ଯଦି ସବୁକିଛି ଠିକ୍ ଠାକ୍ ଚାଲେ ଆସନ୍ତା ୨୦୨୩ ମସିହାରୁ ହିଁ ବିସିସିଆଇ ଦ୍ୱାରା ଭାରତରେ ବହୁ ପ୍ରତୀକ୍ଷିତ ମହିଳା ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ପୁରୁଷମାନଙ୍କ ଆଇପିଏଲ୍ ପରି ଏହି ମହିଳା ଆଇପିଏଲ୍ ଯଦି ଠିକ୍ ଠାକ୍ ଭାବରେ ଆରମ୍ଭ ହୁଏ ତେବେ ଏହା ଅନେକ ମହିଳା କ୍ରିକେଟରଙ୍କ ପାଇଁ ସୁଯୋଗର ଅସରନ୍ତି ରାସ୍ତା ଖୋଲିଦେବ ବୋଲି ବିଚାର କରାଯାଉଛି।
ଥରେ ଏହି ଆଇପିଏଲ ଆରମ୍ଭ ହେବାମାତ୍ରେ କେବଳ ଖେଳାଳିଭାବେ ଯେ ମହିଳାମାନେ ଉପକୃତ ହେବେ ତାହା ନୁହେଁ ବରଂ ଏହା ଯୋଗୁଁ ଅନେକ ମହିଳା କ୍ରିକେଟର୍ ମ୍ୟାଚ୍ ଅଫିସିଆଲ୍, ଅମ୍ପାୟାର, ସ୍କୋରର ସହ ଭାଷ୍ୟକାରର ଭୂମିକାରେ ଆମେମାନେ ଦେଖିବାକୁ ପାଇବା। ଭାରତରେ ମହିଳା କ୍ରିକେଟ୍ ଦୀର୍ଘଦିନ ଧରି ଯେଉଁ ପ୍ରଶାସନିକ ଅବହେଳାର ଶୀକାର ହୋଇ ଆସୁଛି ତାହା ଶେଷ ହେବାର ପ୍ରଥମ ପାହାଚ ମହିଳା ଆଇପିଏଲର ଆୟୋଜନ ହେବ ବୋଲି ଆଶା କରିବାରେ ବିଶେଷ ଅସୁବିଧା ନାହିଁ।
ଭାରତରେ ମହିଳା କ୍ରିକେଟ୍ର ବୟସ ପାଖାପାଖି ପଚାଶ ବର୍ଷ ହେବ। ୧୯୭୩ରେ ଭାରତୀୟ ମହିଳା କ୍ରିକେଟ୍ ଆସୋସିଏସନ୍ ତିଆରି ହୋଇଥିଲା। ୧୯୭୬ରେ ତତ୍କାଳୀନ ବାଙ୍ଗାଲୋରର ଏମ ଚିନ୍ନା ସ୍ୱାମୀ ଷ୍ଟାଡିୟମରେ ଭାରତ ୱେଷ୍ଟ୍ ଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲା। ୧୯୭୮ ମସିହାରେ ଇଂଲଣ୍ଡ ବିପକ୍ଷରେ ଇଡେନ୍ ଗାର୍ଡେନରେ ଭାରତୀୟ ମହିଳା ଦଳ ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳିଥିଲା।
Also Read
ଟି-୨୦ରେ ଭାରତୀୟ ମହିଳାମାନେ ନିଜର ପଦାର୍ପଣ ମ୍ୟାଚ୍ ଖେଳିଥିଲେ। ସେହି ଇଂଲଣ୍ଡ ବିପକ୍ଷରେ ଇଂଲଣ୍ଡର ଡର୍ବୀରେ ୨୦୦୬ ମସିହାରେ ମୋଟାମୋଟି କହିବାକୁ ଗଲେ ଭାରତୀୟ ମହିଳାମାନେ ସଂଘବଦ୍ଧ ହେବା ଏବଂ କ୍ରିକେଟ୍ ଖେଳିବାକୁ ପ୍ରାୟ ପଚାଶ ବର୍ଷ ଛୁଇଁବାକୁ ବସିଲାଣି। ୨୦୦୫ ଏବଂ ୨୦୧୭ରେ ଭାରତୀୟ ମହିଳାମାନେ ଦୁଇଥର ମହିଳା ବିଶ୍ୱକପ୍ର ଫାଇନାଲ୍ ବି ଖେଳିସାରିଲେଣି୍ ବର୍ତ୍ତମାନ ଆଇସିସି ରାଙ୍କିଂରେ ଭାରତୀୟ ମହିଳା ଦଳ ଶ୍ରେଷ୍ଠ ୫ ଦଳ ଭାବରେ ପରିଗଣିତ ହେଉଛନ୍ତି।
ଏତେ ସବୁ ସଫଳତା ସତ୍ତ୍ୱେ ବିସିସିଆଇ କେଉଁ କାରଣରୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଲିଗ୍ଭିତ୍ତିକ ଆଇପିଏଲ୍ ଆରମ୍ଭ କରିପାରୁ ନଥିଲା। ପୁରୁଷମାନଙ୍କର ପ୍ରିମିୟର ଲିଗ୍ ଆୟୋଜନ ହେବାର ଚଉଦ ବର୍ଷ ପୂରା ହୋଇ ସାରିଥିଲେ ମଧ୍ୟ ମହିଳାମାନଙ୍କର ଆଇପିଏଲ୍ ଏଯାଏ ଆରମ୍ଭ ହୋଇପାରୁ ନଥିଲା।
ଦେଶରେ ମହିଳା କ୍ରିକେଟରଙ୍କ ସଂଖ୍ୟା କିଛି କମ୍ ନୁହେଁ। ହିସାବ ଅନୁସାରେ ଦେଶରେ ପ୍ରାୟ ୨୫୦୦ ମହିଳା କ୍ରିକେଟ୍ ସକ୍ରିୟଭାବେ କ୍ରିକେଟ୍ ଖେଳୁଛନ୍ତି। ଏମାନଙ୍କୁ ନେଇ ଦଶଟି ଦଳ ତିଆରି କରିବା ଏବଂ ଏମାନଙ୍କ ପାଇଁ ଆଇପିଏଲ୍ ଢାଂଚାରେ ଲିଗ୍ଟିଏ ଆୟୋଜନ କରିବା ବିସିସିଆଇ ପକ୍ଷରେ ଅସମ୍ଭବ ନୁହେଁ। ବିସିସିଆଇ କେବଳ ପୁରୁଷଙ୍କ ପାଇଁ ଆଇପିଏଲ୍କୁ ସଫଳତାର ସହ ଆୟୋଜନ କରି ୨୫୦୦ରୁ ୪୦୦୦ କୋଟି ଟଙ୍କା ପ୍ରତି ସିଜିନ୍ରେ ରୋଜଗାର କରିଥାଏ।
ଏଥିରୁ କିଛି ମାତ୍ରାରେ ଅର୍ଥ ବିନିମୟରେ ମହିଳା ଆଇପିଏଲ୍ ଟି ବେଶ୍ ସହଜରେ ଆୟୋଜନ ହୋଇ ପାରନ୍ତା। ତେବେ ବିଡମ୍ବନାର ବିଷୟ ହେଉଛି ଯେ ବିସିସିଆଇ ଏନେଇ ଦୀର୍ଘଦିନ ଧରି ସଂପୂର୍ଣ୍ଣ ନିରବ ରହିଲା। ବିଭିନ୍ନ ସ୍ତରରୁ ଏନେଇ କଥା ଉଠିଥିଲେ ମଧ୍ୟ ବିସିସିଆଇ ଏନେଇ କୌଣସି ପ୍ରଚେଷ୍ଟା କରୁଥିବାର ଦେଖାଯାଇ ନଥିଲା।
ବିସିସିଆଇ ହୁଏତ ଏନେଇ ଆହୁରି ଟାଳଟୁଳ ନୀତି ଗ୍ରହଣ କରିଥାଆନ୍ତା। ତେବେ କ୍ରିକେଟ୍ ଅଷ୍ଟ୍ରେଲିଆ ମହିଳାମାନଙ୍କୁ ନେଇ ବିଗ୍ ବାସ୍ ଲିଗ୍ ଓ ଇଂଲଣ୍ଡ ଏବଂ ୱେଲସ୍ କ୍ରିକେଟ୍ ବୋର୍ଡ ମହିଳାଙ୍କ ହଣ୍ଡ୍ରେଡ୍ ପ୍ରତିଯୋଗୀତା ଆୟୋଜନ କରିବାରେ ଲାଗିଛି। ସେହିପରି ଚଳିତ ଥର ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଆଗାମୀ ବର୍ଷଠାରୁ ମହିଳାମାନଙ୍କ ପାଇଁ ପାକିସ୍ତାନ ସୁପର ଲିଗ୍ ଢାଞ୍ଚାରେ ମହିଳା କ୍ରିକେଟ୍ ଲିଗ୍ ଆରମ୍ଭ କରିବାକୁ ଯାଉଛି।
ସେହିପରି ସ୍ମୃତି ମନ୍ଧାନା ଏବଂ ଜେମିମା ରୋଡ୍ରିଗସ୍ ପରି ମହିଳା କ୍ରିକେଟ୍ ଖେଳାଳିମାନେ ମହିଳାମାନଙ୍କ ପାଇଁ ପୁରୁଷ ଆଇପିଏଲ ଢାଞ୍ଚାରେ ଗୋଟିଏ ଲିଗ୍ଭିତ୍ତିକ ପ୍ରତିଯୋଗୀତା ଆୟୋଜନ କରିବାକୁ ଦାବିକରି ଆସୁଥିଲେ। ଏହାର ଫଳ ସ୍ୱରୂପ ଏବେ ଏନେଇ ବିସିସିଆଇ ଗମ୍ଭୀରତାର ସହ ଏହି ପ୍ରତିଯୋଗୀତା ଆୟୋଜନ କରିବା ପାଇଁ ଚିନ୍ତା କରୁଛି। ଆଶା କରାଯାଉଛି ଯେ ମହିଳା ଆଇପିଏଲ୍ର ପ୍ରାରମ୍ଭିକ ସଂସ୍କରଣ ୫ରୁ ୬ଟି ଦଳକୁ ନେଇ ଆୟୋଜନ କରାଯିବ ଏବଂ ବିଶ୍ୱର ବିଭିନ୍ନ ଦେଶର ମହିଳା କ୍ରିକେଟର୍ମାନେ ଏଥିରେ ଭାଗ ନେବେ।
ତେବେ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇପିଏଲ୍ ଆୟୋଜନ କରିବାର ଚିନ୍ତା ୨୦୧୭ ମସିହାରୁ ଆସିଲାଣି ଯେଉଁ ବର୍ଷ ଭାରତୀୟ ମହିଳା ଦଳ ବିଶ୍ୱ କପ୍ ଫାଇନାଲ୍ରେ ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଥିଲା। ୨୦୧୮ରେ ପ୍ରଥମ କରି ଦୁଇ ଦଳବିଶିଷ୍ଟ ମହିଳା ଟି୨୦ ଚ୍ୟାଲେଞ୍ଜ୍ ପ୍ରତିଯୋଗୀତା ଆରମ୍ଭ ହେଲା ଏବଂ ୨୦୧୯ରେ ଏହା ତିନି ଦଳ ବିଶିଷ୍ଟ ହେଲା। ୨୦୨୦ରେ ଏହାକୁ ବଢାଇବାକୁ ଯୋଜନା ଥିଲେ ବି କୋଭିଡ୍ ଯୋଗଁ ଏହା ସମ୍ଭବ ହେଲା ନାହିଁ। ୨୦୨୧ରେ ତ ଏହାର ଆଦୌ ଆୟୋଜନ ହିଁ ହୋଇପାରିଲା ନାହିଁ। ୨୦୨୨ରେ ଏହା ହେବ ବୋଲି ଜଣାଯାଉଛି। ଏହି ମହିଳା ଟି୨୦ ଚ୍ୟାଲେଞ୍ଜ୍କୁ ହିଁ ମହିଳା ଆଇପିଏଲ୍ର ମୂଳପିଣ୍ଡ ବୋଲି ଧରାଯାଉଛି।
ମହିଳାମାନଙ୍କ ପାଇଁ ଆଇପିଏଲ୍ ଅନେକ ଆଲୋଚନାର ଅପେକ୍ଷା ରଖେ। ବିଶ୍ୱ କ୍ରିକେଟରେ ଲିଙ୍ଗ ଭେଦ ପ୍ରବଳ। ପୁରୁଷମାନେ କ୍ରିକେଟ୍ରୁ ଅର୍ଥ ଏବଂ ଖ୍ୟାତି ପାଉଥିବା ବେଳେ ମହିଳାମାନଙ୍କ ଭାଗ୍ୟରେ ଏହାର କାଣିଚାଏ ବି ଜୁଟେ ନାହିଁ। ମହିଳାମାନେ ଏହି ଖେଳରେ ପୁରୁଷଙ୍କଠାରୁ କମ୍ ଅର୍ଥ ପାଆନ୍ତି। ମହିଳା କ୍ରିକେଟ୍ ପାଇଁ ଆହୁରି ଚିନ୍ତାର ବିଷୟ ହେଉଛି ଆବଶ୍ୟକ ସଂଖ୍ୟକ ମ୍ୟାଚ୍ ଖେଳିବାକୁ ନ ମିଳିବା।
ପୁରୁଷମାନେ ହାରାହାରୀ ୨୦ଟି ଏକଦିବସୀୟ, ୧୫ ଟି ଟି୨୦ ଏବଂ ୧୦ଟି ଟେଷ୍ଟ୍ ଖେଳିବାକୁ ପାଉଥିବା ବେଳେ ମହିଳାମାନେ ବର୍ଷକୁ ୫ରୁ ୧୦ଟି ଏକ ଦିବସୀୟ ୨ରୁ ୫ଟି ଟି୨୦ ଏବଂ ଗୋଟିଏରୁ ତିନୋଟି ଟେଷ୍ଟ୍ ଖେଳିବାକୁ ପାଇଥାଆନ୍ତି।
ପୁଣି ଖେଳିବାକୁ ସେମାନଙ୍କୁ ପଡିଆ ମିଳେ ନାହିଁ। ଆଫ୍ରିକା ପରି ମହାଦେଶରୁ ମହିଳାମାନେ ଯେ ଆଗକୁ ଆସି କ୍ରିକେଟ୍ ଖେଳିବାର ସୁଯୋଗ ପାଇବେ ଏକଥା ଭାବିବା ବି କଷ୍ଟ। ଯେତେବେଳେ ମହିଳା କ୍ରିକେଟ୍ ଅଧିକରୁ ଅଧିକ ଆୟୋଜନ ହେବ, ମହିଳାମାନଙ୍କୁ ଆବଶ୍ୟକୀୟ ମ୍ୟାଚ୍ ଏବଂ ଅର୍ଥ ମିଳିବ ତେବେ ଯାଇ ଏସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା କରାଯାଏ।
ଏପରି ସ୍ଥିତିରେ ଯଦି ବିସିସିଆଇ ଏହି ମହିଳା ଆଇପିଏଲକୁ ପୁରୁଷ ଆଇପିଏଲ ପରି ବଡ ଧରଣର ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଶକ୍ତିଶାଳୀ କରି ଗଢିତୋଳିବାକୁ ଚେଷ୍ଟାକରେ ତେବେ ବିଶ୍ୱର ଅନେକ ଖେଳାଳି ଏଥିରୁ ଲାଭବାନ ହେବେ ବୋଲି ଆଶା କରିବା ସ୍ୱାଭାବିକ। ଏପରି ହେଲେ କ୍ରୀଡା କ୍ଷେତ୍ରରେ ଥିବା ଲିଙ୍ଗଗତ ଭେଦଭାବ ଦୂର ହେବ ବୋଲି ଆଶା କରାଯାଇପାରିବ।
ଧବଳଗିରି, ଯାଜପୁର ରୋଡ୍, ଦୂରଭାଷ: ୭୯୭୮୬୭୧୭୭୬
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)