Advertisment

ଅଘୋଷିତ ପାୱାର କଟ୍‌କୁ ନେଇ ଅଡୁଆରେ ରାଜ୍ୟ ସରକାର, ହରଡ଼ଘଣାରେ ଶକ୍ତି ବିଭାଗ !

ରଜ ଭଳି ଏକ ଗଣପର୍ବରେ ବିଜେଡିର ହଠାତ୍ ଏଭଳି ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦକୁ ନେଇ ଚର୍ଚ୍ଚା। ପାୱାର କଟ୍‌କୁ ନେଇ ରାଜ୍ୟବ୍ୟାପୀ ସରକାରଙ୍କ ବିରୋଧରେ ମାହୋଲ ବିଗୁଡୁଥିବାରୁ ବିଜେଡିର ଏହି ଆନ୍ଦୋଳନ କି?

ଅଦ୍ୟତନ ହୋଇଛି
BJD gas price hike protest vs bjp electric power cut protest

BJD gas price hike protest vs bjp electric power cut protest

Advertisment

ବିଜୁଳି କାଟ୍ ବନାମ୍ ଗ୍ୟାସ ଦର ବୃଦ୍ଧି। ସାଧାରଣ ଜନତାଙ୍କୁ ବାଧୁଥିବା ଏ ଦୁଇ ପ୍ରସଙ୍ଗକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଜେପି ଓ ବିଜେଡି। ଅଘୋଷିତ ବିଜୁଳି କାଟ୍ ପ୍ରତିବାଦରେ ବିଜେପି ଟାଟା ପାୱାର ଅଫିସ୍ ଆଗରେ ଧାରଣା ଦେଇଥିବା ବେଳେ ବିଜେଡି ଗ୍ୟାସ୍ ଦରବୃଦ୍ଧି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ବିରୋଧରେ ଗର୍ଜନ କରିଛି। ରନ୍ଧନ ଗ୍ୟାସ୍ ଦର ବହୁ ପୂର୍ବରୁ ବଢ଼ିଥିଲେ ବି ଅଚାନକ୍ ରଜ ଭଳି ପର୍ବରେ ବିଜେଡିର ଏଭଳି ଆନ୍ଦୋଳନକୁ ନେଇ ନାନା ଚର୍ଚ୍ଚା। ସେପଟେ କଂଗ୍ରେସ ମଧ୍ୟ ପାୱାର କଟ୍‌କୁ ନେଇ ୧୯ରେ ଗ୍ରୀଡକୋ ଅଫିସ୍ ଘେରାଉ କରିବ ବୋଲି ଘୋଷଣା କରିଛି।

Advertisment

ବିଜେପିର ବିଦ୍ୟୁତ୍ କାଟ୍ ବନାମ୍ ବିଜେଡିର ମହଙ୍ଗା ଗ୍ୟାସ୍। ରାଜ୍ୟ ରାଜନୀତିରେ ଏବେ ବଡ଼ ପ୍ରସଙ୍ଗ ହୋଇଛି ବିଜୁଳି। ଘନଘନ ପାୱାର କଟ୍‌କୁ ନେଇ ସରକାରଙ୍କ ବିରୋଧରେ ଯେଭଳି ଅସନ୍ତୋଷର ନିଆଁ ଜଳୁଛି, ସେଥିରେ ଘିଅ ଢାଳିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍। ଆଉ ଏହାକୁ କାଉଣ୍ଟର କରିବାକୁ ଗ୍ୟାସ୍ ଦରବୃଦ୍ଧି କଥା ଉଠାଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ଯାହାକୁ ନେଇ ଟୁଇନ୍ ସିଟିରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି।

ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ କଟକ ଟାଟା ପାୱାର ଅଫିସ୍ ଆଗରେ ଲଣ୍ଠନ ଧରି ଓ ବିଞ୍ଚଣାରେ ବିଞ୍ଚି ହୋଇ ପ୍ରତିବାଦ କରିଥିଲେ ବିଜେପି ନେତା, କର୍ମୀ। ଦଳ ପକ୍ଷରୁ ଟାଟା ପାୱାରର ବିଭିନ୍ନ ଅଫିସ୍ ଆଗରେ ଆସନ୍ତାକାଲି ମଧ୍ୟ ଏଭଳି ପ୍ରତିବାଦ କରାଯିବ। ସେପଟେ ବିଜେପିକୁ କାଉଣ୍ଟର କରିବାକୁ ରାଜଭବନ ଆଗରେ ଧାରଣା ଦେଇଥିଲା ବିଜେଡି। ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ନେତ୍ରୀମାନେ ଚୁଳି ଜାଳି ପ୍ରତିବାଦ କରିଥିଲେ। ଆଉ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ରାଜ୍ୟପାଳଙ୍କୁ ଦେଇଥିଲେ ଦାବିପତ୍ର।

Advertisment

ସେପଟେ କଂଗ୍ରେସ ବି ପାୱାର କଟ୍କୁ ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି। ପାୱାର କଟ୍ ପ୍ରତିବାଦରେ ଆସନ୍ତା ୧୯ ତାରିଖରେ ଗ୍ରୀଡକୋ ଅଫିସ୍ ଘେରାଉ  କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସେପଟେ ରଜ ଭଳି ଏକ ଗଣପର୍ବରେ ବିଜେଡିର ହଠାତ୍ ଏଭଳି ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦକୁ ନେଇ ଚର୍ଚ୍ଚା। ପାୱାର କଟ୍‌କୁ ନେଇ ରାଜ୍ୟବ୍ୟାପୀ ସରକାରଙ୍କ ବିରୋଧରେ ମାହୋଲ ବିଗୁଡୁଥିବାରୁ ବିଜେଡିର ଏହି ଆନ୍ଦୋଳନ କି? ଟାଟା ପାୱାରକୁ ସୁରକ୍ଷା ଦେବାକୁ ଗ୍ୟାସ୍ ଦରବୃଦ୍ଧି ଆଳରେ ବିକ୍ଷୋଭ କି? ନା ବିଜେପି କାଳେ ମାଇଲେଜ୍ ନେଇଯିବ, ତାକୁ କାଉଣ୍ଟର କରିବାକୁ ଏହି କାର୍ଯ୍ୟକ୍ରମ? 

Advertisment

ବିଜୁଳି ବିଭ୍ରାଟକୁ ନେଇ ପୂର୍ବରୁ କଂଗ୍ରେସ ଓ ବିଜେପି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଆଗକୁ ମଧ୍ୟ ବଡ଼ ଆନ୍ଦୋଳନ କରିବା ଯୋଜନାରେ ଅଛନ୍ତି ଉଭୟ ଦଳ। ସେପଟେ ବିଜୁଳି ସମସ୍ୟାରୁ କେମିତି ମୁକୁଳିବେ ସେ ନେଇ ବାଟ ଖୋଜୁଛନ୍ତି ରାଜ୍ୟ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ