ଦୁର୍ଗମ ଅଞ୍ଚଳରେ ବି ଭଲ ହୋଇଛି ଭୋଟିଂ, ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ବୁଥ୍ ଆଗରେ ଲମ୍ବାଲାଇନ୍

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ତାର ଢେର ଆଗରୁ ବୁଥଗୁଡିକରେ ମତଦାତାଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।

Panchayat Elections

ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କ ମଧ୍ୟରେ ଆଗ୍ରହ, ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ବୁଥ୍ ଆଗରେ ଲମ୍ବାଲାଇନ୍ । ହାତରେ ଭୋଟ ପରିଚୟପତ୍ର, ମୁହଁରେ ମାସ୍କ ୫ ବର୍ଷ ପରେ ସୁଯୋଗ ମିଳିଥିବାରୁ କେହି ବି ହାତ ଚଢା କରିବାକୁ ଚାହୁଁନଥିଲେ । ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୦ଟି ଜିଲ୍ଲାର ୧୮୬ ଜିଲ୍ଲା ପରିଷଦ ଜୋନରେ ୭୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ତାର ଢେର ଆଗରୁ ବୁଥଗୁଡିକରେ ମତଦାତାଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସୀମା ବିବାଦ ପାଇଁ ଚର୍ଚ୍ଚାରେ ଥିବା କୋରାପୁଟ କୋଟିଆରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ଶେଷ ହୋଇଥିବା ବେଳେ ଏଠାରେ ୭୬ ପ୍ରତିଶତ ମତଦାନ ହୋଇଛି । ସେହିପରି ମାଲକାନଗିରି ବଣ୍ଡା ଘାଟିରେ ମଧ୍ୟ ଭୋଟ ନିଆଯାଇଛି । ତେବେ ବିଭିନ୍ନ ଦାବି ଓ ଅସନ୍ତୋଷକୁ ନେଇ ଅନେକ ସ୍ଥାନରେ ଭୋଟ ବର୍ଜନର ଖବର ମଧ୍ୟ ସାମ୍ନାକୁ ଆସିଛି ।

ଯୁବା, ବୟସ୍କ, ମହିଳା ଓ ଦିବ୍ୟାଙ୍ଗ ସବୁ ବର୍ଗଙ୍କୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାର ଦେଖିବାକୁ ମିଳିଥିଲା । ପ୍ରଥମ ଥର ଲାଗି ଭୋଟ ଦେବାର ସୁଯୋଗ ପାଇଥିବା ଅର୍ଥାତ୍ ଫାଷ୍ଟ ଟାଇମ୍ ଭୋଟର ମଧ୍ୟରେ ଉତ୍ସାହ ବେଶ ଅଧିକ ଥିଲା । ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା ମତ ଗ୍ରହଣ । ଦ୍ୱିତୀୟ ପର୍ଯ୍ୟାୟରେ ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନ୍‌ରେ ୭୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ସେହିପରି ୧୫୧୪ ପଞ୍ଚାୟତର ୨୦ହଜାର ୪୩୬ ବୁଥ୍‌ରେ ସରପଞ୍ଚ, ସମିତି ସଭ୍ୟ ଓ ଓ୍ୱାର୍ଡମେମ୍ବର ବାଛିଛନ୍ତି ଭୋଟର ।

ମାଲାକାନଗିରି ବଣ୍ଡାଘାଟିରେ ମଧ୍ୟ ଆଜି ପଡିଛି ଭୋଟ । ମତଦାନ ଲାଗି ବଣ୍ଡା ଜନଜାତିଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଘାଟିର ୩୨ଟି ଗାଁ ପାଇଁ ୩୪ଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ମଧ୍ୟରେ ଭୋଟଦାନ ପାଇଁ ବେଶୀ ଆଗ୍ରହ ଥିଲା । ବାରିବେଡା ଗାଁ ମାଓପ୍ରବଣ ହୋଇଥିବାରୁ ସେଠାରେ ବୁଥ କରାନଯାଇ ପଞ୍ଚାୟତ ହେଡ୍‌କ୍ୱାଟର ମୁଦୁଲିପଡ଼ାରେ ଭୋଟ ନିଆଯାଇଥିଲା । ତେବେ ଏହା ବାରିବେଡାଠାରୁ ୨୫ କିଲୋମିଟର ଦୂର ହଇଥିବାରୁ ବେଶୀ ଲୋକ ଭୋଟ ଦେବାକୁ ଆସିନଥିଲେ ।

ଏଣେ କୋରାପୁଟର କୋଟିଆ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଛି । ପଟାଙ୍ଗୀ ବ୍ଲକର ମାଡକାର, ଫଗୁଣସିନେରୀ, ତାଡିବାଲସା, ତଳ ଓ ଉପର ସେମ୍ବି ଏବଂ ଗଂଜେଇପଦରରେ ପ୍ରତିଷ୍ଠା କରାଯାଇଥିବା ୧୩ଟି ବୁଥ୍‌ରେ କୋଟିଆବାସୀ ଭୋଟ ଦେଇଛନ୍ତି । ମତଦାନ ଲାଗି ଭୋଟରଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥିବା ବେଳେ ଏଠାରେ ୬୫ ପ୍ରତିଶତ ଭୋଟିଂ ହୋଇଛି । ପଡୋଶୀ ଆନ୍ଧ୍ର ପକ୍ଷରୁ ଯେପରି କୌଣସି ବିଭ୍ରାଟ ସୃଷ୍ଟି କରାନଯିବ ସେଥିଲାଗି ଜିଲ୍ଲା ପ୍ରଶାସନ ଓ ପୋଲିସ ସଜାଗ ରହିଥିଲେ । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି ଭଲ ମତଦାନ ହୋଇଛି । ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ବିଭିନ୍ନ ଦାବି ନେଇ ଅନେକ ସ୍ଥାନରେ ଲୋକ ଭୋଟ ବର୍ଜନ ହୋଇଛି । ଢେଙ୍କାନାଳ ଦୁର୍ଗାପ୍ରସାଦ ଓ ସଦର ବ୍ଲକର ୩ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ମହଲପୁଞ୍ଜି, କଳାହାଣ୍ଡି ମଦନପୁର ରାମପୁର ବ୍ଲକର ସିନ୍ଧିଗୁଡା ଓ ସିରେଲପଦର, ନୂଆପଡ଼ା ଜିଲ୍ଲାର ଦୋହେଲପଡ଼ା, ବରଗଡ଼ର ଜିଲ୍ଲାର ୩ଟି ଗାଁ ଓ ନବରଙ୍ଗପୁରର ଲଦିପଦର ଓ ବରଡାଯୋଡି ଗାଁ ଲୋକେ ଭୋଟ ଦେଇନାହାନ୍ତି ।