/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755613624.jpg)
VP Election
ବିଜେପି ଭେଟେରାନ୍ ତଥା ରାଜ୍ୟପାଳ ବନାମ୍ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । ତାମିଲନାଡ଼ୁର ରାଧାକ୍ରିଷ୍ଣନ୍ ଙ୍କୁ ଟକ୍କର ଦେବେ ତେଲେଙ୍ଗାନାର ସୁଦର୍ଶନ । ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନରେ ୨ ଦକ୍ଷିଣ ଭାରତୀୟ ହେଭିୱେଟ୍ । ସାଉଥ୍ କ୍ୟାଣ୍ଡିଡେଟ୍ ଦେଇ NDA ଚାଲ୍ କୁ କାଉଣ୍ଟର ପାଇଁ ଇଣ୍ଡିର ଉଦ୍ୟମ । ଦୋଛକିରେ ଦକ୍ଷିଣ ଭାରତୀୟ ଦଳ, ସସପେନ୍ସରେ ବିଜେଡିର ଷ୍ଟାଣ୍ଡ୍ !
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପ୍ରାର୍ଥୀ ଘୋଷଣା କରିବା ଦିନକ ପରେ, ଆଜି ନିଜ କାର୍ଡ ଖେଳିଛି ଇଣ୍ଡି ମେଣ୍ଟ। ତାମିଲନାଡ଼ୁ ତିରୁପତିର ସି.ପି. ରାଧାକ୍ରିଷ୍ଣନଙ୍କୁ NDA ପ୍ରାର୍ଥୀ କରିବା ପରେ, ସେଇ ଦକ୍ଷିଣ ଭାରତରୁ ନିର୍ଦ୍ଦଳୀୟ ଚେହେରା ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି ଇଣ୍ଡି। କଂଗ୍ରେସ, ଡିଏମକେ, ଟିଏମସି ସମେତ ଇଣ୍ଡି ମେଣ୍ଟର ନେତା ଏକାଠି ଭାବେ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ନଜର ପକାନ୍ତୁ କିଏ କେତେ ଅଭିଜ୍ଞ, କାହାର କେତେ ଦକ୍ଷତା। ୬୮ ବର୍ଷୀୟ ଅଥଚ ଖୁବ୍ ସକ୍ରିୟ ଥିବା ସି.ପି. ରାଧାକ୍ରିଷ୍ଣନ୍ ପ୍ରାୟ ବର୍ଷେ ହେବ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି। ୨୦୨୪ ଜୁଲାଇ ୩୧ରେ ସେ ମହାରାଷ୍ଟ୍ର ଗଭର୍ଣ୍ଣର ଭାବେ ଶପଥ ନେଇଥିଲେ।
ଏହା ପୂର୍ବରୁ ସେ ଝାଡ଼ଖଣ୍ଡ ରାଜ୍ୟପାଳ ରହିବା ସହିତ, ତେଲେଙ୍ଗାନା ରାଜ୍ୟପାଳ ଓ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ। ୧୯୯୮ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ କୋଏମ୍ବାଟୁରରୁ ୨ ଥର ସାଂସଦ ବନିଥିଲେ। ୨୦୦୩ରୁ ୨୦୦୬ ଯାଏଁ ତାମିଲନାଡ଼ୁ ବିଜେପି ସଭାପତି ଥିଲେ ସି.ପି. ରାଧାକ୍ରିଷ୍ଣନ୍। ୨୦ ଅକ୍ଟୋବର ୧୯୫୭ରେ ତାମିଲନାଡ଼ୁ ତିରୁପୁରରେ ସେ ଜନ୍ମଗ୍ରହଣ କରିଥିବା ବେଳେ, ମାତ୍ର ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ରହିଥିଲେ।... ଆଜି ଦିଲ୍ଲୀରେ NDA ସାଂସଦଙ୍କ ଗହଣରେ ରାଧାକ୍ରିଷ୍ଣନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।... ଅନ୍ୟପକ୍ଷରେ ବର୍ତ୍ତମାନର ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାରେ ୧୯୪୬ ଜୁଲାଇ ୮ରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ।
ଏହି ୭୯ ବର୍ଷୀୟ ତାଙ୍କର ଆଇନ କ୍ୟାରିୟର କଥା ଦେଖିଲେ, ୧୯୭୧ରେ ଆନ୍ଧ୍ରପ୍ରଦେଶ ବାର୍ କାଉନସିଲରେ ଓକିଲ, ୧୯୮୮ରୁ ୧୯୯୦ ଯାଏଁ ହାଇକୋର୍ଟରେ ସରକାରୀ ଓକିଲ, ୧୯୯୦ରେ ୬ ମାସ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସ୍ଥାୟୀ ଆଇନ ପରାମର୍ଶଦାତା ଏବଂ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ଥିଲେ। ୧୯୯୫ରେ ଆନ୍ଧ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି ଏବଂ ୨୦୦୫ରେ ଗୌହାଟୀ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିବା ଜଷ୍ଟିସ୍ ସୁଦର୍ଶନ୍, ୨୦୦୭ରୁ ୨୦୧୧ ଯାଏଁ ଥିଲେ ସୁପ୍ରିମକୋର୍ଟର ବିଚାରପତି।...
ଉଭୟ NDA ଓ ଇଣ୍ଡି ମେଣ୍ଟ ଦକ୍ଷିଣ ଭାରତରୁ ପ୍ରାର୍ଥୀ ଦେଇଥିବାରୁ ଧର୍ମସଂକଟରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଦଳ। DMK, TDP, YSRCP ଓ BRS ଆଦି ଦଳ ଏବେ କାହାକୁ ସମର୍ଥନ ଦେବେ, ଦଳ ନା ରାଜ୍ୟକୁ ବାଛିବେ, ତାକୁ ନେଇ ଦ୍ବନ୍ଦ୍ବରେ ଥିବା ଚର୍ଚ୍ଚା ହେଉଛି।
ତାମିଲନାଡ଼ୁର ରାଧାକ୍ରିଷ୍ଣନଙ୍କ ବଦଳରେ DMK ଇଣ୍ଡି ପ୍ରାର୍ଥୀ ସୁଦର୍ଶନଙ୍କୁ ସମର୍ଥନ କରୁଥିଲେ ମଧ୍ୟ, ଏହା ତାର ତାମିଲ୍-ପ୍ରାଇଡ୍ ଇମେଜ ଉପରେ ଆଞ୍ଚ ଆଣିପାରେ। ଯାହାକୁ ୨୦୨୬ ତାମିଲନାଡ଼ୁ ନିର୍ବାଚନରେ ମୁଦ୍ଦା କରିପାରନ୍ତି ବିରୋଧୀ। ସେପଟେ NDA ପ୍ରାର୍ଥୀ ରାଧାକ୍ରିଷ୍ଣନଙ୍କୁ ଜଗନମୋହନ ରେଡ୍ଡିଙ୍କ YSRCP ଏବଂ TDP ସମର୍ଥନ ଘୋଷଣା କରିଥିବା ବେଳେ, ପ୍ରମୁଖ ତେଲୁଗୁ ଚେହେରା ସୁଦର୍ଶନଙ୍କ ପ୍ରତି ଚନ୍ଦ୍ରଶେଖର ରାଓଙ୍କ BRSର ଆଭିମୁଖ୍ୟ କଣ ରହିବ, ତାହା ସ୍ପଷ୍ଟ ହୋଇନାହିଁ।
ଏପଟେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟକୁ ନେଇ ମଧ୍ୟ ସସପେନ୍ସ ଲାଗି ରହିଛି। ବିଭିନ୍ନ ବିରୋଧୀ ଦଳଙ୍କ ସହ କଥା ହୋଇ ସମର୍ଥନ ଲୋଡ଼ୁଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନବୀନଙ୍କୁ ମଧ୍ୟ ଫୋନ୍ କରି ବିଜେଡିର ସମର୍ଥନ ଲୋଡ଼ିଥିବା ଚର୍ଚ୍ଚା ହେଉଛି। ଗତଥର ଉପରାଷ୍ଟ୍ରପତି ନିର୍ବାଚନ ବେଳେ ମୋଦିଙ୍କ ଅପିଲ୍ ପରେ NDA ପ୍ରାର୍ଥୀ ଧନଖଡ଼ଙ୍କୁ ସମର୍ଥନ ଦେଇଥିଲା ବିଜେଡି। ତେବେ ବର୍ତ୍ତମାନ ସ୍ଥିତି ପୂରାପୂରି ଭିନ୍ନ ରହିଛି। ୱାକଫ୍ ବିଲ୍ ବେଳେ ମଧ୍ୟ କିଛି ସପକ୍ଷରେ ଓ କିଛି ବିପକ୍ଷରେ ଭୋଟ୍ ଦେଇଥିଲେ ବିଜେଡି ସାଂସଦ। ତେଣୁ ଏଥର ବିଜେଡି କେଉଁ ଆଭିମୁଖ୍ୟ ଆପଣାଇବ, ତାକୁ ନେଇ ଚର୍ଚ୍ଚା ଲାଗିରହିଛି ।...
ଆଉ ଦିନକ ପରେ, ଅର୍ଥାତ୍ ୨୧ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ଥିବା ବେଳେ, ସେପ୍ଟେମ୍ବର ୯ରେ ହେବ ଭୋଟିଂ। ତେବେ ସଂଖ୍ୟା ଗଣିତ ଦୃଷ୍ଟିରୁ NDA ପ୍ରାର୍ଥୀ ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ସୁବିଧା ସ୍ଥିତିରେ ଥିବା ଏକପ୍ରକାର ସ୍ପଷ୍ଟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)