Advertisment

ସମ୍ବିତଙ୍କ ପାଇଁ କଣ୍ଟା ସାଜି ପାରନ୍ତି ବସନ୍ତ, କଂଗ୍ରେସକୁ ସର୍ଖେଲ ଚିନ୍ତା !

୨୪ ନିର୍ବାଚନରେ ସମ୍ବିତଙ୍କ ସମତଳ ରାସ୍ତାରେ କଣ୍ଟା ସାଜି ପାରନ୍ତି ପାରଦୀପ ପୌରପାଳିକା ଅଧ୍ୟକ୍ଷ ତଥା ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Paradip, Sattara Satranj

Paradip, Sattara Satranj

୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନି। ହେଲେ ନିର୍ବାଚନ ପୂର୍ବର ଉଷ୍ମତା ବାରି ହେଲାଣି ରାଜ୍ୟର ପ୍ରତି ଗଳି କନ୍ଦିରେ। ୨୪ ଭୋଟକୁ ନେଇ ଅଙ୍କକଷା ଓ ଅବଗଣନା ଏବେ ଜୋର ଧରିଲାଣି। ସବୁଠି ଦେଖିବାକୁ ମିଳୁଛି ଚର୍ଚ୍ଚା, ଆଲୋଚନା । ଗଣତନ୍ତ୍ରର ଏ ମହାପର୍ବରେ ପୁଣି ସାମିଲ ହେବାକୁ ନିଜ ଭିତରେ ପ୍ରସ୍ତୁତି ଆରମ୍ଭ କଲେଣି ମତଦାତା। ସଂଗଠନ ସଜାଡ଼ି ଆଗକୁ ଯିବାକୁ ଅଣ୍ଟା ଭିଡ଼ିଲେଣି ନେତା।

Advertisment

ଏପଟେ ମତଦାତାଙ୍କୁ ନିଜ ଆଡ଼କୁ ଟାଣି କ୍ଷମତା ଦଖଲ ପାଇଁ ଉଦ୍ୟମ ଆରମ୍ଭ କଲେଣି ନେତା ଓ ରାଜନୈତିକ ଦଳ। ତାରି ଭିତରେ ଭୋଟରଙ୍କ ମୁଡ୍‌ କଣ, ଏବେ ନିର୍ବାଚନ ମଣ୍ଡଳୀର ସ୍ଥିତି କେମିତି ଏବଂ ନେତା ଓ ଦଳଙ୍କ ଷ୍ଟ୍ରାଟେଜି କେଉଁଭଳି ଚାଲିଛି, ତାଉପରେ ଆମର ନଜର ।

ଉପକୂଳ ଓଡ଼ିଶାର ଅନ୍ୟତମ ରାଜନୈତିକ ପଶାପାଲି ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ । ୨୦୦୯ରୁ ଏ ନିର୍ବାଚନମଣ୍ଡଳୀରେ ଲାଗିଛି ବିଜେଡି ଟ୍ୟାଗ୍ । ଅର୍ଥାତ ଲଗାତର ତୃତୀୟ ଥର ପାଇଁ ଏଠି ଉଡୁଛି ବିଜେଡିର ବିଜୟ ବାନା । ତେବେ ୨୦୧୯ରୁ-୨୦୨୪, ଏଇ ପାଞ୍ଚ ବର୍ଷ ଭିତରେ ପାରାଦୀପର ରାଜନୈତିକ ପାଣିପାଗରେ ଘଟିଲାଣି ଅନେକ ପରିବର୍ତ୍ତନ । ମୈଦାନରେ ଏପଟ ସେପଟର ଆଭାସ ବାରିଲେଣି ରାଜନୈତିକ ସମୀକ୍ଷକ। ଆଉ ଆଶା ଓ ଆଶଙ୍କା ଭିତରେ ନିଜକୁ ପ୍ରମାଣିତ କରିବାକୁ ଅଣ୍ଟା ଭିଡିଲେଣି ଆଶାୟୀ ପ୍ରାର୍ଥୀ ।

Advertisment

ପାରାଦୀପ । ରାଜନୈତିକ ଦୃଷ୍ଟିକୋଣରୁ ଉପକୂଳ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ। ୨୦୦୯ରେ ବିଧାନସଭା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପରେ ଆତ୍ମପ୍ରକାଶ କରିଥିଲା ପାରାଦୀପ ନିର୍ବାଚନ ମଣ୍ଡଳୀ। ଏହା ପୂର୍ବରୁ ଏରସମାକୁ ପାଞ୍ଚ ପାଞ୍ଚ ଥର ନିଜ କବଜାରେ ରଖିଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ୨୦୦୯ ଏବଂ ୨୦୧୪ରେ ପାରାଦୀପ ମୈଦାନକୁ ଓହ୍ଲାଇ ଏଠାରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

ହେଲେ ୨୦୧୯ ବେଳକୁ ବଦଳିଥିଲା ଦୃଶ୍ୟପଟ୍ଟ। ଦାମଙ୍କ ବଦଳରେ ପୁଅ ସମ୍ବିତ ରାଉତରାୟଙ୍କୁ ମିଳିଥିଲା ବିଜେଡି ଟିକେଟ୍ । ଏପଟେ ପୁଅ ବିଧାନସଭାକୁ ଆସିବା ପରେ ଏକ ପ୍ରକାର ପ୍ରତ୍ୟକ୍ଷ ରାଜନୀତିରୁ ଧିରେ ଧିରେ ଦୂରେଇ ଯାଇଛନ୍ତି ଦାମ। ଏପଟେ ବାପାଙ୍କ ଲିଗାସିକୁ ଆଗକୁ ନେଉଥିବା ସମ୍ବିତ ବିଜେଡିର ବିକାଶ ନାରା ଧରି ଆସନ୍ତା ନିର୍ବାଚନରେ ପୁଣି ମୈଦାନକୁ ଓହ୍ଲାଇବାକୁ ଆଶା ରଖିଛନ୍ତି। 

ତେବେ ଯଦି ବିଜେଡିରୁ କେହି ବିଦ୍ରୋହୀ ପ୍ରାର୍ଥୀ ତାଙ୍କ ବାଟ ଓଗାଳନ୍ତି, ତେବେ ତାଙ୍କ ଆସନ ବି ଟଳମଳ ହେବା ଚର୍ଚ୍ଚା ହେଉଛି।

୨୦୧୯ ଭଳି ୨୪ ନିର୍ବାଚନରେ ବି ପାରାଦୀପରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ଆଶା କରାଯାଉଛି। ତେବେ ବିଜେପି ଓ କଂଗ୍ରେସ ଅପେକ୍ଷା, ବିଜେଡିର ଗଡ଼ ପାରାଦୀପରେ ଶଂଖ ଦଳର ପଲ୍ଲା ନିଶ୍ଚିତ ଭାରୀ । ହେଲେ ବିଜେଡିରେ ଅନ୍ୟ ଗଡ଼ ଭଳି ଏଠି ବି ବିଦ୍ରୋହୀଙ୍କ ସଂଖ୍ୟା କିଛି କମ୍ ନୁହେଁ ବୋଲି ଚର୍ଚ୍ଚା।

୨୪ ନିର୍ବାଚନରେ ସମ୍ବିତଙ୍କ ସମତଳ ରାସ୍ତାରେ କଣ୍ଟା ସାଜି ପାରନ୍ତି ପାରଦୀପ ପୌରପାଳିକା ଅଧ୍ୟକ୍ଷ ତଥା ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ। ସେ ଏବେ ପାରାଦୀପ ପାଇଁ ଶଂଖ ଦଳରୁ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି । ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିବା ବସନ୍ତ ଗଲା କିଛି ବର୍ଷ ଧରି ସମାନ୍ତରାଳ ଭାବେ ଆଞ୍ଚଳିକ ନେତା ଭାବେ ଉପସ୍ଥିତି ବି ଜାହିର କରୁଛନ୍ତି । ଏପରିକି ଗତ ପୌର ନିର୍ବାଚନରେ ସେ ତାଙ୍କ ଦବଦବା ଜାହିର କରି ପୌରାଧ୍ୟକ୍ଷ ଆସନ ହାତେଇବାରେ ସଫଳ ହୋଇଛନ୍ତି । ଉଭୟ ସାଂଗଠନିକ ଦକ୍ଷତା ଓ ପତିଆରା ଦୃଷ୍ଟିରୁ ସେ ସମ୍ବିତଙ୍କ ବାଟ ଓଗାଳିବା ଚର୍ଚ୍ଚା ଖୁବ୍ ଜୋର।

ଏପଟେ ଗତ ଦୁଇଟି ନିର୍ବାଚନରେ ବିଜେପିର ଭୋଟ୍ ହାର ବଢ଼ିଛି, ସେପଟେ ବିଜେଡିର ଦଳୀୟ କନ୍ଦଳରୁ ବି ଏଥର ପୁରା ଫାଇଦା ନେବା ଚକ୍କରରେ ପଦ୍ମ ଦଳ। ଏଥିପାଇଁ ଉଭୟ ସଂଗଠନ ସଜାଡ଼ିବା ଓ ଜନସଂପର୍କ ଆଗକୁ ନେବା କାର୍ଯ୍ୟରେ ଲାଗିଛନ୍ତି ଗତଥରର ପ୍ରାର୍ଥୀ ତଥା ଏଥର ବି ବିଜେପିରୁ ଟିକେଟ୍ ଆଶାୟୀ ସମ୍ପଦ ସ୍ୱାଇଁ।

ସେପଟେ ୨୦୧୪ ଏବଂ ୨୦୧୯ରେ ବିଜେଡିକୁ କଡ଼ା ଟକ୍କର ଦେଇ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସର ଅରିନ୍ଦମ ଓରଫ ବାପି ସର୍ଖେଲଙ୍କର ଦଳରେ ଆଉ ଦର୍ଶନ ମିଳୁନି କି ଆଉ ଆଗ ଭଳି ଦଳ କିମ୍ବା ଦଳୀୟ କାର୍ଯ୍ୟକ୍ରମରେ ସେ ସକ୍ରିୟ ନାହାନ୍ତି। କିନ୍ତୁ ଗତ ପୌର ନିର୍ବାଚନରେ ଏକ ଅଣ ରାଜନୈତିକ ସଂଗଠନ ଗଢ଼ି ୮ ଜଣ କାଉନସିଲରଙ୍କୁ ଜିତାଇବା ଘଟଣା ତାଙ୍କ ପତିଆରାକୁ ବଢାଇଥିଲା। ଅନ୍ୟ ଦଳରୁ ଟିକେଟ୍ ପାଇଁ ଲବିରେ ଥିବା ଚର୍ଚ୍ଚାକୁ ସେ ନିଜ ମଧ୍ୟ ଅସ୍ୱୀକାର କରି ନାହାନ୍ତି। ଯଦି ବାପି ସର୍ଖେଲ, କଂଗ୍ରେସରୁ ନଲଢ଼ନ୍ତି, ତାଙ୍କ ସ୍ଥାନରେ କିଏ ଲଢିବେ, ତାକୁ ନେଇ ଚିନ୍ତାରେ କଂଗ୍ରେସ।

ପାରାଦୀପ ଯେ, ବିଜେଡର ଅଭେଦ୍ୟ ଦୁର୍ଗ, ସେ ମୋହରକୁ ଏଯାଏଁ ଲିଭାଇବାକୁ ଦେଇ ନାହାନ୍ତି ପାରାଦୀପ ଜନତା । କିନ୍ତୁ ଏଥର ସ୍ଥିତି, ଅନେକାଂଶରେ ଭିନ୍ନ ବୋଲି ମତ ଦିଅନ୍ତି ବୁଦ୍ଧିଜୀବୀ ଓ ରାଜନୈତିକ ସମୀକ୍ଷକ। ସେମାନଙ୍କ ଆକଳନ, ବିଜେଡି ପାଇଁ ବିରୋଧୀଙ୍କ ଅପେକ୍ଷା ଗୋଷ୍ଠୀ କନ୍ଦଳ ଓ ଏକାଧିକ ବିଦ୍ରୋହୀ ପ୍ରାର୍ଥୀଙ୍କ ଆଗମନ ହିଁ ଅଧିକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।

BJD BJP Congress Odisha Politics General Elections 2024 Sattara Satranj
Advertisment
Advertisment