ବିଷ୍ଣୁଙ୍କ ନିଆରା ଅନ୍ଦାଜ; ଗୀତରେ ଗୀତରେ ସରକାରଙ୍କୁ କରୁଥିଲେ ଘାଇଲା

ଓଡ଼ିଶା ରାଜନୀତି ମୈଦାନରେ ଲମ୍ବା ଇନିଂସ ଖେଳିନଥିଲେ ବି ଖୁବ୍ କମ୍ ଦିନରେ ସେ ପାଲଟି ଯାଇଥିଲେ ଜଣେ ଚର୍ଚ୍ଚିତ ନେତା । କାରଣ ଖାଲି ରାଜନୀତି ପାଠ ଛଡ଼ା ସାହିତ୍ୟ ଓ ଶବ୍ଦ ଉପରେ ତାଙ୍କର ଥିଲା ଅସମ୍ଭବ ଦକ୍ଷତା ।

Late Bishnu Sethi

କେତେବେଳେ ବିଧାନସଭାରେ ଭିତରେ ବିରୋଧୀ ସଦସ୍ୟ ଭାବେ ଦୃଢ଼ ଏବଂ ଦମ୍ଭିଲା ସ୍ୱର ତ ଆଉ କେତେବେଳେ ବିଧାନସଭା ବାହାରେ ସରକାରଙ୍କୁ ତୀର୍ଯକ ଓ ତେର୍ଛା ସମାଲୋଚନା । ଛାତ୍ରାବସ୍ଥାରୁ ରାଜନୀତି ପ୍ରତି ଅହେତୁକ ଦୁର୍ବଳତା ରଖୁଥିବା ବିଷ୍ଣୁ ଉଚ୍ଚଶିକ୍ଷା ପରେ ରାଜନୀତିକୁ ଆସି ସଫଳ ହୋଇଥିଲେ ।

ତେବେ ଓଡ଼ିଶା ରାଜନୀତି ମୈଦାନରେ ଲମ୍ବା ଇନିଂସ ଖେଳିନଥିଲେ ବି ଖୁବ୍ କମ୍ ଦିନରେ ସେ ପାଲଟି ଯାଇଥିଲେ ଜଣେ ଚର୍ଚ୍ଚିତ ନେତା । କାରଣ ଖାଲି ରାଜନୀତି ପାଠ ଛଡ଼ା ସାହିତ୍ୟ ଓ ଶବ୍ଦ ଉପରେ ତାଙ୍କର ଥିଲା ଅସମ୍ଭବ ଦକ୍ଷତା । ତାଙ୍କ କହିବାର ଭଙ୍ଗି ଯେତିକି ନିଆରା, ସମାଲୋଚନାର ଶୈଳୀ ଥିଲା ତାଠୁ ଅଧିକ ଶକ୍ତିଶାଳୀ । ସେଥିପାଇଁ ବୈଦ୍ୟୁତିକ ଗଣମାଧ୍ୟମରେ ସବୁବେଳେ ଖୋଜାପଡ଼ନ୍ତି ବିଷ୍ଣୁ । ପ୍ରସଙ୍ଗ ଯାହା ହେଉ କିମ୍ବା ଯେତେ ଗୁରୁତ୍ୱ ଥାଉ, ବିଷ୍ଣୁ ପାଟି ଖୋଲିବା ମାତ୍ରେ ତାହା ଭିନ୍ନ ରୂପ ନେଉଥିଲା ।

ବିଷ୍ଣୁ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ, ଥରେ ଚାନ୍ଦବାଲି ଆଉ ଥରେ ଧାମନଗରରୁ । ୨୦୧୯ରେ ସେ ବିରୋଧୀ ଦଳ ଉପନେତା ହେବା ପରେ ତାଙ୍କ ଦାୟିତ୍ୱ ବଢ଼ିଥିଲା । ଏହାସତ୍ତ୍ୱେ ସେ ତାଙ୍କ ପାରମ୍ପରିକ ଅନ୍ଦାଜକୁ ଛାଡ଼ି ପାରିନଥିଲେ । ଦ୍ୱିତୀୟ ଥର ବିଧାନସଭାକୁ ଆସିବା ପରେ ତାଙ୍କୁ ସରକାର କ୍ୱାର୍ଟର ଦେଇନଥିବାରୁ ନବୀନଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ ।

ସେହିଭଳି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଭେଟିବା ଅବସରରେ ନିଜେ ଲେଖିଥିବା ଏକ କବିତାକୁ ବନ୍ଧେଇ କରି ଉପହାର ଦେଇଥିଲେ । ଏଥିରେ ସେ ରାଇରଙ୍ଗପୁରରୁ ରାଇସିନା ହିଲ୍ସ ପର୍ଯ୍ୟନ୍ତ ଯାତ୍ରାକୁ ସୁନ୍ଦର ଶବ୍ଦରେ ସଜାଇଥିଲେ ।

ଓଟିଭିର ଲୋକପ୍ରିୟ ଟକ୍ ସୋ’ ଖୋଲାକଥାରେ ଦୁଇ ଦୁଇ ଥର ସାକ୍ଷାତକାର ଦେଇଥିଲେ ବିଷ୍ଣୁ ସେଠୀ । ସେଠି ବି ତାଙ୍କ ମୁହଁରୁ ରାଜନୀତିର ଅନେକ ରୋଚକ କଥା ଶୁଣିବାକୁ ମିଳିଥିଲା । ସବୁବେଳେ ସିଧା ଓ ରୋକଠକ୍ କଥା କହିବାକୁ ପଛାଉ ନଥିଲେ ସେ । କିନ୍ତୁ ବିବାଦ କି ଚର୍ଚ୍ଚା ହେଲେ ସେ ତାଙ୍କ ଶବ୍ଦ ଚାତୁରୀ ଓ ଉପସ୍ଥିତ ବୁଦ୍ଧି ପାଇଁ ସେ ସବୁବେଳେ ଅନ୍ୟମାନଙ୍କ ଉପରେ ଭାରି ପଡୁଥିଲେ । ଯେଉଁଥି ପାଇଁ ସେ ସବୁଦିନ ମନେରହିବେ ।