• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜେପି ଫୋକସରେ ପୂର୍ବଭାରତ । ଟାର୍ଗେଟରେ ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶା , ତାମିଲନାଡୁ, କେରଳ । ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଏନେଇ ଆଲୋଚନା ହୋଇଛି । କ୍ଷମତାରେ ନଥିବା ରାଜ୍ୟରେ କେମିତି ବିଜେପି କ୍ଷମତାକୁ ଫେରିବ, ସେନେଇ ବିଜେପି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛି । ତେବେ ପୂର୍ବରୁ ବିଜେପିର ମିଶନ୍ ରହିଛି ୧୨୦ ଆସନରେ ବିଜୟ ଏବଂ ୫୦ପ୍ରତିଶତ ଭୋଟ ହାତେଇବା । ଏଭଳି ସ୍ଥିତିରେ ସେପଟେ ରାଜ୍ୟକୁ ଏବେ ଏକାଧୀକ କେନ୍ଦ୍ର ମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ସରକାରଙ୍କ ଉପରେ ବର୍ଷୁଥିବାବେଳେ ବିଜେଡି ତାରା ଜବାବ୍ ରଖିଛି ।

ବିଜେପି ଟାର୍ଗେଟରେ ୬ ରାଜ୍ୟ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଓ ତାମିଲନାଡୁ । ଆଉ ସେଥିମଧ୍ୟରୁ ସ୍ୱତନ୍ତ୍ର ଫୋକସରେ ରହିଛି ଓଡ଼ିଶା । ବିଜେପିର ଲକ୍ଷ୍ୟ ହେଉଛି ରାଜ୍ୟରେ ସରକାର ଗଠନ କରିବା । ଏନେଇ ଦଳ ପ୍ରସ୍ତୁତ କରୁଛି ମାଷ୍ଟରପ୍ଲାନ୍ । ବୁଥ୍ ସ୍ତରରେ ସଙ୍ଗଠନ ମଜଭୁତ୍, ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଦଳ ଫୋକସ୍ କରୁଛି ।

ଏଭଳି ସ୍ଥିତିରେ ଏବେ ଓଡ଼ିଶାକୁ ଘନ ଘନ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ଜାରି ରହିଛି । କେନ୍ଦ୍ର ପେଟ୍ରୋଲିୟମ୍ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି ପାରାଦୀପ ଗସ୍ତ କରିଥିବା ବେଳେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ର ମନ୍ତ୍ରୀ ଜନ ବାର୍ଲା ନବରଙ୍ଗପୁର ଗସ୍ତ କରିଛନ୍ତି । ସେପଟେ କେନ୍ଦ୍ର ରେଳ ଓ ବୟନ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ଜରଦୋସ ଗଂଜାମ ଜିଲ୍ଲା ଗସ୍ତ କରିଥିଲେ । ତେବେ ମନ୍ତ୍ରୀମାନେ ଦଳର ସଙ୍ଗଠନ ମଜଭୁତ୍ ଉପରେ ଦଳୀୟ କର୍ମୀଙ୍କୁ ଗୁରୁ ମନ୍ତ୍ରୀ ଦେଉଥିବାବେଳେ ନିଜ ନିଜ ବିଭାଗର ଯୋଜନା ସବୁ ସମୀକ୍ଷା କରୁଛନ୍ତି ।

 

ଆସିକା ଓ ପୋଲସରା ଗସ୍ତରେ ଯାଇଥିବା ମନ୍ତ୍ରୀ ଦର୍ଶନ ଜରଦୋସ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜାନକୁ ଅନ୍ୟ ନାଁ ଦେଇ ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛନ୍ତି । ତାହା ସହ ପ୍ରଶାସନିକ ଅଧିକାରୀମାନେ ମନ୍ତ୍ରୀଙ୍କ ଗସ୍ତକୁ ଅଣଦେଖା କରୁଥିବା ସେ କହିଛନ୍ତି । ସେପଟେ ନବରଙ୍ଗପୁର ଓ ମାଲକାନଗିରି ଗସ୍ତରେ ଯାଇଥିବା ମନ୍ତ୍ରୀ ଜନ ବାର୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜାନ, ପ୍ରଧାନମନ୍ତ୍ରୀ ଜଳଜୀବନ ମିଶନ ଭଳି ଯୋଜନାଗୁଡିକ ରାଜ୍ୟ ସରକାର ହାଇଜାକ୍ କରୁଥିବା ନେଇ କଡ଼ା ସମାଲୋଚନା କରିଛନ୍ତି । ସେପଟେ ଏଭଳି ଅଭିଯୋଗର ଜବାବ୍ ରଖିଛି ବିଜେଡି ।

ବିଜେପି ବେଶି ଗୁରୁତ୍ୱ ଦେଉଛି ସଙ୍ଗଠନ ଉପରେ । ତୃଣମୂଳ ସ୍ତରରେ ଦଳର ସଙ୍ଗଠନକୁ ମଜଭୁତ୍ କରିବା ପାଇଁ ନେତାଙ୍କୁ ଦିଆଯାଇଛି ଟାସ୍କ । ରାଜ୍ୟରେ ଥିବା ସମସ୍ତ ବୁଥ୍‌କୁ ମଜଭୁତ କରିବା ଉପରେ ଜୋର ଦେଇଛି ବିଜେପି । ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମିଶନ୍ ୧୨୦ ପ୍ଲସ ଓ ୫୦ ପ୍ରତିଶତ ଭୋଟ ହାତେଇବାକୁ ଟାର୍ଗେଟ ଦେଇଥିଲେ । ତେଣୁ ସେ ଦିଗରେ କାମ କରିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ଦିଆଯାଇଛି । 

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳକୁ ୩୦ ପ୍ରତିଶତ ଭୋଟ୍  ମିଳିଥିଲା । ତେଣୁ ଆସାନ୍ତା ସାଧାରଣ ନିର୍ବାଚନରେ ଦଳର ଭୋଟ ପ୍ରତିଶତ ବଢାଇବାକୁ ରଣନୀତି ତୟାର କରୁଛି ବିଜେପି । ସେପଟେ ଜାତୀୟ କାର୍ଯ୍ୟକାରିଣୀରେ ଓଡିଶାରେ ସରକାର ଗଠନ କରିବା ନେଇ ଦିଆଯାଇଥିବା ମନ୍ତବ୍ୟକୁ ନେଇ ରାଜନୀତି ତେଜିଛି । ବିଜେଡି ଏହାକୁ ଦିବାସପ୍ନ ବୋଲି କହଛି ।

ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛି ବିଜେଡି । ୨୦୧୯ ପରଠାରୁ ବିଜେଡି-ବିଜେପି ମଧ୍ୟରେ ମଧରୁ ସଂପର୍କ ଥିବା ଚର୍ଚ୍ଚା ହେଉଛି । ତେବେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ଲଢେଇ ଜୋରାଦର ହେବ ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟର- କାର୍ତ୍ତିକ ମଲ୍ଲିକ, ଜିତେନ୍ଦ୍ର , ମନୋଜ ମୁନି, ହରିହର ଚାନ୍ଦ