Advertisment

Sports: ୨୦୨୩ ବିଶ୍ୱକପ୍‌ରେ ଗେମ୍‌-ଚେଞ୍ଜର୍ ହେବେ କି କୁଲଦୀପ ଯାଦବ

ଭାରତୀୟ ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଏସିଆ କପ୍‌ରେ ଉଲ୍ଲେଖନୀୟ ବୋଲିଂ ପ୍ରଦର୍ଶନ କରି ଟିମ୍‌ରେ ତାଙ୍କ ଗୁରୁତ୍ୱ କେତେ, ତାହା ପ୍ରମାଣିତ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଟିମ୍ ପାଇଁ ଗେମ୍‌-ଚେଞ୍ଜର୍ ସାବ୍ୟସ୍ତ ହେବେ କି ରୋହିତଙ୍କ ମୁଖ୍ୟ ଅସ୍ତ୍ର ‘କୁଲଦୀପ’? ଏସିଆ କପ୍ ଭଳି କ୍ରିକେଟ୍ ମହାସମରରେ କରିବେ କି କମାଲ୍‌?

author-image
Biswajit Mohanty
ଅଦ୍ୟତନ ହୋଇଛି
Will Kuldeep Yadav be a game-changer in the 2023 World Cup

Will Kuldeep Yadav be a game-changer in the 2023 World Cup

ଭାରତର ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆ କପ୍ (୫୦ ଓଭର୍ ଫର୍ମାଟ୍‌) ୨୦୨୩ରେ ସେ ମୋଟ୍ ୯ ୱିକେଟ୍ ନେଇ ‘ପ୍ଲେୟର୍ ଅଫ୍ ଦ ସିରିଜ୍‌’ ବିବେଚିତ ହୋଇଥିଲେ। ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟର ସୁପର୍‌-୪ ମ୍ୟାଚ୍‌ରେ ସେ ପାକିସ୍ତାନ ବିପକ୍ଷରେ ୫ ଓ ଶ୍ରୀଲଙ୍କା ବିପକ୍ଷରେ ୪ ୱିକେଟ୍ ନେଇ ଟିମ୍‌ରେ ତାଙ୍କ ଗୁରୁତ୍ୱ କେତେ, ତାହା ପ୍ରମାଣିତ କରିଛନ୍ତି।

Advertisment

ଏସିଆ କପ୍ ପରେ ବିଶ୍ୱକପ୍ ଟିମ୍‌ରେ ମଧ୍ୟ କୁଲଦୀପଙ୍କୁ ସାମିଲ କରାଯାଇଛି। ଟିମ୍‌ରେ ଲେଗ୍ ସ୍ପିନର୍ ଓ ଅଫ୍‌ସ୍ପିନର୍‌ଙ୍କ ଠାରୁ ତାଙ୍କୁ ଅଗ୍ରାଧିକାର ଦିଆଯାଇଥିଲା। ଟିମ୍ ଘୋଷଣା ପରେ ଏହାକୁ ନେଇ ପ୍ରଶ୍ନ ବି ଉଠିଥିଲା। କିନ୍ତୁ ଏସିଆ କପ୍ ପରେ ଚୟନକାରୀଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଥିଲା। ଅବଶ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳାଯାଇ ଟିମ୍‌ରେ ଏକ ଅଫ୍‌ସ୍ପିନ୍ ବିକଳ୍ପ ରଖାଯିବା ଉପରେ ମଧ୍ୟ ବିଚାର କରାଯାଉଛି।

ଏବେ ପ୍ରଶ୍ନ ଉଠୁଛି ଯେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଟିମ୍ ପାଇଁ ଗେମ୍‌-ଚେଞ୍ଜର୍ ସାବ୍ୟସ୍ତ ହେବେ କି ରୋହିତ ଶର୍ମାଙ୍କ ମୁଖ୍ୟ ଅସ୍ତ୍ର ‘କୁଲଦୀପ’? ଏସିଆ କପ୍ ଭଳି କ୍ରିକେଟ୍ ମହାସମରରେ କରିବେ କି କମାଲ୍‌?

Advertisment

୨୦୧୯ ବିଶ୍ୱକପ୍ ପରେ ବିଭିନ୍ନ କାରଣରୁ ଟିମ୍ ଇଣ୍ଡିଆରେ କୁଲଦୀପଙ୍କ ସ୍ଥାନ ସୁରକ୍ଷିତ ରହି ନାହିଁ। ୮ ଟେଷ୍ଟ, ୮୯ ଦିନିକିଆ ଓ ଓ ୩୨ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ଏହି ଚାଇନାମ୍ୟାନ୍ ସ୍ପିନର୍‌ଙ୍କ ଗତ ବର୍ଷ ଆଣ୍ଠୁ-ସର୍ଜରୀ ହୋଇଥିଲା। ୨୦୨୦ ଓ ୨୦୨୧ରେ ତାଙ୍କୁ ନିୟମିତ ଭାବେ ଟିମ୍‌ରେ ସ୍ଥାନ ମିଳି ନ ଥିଲା। କିନ୍ତୁ ରୋହିତ ସବୁ ଫର୍ମାଟ୍‌ର ଅଧିନାୟକ ହେବା ପରେ କୁଲଦୀପଙ୍କୁ ପୂରା ସୁଯୋଗ ମିଳିଥିଲା। ଏହି କାରଣରୁ ସେ ଚଳିତ ବର୍ଷ ଦିନିକିଆରେ ସର୍ବାଧିକ ୱିକେଟ୍ (୩୧) ହାସଲକାରୀ ଭାରତୀୟ ବୋଲର୍ ହୋଇପାରିଛନ୍ତି।

୨୦୧୭ରେ ଆନ୍ତର୍ଜାତିକ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ ପଦାର୍ପଣ କରିଥିବା କୁଲଦୀପ ଏ ଯାବତ ଦିନିକିଆରେ ୧୫୦ ୱିକେଟ୍ ନେଇଥିବା ବେଳେ ଟେଷ୍ଟରେ ୩୪ ଓ ଟି-୨୦ରେ ୫୨ ୱିକେଟ୍ ନେଇଛନ୍ତି।

ଦିନିକିଆ ବିଶ୍ୱକପ୍ ପୂର୍ବରୁ ଭାରତର ତିନି ବିଶେଷଜ୍ଞ ପେସର୍ - ଯଶପ୍ରୀତ ବୁମ୍‌ରା, ମହମ୍ମଦ ଶାମୀ ଓ ମହମ୍ମଦ ସିରାଜ ଫର୍ମରେ ରହିବା ଟିମ୍ ପାଇଁ ପ୍ଲସ୍ ପଏଣ୍ଟ। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୂଳ ଠାକୁରଙ୍କ ଭଳି ଦୁଇ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍ ବି ପ୍ରସ୍ତୁତ ଅଛନ୍ତି। ଏବେ ସ୍ପିନର୍ କୁଲଦୀପ ଫର୍ମରେ ରହିବା ଟିମ୍ ପାଇଁ ବୁଷ୍ଟର୍ ଡୋଜ୍ ହେବ।

ସ୍ପିନ୍‌-ଡ୍ରିଫ୍ଟ, ଲାଇନ୍‌-ଲେନ୍ଥ, ରନ୍‌ଅପ୍ ଉପରେ ଫୋକସ୍‌:

ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଖୋଦ୍ କୁଲଦୀପ କହିଥିଲେ ଯେ ଗତ ବର୍ଷ ଆଣ୍ଠୁ-ସର୍ଜରୀ ପରେ ତାଙ୍କ ରନ୍‌ଅପ୍ ଅନେକାଂଶରେ ସିଧା ହୋଇଯାଇଛି ଏବଂ ତାଙ୍କ ଲୟ ଆକ୍ରମଣାତ୍ମକ ହୋଇଛି। ପ୍ରଥମ ବଲ୍ ପକାଇବା ପରେ ତାଙ୍କ ହାତ ତଳକୁ ଚାଲିଯାଉଥିଲା, ହେଲେ ଏବେ ସେମିତି ହେଉ ନାହିଁ। ଏବେ ତାଙ୍କ ହାତ ବ୍ୟାଟର୍‌ଙ୍କ ସାମ୍ନାରେ ରହୁଛି। ସେ ଅପରେସନ୍ ପରେ ନିଜ ଦକ୍ଷତା ବଢ଼ାଇବା ପାଇଁ ‘ସ୍ପିନ୍ ଓ ଡ୍ରିଫ୍ଟ’ ଉପରେ କାମ କରିଥିଲେ। ନିଜ ଗତି ସହିତ ସ୍ପିନ୍ ଓ ଡ୍ରିଫ୍ଟକୁ ବଳବତ୍ତର ରଖିବା ଉପରେ ଧ୍ୟାନ ଦେଇଥିଲେ, ଯାହା ଫଳରେ ୱିକେଟ୍ ମିଳିବ ଓ ପ୍ରଦର୍ଶନରେ ନିରନ୍ତରତା ବି ରହିବ।

ସେ ଆହୁରି ମଧ୍ୟ କହିଥିଲେ ଯେ ଅବସର ନେବା ପରେ ବି ପାକିସ୍ତାନ ବିପକ୍ଷ ପାଞ୍ଚ ୱିକେଟ୍ ସଫଳତା ତାଙ୍କର ସବୁବେଳେ ମନେ ରଖିବେ। ଏହା ତାଙ୍କ ପାଇଁ ଏକ ଉପଲବ୍‌ଧି, କାରଣ ପାକିସ୍ତାନର ବ୍ୟାଟର୍ ସ୍ପିନ୍‌କୁ ଭଲ ଭାବେ ଖେଳିପାରନ୍ତି। ଯଦି ଆପଣ ଏଭଳି ଟିମ୍ ବିପକ୍ଷରେ ଭଲ ପ୍ରଦର୍ଶନ କରନ୍ତି ଯିଏ ଉପମହାଦେଶରେ ସ୍ପିନ୍‌କୁ ଭଲ ଭାବେ ଖେଳିଥାଏ, ତା’ହେଲେ ଏହାଦ୍ୱାରା ମନୋବଳ ବଢ଼ିଥାଏ।

କୁଲଦୀପଙ୍କ କୋଚ୍ କପିଳ ପାଣ୍ଡେଙ୍କ କହିବାନୁଯାୟୀ ସର୍ଜରୀ ପରେ କୁଲଦୀପ ଠିକ୍‌ରେ ପାଦ ପକାଇପାରୁ ନ ଥିଲେ। ପ୍ରତ୍ୟାବର୍ତ୍ତନ ପାଇଁ ସେ କଠିନ ପରିଶ୍ରମ କରିଥିଲେ। ଏହି ସମୟରେ ସେ ନିଜ ବୋଲିଂ ଶୈଳୀରେ ବି ପରିବର୍ତ୍ତନ କରିଥିଲେ।

କୋଚ୍ ପାଣ୍ଡେ କହିଛନ୍ତି, “କୁଲଦୀପଙ୍କ ଆଣ୍ଠୁର ସର୍ଜରୀ ହୋଇଥିଲା ଏବଂ ଏହାପରେ ସେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ)ରୁ ରିହାବ୍ କରିକି ଆସିଥିଲେ। ତାଙ୍କୁ ବୋଲିଂ କରିବାର ଥିଲା, କିନ୍ତୁ ସେ ଠିକ୍‌ରେ ପାଦ ପକାଇପାରୁ ନ ଥିଲେ। ମୁଁ ଚିନ୍ତାରେ ପଡ଼ିଯାଇଥିଲି ଯେ କେମିତି କୁଲଦୀପଙ୍କୁ ପ୍ରସ୍ତୁତ କରିବି। ଅତୀତରେ ତାଙ୍କୁ ମଧ୍ୟ ଏମିତି ଆଘାତ ଲାଗିଥିଲା ଏବଂ ସେହି ଅନୁଭୂତିକୁ ଉପଯୋଗ କରି ମୁଁ ଅଭ୍ୟାସ କରାଇବା ଆରମ୍ଭ କରିଥିଲି।”

“ପ୍ରଥମେ ପ୍ରଥମେ ଏକ ଘଣ୍ଟାର ସେସନ୍ ରଖିଥିଲି। ଏଥିରେ କୁଲଦୀପଙ୍କୁ ଦୁଇ-ତିନି ଓଭର୍ ବୋଲିଂ କରାଇଥିଲି। ଏହାପରେ ଚାରି-ପାଞ୍ଚ ଦିନ ଧରି ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏଁ ସେସନ୍ ରଖିଥିଲି। କୁଲଦୀପ ପୁଣି ଥରେ ରିହାବ୍ ପାଇଁ ଏନ୍‌ସିଏ ଯାଇଥିଲେ। ସେଠାରୁ ଫେରିବା ପରେ ପୁଣି ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏଁ ତାଙ୍କୁ ଦୁଇ-ତିନି ଦିନ ଅଭ୍ୟାସ କରାଇଥିଲି।”

କୋଚ୍ ପାଣ୍ଡେ ତାଙ୍କୁ ଦୁଇ-ତିନିଟି ମ୍ୟାଚ୍ ଖେଳାଇଥିଲେ, ଏପରିକି କାନ୍‌ପୁର କ୍ରିକେଟ୍ ସଂଘର ମ୍ୟାଚ୍‌ରେ ବି ଖେଳାଇଥିଲେ। ଏଥିରେ କୁଲଦୀପ ପାଞ୍ଚ ୱିକେଟ୍ ନେଇଥିଲେ। ତେବେ ଯେତେବେଳେ ବି କୁଲଦୀପ ବୋଲିଂ କରୁଥିଲେ, ତାଙ୍କ ଗୋଡ଼ ଫୁଲିଯାଉଥିଲା। ଏହାପରେ ଆଇପିଏଲ୍ ଆସିଥିଲା ଏବଂ ସେ ଭଲ ପ୍ରଦର୍ଶନ କରିଥିଲେ। କୋଚ୍ ତାଙ୍କ ଲାଇନ୍‌-ଲେନ୍ଥ ଉପରେ ବି ଫୋକସ୍ କରୁଥିଲେ। ଏହି ରିଷ୍ଟ ସ୍ପିନର୍ ନିଜ ରନ୍‌ଅପ୍‌ରେ ମଧ୍ୟ ସୁଧାର ଆଣିଥିଲେ।

କୁଲଦୀପ ନିଜ ୱାର୍କଆଉଟ୍ ଛାଡ଼ି ନ ଥିଲେ। କୌଣସି ଖେଳାଳି ଆହତ ହେଲେ, ତା’ର ଗତିବିଧି ଅଟକିଯାଏ ଏବଂ ତାକୁ ପୁଣି ଥରେ ସବୁକିଛି ଆରମ୍ଭ କରିବାକୁ ପଡ଼େ। ସେ ପରିଶ୍ରମ କରିଥିଲେ ଏବଂ ବୋଲିଂ କରିବା ବେଳେ ହାତକୁ ସାମ୍ନା ଆଡ଼କୁ ରଖିବା ଉପରେ ଅଧିକ କାମ କରିଥିଲେ।

ଭାରତର ପ୍ରଥମ ଚାଇନାମ୍ୟାନ୍ ବୋଲର୍ କୁଲଦୀପ:

କୁଲଦୀପ ଯାଦବ ପୁରୁଷ କ୍ରିକେଟ୍‌ରେ ଭାରତର ପ୍ରଥମ ଚାଇନାମ୍ୟାନ୍ ବୋଲର୍। ବିଶ୍ୱରେ ଚାଇନାମ୍ୟାନ୍ ସ୍ପିନର୍‌ଙ୍କ ସଂଖ୍ୟା ବହୁତ କମ୍। କାରିବୀୟ କିମ୍ବଦନ୍ତୀ ସାର୍ ଗ୍ୟାରୀ ସୋବର୍ସ, ଅଷ୍ଟ୍ରେଲିଆର ମାଇକେଲ ବେଭାନ୍‌, ବ୍ରାଡ୍ ହଗ୍ ଓ ସାଇମନ୍ କାଟିଚ୍‌, ଇଂଲଣ୍ଡର ଡେନିସ୍ କ୍ରମ୍ପଟନ୍‌, ଦକ୍ଷିଣ ଆଫ୍ରିକାର ପଲ୍ ଆଦାମ୍ସ ପ୍ରମୁଖ ଏହି ଶୈଳୀରେ ବୋଲିଂ କରୁଥିଲେ।

ଏବେ କୁଲଦୀପଙ୍କ ଭଳି ଦକ୍ଷିଣ ଆଫ୍ରିକାର ତବରେଜ୍ ଶାମ୍‌ସୀ ଚାଇନାମ୍ୟାନ୍ ଶୈଳୀରେ ବୋଲିଂ କରୁଛନ୍ତି। ଇଂଲିଶ୍ କାଉଣ୍ଟି କ୍ଲବ୍ ୟର୍କଶାୟାରର ମୋରିସ୍ ଲେଲାଣ୍ଡଙ୍କୁ ଏହି ଶୈଳୀର ଜନକ କୁହାଯାଏ। ସେ ୧୯୩୧ରେ ଏହି ସ୍ୱତନ୍ତ୍ର ବୋଲିଂର ଶୈଳୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ।

୨୦୧୪ରେ ଯେତେବେଳେ ଉତ୍ତର ପ୍ରଦେଶର କୁଲଦୀପଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଟିମ୍‌ରେ ନୂଆମୁହଁ ଭାବେ ସାମିଲ କରାଯାଇଥିଲା, ସେତେବେଳେ କେତେକ ପ୍ରଶ୍ନ ଉଠିଥିଲା। ଏହାର କାରଣ ଥିଲା କୁଲଦୀପ ସେତେବେଳ ଯାଏଁ ପ୍ରଥମ ଶ୍ରେଣୀ କ୍ରିକେଟ୍ କିମ୍ବା ଲିଷ୍ଟ-ଏ ମ୍ୟାଚ୍ ବି ଖେଳି ନ ଥିଲେ। ତାଙ୍କ ଚୟନ ପଛର ଆଧାର ଥିଲା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ ଓ ଚାମ୍ପିଅନ୍ସ ଲିଗ୍‌ରେ ଉତ୍ତମ ପ୍ରଦର୍ଶନ। ଏହାଛଡ଼ା ସେ ୨୦୧୪ରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଟିମ୍‌ର ସଦସ୍ୟ ଥିଲେ।

ତେବେ ସୁନୀଲ ଗାଭାସ୍କର ଓ ସଚିନ ତେନ୍ଦୁଲକରଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର୍‌ଙ୍କ ଠାରୁ ଏହି ଯୁବ ଚାଇନାମ୍ୟାନ୍ ସ୍ପିନର୍‌ଙ୍କୁ ସମର୍ଥନ ମିଳିଥିଲା। ସେତେବେଳେ ସନ୍ନି କହିଥିଲେ ଯେ ଯଦି ସେ ଚୟନକାରୀ ହୋଇଥା’ନ୍ତେ, ତା’ହେଲେ କୌଣସି ପ୍ରଥମ-ଶ୍ରେଣୀ ମ୍ୟାଚ୍‌ରେ ଖେଳି ନ ଥିଲେ ବି ତାଙ୍କୁ (କୁଲଦୀପଙ୍କୁ) ଟେଷ୍ଟ ଟିମ୍ ପାଇଁ ଚୟନ କରିଥା’ନ୍ତି।

ଗାଭାସ୍କର, ତେନ୍ଦୁଲକର ଓ ତତ୍କାଳୀନ ଚୟନକାରୀମାନେ ସମ୍ଭବତଃ କୁଲଦୀପଙ୍କ ଭବିଷ୍ୟତକୁ ଦେଖିପାରିଥିଲେ। ଏହି ଚାଇନାମ୍ୟାନ୍ ବୋଲର୍ ବି ସେମାନଙ୍କୁ ନିରାଶ କରି ନ ଥିଲେ। ବିଭିନ୍ନ ଘାତ-ପ୍ରତିଘାତକୁ ଅତିକ୍ରମ କରିଥିବା ୨୮ ବର୍ଷୀୟ କୁଲଦୀପ ଟିମ୍ ଇଣ୍ଡିଆ ପାଇଁ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛନ୍ତି। ବିଶ୍ୱକପ୍‌ରେ ମଧ୍ୟ ତୁଲାଇବେ, ଏ ଆଶା ଟିମ୍‌ର ଅଛି।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

World Cup Kuldeep Yadav
Advertisment
Advertisment