Advertisment

Sports: ଟି-୨୦ ବିଶ୍ୱକପ୍ ଟିମ୍‌ରେ ସୁଯୋଗ ପାଇବେ କି ରିଙ୍କୁ ସିଂହ ?

ଭାରତୀୟ ଟି-୨୦ ଟିମ୍‌ର ‘ନୂଆ ଫିନିଶର୍‌’ ଭାବେ ରିଙ୍କୁ ସିଂହଙ୍କ ଅଭ୍ୟୁଦୟ ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଭାରତର ଟି-୨୦ ବିଶ୍ୱକପ୍ ଟିମ୍‌ରେ ସୁଯୋଗ ପାଇବେ କି ଏହି ବିସ୍ଫୋରକ ବାମହାତି ବ୍ୟାଟର୍‌?

ଅଦ୍ୟତନ ହୋଇଛି
Will Rinku Singh get a chance in the T-20 World Cup team

Will Rinku Singh get a chance in the T-20 World Cup team

Advertisment

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୩ର ଚର୍ଚ୍ଚିତ ଖେଳାଳି ରିଙ୍କୁ ସିଂହଙ୍କୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଛି। ବିସ୍ଫୋରକ ବାମହାତି ବ୍ୟାଟର୍ ରିଙ୍କୁ ଆଉ ଆଇପିଏଲ୍ ମଧ୍ୟରେ ସୀମାବଦ୍ଧ ନାହାନ୍ତି, ଭାରତୀୟ ଟି-୨୦ ଟିମ୍‌ରେ ମଧ୍ୟ ସେ ପ୍ରଭାବ ବିସ୍ତାର କଲେଣି।

Advertisment

ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ଟି-୨୦ ସିରିଜ୍‌ରେ ରିଙ୍କୁ ଉପଯୋଗୀ ବ୍ୟାଟିଂ କରିଥିଲେ। ଆସନ୍ତା ବର୍ଷ ଜୁନ୍‌ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଭାରତୀୟ ଚୟନକାରୀ କମିଟି ଏହି ଫର୍ମାଟ୍ ପାଇଁ ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦେଉଛି। ତଦନୁଯାୟୀ, ୨୬ବର୍ଷୀୟ ରିଙ୍କୁ ଟିମ୍‌ରେ ସୁଯୋଗ ପାଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ଟି-୨୦ ମ୍ୟାଚ୍ ମଧ୍ୟରୁ ଚାରି ମ୍ୟାଚ୍‌ରେ ବ୍ୟାଟିଂ ସୁଯୋଗ ପାଇ ରିଙ୍କୁ ମୋଟ୍ ୧୦୫ ରନ୍ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ସେ ‘ଫିନିଶର୍‌’ ଭୂମିକା ତୁଲାଇଥିଲେ ଏବଂ ଟିମ୍‌କୁ ଏକ ରୋମାଞ୍ଚକ ବିଜୟ ଦେଇଥିଲେ।

Advertisment

ଦ୍ୱିତୀୟ ମ୍ୟାଚ୍‌ରେ ସେ ମାତ୍ର ୯ ବଲ୍‌ରୁ ୩୧ ରନ୍‌ର ଅପରାଜିତ ଇନିଂସ୍ ଖେଳିଥିବା ବେଳେ ଚତୁର୍ଥ ମ୍ୟାଚ୍‌ରେ ଟିମ୍‌ର ଟପ୍ ସ୍କୋରର୍ (୨୯ ବଲ୍‌ରୁ ୪୬ ରନ୍‌) ଥିଲେ। ବଡ଼ ସଟ୍ ଖେଳିବାର ଦକ୍ଷତା ଯୋଗୁଁ ରିଙ୍କୁ ଏତେ ଲୋକପ୍ରିୟତା ସାଉଁଟି ପାରିଛନ୍ତି।

ଆଇପିଏଲ୍‌ରେ ସେ ଫିନିଶର୍ ଭୂମିକା ତୁଲାଇ ସାରିଛନ୍ତି। ଏବେ ଟି-୨୦ ଆନ୍ତର୍ଜାତିକରେ ମଧ୍ୟ ସେ ଅନୁରୂପ କମାଲ୍ କରୁଛନ୍ତି । ତେଣୁ ତାଙ୍କୁ ଟିମ୍ ଇଣ୍ଡିଆର ‘ନୂଆ ଫିନିଶର୍‌’ ଦୃଷ୍ଟିରୁ ବିଚାର କରାଯାଉଛି । ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଟିମ୍ ଯେଉଁ ଫିନିଶର୍ ସନ୍ଧାନରେ ରହିଆସିଛି, ରିଙ୍କୁଙ୍କ ଠାରେ ସେହି ସନ୍ଧାନ ଶେଷ ହେବ କି?

Advertisment

ତେବେ ପାୱାରହିଟିଂରେ ପାରଙ୍ଗମ ରିଙ୍କୁ ନୂଆ ଫିନିଶର୍ ଭାବେ ଧୋନିଙ୍କ ସ୍ଥାନ ନେଇପାରିବେ ବୋଲି ଏବେଠୁ କହିବା ତରବରିଆ ହେବ। ଏହି ଭୂମିକା ପାଇଁ ତାଙ୍କ ଭିତରେ ପରିପକ୍ୱତା ଲୋଡ଼ା। ଏଥିପାଇଁ ସମୟ ଦରକାର। ସବୁଠାରୁ ବଡ଼ କଥା ହେଲା, ରିଙ୍କୁଙ୍କୁ ନିଜ ପ୍ରଦର୍ଶନରେ ନିରନ୍ତରତା ବଜାୟ ରଖିବାକୁ ହେବ ଯାହା ଫଳରେ ସେ ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ କରିପାରିବେ।

ରିଙ୍କୁ ଚଳିତ ବର୍ଷ ହିଁ ଟି-୨୦ ଜରିଆରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ସେ ଏ ଯାଏଁ ଦିନିକିଆ ଖେଳି ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ପ୍ରଦର୍ଶନ ଆଧାରରେ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଟି-୨୦ ଓ ପ୍ରଥମ ଥର ଦିନିକିଆ ଟିମ୍‌ରେ ସାମିଲ୍ କରାଯାଇଛି।

ରିଙ୍କୁଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଏହି ଗସ୍ତ ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି। ଟି-୨୦ ବିଶ୍ୱକପ୍ ୨୦୨୪ ପୂର୍ବରୁ ଭାରତ ହାତରେ ଆଉ ବେଶୀ ମ୍ୟାଚ୍ ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତିନି ଟି-୨୦ ମ୍ୟାଚ୍ ଖେଳିବ।

ଏବେ ଯେଉଁ ବଡ଼ ପ୍ରଶ୍ନ ଉଠୁଛି, ତାହା ହେଲା ରିଙ୍କୁ ଭାରତର ଟି-୨୦ ବିଶ୍ୱକପ୍ ଟିମ୍‌ରେ ସୁଯୋଗ ପାଇବେ କି? ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କ ପ୍ରଦର୍ଶନରୁ ହିଁ ଏହାର ଉତ୍ତର ମିଳିପାରେ। ଏହାଛଡ଼ା ଆଇପିଏଲ୍ ୨୦୨୪ ଜରିଆରେ ନିଜ ପ୍ରଦର୍ଶନକୁ ଶାଣିତ କରିବା ପାଇଁ ରିଙ୍କୁଙ୍କ ପାଖରେ ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଉ ଏକ ସୁଯୋଗ ରହିଛି।

ବିଦେଶୀ ମାଟିରେ ଆନ୍ତର୍ଜାତିକ ପଦାର୍ପଣ:

ରିଙ୍କୁ ଏ ଯାବତ ୧୦ ଟି-୨୦ ଆନ୍ତର୍ଜାତିକରୁ ଛଅ ଇନିଂସ୍ ଖେଳି ୧୮୦ ରନ୍ ସଂଗ୍ରହ କରିଛନ୍ତି। ଅବଶ୍ୟ ସେଥିମଧ୍ୟରେ କୌଣସି ଅର୍ଦ୍ଧଶତକ ନାହିଁ। ତାଙ୍କ ବ୍ୟାଟିଂ ଆଭରେଜ୍ ୬୦.୦ ଓ ଷ୍ଟ୍ରାଇକ୍‌ରେଟ୍ ୧୮୭.୫ ରହିଛି। ଆଇପିଏଲ୍‌ରେ ସେ ୩୧ ମ୍ୟାଚ୍ ଖେଳି ୭୨୫ ରନ୍ କରିଛନ୍ତି। ଏଥିରେ ତାଙ୍କ ବ୍ୟାଟିଂ ଆଭରେଜ୍ ୩୬.୨ ଓ ଷ୍ଟ୍ରାଇକ୍ ରେଟ୍ ୧୪୨.୨ ରହିଛି।

ଚଳିତ ବର୍ଷ ଅଗଷ୍ଟରେ ରିଙ୍କୁ ଆୟର୍ଲାଣ୍ଡ ଗସ୍ତରେ ଟି-୨୦ ଆନ୍ତର୍ଜାତିକରେ ପଦାର୍ପଣ କରିଥିଲେ। ପଦାର୍ପଣ ମ୍ୟାଚ୍‌ରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା। ତେବେ ପରବର୍ତ୍ତୀ ମ୍ୟାଚ୍‌ରେ ସୁଯୋଗ ପାଇ ସେ ୨୧ ବଲ୍‌ରୁ ୩୮ ରନ୍‌ର ଉଲ୍ଲେଖନୀୟ ଇନିଂସ୍ ଖେଳିଥିଲେ। ଏହି ପ୍ରଦର୍ଶନ ବଳରେ ସେ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ।

ବିଦେଶୀ ମାଟିରେ ଏହି ନବାଗତଙ୍କୁ ଭାରତୀୟ ଦର୍ଶକଙ୍କ ଠାରୁ ବେଶ୍ ସମର୍ଥନ ମିଳିଥିଲା। ଏହି ଗସ୍ତର ତୃତୀୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଯାଇଥିଲା। ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ଟିମ୍ ୨-୦ରେ ସିରିଜ୍ ଜିତିଥିଲା।

ଏହାପରେ ଏସିଆଡ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଟିମ୍‌ର ସେ ଅଂଶବିଶେଷ ଥିଲେ। ଏଥିରେ ମଧ୍ୟ ରିଙ୍କୁ କେବଳ ଗୋଟିଏ ମ୍ୟାଚ୍‌ରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ। ନେପାଳ ବିପକ୍ଷ ଏହି କ୍ୱାର୍ଟର୍‌-ଫାଇନାଲ୍ ମ୍ୟାଚ୍‌ରେ ସେ ୧୫ ବଲ୍‌ରୁ ୩୭ ରନ୍ କରି ଅପରାଜିତ ଥିଲେ। ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟି-୨୦ ସିରିଜ୍ ପାଇଁ ତାଙ୍କୁ ଟିମ୍‌ରେ ସ୍ଥାନ ମିଳିଥିଲା।

ସ୍ମରଣୀୟ ଆଇପିଏଲ୍ ଇନିଂସ୍‌:

ଆଇପିଏଲ୍ ୨୦୨୩ରେ ରିଙ୍କୁ ଲୋକଲୋଚନକୁ ଆସିଥିଲେ। ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ବିପକ୍ଷ ଏକ ମ୍ୟାଚ୍‌ରେ ସେ ନିଜ ଟିମ୍ କୋଲକାତା ନାଇଟ୍ ରାଇଡର୍ସକୁ ଏକ ଅବିସ୍ମରଣୀୟ ବିଜୟ ଦେଇଥିଲେ।

ଏପ୍ରିଲ୍ ୯ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ତାଙ୍କ ଟିମ୍‌କୁ ଜିତିବା ପାଇଁ ଶେଷ ଓଭର୍‌ରେ ୨୯ ରନ୍ ଆବଶ୍ୟକ ଥିଲା। ସମସ୍ତେ ଆଶା ଛାଡ଼ିଦେଇଥିଲେ। ଯଶ ଦୟାଲ୍‌ଙ୍କ ପ୍ରଥମ ବଲ୍‌ରେ ଉମେଶ ଯାଦବ ୧ ରନ୍ ନେଇ ରିଙ୍କୁଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ରିଙ୍କୁଙ୍କ ସ୍ୱପ୍ନିଳ ପ୍ରଦର୍ଶନ। ସେ ଗୋଟିଏ ପରେ ଗୋଟିଏ ଛକା ମାରିଥିଲେ। କ୍ରମାଗତ ପାଞ୍ଚ ବଲ୍‌ରେ ପାଞ୍ଚ ଛକା ହୋଇଥିଲା। ଟିମ୍ ଅପ୍ରତ୍ୟାଶିତ ବିଜୟ ହାସଲ କରିଥିଲା।

ଏହି ପ୍ରଦର୍ଶନ ପରେ ରିଙ୍କୁ ଆଇପିଏଲ୍‌ର ଶ୍ରେଷ୍ଠ ଫିନିଶର୍‌ଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ଏବଂ ତାଙ୍କୁ ନେଇ ଅନେକ ସମ୍ଭାବନାର ଉନ୍ମେଷ ହୋଇଥିଲା। ରାତାରାତି ତାଙ୍କ ଲୋକପ୍ରିୟତା ସରହଦ ଲଙ୍ଘନ କରିଥିଲା।

ଘରୋଇ କ୍ରିକେଟ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ:

କେବଳ ଟି-୨୦ ଫର୍ମାଟ୍ ନୁହେଁ, ଘରୋଇ କ୍ରିକେଟ୍‌ର ବିଭିନ୍ନ ଫର୍ମାଟ୍‌ରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। କ୍ୟାରିଅର୍‌ର ଆଦ୍ୟାବସ୍ଥାରେ ୨୦୧୮-୨୦୧୯ ରଣଜୀ ସିଜନ୍‌ରେ ରିଙ୍କୁ ଏଲିଟ୍ ଡିଭିଜନ୍‌ର ସବୁଠାରୁ ସଫଳ ବ୍ୟାଟର୍‌ଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଥିଲେ। ସେ ମାତ୍ର ୧୩ ଇନିଂସ୍‌ରେ ୧୦୫.୮୮ ଆଭରେଜ୍‌ରେ ୯୫୩ ରନ୍ ସଂଗ୍ରହ କରିଥିଲେ। ଏଥିରେ ଚାରି ଶତକ ଓ ତିନି ଅର୍ଦ୍ଧଶତକ ଥିଲା।

ଏହାଛଡ଼ା ୨୦୨୧-୨୨ ବିଜୟ ହଜାରେ ଟ୍ରଫିରେ ରିଙ୍କୁ ନିଜ ରାଜ୍ୟ ଉତ୍ତର ପ୍ରଦେଶକୁ ନକ୍‌ଆଉଟ୍‌ରେ ପହଞ୍ଚାଇଥିଲେ। ସେଥିରେ ସେ ଛଅ ଇନିଂସ୍ ଖେଳି ୯୪.୭୫ ଆଭରେଜ୍‌ରେ ୩୭୯ ରନ୍ କରିଥିଲେ।

ନିକଟରେ ରିଙ୍କୁ କହିଥିଲେ ଯେ ସେ ପାଞ୍ଚ-ଛଅ ବର୍ଷ ହେଲା ଆଇପିଏଲ୍ ଖେଳୁଛନ୍ତି। ଆଇପିଏଲ୍ ଖୁବ୍ ଆହ୍ୱାନପୂର୍ଣ୍ଣ ଲିଗ୍। ସେଠାରୁ ସେ ସବୁ ପ୍ରକାର ପରିସ୍ଥିତିକୁ କିଭଳି ନିୟନ୍ତ୍ରଣ କରିବାକୁ ହୁଏ, ତାହା ଶିଖିଛନ୍ତି। ଏବେ ଏହା ଆନ୍ତର୍ଜାତିକ କ୍ରିକେଟ୍‌ରେ ବି କାମରେ ଆସୁଛି।

ପ୍ରତିକୂଳ ପରିସ୍ଥିତିରେ ବି ରିଙ୍କୁ ଚାପକୁ ନିଜ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଦିଅନ୍ତିନି। ସଂଯୋଗବଶତଃ, ଚାପଗ୍ରସ୍ତ ସମୟରେ ଧୋନିଙ୍କ ଭଳି ଏକାଗ୍ରତା ଓ ଶାନ୍ତ ସ୍ୱଭାବ ତାଙ୍କ ଭିତରେ ଦେଖିବାକୁ ମିଳୁଛି।

ରିଙ୍କୁଙ୍କ ଜୀବନଯାତ୍ରାରେ ଅନେକ ଆହ୍ୱାନ ଆସିଛି। ତାଙ୍କୁ କେତେବେଳେ ପରିବାରର ଋଣବୋଝକୁ ମୁଣ୍ଡାଇବାକୁ ପଡ଼ିଛି ତ କେତେବେଳେ ବିସିସିଆଇ କଟକଣାର ସାମ୍ନା କରିବାକୁ ପଡ଼ିଛି। କିନ୍ତୁ କେବେ ବି ସେ ହାର୍ ମାନି ନାହାନ୍ତି। ଦୃଢ଼ ମନୋବଳ ନେଇ ପରିସ୍ଥିତିର ମୁକାବିଲା କରିଛନ୍ତି। ସେ ଜାଣନ୍ତି ଯେ ଅଦମ୍ୟ ପ୍ରୟାସ ଜାରି ରଖିଲେ, ଦିନେ ତୁଙ୍ଗ ଶିଖର ଛୁଇଁପାରିବେ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

T20 Indian Cricket Indian Cricket Team Indian Sports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ