/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756487560.jpg)
BJD Tension
ଛାମୁଆ ସଂଗଠନ ମୁଖିଆ ଘୋଷଣା ପରେ ବିଜେଡିରେ ଦେଖିବାକୁ ମିଳିଛି ବିଦ୍ରୋହ ସ୍ଥିତି । ଛାତ୍ର ସଭାନେତ୍ରୀଙ୍କ ଚୟନକୁ ବିରୋଧ କରି ଆଜି(ଶୁକ୍ରବାର) ଶଙ୍ଖଭବନ ବାହାରେ ମେଳି ବାନ୍ଧି ପିଏସି ସଦସ୍ୟଙ୍କୁ ଘେରିଛନ୍ତି ବହୁ ଛାତ୍ର ବିଜେଡି ନେତା । ତେବେ ସ୍ଥିତି ବିଗୁଡୁଥିବା ଦେଖି ନବୀନ ନିବାସରୁ ଡକରା ପାଇ ଛାତ୍ର ଓ ଯୁବ ବିଜେଡି ସଭାପତିଙ୍କ ବୈଠକ ହୋଇଥିଲା । ବୈଠକ ପରେ ଛାତ୍ର ବ୍ୟାପାର ସାଧାରଣ ସଂପାଦକ କହିଛନ୍ତି ‘ବସ୍ ଇଜ୍ ଅଲୱେଜ୍ ରାଇଟ୍’ ।
ଅସନ୍ତୋଷ ଏତେ ଉଗ୍ର ହୋଇଛି ଯେ ଭୁବନେଶ୍ୱର ଜାଗମରା ଅଂଚଳର ଏକ ମଣ୍ଡପରେ ବୈଠକ ବସିଥିଲା । ମୁଖ୍ୟ ଫାଟକରେ ତାଲା ପକାଇ ଭିତରେ ଆଲୋଚନା ହୋଇଥିବା ବେଳେ ଏଥିରେ ର 40ରୁ 50 ଛାତ୍ର ନେତା ଉପସ୍ଥିତ ରହିଥିଲେ । ତେବେ ନବନିଯୁକ୍ତ ଛାତ୍ର ବିଜେଡି ସଭାନେତ୍ରୀଙ୍କୁ ବିରୋଧ କରି ମେଳି ହୋଇଥିବା ଚର୍ଚ୍ଚା ହେଉଛି । କେହି ଖୋଲା ଖୋଲି କ୍ୟାମେରା ଆଗରେ ବିରୋଧ କରି ନଥିଲେ ବି ପରୋକ୍ଷରେ ଶୀର୍ଷ ନେତୃତ୍ୱକୁ ନିଶାନା ସାଧିଛନ୍ତି । ମେଳି ପ୍ରାୟ 2 ଘଣ୍ଟା ଧରି ଚାଲିଥିଲା । ଆଉ ତାପରେ ଛାତ୍ର ନେତା ସେଠାରୁ ଏକାଠି ହୋଇ ପଲିଟିକାଲ୍ ଆଫେୟାର୍ସ(Political Affairs) କମିଟିର ସଦସ୍ୟ ସଞ୍ଜୟ ଦାସବର୍ମାଙ୍କ ବାସଭବନକୁ ଯାଇଥିଲେ । ସେଠାରେ ମଧ୍ୟ ଛାତ୍ର ନେତାମାନେ ନିଷ୍ପତ୍ତି କାହାର ବୋଲି ପ୍ରଶ୍ନ କରିଥିଲେ । ତେବେ ଆଗାମୀ ଦିନରେ ଛାତ୍ର ସଭାନେତ୍ରୀଙ୍କ ସହ କାମ କରିବେ ନା ନାହିଁ, ପ୍ରଶ୍ନର ଉତ୍ତରରେ ସମୟ କହିବ, ଆମେ ଦଳ ସହ ଅଛୁ ବୋଲି କହିଛନ୍ତି କିଛି ଛାତ୍ର ବିଜେଡି ନେତା ।
ଏବେ ପ୍ରଶ୍ନ ଉଠୁଛି ଯଦି ଛାତ୍ର ସଭାପତି ଚୟନ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ହୋଇଛି, ତେବେ ଏତେ ବିରୋଧ କାହିଁକି? କିଏ ନେଲା ଏ ନିଷ୍ପତ୍ତି? ତେବେ ଦଳୀୟ ନେତାଙ୍କ ଅଗୋଚରରେ ପାଣ୍ଡିଆନ୍ ନିଜ କ୍ୟାମ୍ପର ଛାତ୍ର ନେତାଙ୍କ ନାଁ ଘୋଷଣା କରିଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଏତେ ବିରୋଧ । ଯଦି ଅସନ୍ତୋଷ ନାହିଁ ତେବେ ଶଙ୍ଖ ଭବନ ଛାଡ଼ି ଛାତ୍ରନେତା ବାହାରେ ମେଳି କାହିଁକି କଲେ ବୋଲି ବି ପ୍ରଶ୍ନ ଉଠୁଛି। ଅପରପକ୍ଷେ ଅସନ୍ତୋଷ ବଢ଼ୁଥିବାରୁ ନବୀନ ନିବାସରେ ଛାତ୍ର ଓ ଯୁବ ବିଜେଡି ସଭାପତିଙ୍କ ସମେତ ଅଫିସ ବିଅରର ମାନଙ୍କୁ ଅପରାହ୍ନରେ ଦଳପତି ଡାକି ଆଲୋଚନା କରିଛନ୍ତି । ତେବେ ଏଠି ଦେଖିବାକୁ ବାକି ରହିଲା ଛାତ୍ର ଓ ଯୁବ ସଂଗଠନରେ ବଢୁଥିବା ବିବାଦ ଆଗକୁ କି ରୂପ ନେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)