• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଦ ଏକ, ଆଶାୟୀ ଅନେକ । କିଏ ହେବ ହିମାଚଳପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନାଜଳ୍ପନା । କାରଣ କଂଗ୍ରେସ ପାଇଁ କାଳ ହେଉଛି ଗୋଷ୍ଠୀ କନ୍ଦଳ । ଦଳୀୟ ଅନ୍ତର୍ଦ୍ୱଦ୍ୱରୁ କଂଗ୍ରେସ ମଧ୍ୟପ୍ରଦେଶ ଭଳି ଅନେକ ରାଜ୍ୟରୁ କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ ପୂର୍ବ ଅଭିଜ୍ଞତାରୁ କିଛି ଶିଖିବା ଭଳି ଜଣାପଡୁନି । କ୍ରମାଗତ ଅସଫଳତା ଭିତରେ ହିମାଚଳ ପ୍ରଦେଶରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି କଂଗ୍ରେସ ।

ତେବେ ଆରମ୍ଭରୁ ହିଁ ଦେଥିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ପଦଲାଗି ଆଶାୟୀଙ୍କ ମଧ୍ୟରେ ପ୍ରତିଯୋଗିତା । ଆଶା ପୂରଣ ନହେଲେ ଆଗାମୀ ଦିନରେ ଏହା ଅସନ୍ତୁଷ୍ଟ ଜନ୍ମ ଦେଇପାରେ, ଯାହାକି ସରକାରର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିବ । ତେଣୁ ସୋନିଆ, ରାହୁଲ ଓ ପ୍ରିୟଙ୍କା କେତେ ଦକ୍ଷତାର ସହ ହିମାଚଳ ନେତୃତ୍ୱ ପ୍ରସଙ୍ଗର ସମାଧାନ କରୁଛନ୍ତି ତାହା ଉପରେ ନଜର ରହିଛି ।

ମୁଖ୍ୟମନ୍ତ୍ରୀ ପଦ ଦୌଡରେ ସବୁଠୁ ଆଗରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ତଥା ସାଂସଦ ପ୍ରତିଭା ସିଂହ । ବିଧାନସଭା ନିର୍ବାଚନ ଲଢ଼ିନଥିଲେ ମଧ୍ୟ ଦଳ ପାଇଁ ଜୋରସୋର ପ୍ରଚାର କରିଥିଲେ ପ୍ରତିଭା । ସ୍ୱାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ନୀତି ଓ ଆଦର୍ଶକୁ ନେଇ ଆଗକୁ ବଢିବେ ବୋଲି କହିଛନ୍ତି ପ୍ରତିଭା । ବୀରଭଦ୍ରଙ୍କୁ ଅନେକ ବିଧାୟକଙ୍କ ସମର୍ଥନ ଥିବାରୁ ହାଇକମାଣ୍ଡ ନିଷ୍ପତ୍ତି ପ୍ରତିଭାଙ୍କ ସପକ୍ଷରେ ଯିବା କୁହାଯାଉଛି ।

ପ୍ରତିଭାଙ୍କ ପୁଅ ବିକ୍ରମାଦିତ୍ୟ ସିଂ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ରେସରେ ଅଛନ୍ତି । ସିମଳା ରୁରାଲ ଆସନରୁ ବିଧାୟକ ନିର୍ବାଚିତ ହୋଇଥିବା ଛନ୍ତି ବିକ୍ରମାତିଦ୍ୟଙ୍କର ମୁଖ୍ୟମନ୍ତ୍ରୀ ପଦ ଲାଗି ଅଭିଜ୍ଞତା ନଥିବା କୁହାଯାଉଛି, ତାସତ୍ତ୍ୱେ ବି ସେ ମୁଖ୍ୟମନ୍ତ୍ରୀ ପଦର ପ୍ରମୁଖ ଦାବିଦାର ।

ଚଳିତ ନିର୍ବାଚନରେ କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ସୁଖବିନ୍ଦର ସିଂ ସୁଖୁଙ୍କର ବି ମୁଖ୍ୟମନ୍ତ୍ରୀ ଗାଦି ଉପରେ ଆଖି ରହିଛି । ସେହିପରି ସେ ରାହୁଲ ଗାନ୍ଧିଙ୍କ ନିକଟ ଲୋକ ବୋଲି କୁହାଯାଉଛି । ତେଣୁ ହାଇକମାଣ୍ଡ ତାଙ୍କ ସପକ୍ଷରେ ନିଷ୍ପତ୍ତି ନେଇପାରନ୍ତି ।

ଅନ୍ୟପକ୍ଷରେ ହାରୋଲି ଆସନରୁ ବିଧାୟକ ନିର୍ବାଚିତ ହୋଇଥିବା ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ପଦର ପ୍ରମୁଖ ଦାବିଦାର । ପୂର୍ବରୁ ପିସିସି ସଭାପତି ସହ ବିଧାୟକ ଦଳ ନେତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ମୁକେଶ । ଅଭିଜ୍ଞତା ଓ କାର୍ଯ୍ୟ ଦକ୍ଷତା ଦୃଷ୍ଟିରୁ ସେ ହିଁ ମୁଖ୍ୟମନ୍ତ୍ରୀ ପଦ ଲାଗି ଉପଯୁକ୍ତ ପ୍ରାର୍ଥୀ ବୋଲି କୁହାଯାଉଛି ।

ବୀରଭଦ୍ରଙ୍କ ଅନ୍ତେ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ହେବାକୁ ଅନେକ ପ୍ରମୁଖ ନେତା ଆଶାୟୀ ଥିବାରୁ, ଆଗକୁ ଅନ୍ତକନ୍ଦଳ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ଆଣିପାରେ । ତେଣୁ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରୁଛି ଓ ଅସନ୍ତୋଷକୁ ପ୍ରଶମିତ କରୁଛି ,ଏବେ ତା ଉପରେ ନଜର । କାରଣ ଦଳ ଭିତରେ ଫାଟ ଦେଖାଦେଲେ ବିଜେପି ଏହାକୁ ସୁଯୋଗ ଭାବେ ବ୍ୟବହାର କରିପାରେ । ତେଣୁ ଆଶାୟୀଙ୍କୁ ସନ୍ତୁଷ୍ଟ କରି ଦଳ କାହାକୁ ମୁଖ୍ୟମନ୍ତ୍ରୀ କରୁଛି ଓ ସେ କେତେଦିନ ବିଧାୟକଙ୍କୁ ଏକାଠି ରଖିବାରେ ସଫଲ ହେଉଛନ୍ତି ତାହା ଦେଖିବା କଥା ।