• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଳ ଗୋଟାଉଛି ବିରୋଧି ଦଳର ମହା ମେଣ୍ଟ INDIA । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଗଢ଼ିବା ପାଇଁ ଆପଣାଉଛି ବିଭିନ୍ନ ରଣନୀତି । ବହୁଜନ ସମାଜବାଦୀ ପାର୍ଟି(BSP)ର ମୁଖ୍ୟ ମାୟାବତୀଙ୍କୁ ଦଳରେ ସାମିଲ କରିବା ନେଇ ପ୍ରୟାସ ଚାଲିଛି । କିନ୍ତୁ ବିଏସ୍‌ପିର ଦାବି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଏସ୍‌ପି ଦଳର ଜଣେ ପ୍ରମୁଖ ନେତା ତଥା ମାୟାବତୀଙ୍କ ନିକଟତର କୁହାଯାଉଥିବା ସାଂସଦ ମାଲୁକ ନାଗର ସର୍ତ୍ତ ରଖିଛନ୍ତି ଯେ, ‘ଯଦି ମାୟାବତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ତେବେ ସେ ଏହି ମେଣ୍ଟରେ ସାମିଲ ହେବେ’ ।

ମାୟାବତୀ କିଛିଦିନ ହେବ ଦିଲ୍ଲୀରେ ରହୁଛନ୍ତି । ତେବେ ସେ ଇଣ୍ତିଆ ମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାୟବତୀଙ୍କ ଅତି ନିଜର କୁହାଯାଉଥିବା ଅମରୋହାର ସାଂସଦ ମାଲୁକ ନାଗର ଇଣ୍ତିଆ ମହା ମେଣ୍ଟ ଆଗରେ ଏକ ସର୍ତ୍ତ ରଖିଛନ୍ତି । ସେ କହିଛନ୍ତି ଯେ, ‘ଯଦି ବାସ୍ତବରେ ଇଣ୍ତିଆ ମେଣ୍ଟ ବିଜେପିକୁ ହରାଇବାକୁ ଚାହୁଁଛି, ତେବେ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ହେବ । ନଚେତ୍‌ ସେମାନେ କେବେବି ମୋଦିଙ୍କୁ ହରାଇ ପାରିବେ ନାହିଁ’ ।

ମାଲୁକ ନାଗର ଆହୁରି କହିଛନ୍ତି ଯେ, ମାୟବତୀଙ୍କ ୧୩ ପ୍ରତିଶତ ଭୋଟ ଓ ବିପକ୍ଷ ଦଳର ୩୭-୩୮ ପ୍ରତିଶତ ଭୋଟ ଆଗାମୀ ନିର୍ବାଚନରେ ବେଶ୍‌ ନିର୍ଣ୍ଣାୟକ ହୋଇପାରେ । ଯାହାକି ୟୁପିରେ ବିଜେପିର ୪୪ ପ୍ରତିଶତ ଭୋଟଠୁ ବହୁତ ଅଧିକ ଅଟେ । ଏଥିପାଇଁ ଇଣ୍ତିଆ ମେଣ୍ଟକୁ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପଡ଼ିବ ।

ପୂର୍ବରୁ ମଧ୍ୟ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ ମାୟାବତୀଙ୍କୁ ସାମିଲ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଶ୍ନ କରିଥିଲେ । ତାଙ୍କ ଛଡ଼ା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କଂଗ୍ରେସକୁ ଏନେଇ ପରାମର୍ଶ ଦେଇଥିଲେ । କେଜ୍ରିୱାଲ କହିଥିଲେ, କଂଗ୍ରେସକୁ ମାୟାବତୀଙ୍କୁ ମହା ମେଣ୍ଟରେ ସାମିଲ କରିବା ଉଚିତ୍‌ । ଯାହାଦ୍ୱାରା ଇଣ୍ତିଆ ବିଜେପିକୁ ୨୦୨୪ ନିର୍ବାଚନରେ ଅଟକାଇ ପାରିବ । କଂଗ୍ରେସ ଯଦି ଜଣେ ଦଳିତଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବାକୁ ଚାହୁଁଛି, ତେବେ ମାୟାବତୀ ହିଁ ଏକମାତ୍ର ବିକଳ୍ପ ।