• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କଲା ସିବିଆଇ । ସିସୋଦିଆଙ୍କ ଉପସ୍ଥିତିରେ ସିବିଆଇ ତାଙ୍କର ବ୍ୟାଙ୍କ୍ ଲକର ଖୋଲିଛି । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ସିସୋଦିଆ ଆଜି ନିଜ ପତ୍ନୀଙ୍କ ସହ ଘରୁ ଯାଇ ଗାଜିଆବାଦ୍ ବସୁନ୍ଧରା ସେକ୍ଟର ୪ ରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ପହଞ୍ଚିବା ପରେ ସେଠାରେ ତାଙ୍କର ବ୍ୟାଙ୍କ୍ ଲକର ଖୋଲା ଯାଇଛି ।

ତଦନ୍ତ ବେଳେ ସିବିଆଇ କିଛି ପାଇନଥିବା ସିସୋଦିଆ କହିଛନ୍ତି । ଦିଲ୍ଲୀ ମଦ ନୀତି ଘୋଟାଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନମ୍ବର ଓ୍ୱାନ୍ ଅଭିଯୁକ୍ତ ଦର୍ଶାଇଥିଲା ସିବିଆଇ । ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ୧୫ ଜଣଙ୍କ ନାଁରେ ମଧ୍ୟ ଏଫଆଇର ଦାଏର କରିଥିଲା । ପୂର୍ବରୁ ମନୀଷ ସିସୋଦିଇାଙ୍କ ଦିଲ୍ଲୀ ଘର ସମେତ ମୋଟ ୩୧ଟି ସ୍ଥାନରେ ରେଡ୍ କରିଥିଲା ସିବିଆଇ ।

ସିସୋଦିଆଙ୍କ ସହଯୋଗୀଙ୍କୁ ମଦ ବେପାରୀ କୋଟିଏ ଟଙ୍କା ଦେଇଥିବା ସିବିଆଇ ଦାବି କରିବା ସହ ଦୁର୍ନୀତି ସମ୍ପର୍କିତ ଦସ୍ତାବିଜ୍ ବି ହାତରେ ଲାଗିଥିବା କହିଥିଲା । ଦିଲ୍ଲୀ ସରକାର ପ୍ରଚଳିତ କରିଥିବା ଅବକାରୀ ନୀତିରେ ବଡ଼ ଧରଣର ଘୋଟାଲା ହୋଇଥିବା ନେଇ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିବା ପରେ ଉପ-ରାଜ୍ୟପାଳ ଭି. କେ.ସକ୍ସସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଦିଲ୍ଲୀରେ କ୍ଷମତାଶୀନ ଆମ୍ ଆଦ୍‌ମୀ ପାର୍ଟି ଓ ବିରୋଧୀ ବିଜେପି ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ଭ୍ରଷ୍ଟାଚାରକୁ ନେଇ ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଉଭୟ ଦଳର ବିଧାୟକ ସାରା ରାତି ଦିଲ୍ଲୀ ବିଧାନସଭା ପରିସରରେ ଧାରଣା ଦେଇଥିଲେ । ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ଇସ୍ତଫା ଦାବି କରିଛି ଆମ୍ ଆଦ୍‌ମୀ ପାର୍ଟି ।

ଉପରାଜ୍ୟପାଳ ଭି.କେ. ସକ୍ସେନା ୨୦୧୬ରେ ଖଦୀ ଏବଂ ଗ୍ରାମଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଥିବା ବେଳେ ଡିମନିଟାଇଜେସନ ସମୟରେ ୧୪ ଶହ କୋଟି ଟଙ୍କାର ନୋଟ୍ ବଦଳାଇଥିବା ଆପ୍ ଅଭିଯୋଗ ଆଣିଛି । ଆପ୍ ବିଧାୟକମାନେ ଉପରାଜ୍ୟପାଳଙ୍କ ବିରୋଧରେ ତଦନ୍ତ ଦାବି କରିବା ସହ ନାରାବାଜି କରିଛନ୍ତି । ସେପଟେ ଭ୍ରଷ୍ଟାଚାରକୁ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଷୋଦିଆ ଏବଂ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବରଖାସ୍ତ କରିବା ଦାବିରେ ବିଜେପି ବିଧାୟକମାନେ ମଧ୍ୟ ସାରା ରାତି ଧାରଣା ଦେଇଥିଲେ ।