• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦେଶରେ ଏବେ ସମାନ ନାଗରିକ ସଂହିତା ବା ସମସ୍ତଙ୍କ ପାଇଁ ସମାନ ଆଇନ ପ୍ରଣୟନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବିଜେପି ଶାସିତ ରାଜ୍ୟମାନେ ଏନେଇ ପ୍ରକ୍ରିୟା ଆରମ୍ଭ କରିଦେଲେଣି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ସମାନ ନାଗରିକ ସଂହିତା ପ୍ରସଙ୍ଗରେ ଏକ କମିଟି ଗଠନ କରିସାରିଲେଣି। ଉତ୍ତରପ୍ରଦେଶରେ ମଧ୍ୟ ଏହି ଆଇନକୁ କାର୍ଯ୍ୟକାରୀ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

କଥା ହେଉଛି ସମାନ ନାଗରିକ ସଂହିତାର ପ୍ରଶ୍ନ ହିନ୍ଦୁ ଏବଂ ମୁସଲମାନମାନଙ୍କର ନୁହେଁ, ବରଂ ଏକ ରାଷ୍ଟ୍ରରେ ସମସ୍ତଙ୍କ ପାଇଁ ସମାନ ଆଇନ ଲାଗୁ ହେଉ ନାହିଁ କାହିଁକି ? ଭିନ୍ନ ଭିନ୍ନ ଜାତି ସଂପ୍ରଦାୟ ପାଇଁ ଆଇନ ଭିନ୍ନ କାହିଁକି? ମୁଖ୍ୟ ପ୍ରଶ୍ନ ହେଉଛି ଯଦି ସଂବିଧାନ ଏକ ଏବଂ ସଂସଦ ଓ ସଂପ୍ରଭୁତା ଏକ ତେବେ ଆଇନ ସମସ୍ତଙ୍କ ପାଇଁ ସମାନ ନୁହେଁ କାହିଁକି?

ଯଦି ଏକ ଦେଶ ଏକ ରାସନ କାର୍ଡ ଏବଂ ନିର୍ବାଚନ ପାଇଁ ବିମର୍ଷ ଚାଲିପାରେ ତେବେ ଏକ ଦେଶ ଏକ ବେଆଇନ ବ୍ୟବସ୍ଥା ଚାଲି ନ ପାରିବ କାହିଁକି? ସବୁ ନାଗରିକ, ସବୁଧର୍ମ ଓ ସଂପ୍ରଦାୟ ପାଇଁ ସମାନ ଆଇନ ଲାଗୁ ହେବାରେ ଅସୁବିଧା କେଉଁଠି? ଦେଶରେ ସମ୍ବିଧାନ ଅନୁସାରେ ଶାସନ ଚାଲିବ।

ଇଂରେଜ ଶାସନ ସମୟରେ ଗଭର୍ଣ୍ଣର ଜେନେରାଲ୍ ୱାଗେନ୍ ହେଷ୍ଟିଙ୍ଗସ୍ ନ୍ୟାୟ ବ୍ୟବସ୍ଥାକୁ ସୁଧାରିବାର ବ୍ୟବସ୍ଥା କରିଥିଲେ। କିନ୍ତୁ ବିବାହ, ଉତ୍ତରାଧିକାର ଏବଂ ଅନ୍ୟ କେତେକ ଧାର୍ମିକ ପ୍ରସଙ୍ଗରେ ମୁସଲମାନମାନଙ୍କ ପାଇଁ କୋରାନ୍ ଆଇନ ଓ ହିନ୍ଦୁମାନଙ୍କ ପାଇଁ ଶାସ୍ତ୍ର ସମ୍ମତ ଆଇନ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ୧୯୪୭ରେ ଭାରତ ସ୍ୱାଧୀନ ହେଲା।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁ ଏବଂ ପ୍ରଥମ ଆଇନ୍ ମନ୍ତ୍ରୀ ଡକ୍ଟର ଭୀମାରାଓ ଆମ୍ବେଦକର ଦେଶରେ ସମାନ ନାଗରିକ ସଂହିତା ଲାଗୁ କରାଯିବା ପାଇଁ ଉଦ୍ୟମ କରିଥିଲେ। ଏଥି ପୂର୍ବରୁ ଏ ପ୍ରସଙ୍ଗରେ ଆଲୋଚନା ବେଳେ ସମ୍ବିଧାନ ସଭାରେ ଡକ୍ଟର ଆମ୍ବେଦକରଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

୧୯୫୪-୫୫ରେ ଉଗ୍ର ବିରୋଧ ସତ୍ତ୍ୱେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ହିନ୍ଦୁ କୋର୍ଡ୍ ବିଲ୍ ଆଣିଥିଲେ। ଏହାର ଆଧାରରେ ହିନ୍ଦୁ ବିବାହ ଆଇନ ଓ ଉତ୍ତରାଧିକାର ଆଇନ ପ୍ରଣୟନ ହୋଇଥିଲା। ଅର୍ଥାତ୍ ହିନ୍ଦୁ, ବୌଦ୍ଧ, ଜୈନ ଏବଂ ଶିଖ୍ ସମ୍ପ୍ରଦାୟ ପାଇଁ ବିବାହ, ଛାଡପତ୍ର, ଉତ୍ତରାଧିକାର ପାଇଁ ସଂସଦର ଆଇନ ପ୍ରଣୟନ ହୋଇଥିଲା। କିନ୍ତୁ ମୁସଲମାନ, ଖ୍ରୀଷ୍ଟିଆନ୍ ଏବଂ ପାର୍ସି ସଂପ୍ରଦାୟକୁ ସେମାନଙ୍କ ନିଜ ନିଜ ଧାର୍ମିକ ଆଇନ ଅନୁସାରେ ଚଳିବାର ସୁବିଧା ମିଳିଯାଇଥିଲା।

ନାଗା ଆଦି ଅନେକ ଆଦିବାସୀ ସଂପ୍ରଦାୟକୁ ମଧ୍ୟ ନିଜ ନିଜ ଆଇନ ଅନୁସାରେ ଚଳିବାର ସୁବିଧା ମିଳିଥିଲା। କିନ୍ତୁ ମୁସ୍‌ଲିମ୍ ପର୍ସନାଲ୍ ଲ’ ବା ମୁସଲମାନଙ୍କ ଧାର୍ମିକ ଆଇନ ସବୁ ମୁସଲମାନମାନଙ୍କ ପାଇଁ ସମାନ ନୁହେଁ। ଉଦାହରଣସ୍ୱରୂପ କେତେକ ବୋହରା ମୁସଲମାନ ଉତ୍ତରାଧିକାର ପ୍ରସଙ୍ଗରେ ହିନ୍ଦୁ ଆଇନକୁ ପାଳନ କରୁଛନ୍ତି।

ଅନ୍ୟପକ୍ଷରେ ସମ୍ପତ୍ତି ଏବଂ ଉତ୍ତରାଧିକାର ପ୍ରସଙ୍ଗରେ ଅଲଗା ଅଲଗା ରାଜ୍ୟରେ ମଧ୍ୟ ଅଲଗା ଅଲଗା ଆଇନ ରହିଛି। ପୂର୍ବୋତ୍ତର ରାଜ୍ୟ ନାଗାଲ୍ୟାଣ୍ଡ ଏବଂ ମିଜିରୋମ ଖ୍ରୀଷ୍ଟିଆନ୍ ବହୁଳ ଅଞ୍ଚଳ । ଏ ରାଜ୍ୟରେ ପର୍ସନାଲ୍ ଲ’ ରହିଛି ଏବଂ ଏଠି ଧର୍ମ ନୁହେଁ ପୁରାତନ ପ୍ରଥାକୁ ପାଳନ କରାଯାଉଛି।

ତତ୍କାଳନୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ହିନ୍ଦୁ କୋର୍ଡ ବିଲ୍ କାର୍ଯ୍ୟକାରୀ କରାଇଥିଲେ ଓ ସେହି ଆଇନର ପରିଧି ମଧ୍ୟରେ ରହିଲେ ହିନ୍ଦୁ, ଜୈନ, ବୌଦ୍ଧ ଏବଂ ଶିଖ। ଫଳସ୍ୱରୂପ ଦେଶରେ ପୂର୍ବରୁ ଥିବା ଦ୍ୱୀପତ୍ମୀ ଏବଂ ବହୁପତ୍ନୀ ପ୍ରଥା ବହୁ ପରିମାଣରେ କମିଗଲା। ମହିଳାମାନେ ଚାହିଁଲେ ଛାତ୍ରପତ୍ର ଦେଇ ପାରିବାର ବ୍ୟବସ୍ଥା ରହିଲା। ବିବାହ ପାଇଁ ଧର୍ମ ଓ ଜାତିକୁ ଅପ୍ରାସଙ୍ଗିକ ବୋଲି ବିଚାର କରାଗଲା।

୧୯୮୫ରେ କିନ୍ତୁ ଏକ ସ୍ୱତନ୍ତ୍ର ମାମଲାର ବିଚାର ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ ସମାନ ନାଗରିକ ସଂହିତା ପ୍ରସଙ୍ଗ ଉଠାଇଲେ । ୨୦୧୬ରେ ରାଷ୍ଟ୍ରୀୟ ଆଇନ କମିଶନ ମଧ୍ୟ ଏକ ନିର୍ଦ୍ଦେଶନାମା ଜାରିକଲେ। ଏସବୁ ପରେ ଦେଶରେ କେତେକ ରାଜନୈତିକ ଦଳ ସମାନ ନାଗରିକ ସଂହିତାକୁ ବିରୋଧ କରୁଛନ୍ତି। ଏହି ଆଇନ ସଂଖ୍ୟାଲଘୁଙ୍କ ବିରୋଧରେ ରାଜନୀତି ବୋଲି କହୁଛନ୍ତି। ରାଜନୈତିକ ଦଳମାନେ ଭୋଟ ବ୍ୟାଙ୍କ ପାଇଁ ସମାନ ନାଗରିକ ସଂହିତାକୁ ବିରୋଧ କରୁଛନ୍ତି।

୧୯୪୮ରେ ଯେତେବେଳେ ହିନ୍ଦୁ କୋଡ୍‌ ବିଲ୍ ସମ୍ବିଧାନ ସଭାରେ ଆଗତ ହେଲା ସେତେବେଳେ ଏହାକୁ ଜବରଦସ୍ତ ବିରୋଧ କରାଯାଇଥିଲା। ସେଥିପାଇଁ ତତ୍କାଳୀନ ଆଇନମନ୍ତ୍ରୀ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। କୌଣସି ରାଜନୈତିକ ଦଳ ସମାନ ନାଗରିକ ସଂହିତା ପ୍ରସଙ୍ଗରେ ରିସ୍କ ଉଠାଇବାକୁ ଚାହୁଁ ନଥିଲେ କି ଏବେ ବି ଚାହୁଁନାହାନ୍ତି।

ସମାନ ନାଗରିକ ସଂହିତା ଲାଗୁ କରାଯିବା ନେଇ କେତେକ ସମସ୍ୟା ରହିଛି। ମୁଖ୍ୟ ସମସ୍ୟା ହେଉଛି ଏ ବାବଦରେ ସାଧାରଣ ଲୋକେ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି। ଲୋକଙ୍କୁ ଭୁଲ ତଥ୍ୟ ପ୍ରଦାନ କରାଯାଉଛି, ସମାନ ନାଗରିକ ସଂହିତା ସହ ଧର୍ମର କୌଣସି ନେଣଦେଣ ନାହିଁ। ମୁସଲମାନମାନେ ଭାବୁଛନ୍ତି ଯେ ସମାନ ନାଗରିକ ସଂହିତା ସେମାନଙ୍କର ଧାର୍ମିକ ମାମଲା ଉପରେ ହସ୍ତକ୍ଷେପ। କିନ୍ତୁ ଏଥିରେ ମହିଳା ଓ ପୁରୁଷଙ୍କର ସମାନ ଅଧିକାର କଥା ରହିଛି। ମୁସ୍‌ଲିମ୍ ପର୍ସନାଲ୍ ଲ’ ବୋର୍ଡ ଏବଂ ଅନ୍ୟ ଧାର୍ମିକ ସଂସ୍ଥାମାନଙ୍କ ଅସ୍ତିତ୍ୱ ହ୍ରାସପାଇବ ଏଣୁ ସେମାନେ ସମାନ ନାଗରିକ ସଂହିତାକୁ ବିରୋଧ କରୁଛନ୍ତି।

ମୁସଲିମ୍ ସଂଗଠନ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ - ସମ୍ବିଧାନ ଅନୁସାରେ ସମସ୍ତଙ୍କର ନିଜ ନିଜ ଧର୍ମର ପାଳନ କରିବାର ଅଧିକାର ରହିଛି ଏଣୁ ମୁସଲମାନମାନେ ଏହାକୁ ବିରୋଧ କରିବେ। କିନ୍ତୁ ଏହା ଯୁକ୍ତିଯୁକ୍ତ କି? ବିଶ୍ୱର ୧୨୫ ଦେଶରେ ସମାନ ନାଗରିକ ସଂହିତା ଲାଗୁ ହେଉଛି। ଏହି ଆଇନ କାର୍ଯ୍ୟକାରୀ ହେଲେ ନ୍ୟାୟାଳୟମାନଙ୍କରେ ଲମ୍ବିତ ହୋଇ ପଡିରହୁଥିବା ଧାର୍ମିକ ମାମଲାଗୁଡ଼ିକର ବିଚାର ତ୍ୱରାନ୍ୱିତ ହେବ।

ବିବାହ, ଉତ୍ତରାଧିକାର ସମେତ ବିଭିନ୍ନ ପ୍ରସଙ୍ଗରେ ଥିବା ଜଟିଳ ଆଇନ ସରଳ ହୋଇଯିବ। ସମାଜଶାସ୍ତ୍ରୀ ଏବଂ ଆଇନ ବିଷାରଦମାନେ ଏହି ଆଇନ ସପକ୍ଷରେ ଯୁକ୍ତି ଦର୍ଶାଉଛନ୍ତି। ଏହି ଆଇନ ମହିଳା ଏବଂ ସଂଖ୍ୟାଲଘୁମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବ। ସର୍ବୋପରି ସମସ୍ତଙ୍କ ପାଇଁ ସମାନ ଆଇନ ପ୍ରଣୟନ ହେଲେ ଦେଶରେ ରାଷ୍ଟ୍ରବାଦୀ ଭାବନା ବଢିବ।

ରାମଚନ୍ଦ୍ରପୁର, ରଣପୁର

ଇମେଲ୍: mediaodisha2@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)