• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁରରେ ରାଗିଂ ପଛର ଖୋଲିଲା ସତ । ଶାସକ ଦଳର ଛତ୍ରଛାୟାରେ ପରିଚାଳିତ ଛାତ୍ର ସଂଗଠନର ଲିଙ୍କ୍ ସାମ୍ନାକୁ ଆସିଲା । ବିଜେଡ଼ି ଛାତ୍ର ସଂଗଠନର ଆବାହକ ହିଁ ରାଗିଂର ରିଂ ମାଷ୍ଟର , ଯାହାକୁ ପୋଲିସ ପୋକ୍ସୋ ଆକ୍ଟରେ ଗିରଫ ପରେ କୋର୍ଟଚାଲାଣ କରିଛି, କଲେଜରୁ ବି ବହିଷ୍କାର କରାଯାଇଛି । ପୂର୍ବରୁ ବି ଅନେକ ସମୟରେ କ୍ୟାମ୍ପସରେ ସେ ବିଶୃଙ୍ଖଳା ସୃଷ୍ଟି କରୁଥିଲା ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ । ଅଥଚ ଏଭଳି ବିଶୃଙ୍ଖଳିତ ଛାତ୍ରକୁ ବିଜେଡ଼ି କିଭଳି କଲେଜ୍ କ୍ୟାମ୍ପସର ଦାୟିତ୍ୱ ଦେଇଥିଲା ? କଲେଜ କର୍ତ୍ତୃପକ୍ଷ ବି ଏତେଦିନ ଧରି ବରଦାସ୍ତ କରିଚାଲୁଥିଲେ କେମିତି ? ଏଭଳି ପ୍ରଶ୍ନ ଭିତରେ ରାଗିଂ ମାମଲାକୁ ଗୁରୁତ୍ୱର ସହ ନେଇ କ୍ୟାମ୍ପସରେ ତଦନ୍ତ କରିଛି ଉଚ୍ଚଶିକ୍ଷା ବିଭାଗ ।

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ତାଲିବାନୀ ଷ୍ଟାଇଲରେ କଲେଜ କ୍ୟାମ୍ପସରେ ରାଗିଂ ହୋଇଥିଲା । ନିଜ କଲେଜ୍ ଜୁନିୟର ଛାତ୍ରୀକୁ ଘେରିଯାଇ ଅଶାଳୀନ ବ୍ୟବହାର କରୁଛନ୍ତି । ଗତ କିଛିଦିନ ହେଲା ଯାହାର ଭିଡିଓ ଭାଇରାଲ ହେଉଛି । ପାଖରେ ଅନ୍ୟ ଛାତ୍ର ବି ଅଛନ୍ତି, କିନ୍ତୁ କାହାର ଯୁ ନାହିଁ, ଏହି ଅଭଦ୍ରାମୀକୁ ରୋକିବା ପାଇଁ । କାରଣ ସେମାନେ ହେଉଛନ୍ତି ସମଗୋଷ୍ଠୀର । ଏହି ଗୋଷ୍ଠୀ ଭିତରୁ ଯେଉଁ ଚେହେରା ଏବେ ସାମ୍ନାକୁ ଆସିଛି, ତାକୁ ନେଇ ଏବେ ହଇଚଇ । ଯାହା ନାଁ ଅଭିଷେକ ନାୟକ । ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ।

ଜାଣି ଆଶ୍ଚର୍ଯ୍ୟ ହେବେ, ନିରୀହ ନାବାଳିକା ଛାତ୍ରୀଙ୍କୁ ରାଗିଂର ଏହି ରିଂ ମାଷ୍ଟରଙ୍କ ରହିଛି ଶାସକ ବିଜେଡ଼ି ଲିଙ୍କ୍ । ଯାହାଙ୍କୁ ବିନାୟକ ଆଚାର୍ଯ୍ୟ କଲେଜର କ୍ୟାମ୍ପସର ଆବାହକ ବନାଇଥିଲା ଦଳ । ଆଉ ସେହି କ୍ଷମତାର ବଳରେ ବଳିୟାନ ସାଜି ଅଭିଷେକ କ୍ୟାମ୍ପସରେ ଏଭଳି ଦୌରାତ୍ମ୍ୟ ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ବିଜେଡ଼ି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଆବାହକ ପଦରୁ ଅଭିଷେକଙ୍କୁ ନିଲମ୍ବିତ କରିଛି ବିଜୁ ଛାତ୍ର ଜନତା ଦଳ ।

ସାଙ୍ଗିଆରେ କେତେବେଳେ ନାୟକ ତ କେତେବେଳେ ନାହାକ ବୋଲାଉଥିବା ୨୪ ବର୍ଷିୟ ଅଭିଷେକର ଏଭଳି ବିଶୃଙ୍ଖଳିତ ଆଚରଣ ନୂଆ ନୁହେଁ । କଲେଜ ପ୍ରିନ୍ସପାଲକୁ କହିବା କଥା, ଅନେକ ସମୟରେ ପୂର୍ବରୁ ବି ଅଭିଷେକ ବିଶୃଙ୍ଖଳା ସୃଷ୍ଟି କରିଥିବା ନଜିର ରହିଛି । ନିଶାଦ୍ରବ୍ୟ ସେବନଠୁ ଆରମ୍ଭ କରି, ପରୀକ୍ଷାବେଳକୁ ଜାଣିଶୁଣି ବିଳମ୍ବରେ ଆସି ବିଶୃଙ୍ଖଳା କରୁଥିଲେ ଅଭିଷେକ । କ୍ୟାମ୍ପସରେ ଗାଡ଼ି ଧରି ଜୋରରେ ଶଦ୍ଦ କରୁଥିଲେ ସେ । ଏଭଳି ଆଚରଣ ପାଇଁ ଗତ ମାର୍ଚ୍ଚରେ କଲେଜ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଡାକି ଆଲୋଚନା ବି କରିଥିଲେ । ତଥାପି ସେ ସୁଧୁରିନଥିଲେ । ଆଉ ଏବେ ରାଗିଂ ମାମଲାରେ ସଂପୃକ୍ତ ହେବା ପରେ କଲେଜରୁ ବହିଷ୍କାର କରାଯାଇଛି ଅଭିଷେକକୁ । ତେଣେ ମାମଲାକୁ ନେଇ ଲାଗିରହିଥିବା ଚର୍ଚ୍ଚା ଭିତରେ କଲେଜକୁ ଯାଇ ତଦନ୍ତ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ।

ଏହି ରାଗିଂ ମାମଲାରେ ଅଭିଷେକ ସମେତ ୧୨ ଜଣଙ୍କୁ ଗତକାଲିଠୁ କଲେଜରୁ ବହିଷ୍କାର କରାଯାଇଥିବାବେଳେ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅନ୍ୟ ୨ ନାବାଳକ ଛାତ୍ରଙ୍କୁ ବାଲ୍ ସୁଧାରଗୃହକୁ ପଠାଇ ଦିଆଯାଇଛି । ତେଣେ କଲେଜ୍ରୁ ବହିଷ୍କୃତ କିଛି ଛାତ୍ରଛାତ୍ରୀଙ୍କ ଅଭିଭାବକ କଲେଜକୁ ଆସି କ୍ଷମାପ୍ରାର୍ଥନା କରିଛନ୍ତି ।