Advertisment

ପନ୍ତଙ୍କ ପ୍ରଦର୍ଶନରେ ଧୋନିଙ୍କ ଝଲକ

ମହେନ୍ଦ୍ର ସିଂ ଧୋନି ଓ ରିଷଭ ପନ୍ତ - ଉଭୟଙ୍କ ମଧ୍ୟରେ ଯେତେବେଳେ ବି ତୁଳନା କରାଯାଏ, ନିକିତିର ଗୋଟିଏ ପଟ ବହୁତ ଓଜନିଆ ହୋଇଯାଏ। ଏବେ ପ୍ରତିଭାଶାଳୀ ପନ୍ତଙ୍କ ପ୍ରଦର୍ଶନରେ କିମ୍ବଦନ୍ତୀ ଧୋନିଙ୍କ ଝଲକ ଦେଖିବାକୁ ପାଇଛନ୍ତି କ୍ରିକେଟ୍ ବିଶ୍ଳେଷକ। ଫଳରେ ପୁଣି ଥରେ ତୁଳନା ହୋଇଛି; ହେଲେ ପନ୍ତ କ’ଣ ନିଜ ମାର୍ଗଦର୍ଶକଙ୍କୁ ଟପିପାରିବେ?

ଅଦ୍ୟତନ ହୋଇଛି
Why Rishabh Pant Compared with Dhoni

Why Rishabh Pant Compared with Dhoni

Advertisment

ଦୁଇ ଓ୍ୱିକେଟ୍‌କିପର୍-ବ୍ୟାଟର୍, ଜଣେ ଅବସରପ୍ରାପ୍ତ ଆଉ ଜଣେ ଉଦୀୟମାନ। ଜଣେ ବହୁ କୀର୍ତ୍ତିର ଅଧିକାରୀ, ଅନ୍ୟ ପାଇଁ ପ୍ରେରଣା ଆଉ ଜଣେ ସ୍ୱପ୍ନିଳ ପଥର ଯାତ୍ରୀ, ସମ୍ଭାବନାମୟ ଭବିଷ୍ୟତର ବାହକ।

Advertisment

ମହେନ୍ଦ୍ର ସିଂ ଧୋନି ଓ ରିଷଭ ପନ୍ତ - ଉଭୟଙ୍କ ମଧ୍ୟରେ ଯେତେବେଳେ ବି ତୁଳନା କରାଯାଏ, ନିକିତିର ଗୋଟିଏ ପଟ ବହୁତ ଓଜନିଆ ହୋଇଯାଏ। ସବୁ ଥର ଏ କଥା କୁହାଯାଏ, ଏବେ ତୁଳନା କରାଯିବାର ସମୟ ଆସିନି। ଏହାସତ୍ତ୍ୱେ ତୁଳନା ହୁଏ, ଚର୍ଚ୍ଚା ହୁଏ। ଏବେ ପୁଣି ଥରେ ସେହି ଚର୍ଚ୍ଚାକୁ ଜୀବନ୍ୟାସ ମିଳିଛି। ଏହାର କାରଣ ପ୍ରତିଭାଶାଳୀ ପନ୍ତଙ୍କ ପ୍ରଦର୍ଶନରେ କିମ୍ବଦନ୍ତୀ ଧୋନିଙ୍କ ଝଲକ ଦେଖିବାକୁ ପାଇଛନ୍ତି କ୍ରିକେଟ୍ ବିଶ୍ଳେଷକ।

ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ଗସ୍ତରେ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାରେ ପନ୍ତ ‘ପ୍ଲେୟାର୍ ଅଫ୍ ଦ ସିରିଜ୍’ ବିବେଚିତ ହୋଇଥିଲେ। ବିଶେଷକରି ତୃତୀୟ ଦିନିକିଆରେ ପନ୍ତ ଯେଉଁ ଅପରାଜିତ ଶତକୀୟ ଇନିଂସ୍ ଖେଳି ଭାରତକୁ ଜିତାଇଥିଲେ, ତାହା ପ୍ରଶଂସାଯୋଗ୍ୟ ଥିଲା। ଏହା ତାଙ୍କ ଦିନିକିଆ କ୍ୟାରିଅର୍‌ର ପ୍ରଥମ ଓ ଆନ୍ତର୍ଜାତିକ କ୍ରିକେଟ୍‌ର ମୋଟ ଷଷ୍ଠ ଶତକ ଥିଲା। ସେ ଟିମ୍‌କୁ ପ୍ରତିକୂଳ ପରିସ୍ଥିତିରୁ ମୁକୁଳାଇ ଯେଭଳି ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ, ତାହା ଦେଖି ଧୋନିଙ୍କ ଅତୀତର ପ୍ରଦର୍ଶନ ମନେ ପଡ଼ିଯାଇଥିଲା।

Advertisment

ଶତକ ହାସଲ କରିବା ଠାରୁ ସେ କେଉଁ ପରିସ୍ଥିତିରେ ଖେଳି ଟିମ୍‌କୁ ବିଜୟଲକ୍ଷ୍ୟ ଆଡ଼କୁ ଆଗେଇ ନେଇଥିଲେ, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଗୋଟିଏ ପଟେ ଓ୍ୱିକେଟ୍ ପତନ ଜାରି ରହିଥିଲା, ବିଜୟ ଆଶା ମଉଳି ଯାଉଥିଲା ଆଉ ଅନ୍ୟପଟେ ବିପର୍ଯ୍ୟୟକୁ ଖାତିର ନ କରି ସେ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଥିଲେ। ନବେ ରନ୍ ସଂଖ୍ୟାକୁ ଅତିକ୍ରମ କରିବା ପରେ ବି ସେ ନର୍ଭସ୍ ଜଣାପଡ଼ୁ ନ ଥିଲେ। ସେ ଶତକ ଲଗାଇଥିଲେ।

ଏହାପରେ ବି ଖେଳିଥିଲେ ଏବଂ ଶେଷ ଯାଏଁ ଖେଳି ଅପରାଜିତ ରହିଥିଲେ। ଅବଶ୍ୟ ଏଥିରେ ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଉତ୍ତମ ସହଯୋଗ ମିଳିଥିଲା। ଖୋଦ୍ ପାଣ୍ଡ୍ୟା ବି ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ। ପନ୍ତଙ୍କ ଶତକର ବିଶେଷତ୍ୱ ଥିଲା ଯେ ସେ ଟିମ୍ ଦୃଷ୍ଟିକୋଣରୁ ପ୍ରତିକୂଳ ପରିସ୍ଥିତିରେ ଓ ବିଦେଶ ମାଟିରେ ବହୁମୂଲ୍ୟ ରନ୍ ସଂଗ୍ରହ କରିଥିଲେ, ଯାହା ଫଳରେ ଟିମ୍ ମ୍ୟାଚ୍ ତଥା ଶୃଙ୍ଖଳା ଜିତିଥିଲା।

Advertisment

ଇଂଲଣ୍ଡ ଗସ୍ତରେ ଯେଉଁ ଏକମାତ୍ର ଟେଷ୍ଟ୍‌ ମ୍ୟାଚ୍ ଖେଳାଯାଇଥିଲା, ସେଥିରେ ବି ସେ ଶତକ ଲଗାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ଟିମ୍ ଇଣ୍ଡିଆ ମ୍ୟାଚ୍ ବଞ୍ଚାଇ ପାରି ନ ଥିଲା। ସେ ପାଞ୍ଚ ଟେଷ୍ଟ୍‌ ଶତକ ‘ସେନା ଦେଶ’ ଅର୍ଥାତ୍ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ହାସଲ କରିଥିଲେ। ବିଦେଶ ମାଟିରେ ସେ ପ୍ରଭାବଶାଳୀ ଢଙ୍ଗରେ ଖେଳିପାରୁଛନ୍ତି, ଯାହା ଟିମ୍ ପାଇଁ ଯଥେଷ୍ଟ ଗୁରୁତ୍ୱ ରଖେ।

ପନ୍ତଙ୍କୁ ଏବେ ମାତ୍ର ୨୪ ବର୍ଷ। ତାଙ୍କ ଆନ୍ତର୍ଜାତିକ କ୍ୟାରିଅର ବେଶୀ ବାଟ ଯାଇନି, ତେବେ ସେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇବା ଆରମ୍ଭ କରିଦେଲେଣି। ସେ ଏ ଯାବତ (ଜୁଲାଇ ୨୮ ସୁଦ୍ଧା) ୩୧ ଟେଷ୍ଟ୍‌ ମ୍ୟାଚ୍ ଖେଳି ୪୩.୩ ଆଭରେଜ୍‌ରେ ୨୧୨୩ ରନ୍ ସଂଗ୍ରହ କରିଛନ୍ତି। ଏତଦ୍ଭିନ୍ନ, ସେ ୨୭ ଦିନିକିଆ ଆନ୍ତର୍ଜାତିକରେ ୩୬.୫ ଆଭରେଜ୍‌ରେ ୮୪୦ ରନ୍ କରିବା ସହ ୫୦ ଟି-୨୦ ଆନ୍ତର୍ଜାତିକରେ ୨୨.୬ ଅଭରେଜ୍‌ରେ ୭୬୮ ରନ୍ କରିଛନ୍ତି।

ଓ୍ୱିକେଟ୍‌କିପର୍ ଭାବେ ପନ୍ତ ଟେଷ୍ଟରେ ୧୧୧ କ୍ୟାଚ୍ ଧରିବା ସହ ୧୧ ଷ୍ଟମ୍ପିଂ କରିଛନ୍ତି। ଦିନିକିଆରେ ସେ ମୋଟ୍‌ ୨୫ ଓ ଟି-୨୦ରେ ୨୭ ଶିକାର କରିଛନ୍ତି।

କେତେକ ପୂର୍ବତନ ଖେଳାଳି ପନ୍ତଙ୍କ ବ୍ୟାଟିଂକୁ ଧୋନିଙ୍କ ବ୍ୟାଟିଂ ସହ ତୁଳନା କରିଛନ୍ତି। ଆକାଶ ଚୋପ୍ରାଙ୍କ ବିଚାରରେ ପନ୍ତ ଓ ଧୋନିଙ୍କ ବ୍ୟାଟିଂରେ ସମାନତା ଦେଖିବାକୁ ମିଳୁଛି। ସେହିପରି କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କରଙ୍କ ମତରେ ପନ୍ତ ଓ ପାଣ୍ଡ୍ୟା ଧୋନି ଓ ଯୁବରାଜଙ୍କ ସ୍ମରଣ କରାଇଛନ୍ତି ଏବଂ ସେମାନଙ୍କ ଭଳି ସଫଳ କ୍ରିକେଟର୍ ସାବ୍ୟସ୍ତ ହେବେ।

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ପନ୍ତଙ୍କ ସେହି ଶତକୀୟ ଦିନିକିଆ ଇନିଂସ୍‌କୁ ଖୁବ୍ ‘ବୌଦ୍ଧିକତାପୂର୍ଣ୍ଣ ଓ ମନୋରଞ୍ଜନକାରୀ’ ଭାବେ ଅଭିହିତ କରିଥିଲେ। ଭାରତର ଇରଫାନ ପଠାନଙ୍କ କହିବାନୁଯାୟୀ ଏହା କୌଣସି ଭାରତୀୟଙ୍କ ଦ୍ୱାରା କରାଯାଇଥିବା ‘ଦିନିକିଆର ସର୍ବଶ୍ରେଷ୍ଠ ଇନିଂସ୍’ ମଧ୍ୟରେ ଅନ୍ୟତମ।

ତା’ହେଲେ କ’ଣ ଧୋନି ଓ ପନ୍ତଙ୍କ ମଧ୍ୟରେ ତୁଳନା କରାଯିବାର ସମୟ ଆସିଯାଇଛି?

ବିଶ୍ଳେଷକମାନଙ୍କ ମତରେ ପନ୍ତଙ୍କ ବ୍ୟାଟିଂ ଓ କିପିଂରେ ଏମିତି କିଛି ବିଶେଷତ୍ୱ ଅଛି, ଯେଉଁଥିରେ ଉନ୍ନତି ଆଣି ସେ ନିଜ ମାର୍ଗଦର୍ଶକ ଧୋନି ଅଥବା ଆଦାମ ଗିଲ୍‌କ୍ରିଷ୍ଟ୍‌ଙ୍କ ନିକଟତର ହୋଇପାରିବେ କିମ୍ବା ସେମାନଙ୍କୁ ଟପିପାରିବେ। ହୁଏତ ଏଥିପାଇଁ ଅନେକ ବର୍ଷ ଲାଗିଯିବ; ହେଲେ ଏ ବିଚାର ନିରର୍ଥକ ନୁହେଁ।

ମ୍ୟାଚ୍ ଫିନିଶ୍ କରିବାରେ କେତେ ଦକ୍ଷ:

ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ପନ୍ତ ଚମତ୍କାର ଢଙ୍ଗରେ ମ୍ୟାଚ୍ ଫିନିଶ୍ କରିଥିଲେ। ତେବେ ମ୍ୟାଚ୍ ଫିନିଶ୍ କରିବାରେ ତାଙ୍କ ଭିତରେ କ’ଣ ଧୋନିଙ୍କ ଭଳି ଦକ୍ଷତା ରହିଛି?

ତାଙ୍କୁ ଏବେ ଠାରୁ ଭଲ ମ୍ୟାଚ୍ ଫିନିଶର୍ କୁହାଯାଇପାରିବ ନାହିଁ ଇଂଲଣ୍ଡ ବିପକ୍ଷରେ ସେହି ସ୍ମରଣୀୟ ଇନିଂସ୍ ସତ୍ତ୍ୱେ। ପନ୍ତଙ୍କୁ ନେଇ ଟିମ୍ ଭିତରେ (ପ୍ରଶଂସକଙ୍କ ମନରେ ମଧ୍ୟ) ଏଭଳି ଭୟ ରହିଥାଏ ଯେ ସେ ତରବରିଆ ହୋଇ ଦାୟିତ୍ୱହୀନ ସଟ୍ ଖେଳି ଶୀଘ୍ର ଓ୍ୱିକେଟ୍ ହରାଇବେନି ତ। କାରଣ ଏଭଳି ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଛି।

ଧୋନି ଓ ଗିଲ୍‌କ୍ରିଷ୍ଟ୍‌ଙ୍କ ମଧ୍ୟରେ ଏଭଳି ସମସ୍ୟା ନ ଥିଲା। ଉଭୟଙ୍କର ଦମ୍‌ଦାର ଷ୍ଟ୍ରାଇକ୍‌ରେଟ୍ ଥିଲା ଏବଂ ଉଭୟ ଲମ୍ବା ସଟ୍ ଖେଳିବାରେ ସିଦ୍ଧହସ୍ତ ଥିଲେ। ପ୍ରତିକୂଳ ପରିସ୍ଥିତିରେ କ୍ରିଜ୍‌ରେ ତିଷ୍ଠି ରହିବାର କଳା ବି ସେମାନଙ୍କୁ ଜଣାଥିଲା। ପନ୍ତଙ୍କୁ ଏବେ ସେହି କଳା ଶିଖିବାକୁ ହେବ।

ଆଜି ବି ଧୋନି ବିଶ୍ୱର ଶ୍ରେଷ୍ଠ ମ୍ୟାଚ୍ ଫିନିଶର୍ ଭାବେ ପରିଗଣିତ ହୁଅନ୍ତି। ପଡିଆରେ ଗ୍ୟାପ୍‌ରେ ଖେଳିବା, ଓ୍ୱିକେଟ୍ ମଧ୍ୟରେ ଜୋର୍‌ରେ ଦୌଡ଼ି ୧ ରନ୍‌କୁ ୨ ଓ ୨ ରନ୍‌କୁ ୩ରେ ବଦଳାଇଦେବା, ଦୁର୍ବଳ ବଲ୍‌ର ଜୋର୍‌ଦାର ପ୍ରହାର କରିବା ଧୋନିଙ୍କ ବ୍ୟାଟିଂର ବିଶେଷତ୍ୱ ଥିଲା। ଏହା ଫଳରେ ସେ ଦିନିକିଆ ଆନ୍ତର୍ଜାତିକରେ ୧୦ ହଜାରରୁ ଅଧିକ ରନ୍ କରିଛନ୍ତି।

ତାଙ୍କ ବ୍ୟାଟିଂରେ ଏତେ ପରିପକ୍ୱତା ଥିଲା ଯେ ଦ୍ରୁତ ଗତିରେ ରନ୍ ନେବା ବେଳେ ମଧ୍ୟ ତାଙ୍କୁ କେବେ ବି ଅଧିକ ରିସ୍କ ନେବାର ଆବଶ୍ୟକତା ପଡ଼ୁ ନ ଥିଲା। ପନ୍ତଙ୍କ ବ୍ୟାଟିଂରେ ଏଭଳି ପରିପକ୍ୱତା ଆଶା କରାଯାଉଛି।

ଓ୍ୱିକେଟ୍ ପଛରେ କେତେ ସଫଳ:

ଧୋନି ଓ୍ୱିକେଟ୍‌କିପିଂ କରୁଥିବା ବେଳେ ବ୍ୟାଟର୍‌ଙ୍କ ମାନସିକତାକୁ ଜଣେ ମନସ୍ତତ୍ତ୍ୱବିତ୍ ଭଳି ବୁଝିପାରୁଥିଲେ। ସେ ଭଲ ଭାବେ ଜାଣିପାରୁଥିଲେ ଯେ ବ୍ୟାଟର୍‌ଙ୍କ ମନ ଭିତରେ କ’ଣ ଚାଲିଛି ଏବଂ ପଡିଆରେ କେଉଁଠି ଜାଗା ଛାଡ଼ିବା ଦରକାର, ଯାହା ଫଳରେ ବ୍ୟାଟର୍ ଲୋଭରେ ଭୁଲ୍ ସଟ୍ ଖେଳି ଆଉଟ୍ ହୋଇଯିବେ।

ସେ ଓ୍ୱିକେଟ୍ ପଛରେ ଥାଇ ବୋଲର୍‌ଙ୍କୁ ପରାମର୍ଶ ଦିଅନ୍ତି, ଇଙ୍ଗିତ କରନ୍ତି ଯେ କେଉଁ ଆଡ଼କୁ ବଲ୍ ପକାଯିବ, କେମିତି ବୋଲିଂ କରାଯିବ, ଯାହା ଫଳରେ ଶୀଘ୍ର ଓ୍ୱିକେଟ୍ ମିଳିପାରିବ। ବେଳେ ବେଳେ ସ୍ପିନରଙ୍କୁ ଓ୍ୱାଇଡ୍ ବଲ୍ ପକାଇବାକୁ ଇଙ୍ଗିତ ଦେଇ ସେ ବ୍ୟାଟର୍‌ଙ୍କୁ ଷ୍ଟମ୍ପ୍ ଆଉଟ୍ କରିବାରେ ସଫଳ ହେଉଥିଲେ। ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଭଳି ସ୍ପିନର୍ ଦିନିକିଆରେ ସେମାନଙ୍କ ସଫଳତାର ଶ୍ରେୟ ଧୋନିଙ୍କୁ ବି ଦିଅନ୍ତି।

ସମୟ ସହ ତାଳ ଦେଇ ପନ୍ତଙ୍କ ଓ୍ୱିକେଟ୍‌କିପିଂରେ ବହୁତ ସୁଧାର ଆସିଛି। ଏବେ ସେ ପେସ୍ ଓ ସ୍ପିନ୍ ଉଭୟ ପ୍ରକାରର ବୋଲିଂ ସମୟରେ ଉତ୍ତମ କିପିଂ କରୁଛନ୍ତି।

ପନ୍ତ ବି ଓ୍ୱିକେଟ୍ ପଛରେ ବେଶ୍ ସକ୍ରିୟ ଥାଆନ୍ତି। ସେ ବୋଲର୍‌ଙ୍କ ମନୋବଳ ବଢ଼ାନ୍ତି; କିନ୍ତୁ ଧୋନିଙ୍କ ‘ସିକ୍ସଥ୍‌ ସେନ୍ସ’ କ୍ୱଚିତ୍ କାହା ପାଖରେ ଥାଏ। ପନ୍ତଙ୍କ ମଧ୍ୟରେ ପ୍ରତିଭା ଅଛି; ହେଲେ ଧୋନିଙ୍କ ସହ ତାଙ୍କୁ ତୁଳନା କରାଯିବାର ସମୟ ସମ୍ଭବତଃ ଏବେ ଆସି ନାହିଁ।

ଏବେ ନେତୃତ୍ୱ ଠାରୁ ଦୂରେଇ ରହିଲେ ଭଲ:

ପନ୍ତଙ୍କ ପାଖରେ ପ୍ରଚଣ୍ଡ ପ୍ରତିଭା ଅଛି। ତାଙ୍କୁ ଖେଳିବାକୁ ଦିଆଯାଉ। ଏବେ ତାଙ୍କୁ କୌଣସି ଟିମ୍‌ର ନେତୃତ୍ୱ ଦାୟିତ୍ୱ ଦିଆଯିବା ଠିକ୍ ନୁହେଁ।

ଚୟନକାରୀ ପନ୍ତଙ୍କ ପରିବର୍ତ୍ତେ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦେଲେ ଭଲ ହେବ (ଯଦି ରୋହିତ ଶର୍ମା, ଲୋକେଶ ରାହୁଲ ନ ଥା’ନ୍ତି)। କାରଣ ପାଣ୍ଡ୍ୟାଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ବିକଶିତ ହୋଇଛି। ଆଇପିଏଲ୍‌ରେ ସେ ବିଜେତା ଗୁଜରାଟ ଟାଇଟନ୍ସର ଅଧିନାୟକ ଥିଲେ ଏବଂ ଆୟରଲାଣ୍ଡ୍‌ ଗସ୍ତରେ ବି ସେ ଯୁବ ଟିମ୍‌ର ନେତୃତ୍ୱ ନେଇଥିଲେ। ଚଳିତ ବର୍ଷର ଆଇପିଏଲ୍ ହେଉ ବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା, ଅଧିନାୟକ ଭାବେ ପନ୍ତ ଚାପଗ୍ରସ୍ତ ହୋଇ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନ ଥିଲେ। ପାଣ୍ଡ୍ୟାଙ୍କ ମଧ୍ୟରେ ସେହି ସମସ୍ୟା ନାହିଁ। ପନ୍ତ ଭବିଷ୍ୟତରେ ଅଧିନାୟକତ୍ୱ ପାଇଁ ଉପଯୁକ୍ତ ହୋଇପାରନ୍ତି, କିନ୍ତୁ ଏବେ ନୁହନ୍ତି। ମ୍ୟାଚ୍ ଫିନିଶିଂ ହେଉ ବା କିପିଂ ଅଥବା ଅଧିନାୟକତ୍ୱ - ଧୋନି ଏକ ବ୍ୟତିକ୍ରମ, ଏ କଥା ବି ବୁଝିବାକୁ ହେବ।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Rishabh Pant Mahendra Singh Dhoni Cricket News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ