ଭୁବନେଶ୍ୱର: ବିଭିନ୍ନ ଜାତୀୟ ସଂପତ୍ତିର ମନିଟାଇସେଜନ ପାଇଁ ମୋଦି ସରକାରଙ୍କ ଯୋଜନାକୁ କଂଗ୍ରେସର ଜୋରଦାର ବିରୋଧ । ମୋଦି ସରକାର କାହିଁକି ଘରୋଇକରଣ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । ସେ କହିଛନ୍ତି, ୭୦ ବର୍ଷ ଭିତରେ କଂଗ୍ରେସ ଅମଳରେ ଦେଶର ବିକାଶ ପାଇଁ ଅନେକ ସଂସ୍ଥା, ଅନୁଷ୍ଠାନ କରାଯାଇଛି । ସେମାନେ ଦେଶର ବିକାଶର କର୍ଣ୍ଣଧାର ପାଲଟିଛନ୍ତି । ଏବେ ସେସବୁକୁ ବିକି ଦେଇ ରାଜନୈତିକ ପାଣ୍ଠି ଯୋଗାଡ଼ କରିବାକୁ ଚେଷ୍ଟା କରୁଛନ୍ତି ମୋଦି ।
ଏହି ନିଷ୍ପତ୍ତିରୁ କେନ୍ଦ୍ର ସରକାର ଓହରି ଯାଆନ୍ତୁ ବୋଲି ଦାବି କରିଛନ୍ତି ପଞ୍ଚାନନ । ମନିଟାଇଜେସନକୁ ନେଇ ମୋଦି ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ମଧ୍ୟ ସେ ଦାବି କରିଛନ୍ତି ।
Also Read
ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଜାତୀୟ ମନିଟାଇଜେସନ୍ ପାଇପ ଲାଇନରେ ସ୍ଥାନ ପାଇଛି ଓଡ଼ିଶାର ବହୁ ପ୍ରକଳ୍ପ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ସମେତ ପାରାଦୀପ ବନ୍ଦର, ଭୁବନେଶ୍ୱରସ୍ଥିତ କଳିଙ୍ଗ ଅଶୋକା ହୋଟେଲ ଓ ପୁରୀସ୍ଥିତ ହୋଟେଲ ନୀଳାଚଳ ଏହି ତାଲିକାରେ ରହିଛି ।
ନୀତି ଆୟୋଗ ଦ୍ୱାରା ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରର ଘରୋଇକରଣରୁ ୯୦୦ କୋଟି ଟଙ୍କା ରୋଜଗାର ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ସେହିଭଳି ପାରାଦୀପ ବନ୍ଦରର ୪ଟି ପ୍ରକଳ୍ପର ମନିଟାଇଜେସନ୍ ଲାଗି ନିଷ୍ପତ୍ତି ନେଇଛନ୍ତି । ମନିଟାଇଜେସନ୍ ପାଇପଲାଇନ୍ ଅନୁସାରେ, ୨୦୨୨ ଜାନୁଆରୀରେ ପାରାଦୀପ ବନ୍ଦରର ଇନର ହାର୍ବର ଫେସିଲିଟିର ଆଧୁନିକୀକରଣ ଓ ବଡ଼ ଜାହାଜ ଚଳାଚଳ ଲାଗି ୱେଷ୍ଟର୍ଣ୍ଣ ଡକ୍ କ୍ୟାିଭ୍ ବର୍ଥର ବିକାଶ ଲାଗି କାର୍ଯ୍ୟାଦେଶ ପ୍ରଦାନ କରାଯିବ ।