• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିହାର କ୍ଷମତା ରାଜନୀତିରେ ବଡ଼ ହଲଚଲ୍ । ଏନଡିଏ ଡଙ୍ଗା ଛାଡ଼ି ତେଜସ୍ୱୀଙ୍କ ସହ ମିଶି ସରକାର ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସଜବାଜ । ବିଜେପି-ଜେଡିୟୁ ମେଣ୍ଟ ଭିତରେ ଫାଟ ଏତେ ବଢ଼ି ଯାଇଛି ଯେ କୌଣସି ସମୟରେ ବି ମେଂଟ ଭାଙ୍ଗିବା ଆଶଙ୍କା ରହିଛି । ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏ ନେଇ ରାଜ୍ୟପାଳଙ୍କୁ ସେ ସମୟ ମାଗିଛନ୍ତି ।

ଜେଡିୟୁ ବିଧାୟକଙ୍କ ସହ ବୈଠକ ପରେ ରାଜ୍ୟପାଳଙ୍କୁ ଭେଟିବା ଲାଗି ନୀତିଶ ସମୟ ମାଗିଛନ୍ତି । ଆଜି ଦିନ ସାଢ଼େ ୧୨ଟାରେ ରାଜ୍ୟପାଳଙ୍କୁ ଭେଟିପାରନ୍ତି ନୀତିଶ କୁମାର । ବିଜେପି ଛାଡ଼ି ପୁଣି ମହାମେଣ୍ଟକୁ ଫେରିପାରନ୍ତି । କିଛି ସମୟ ତଳେ ବିଧାୟକ ଦଳ ବୈଠକ ଡାକିଥିଲେ ନୀତିଶ । ସେପଟେ ପରିସ୍ଥିତିକୁ ଦେଖି କଂଗ୍ରେସ ବିଧାୟକଙ୍କୁ ଏକାଠି ରଖିବାକୁ ରାଜ୍ୟ ପ୍ରଭାରୀ ଭକ୍ତଚରଣ ଦାସ ଗୁପ୍ତ ବୈଠକ କରିଥିବା ସୂଚନା ମିଳିଛି । ଖୁବଶୀଘ୍ର ବିଜେପି ମେଂଟରୁ ଓହରିବାକୁ ଘୋଷଣା କରିପାରେ ଜେଡିୟୁ ।

ଏପରିକି କଂଗ୍ରେସ, ଆରଜେଡି ଏବଂ ବାମ ଦଳ ସହ ମିଶି ବିକଳ୍ପ ସରକାର ଗଢିବାକୁ ଯୋଜନା ହେଉଥିବା ଚର୍ଚ୍ଚା ହେଉଛି । ଆରସିପି ସିଂହଙ୍କ ଜରିଆରେ ବିଜେପି ତାଙ୍କ ଦଳ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜେଡିୟୁ ଅଭିଯୋଗ କରିଛି । ବିହାରରେ ଗତ ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ଏନ୍‌ଡିଏ ୧୨୭ଟିରେ ବିଜୟୀ ହୋଇଥିଲା । ଜେଡିୟୁକୁ ୪୫ ଏବଂ ବିଜେପିକୁ ମିଳିଥିଲା ୭୭ଟି ସିଟ୍ । ତେବେ ଏନଡିଏର ଅନ୍ୟ ସହଯୋଗୀଙ୍କୁ ୫ଟି ସିଟ୍ ମିଳିଥିଲା । କମ୍ ଆସନ ପାଇଥିବା ସତ୍ତ୍ୱେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି ।

ସୂଚନାଯୋଗ୍ୟ, ଜେଡିୟୁ ଏବଂ ବିଜେପି ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିଥିଲେ । କମ୍ ଆସନ ପାଇବା ପରେ ମଧ୍ୟ ନୀତୀଶ କୁମାରଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା । ସେବେଠାରୁ ଦୁଇ ଦଳ ମଧ୍ୟରେ କଳହ ଲାଗି ରଖିଛି । ଉଭୟ ଦଳର ନେତାମାନେ ମଧ୍ୟ ଅନେକ ପ୍ରସଙ୍ଗରେ ଭିନ୍ନ ବିବୃତ୍ତି ଦେଉଥିବାର ନଜର ଆସୁଛି । ଏବେ ବିଜେପି ଜେଡିୟୁ ମେଣ୍ଟ ଭାଙ୍ଗିବା ଏକ ପ୍ରକାର ଥୟ ବୋଲି କୁହାଯାଉଛି।