• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୭୭ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତେବେ ମୋଦିଙ୍କ ସମ୍ବୋଧନ ସମୟରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ବେଳେ ଏକ ବାର୍ତ୍ତା ପଠାଇଛନ୍ତି । ଯେଉଁଥିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସଫଳତା ବିଷୟରେ ଉଲ୍ଲେଖ କରାଯାଇଥିଲା ।

ଲାଲକିଲ୍ଲା ସାମ୍ନାରେ ଅତିଥିମାନଙ୍କ ପାଇଁ ରଖାଯାଇଥିବା ଗୋଟିଏ ଚେୟାରରେ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ଲେଖାଯାଇଥିଲା ଏବଂ ଏହା ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଅନୁପସ୍ଥିତି ନେଇ କଂଗ୍ରେସ ସଫେଇ ଦେଇ କହିଛି, ଖଡ଼ଗେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ସେ ଆଜିର ଏହି ମହାର୍ଘ୍ୟ ଅବସରରେ ଯୋଗ ଦେଇପାରି ନାହାନ୍ତି ।

ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ବାର୍ତ୍ତାରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ଭାଲାଭଭାଇ ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ରାଜେନ୍ଦ୍ର ପ୍ରସାଦ, ସରୋଜିନୀ ନାଇଡୁ ଏବଂ ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହାସହ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ , ଇନ୍ଦିରା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ, ରାଜୀବ ଗାନ୍ଧୀ, ପି.ଭି ନରସିଂହ ରାଓ ଏବଂ ମନମୋହନ ସିଂଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ଥିବା ବିଜେପି ଭେଟେରାନ ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ,ଦେଶର ପ୍ରଗତିରେ ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ସହଯୋଗ କରିଛନ୍ତି । ହେଲେ ଆଜି କିଛି ଲୋକ କହିବାକୁ ଚେଷ୍ଟା କରୁଛନ୍ତି , ଗତ କିଛି ବର୍ଷ ମଧ୍ୟରେ ହିଁ କେବଳ ଭାରତ ପ୍ରଗତି ଦେଖିଛି ।