• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସେମାନଙ୍କର ଏକମାତ୍ର ଅପରାଧ ଥିଲା ଦେଶ ଓ ଜାତିକୁ ଭଲ ପାଇବା, ଗଡ଼ଜାତ ରାଜଶାସନର ଅନ୍ୟାୟ, ଅନୀତି, ଶୋଷଣ, କଷଣ, ଜୁଲମ ବିରୋଧରେ ପ୍ରତିବାଦର ସ୍ୱର ଉତ୍ତୋଳନ କରି ଆନ୍ଦୋଳନ କରିବା। ଶୋଷଣମୁକ୍ତ ସମାଜର ସ୍ୱପ୍ନ ଦେଖୁଥିବା ସେଇ ଓଡିଆ ତରୁଣ ଦ୍ୱୟ ଥିଲେ ରଣପୁର ଥାନା ବାଦଭୂଇଁ ଗ୍ରାମର ରଘୁନାଥ ମହାନ୍ତି ଓ ଗଡ଼ବାଣୀକିଲୋ ଗ୍ରାମର ଦିବାକର ପରିଡ଼ା।

ସେତେବେଳେ ଗଡ଼ଜାତି ଶାସନରେ ଅତିଷ୍ଠ ହୋଇ ବେଠି, କର, ଟିକସ, ଅନ୍ୟାୟ, ଅତ୍ୟାଚାର, ଦୂରାଚାର, ଭ୍ରଷ୍ଟାଚାର, ଶୋଷଣ, ଆଦିରେ ପ୍ରଜାମାନେ ହନ୍ତସନ୍ତ ଓ ତଳିତଳାନ୍ତ ହେଉଥିଲେ। କୌଣସି ପ୍ରଜା ଶାସନ ବିରୋଧରେ ପ୍ରତିବାଦ କଲେ ତାଙ୍କୁ ଜେଲ, ଜରିମାନା ଆଦି ଦଣ୍ଡ ଭୋଗିବାକୁ ପଡ଼ୁଥିଲା କିମ୍ବା ରାଜ୍ୟରୁ ବିତାଡ଼ିତ କରି ଦିଆଯାଉଥିଲା। ୧୯୩୧ ମସିହାରେ ଦେଶୀୟ ରାଜ୍ୟଗୁଡ଼ିକରେ ଜନ ଜାଗରଣ ହୋଇ ‘ଗଡ଼ଜାତ ପ୍ରଜା ସମ୍ମିଳନୀ’ ଗଠନ କରାଯାଇ ଅତ୍ୟାଚାରୀ ଶାସକମାନଙ୍କ ବିରୋଧରେ ବିଦ୍ରୋହର ରୂପ ନେଲା।

ଓଡ଼ିଶାର ବିଭିନ୍ନ ଗଡ଼ଜାତଗୁଡ଼ିକରେ ପ୍ରଜାମଣ୍ଡଳ ଗଠିତ ହେଲା। ୧୯୩୮ ମସିହାରେ ଏହି ଗଡ଼ଜାତଗୁଡ଼ିକ ହେଲା- ରଣପୁର, ନୀଳଗିରି, ଢେଙ୍କାନାଳ, ତାଳଚେର, ସୋନପୁର, ଆଠଗଡ଼, ନୟାଗଡ଼, ପାଲଲହଡ଼ା, ହିନ୍ଦୋଳ, ଆଠମଲ୍ଲିକ, ଖଣ୍ଡପଡ଼ା, ତିଗିରିଆ, ମୟୂରଭଞ୍ଜ, କେନ୍ଦୁଝର ଓ ଗାଂଗପୁର। ପ୍ରତ୍ୟେକ ପ୍ରଜାମଣ୍ଡଳ ନାଗରିକ ଅଧିକାର, ଦାୟିତ୍ୱପୂର୍ଣ୍ଣ ସରକାର, ରାଜସ୍ୱ ବ୍ୟବସ୍ଥାର ଉନ୍ନତି ସାଧନ ସହିତ ସମସ୍ତ ବେଆଇନ ଟିକସ, ବେଠି, ଭେଟି ଆଦି ଉଚ୍ଛେଦ ପାଇଁ ଦାବି କରିଥିଲେ।

ଅନ୍ୟ ପକ୍ଷରେ ରାଜାମାନେ ପ୍ରଜାମାନଙ୍କ ବିଦ୍ରୋହକୁ ଦମନ କରିବା ନେଇ ଭିତିରି ଷଡ଼ଯନ୍ତ୍ର ତଥା ପୁଲିସ ଫୋର୍ସର ଆଶ୍ରୟ ନେଲେ। ରଣପୁର ଗଡଜାତରେ ବନମାଳୀ ରାମ, କୃପାସିନ୍ଧୁ ମିଶ୍ର, ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା(ରଘୁ-ଦିବାକର)ଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ଗଠିତ ହୋଇଥିଲା। ରଘୁ-ଦିବାକର ଗାଁକୁ ଗାଁ ବୁଲି ଅତ୍ୟାଚରୀ ରାଜା ତଥା ବ୍ରିଟିଶ ଶାସନ ବିରୋଧରେ ଲୋକମାନଙ୍କୁ ଏକତ୍ରିତ କରୁଥିଲେ ଆଉ ଗାଉଥିଲେ, ‘ମାର୍ ତୁ ଯେତେ ଗୁଳି, ହୁଂକାପିଟା ଶାସନ ଆମେ ଗୋଡ଼ରେ ଦବୁ ଦଳି’।

ରଣପୁର ରାଜଶାସନରେ ପ୍ରଜାମାନଙ୍କ ଅଧିକାର ବହୁ ପରିମାଣରେ ସଂକୁଚିତ ହୋଇଯାଇଥିଲା। ପ୍ରତ୍ୟେକ ବର୍ଗର ଲୋକମାନେ କୌଳିକ ବୃତ୍ତି ଅନୁଯାୟୀ ଭେଟି ଦେଇଥାନ୍ତି। ରାଜାଙ୍କର ବିବାହ ବ୍ରତ କାର୍ଯ୍ୟରେ ମାଗଣ ଓ ରସଦ ଆଦାୟ କରାଯାଏ। ପୋଲିସ ଓ ରାଜକର୍ମଚାରୀମାନଙ୍କର ଅନ୍ୟାୟ ଜୁଲୁମ ବରଦାସ୍ତ କରିବାକୁ ଲୋକମାନେ ବାଧ୍ୟ ହୋଇଥାନ୍ତି। ଏପରିକି ଲୋକମାନେ ଯାଉଁଳି କବାଟ ଓ ଘୋଷରା ପାହାଚ ବ୍ୟବହାର କରିବା ନିଷିଦ୍ଧ ଥିଲା। ଖବରକାଗଜ, ପତ୍ରପତ୍ରିକା ମଗାଇବା କିମ୍ବା ପଢ଼ିବା ବେଆଇନ୍ ଓ ଅପରାଧ ଥିଲା।

ରଘୁନାଥ ଓ ଦିବାକର ନିର୍ଜନ ରାତିରେ ଗାଁ ଗାଁ ବୁଲି ପ୍ରଜାମାନଙ୍କ ଚିନ୍ତା ଓ ଚେତନାକୁ ଜାଗ୍ରତ କରାଇ ବିପ୍ଳବର ଯେଉଁ ମଞ୍ଜି ବୁଣିଥିଲେ ତା’ର ଫଳସ୍ୱରୂପ ରାଜାଙ୍କୁ ପ୍ରଜାମଣ୍ଡଳ ଦମନ ନିମେନ୍ତେ ବୌଦ୍ଧ ଓ ସିକନ୍ଦରାବାଦରୁ ପୁଲିସ୍ ଫୋର୍ସ ମଗାଇବାକୁ ପଡ଼ିଥିଲା। ଏପରିକି ୨୬ଟି ଗଡ଼ଜାତର ମୁଖ୍ୟ ପଲିଟିକାଲ୍‌ ଏଜେଣ୍ଟ୍ ମେଜର ଆର୍‌.ଏଲ୍. ବେଜେଲ୍‌ଗେଟ୍‌ଙ୍କୁ ୧୯୩୯ ମସିହା ଜାନୁଆରୀ ମାସ ୫ ତାରିଖ ଦିନ ରଣପୁର ଗଡ଼ ଆସିବାକୁ ପଡ଼ିଲା।

ସେହିଦିନ ପ୍ରଜାମଣ୍ଡଳର ସଂପାଦକ ରଘୁନାଥ ମହାନ୍ତି ଓ ସଂଗଠନ ସଂପାଦକ ଦିବାକର ପରିଡ଼ା ରାଜବାଟୀ ସାମ୍ନାରେ ଉପସ୍ଥିତ ଜନତାଙ୍କ ମେଳରେ ଦେଓ୍ୱାନ ଚଣ୍ଡେଶ୍ୱର ମିଶ୍ରଙ୍କ ସହ ରାଜଦରବାରରେ ଘୋଷିତ ଦାବି ସମ୍ବନ୍ଧୀୟ ଘୋଷଣାପତ୍ରର ଆଲୋଚନାରେ ବ୍ୟସ୍ତ ଥିଲେ। ମେଜର୍‌ ବେଜେଲ୍‌ଗେଟ୍ ସେଠାରେ ଉପସ୍ଥିତ ହେବାରୁ ଦେଓ୍ୱାନ ଇଂରାଜୀରେ ଅନୁବାଦ କରି ତାହା ବୁଝାଉଥିଲେ।

ଏହି ସମୟରେ ଦେଖାଦେଲା ଏକ ଆଲୋଡ଼ନ। କିଛି ଉତ୍ତ୍ୟକ୍ତ ଲୋକ ମଣିଷଟଣା ଶଗଡ଼ଗାଡ଼ିରେ ଲୋକଙ୍କୁ ଡକାଇ ଚିତ୍କାର କରୁଥିଲେ ‘ପଲିଟିନା ସାହେବ ଆମ ଭାଇକୁ ମାରିଦେଲା’। ଫଳରେ ଘଟଣାର କାରଣ କ’ଣ ଜାଣିବା ପାଇଁ ବେଜେଲ୍‌ଗେଟ୍ ଜନଗହଳି ଆଡ଼କୁ ମାଡ଼ି ଚାଲିଲେ। ସେଠାରେ ଠେଲାପେଲା ହୋହାଲ୍ଲା ମଧ୍ୟରେ ନିଜକୁ ନିୟନ୍ତ୍ରଣ କରି ନପାରି ସାହେବ ପିସ୍ତଲ କାଢ଼ିଲେ ଓ ତା’ଙ୍କ ଗୁଳିରେ ଶିକାର ହେଲେ ଯୁବକ ଅର୍ଜ୍ଜୁନ ରାଉତ।

ଏହା ପରେ ଉତ୍ୟକ୍ତ ଜନତା ମେଜର୍‌ ବେଜେଲ୍‌ଗେଟ୍‌ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ। ଏହି ହତ୍ୟାକାଣ୍ଡ ଯୋଗୁଁ କେବଳ ଭାରତ ନୁହେଁ ବ୍ରିଟିଶ ପାର୍ଲାମେଣ୍ଟ ମଧ୍ୟ ଥରହର ହୋଇଥିଲା। ଏହା ପୂର୍ବରୁ ଭାରତର ସ୍ୱାଧୀନତା ସଂଗ୍ରାମରେ ପଲିଟିକାଲ୍‌ ଏଜେଣ୍ଟ୍ ଭଳି ବ୍ରିଟିଶ ସରକାରଙ୍କ କୌଣସି ଉଚ୍ଚପଦସ୍ଥ ଅଫିସର୍‌ ନିହତ ହୋଇ ନଥିଲେ।

ବ୍ରିଟିଶ ପାର୍ଲାମେଣ୍ଟରେ ମଧ୍ୟ ଏହି ଘଟଣାକୁ ନେଇ ଜଣେ ସଦସ୍ୟ ପ୍ରଶ୍ନ କରିଥିଲେ, ‘ପିସ୍ତଲ ଠାରୁ କ’ଣ ଠେଙ୍ଗା ଶକ୍ତିଶାଳୀ? ଆମେ ସେହି ଠେଙ୍ଗା ଦେଖିବାକୁ ଚାହୁଁଛୁ ‘ଏଣୁ ଠେଙ୍ଗାର ଶକ୍ତି ପରୀକ୍ଷା କରିବାକୁ ରଣପୁର ଜଙ୍ଗଲରୁ ପାଞ୍ଚଶହ ବାଉଁଶ ଠେଙ୍ଗା ଲଣ୍ଡନ ଯାଇଥିଲା। ଠେଙ୍ଗା ପରୀକ୍ଷା କରାଯିବା ପରେ ବିରୋଧିଦଳର ଜଣେ ସଦସ୍ୟ ଘୋଷଣା କରିଥିଲେ, ‘ବେଜେଲ୍‌ଗେଟ୍ ଲୋକଙ୍କ ରୁଦ୍ଧ ଆକ୍ରୋଶର ଶିକାର ହେଲେ।

ବେଜେଲ୍‌ଗେଟ୍ ହତ୍ୟାକାଣ୍ଡ ପରେ ରଣପୁରରେ ଚାଲିଲା ଅକଥନୀୟ ଅତ୍ୟାଚାର ଓ ଦମନଲୀଳା। ସାରା ରାଜ୍ୟର ଲୋକ ଘରଦ୍ୱାର ଛାଡ଼ି ନିକଟସ୍ଥ ଖୋର୍ଦ୍ଧା ଖାସମାହାଲ, ନୟାଗଡ଼, ଖଣ୍ଡପଡ଼ା ରାଜ୍ୟରେ ଆଶ୍ରୟ ନେଇଥିଲେ। ଘଟଣାର ଏକ ମାସ ଚାରିଦିନ ପରେ ଆକ୍ରୋଶମୂଳକ ଭାବେ ପ୍ରଜାମଣ୍ଡଳର ୧୦୪ ଜଣ ନେତା ଓ କର୍ମୀମାନଙ୍କ ନାମରେ ଏତଲା ଦାୟର କରାଗଲା। ସଲାସୁତୁରା ହୋଇ ସାକ୍ଷୀ ଯୋଗାଡ଼ କରାଗଲା। ରଘୁ-ଦିବାକରଙ୍କ ନାମରେ ମିଥ୍ୟା ସାକ୍ଷୀ ଯୋଗାଡ଼ କରାଯାଇ ମକଦ୍ଦମା ଚାଲିଲା।

ସେତେବେଳର ପୁଲିସ ସବ୍ଇନିସ୍ପେକ୍ଟର ବାବୁ ମନବୋଧ ପଣ୍ଡା ଅଭିଯୁକ୍ତମାନଙ୍କୁ ବିଭିନ୍ନ ଦଫା ଲଗାଇ ଚାର୍ଜସିଟ୍ କରିବାରେ ଲାଗିପଡ଼ିଲେ। ଏଥିରେ ପ୍ରଜାମଣ୍ଡଳର ଉପଦେଷ୍ଟା ଡ. ହରେକୃଷ୍ଣ ମହତାବଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ଅଭିଯୁକ୍ତ କରାଯିବାର ବନ୍ଦୋବସ୍ତ କରାଯାଇଥିଲା। ସି.ଆଇ.ଡି. ଇନ୍‌ସ୍ପେକ୍ଟର ବାବୁ ମନବୋଧ ପଣ୍ଡା କଟକ ଯାଇ ଡ. ମହତାବଙ୍କୁ ଧାରା ୧୬୧ ସି.ଆଇ. ଅନୁଯାୟୀ ସାକ୍ଷ୍ୟ ଗ୍ରହଣ କରିଥିଲେ।

ମହତାବ ଜୀ ଏଥିରେ ଅଭିଯୁକ୍ତ ହେଉଥିବା ଜାଣିପାରି ମହାମତ୍ମା ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କଲେ। ଗାନ୍ଧିଜୀ ସେଠାରୁ ବ୍ରିଟିଶ ପାର୍ଲାମେଣ୍ଟ ସଦସ୍ୟା ଆଗାଧା ହରିସେନଙ୍କୁ କଟକ ପଠାଇଥିଲେ। ଏହା ପରେ ତାଙ୍କୁ ରକ୍ଷା କରାଗଲା। ରଣପୁର ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ବେଜେଲ୍‌ଗେଟ୍ ହତ୍ୟା କରି ନଥିଲେ ମଧ୍ୟ ପ୍ରଜାମଣ୍ଡଳର ସଂପାଦକ ଓ ସଂଗଠନ ସଂପାଦକ ହୋଇଥିବାରୁ ସେମାନଙ୍କ ବିରୋଧରେ ମିଥ୍ୟା ଦଫା ଲଗାଇ ଦିଆଗଲା। ଶେଷରେ ରଘୁ-ଦିବାକରଙ୍କୁ ଫାଶୀ ଆଦେଶ ହେଲା। ସେମାନେ ବିହାରର ଭାଗଲପୁର ଜେଲରେ ୧୯୪୧ ମସିହା ଏପ୍ରିଲ ୪ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ଦେଶ ପାଇଁ ହସି ହସି ଫାଶୀବରଣ କଲେ। ଏହି ଦିନକୁ ସ୍ମରଣ କରିବା ନେଇ ରାଜ୍ୟ ପ୍ରତି ବର୍ଷ ଶହୀଦ ଦିବସ ପାଳନ କରୁଛି ଆଉ ସେହି ଅମରଆତ୍ମା ପାଇଁ ଦୁଇ ବୁନ୍ଦା ଅଶ୍ରୁ ଢାଳୁଛି।

ଉପଦେଷ୍ଟା, ଶହୀଦ ରଘୁ ଦିବାକର ସ୍ମୃତି କମିଟି

ବିଶ୍ୱାତ୍ମା, ଏମ୍-୨୩, ବକ୍ସି ଜଗବନ୍ଧୁ ନଗର, ଖୋର୍ଦ୍ଧା, ଦୂରଭାଷ: ୯୨୩୭୦୮୯୫୦୯

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)