• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର୍ ତଥା ୟର୍କର୍ ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍‌ରା ଏବେ ସମ୍ପୂର୍ଣ୍ଣ ସୁସ୍ଥ । ୧୧ ମାସର ବ୍ୟବଧାନ ପରେ ସେ ଟିମ୍‌କୁ ଫେରିଛନ୍ତି। ଭାରତୀୟ କ୍ରିକେଟ୍ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିଭରା ଖବର ।

ଅଗଷ୍ଟ ୧୮ରୁ ଆୟରଲାଣ୍ଡ ଗସ୍ତରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତିକ ସିରିଜ୍ ପାଇଁ ବୁମ୍‌ରାଙ୍କୁ କେବଳ ଭାରତୀୟ ଟିମ୍‌ରେ ସାମିଲ କରାଯାଇ ନାହିଁ, ତାଙ୍କୁ ନେତୃତ୍ୱ ଦାୟିତ୍ୱ ବି ଦିଆଯାଇଛି । ଆଗକୁ ଏସିଆ କପ୍‌, ଏହାପରେ ଭାରତରେ ହେବ ଦିନିକିଆ ବିଶ୍ୱକପ୍ । ଏପରିସ୍ଥଳେ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ଇଣ୍ଡିଆ ପାଇଁ ‘ବୁଷ୍ଟର୍ ଡୋଜ୍‌’ ହେବ କି?

ଏହି ପ୍ରଶ୍ନର ଏକ ସ୍ୱାଭାବିକ ଉତ୍ତର ହେବ ଯେ ବୁମ୍‌ରା ଆସିବା ଦ୍ୱାରା ନିଶ୍ଚିତ ରୂପେ ଟିମ୍ ସଶକ୍ତ ହେବ । କିନ୍ତୁ ତାଙ୍କ ପଥ ସେତେ ସୁଗମ ନୁହେଁ । ସେ ଟିମ୍ ପାଇଁ ଏକ ଆବଶ୍ୟକତା ହୋଇଥାଇପାରନ୍ତି, ତାଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ଟିମ୍‌ର ବିଶ୍ୱକପ୍ ବିଜୟ-ଆଶା ଉଜ୍ଜ୍ୱଳ ହୋଇପାରେ; ହେଲେ ଆଘାତରୁ ସୁସ୍ଥ ହୋଇ ଦୀର୍ଘ ଦିନର ବ୍ୟବଧାନ ପରେ ଫେରିଥିବା ଏହି ଅଭିଜ୍ଞ ବୋଲର୍ କ’ଣ ତାଙ୍କ ପୂର୍ବ ରୂପକୁ ଫେରିପାରିବେ?

ଫର୍ମ ଓ ଫିଟ୍‌ନେସ୍ - ବଡ଼ ଚାଲେଞ୍ଜ୍‌:

ଖୋଦ୍ ବୁମ୍‌ରା ଏ ବିଷୟରେ ଅବଗତ ଅଛନ୍ତି ଯେ ତାଙ୍କ ପଥ ସୁଗମ ନୁହେଁ । ଏବେ ତାଙ୍କୁ ଏକପ୍ରକାର ଅଗ୍ନିପରୀକ୍ଷା ଦେଇ ଗତି କରିବାକୁ ପଡ଼ିବ । ଫର୍ମ ହାସଲ କରିବା ସହ ମ୍ୟାଚ୍‌-ଫିଟ୍‌ନେସ୍ ବଜାୟ ରଖିବା ତାଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହେବ । ସମ୍ଭବତଃ ଏହି କାରଣରୁ କେହି କେହି ଆୟରଲାଣ୍ଡ ଗସ୍ତରେ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବା ନେଇ ପ୍ରଶ୍ନ ଉଠାଇଛନ୍ତି ।

ଦୁଇ ମୂଳ ପ୍ରଶ୍ନ ପରେ ଯେଉଁ ତୃତୀୟ ପ୍ରଶ୍ନଟି ଉଙ୍କି ମାରୁଛି, ତାହା ହେଲା ଯଦି ଆୟରଲାଣ୍ଡ ଗସ୍ତ ଏବଂ ଏହାପରେ ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ହାତଗଣତି ଦିନିକିଆ ମ୍ୟାଚ୍‌ରେ ବୁମ୍‌ରା ଫର୍ମ ହାସଲ କରି ନ ପାରନ୍ତି, ତା’ହେଲେ ସେ ବିଶ୍ୱକପ୍ ଟିମ୍‌ର ଅଂଶବିଶେଷ ହେବେ କି?

ଅଭିଜ୍ଞତାକୁ ଆଧାର କରି ଏବଂ ତାଙ୍କ ଉପସ୍ଥିତି ଗୁରୁତ୍ୱ ରଖୁଥିବାରୁ ସେ ଟିମ୍‌ରେ ସ୍ଥାନ ବଜାୟ ରଖିବେ । କିନ୍ତୁ ସେ ମ୍ୟାଚ୍‌‌-ଫିଟ୍ ଥିବା ଦରକାର । ଯଦି ବୁମ୍‌ରା ଫର୍ମ ହାସଲ କରନ୍ତି ଏବଂ ଏହା ସହିତ ଫିଟ୍‌ନେସ୍ ବି ବଜାୟ ରଖନ୍ତି, ତା’ହେଲେ ଟିମ୍ ଇଣ୍ଡିଆର ତୃତୀୟ ଦିନିକିଆ ବିଶ୍ୱକପ୍ ଟ୍ରଫି ଜିତିବାର ସମ୍ଭାବନା ବଢ଼ିଯିବ ।

ବୁମ୍‌ରା ଚଳିତ ବର୍ଷ ମାର୍ଚ୍ଚରେ ପିଠିର ସର୍ଜରୀ କରାଇଥିଲେ ଏବଂ ଦୀର୍ଘ ଦିନ ଯାଏଁ ବେଙ୍ଗାଲୁରୁସ୍ଥିତ ନାସ୍‌ନାଲ୍ କ୍ରିକେଟ୍ ଏକାଡେମୀରେ ନିଜ ଫିଟ୍‌ନେସ୍ ଫେରିପାଇବା ପାଇଁ ଅଭ୍ୟାସ କରିଥିଲେ । ଏବେ ଭାରତୀୟ ଟିମ୍ ଆଶାବାଦୀ ଯେ ସେ ଫୁଲ୍ ଫିଟ୍‌ନେସ୍ ସହ ମ୍ୟାଚ୍‌କୁ ଓହ୍ଲାଇବେ ।

ତେବେ ଏ କଥା ବି ବୁଝିବାକୁ ହେବ ଯେ ବୁମ୍‌ରାଙ୍କ ପିଠି ଯନ୍ତ୍ରଣା କିଛି ନୂଆ କଥା ନୁହେଁ । ଗତ ଚାରି ବର୍ଷ ହେଲା ସେ ଫିଟ୍‌ନେସ୍ ସମସ୍ୟା ଭୋଗିଆସୁଛନ୍ତି । ସମସ୍ତ ଫର୍ମାଟ୍‌ରେ ଖେଳୁଥିବା ଏହି ପେସର୍ ପ୍ରଥମ ଥର ୨୦୧୯ ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଯାଞ୍ଚ୍ ପରେ ଜଣାପଡ଼ିଥିଲା ଯେ ତାଙ୍କ ପିଠିରେ ନିମ୍ନ ଅଂଶରେ ଷ୍ଟ୍ରେସ୍ ଫ୍ୟାକ୍‌ଚର୍ ହୋଇଛି ।

ବୁମ୍‌ରାଙ୍କ ଅନୁପସ୍ଥିତିରେ ଟିମ୍‌ର ପ୍ରଦର୍ଶନ:

ଗତ ୧୧ ମାସ ମଧ୍ୟରେ ଭାରତୀୟ ଟିମ୍‌ରେ ବୁମ୍‌ରାଙ୍କ ଅଭାବ ସବୁଠାରୁ ବେଶୀ ଅନୁଭୂତ ହୋଇଛି । ଏହି ଦ୍ରୁତ ବୋଲର୍ ନିଜ ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଗତ ବର୍ଷ ସେପ୍ଟେମ୍ବର ୨୨ରେ ଖେଳିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସେହି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ସେ କୌଣସି ୱିକେଟ୍ ନ ନେଇ ୫୦ ରନ୍ କରିଥିଲେ ।

ଏହାପରେ ସେ ଆଘାତ ଜନିତ କାରଣରୁ ଟିମ୍‌ରୁ ବାଦ୍ ପଡ଼ିଥିଲେ । ଏହା ପୂର୍ବରୁ ସେ ଏସିଆ କପ୍‌ରେ ଖେଳିପାରି ନ ଥିଲେ ଏବଂ ଏହାପରେ ଟି-୨୦ ବିଶ୍ୱକପ୍‌ରୁ ବି ବଞ୍ଚିତ ହୋଇଥିଲେ । ଆଘାତ ତାଙ୍କ ପିଛା ଛାଡ଼ି ନ ଥିଲା ଏବଂ ତାଙ୍କ ଅନୁପସ୍ଥିତିରେ ଦୁଇଟିଯାକ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ ନିରାଶ ହୋଇଥିଲା ।

ଏ କଥା ଠିକ୍ ଯେ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତର ପେସ୍ ଆକ୍ରମଣରେ ସନ୍ତୁଳନ ରହୁ ନାହିଁ । ତାଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରେ ।

ତାଙ୍କ ଅନୁପସ୍ଥିତିରେ ଭାରତୀୟ ଟେଷ୍ଟ ଟିମ୍‌ରେ ପେସ୍ ଆକ୍ରମଣର ନେତୃତ୍ୱ କିଏ ନେବ, ତାହାକୁ ନେଇ ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ରହିଆସିଛି । ମହମ୍ମଦ ଶାମୀ ଏଥିପାଇଁ ଯୋଗ୍ୟ, କିନ୍ତୁ ସେ ବି ଆଘାତଜନିତ ସମସ୍ୟା ଯୋଗୁଁ ଟିମ୍‌ରୁ ଯିବାଆସିବା କରୁଛନ୍ତି ।

ମହମ୍ମଦ ସିରାଜଙ୍କ ପ୍ରତିଭାର ବିକାଶ ହୋଇଛି । କିନ୍ତୁ ସେ ଏଥିପାଇଁ ଅନଭିଜ୍ଞ । ବରିଷ୍ଠ ପେସର୍ ଉମେଶ ଯାଦବଙ୍କ ପାଖରେ ପେସ୍ ବାହିନୀର ନେତୃତ୍ୱ ନେବା ପାଇଁ ସୁଯୋଗ ଥିଲା, ହେଲେ ସେ ସୁଯୋଗର ଫାଇଦା ଉଠାଇପାରି ନ ଥିଲେ । ଏବେ ଉମେଶ ଟିମ୍‌ରୁ ବାଦ୍ ପଡ଼ିସାରିଲେଣି ।

ଏହି ସମୟରେ ଟିମ୍‌ରେ ଜୟଦେବ ଉନାଦକଟ, ଶାର୍ଦ୍ଦୂଳ ଠାକୁର, ଉମେଶ ଯାଦବ ଓ ମୁକେଶ କୁମାରଙ୍କ ଭଳି ପେସର୍‌ଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ଭରସାଯୋଗ୍ୟ ପେସ୍ ଲାଇନ୍‌ଅପ୍ ମିଳିପାରି ନାହିଁ ।

ଏହି ସମସ୍ୟା ଦିନିକିଆ ଟିମ୍‌ରେ ବି ରହିଛି । ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଏଥର ୫୦ ଓଭର୍ ଫର୍ମାଟ୍‌ରେ ଖେଳାଯିବ । ଏଥିରେ ବୁମ୍‌ରାଙ୍କ ଉପସ୍ଥିତି ଦ୍ୱାରା ପେସ୍ ଆକ୍ରମଣରେ ସନ୍ତୁଳନ ରକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି ।

ଏହାପରେ ଅକ୍ଟୋବର-ନଭେମ୍ବରରେ ବିଶ୍ୱକପ୍ ଖେଳାଯିବ । ଏଥିରେ ବି ପେସ୍ ବୋଲିଂ ଭାରତୀୟ ଟିମ୍‌ର ବଡ଼ ଦୁର୍ବଳତା ହୋଇପାରେ । ବୁମ୍‌ରା ଯଦି ଏସିଆ କପ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, ତା’ହେଲେ ବିଶ୍ୱକପ୍‌ରେ ତାଙ୍କ ଉପରେ ଭରସା କରାଯାଇପାରିବ ।

ସଠିକ୍ ଲାଇନ୍‌-ଲେନ୍ଥ, ଜୋର୍‌ଦାର ବାଉନ୍‌ସର୍ ଓ ଲକ୍ଷ୍ୟଭେଦୀ ୟର୍କର୍ ଯୋଗୁଁ ବୁମ୍‌ରା ବର୍ତ୍ତମାନ ସମୟର ସବୁଠାରୁ ବିପଜ୍ଜନକ ବୋଲର୍‌ଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି । ସୀମିତ ଓଭର୍ କ୍ରିକେଟ୍‌ରେ ସେ ଡେଥ୍ ଓଭର୍ ବିଶେଷଜ୍ଞ ଭାବେ ପରିଚିତ । ବିଶ୍ୱର ବଡ଼ ବଡ଼ ଟିମ୍ ଏ ବିଷୟରେ ଅବଗତ ଅଛନ୍ତି।

ବୁମ୍‌ରାଙ୍କୁ ଏବେ କେବଳ ୨୯ ବର୍ଷ ବୟସ । ତାଙ୍କ ଭିତରେ ବହୁତ କ୍ରିକେଟ୍ ବାକି ଅଛି । ତେବେ ବୋଲିଂ ଶୈଳୀ ତାଙ୍କ ପିଠି ଯନ୍ତ୍ରଣାର କାରଣ ହେଉଛି । ଏହି ଶୈଳୀ ତାଙ୍କୁ ପରିଚିତି ଦେଇଛି । ଏହାକୁ ସେ ଛାଡ଼ିପାରିବେ ନାହିଁ । ଏପରିସ୍ଥଳେ କ୍ୟାରିଅରକୁ ଦୀର୍ଘ କରିବା ପାଇଁ ତାଙ୍କୁ ଅତ୍ୟଧିକ କ୍ରିକେଟ୍‌ରୁ ଦୂରେଇ ରହିବାକୁ ହେବ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)