୁ ନିଇତି ଶଙ୍ଖଭବନରେ ପରାଜୟର କାରଣ ଖୋଜା ଚାଲିଥିବାବେଳେ ସେପଟେ ଗୋଟାକ ପରେ ଗୋଟିଏ ବିଭିନ୍ନ ଅଂଚଳରୁ ବିଜେଡି ଭିତରେ ଥିବା ଅସନ୍ତୋଷ ଓ କନ୍ଦଳ ସବୁ ପଦାକୁ ଆସୁଛି । ଭୁବନେଶ୍ୱର, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, ଯାଜପୁର, ଗଞ୍ଜାମ, ପୁରୀ ଆଦି ଅଧିକାଂଶ ଜିଲ୍ଲାରେ ଦଳୀୟ କନ୍ଦଳ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି । ସେହିଭଳି ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ଦୁଇ କର୍ପୋରେଟରଙ୍କ ସମେତ ୪ଜଣଙ୍କୁ ଦିଆଯାଇଛି କାରଣ ଦର୍ଶାଅ ନୋଟିସ୍ ।  ଟିକେଟ ବଂଟାରେ ବିଭ୍ରାଟ, କାହାପାଇଁ କିଏ ହାରିଲା ଏଭଳି ଦଳୀୟ ନେତାଙ୍କ ଭିନ୍ନ ଭିନ୍ନ ଆରୋପ ପ୍ରତ୍ୟାରୋପ ଚର୍ଚ୍ଚାରେ ରହିଛି ।

କାରଣ ଦର୍ଶାଅ ନୋଟିସ୍ ପାଇବା ପରେ ବିରଞ୍ଚି ନାରାୟଣ ମହାସୁପକାର କହିଛନ୍ତି ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଉତ୍ତର ରହିଛି। ସେ ଉତ୍ତର ଦେବା ପରେ ସମସ୍ତେ ଜାଣିବେ ଦଳରେ କିଏ ଶୃଙ୍ଖଳିତ। ତେବେ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ସେ ଗ୍ରହଣ କରିବେ ବୋଲି କହିଛନ୍ତି। ସେପଟେ କର୍ପୋରେଟର ଅମରେଶ ଜେନା କହିଛନ୍ତି, ଆମେ ଦଳରେ ଫାଟ ସୃଷ୍ଟି କରିନୁ, ବରଂ ଫେଭିକଲ ଲଗାଇ ଯୋଡ଼ିବାକୁ ଚେଷ୍ଟା କରିଛୁ। ଅନ୍ୟପଟେ ପ୍ରାୟ ୩୦ ଜଣ କର୍ପୋରେଟର ଗୋଟିଏ ବସରେ ଏକାଠି ହୋଇ ପୁରୀ ଲୋକନାଥ ମନ୍ଦିର ଯିବା ଘଟଣା ସାମ୍ନାକୁ ଆସିଲା । ବ୍ୟକ୍ତିଗତ ବନ୍ଧୁମିଳନ କାର୍ଯ୍ୟରେ ଏମାନେ ଏକାଠି ହୋଇ ପୁରୀ ଯିବା ନେଇ କହିଥିଲେ କର୍ପୋରେଟର ଅଜିତ ବେହେରା।

ଅକ୍ଟୋବର ୨ ଗାନ୍ଧୀଜୟନ୍ତୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲା ଅସନ୍ତୋଷ ସ୍ପଷ୍ଟ କରିଥିଲା ଚିକିଟି ଓ ଦିଗପହଣ୍ଡି ନେତାଙ୍କ ସମେତ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବୈଠକରେ ଅନୁପସ୍ଥିତି l ବଡ଼ଚଣାରେ ଦଳୀୟ ନେତା ଏବଂ କର୍ମୀ ଭିନ୍ନ ଭିନ୍ନ ଗୋଷ୍ଠୀରେ ଆସି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଘଟଣା ମଧ୍ୟ ଚର୍ଚ୍ଚାରେ ରହିଛି l ଦଳରେ ନେତାଙ୍କ ଅସନ୍ତୋଷ ଅଭିମାନକୁ ଦୂର କରି ପୁନଃ ଏକ ମନ ଓ ପ୍ରାଣରେ ସଙ୍ଗଠନକୁ ଆଗକୁ ବଢାଇବା ବିଜେଡି ପାଇଁ ଏକ ବଡ ଆହ୍ୱାନ ହୋଇ ଠିଆ ହୋଇଛି । ‘ନବୀନ ଷ୍ଟାମ୍ପ’ରେ ନିର୍ବାଚନ ଜିତୁଥିବା ନେତାଙ୍କୁ ଏବେ ସଙ୍ଗଠନ ଓ ସମର୍ଥକଙ୍କୁ ସୁଦୃଢ କରିବାକୁ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିବ l

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Odisha Politics
Advertisment
Advertisment