• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ରାଜଧାନୀ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦୁଇଟି ରାଜ୍ୟର ସାଧାରଣ ନିର୍ବାଚନ, ୫ ରାଜ୍ୟର ୬ଟି ଆସନର ଉପନିର୍ବାଚନ ଏବଂ ଗୋଟିଏ ଲୋକସଭା ଉପନିର୍ବାଚନ ଜନାଦେଶ ସାମ୍ନାକୁ ଆସିଛି। ଏହି ସମସ୍ତ ନିର୍ବାଚନରେ ସବୁ ରାଜନୈତିକ ଦଳ କେଉଁଠି ନା କେଉଁଠି ବିଜୟର ପତାକା ଉଡାଇଛନ୍ତି। ଗୁଜୁରାଟରେ ବିଜେପି ବିପୁଳ ସଂଖ୍ୟାରେ ବିଜୟ ଲାଭକରି ସପ୍ତମଥର ପାଇଁ ସରକାର କରିବାକୁ ଯାଉଛି।

ସେପଟେ ବିଜେପି ସରକାରରେ ଥିବା ହିମାଚଳପ୍ରଦେଶ ପୁଣି କଂଗ୍ରେସ ହାତକୁ ଚାଲିଯାଇଛି। ସେହିଭଳି ୬ଟି ବିଧାନସଭା ଉପନିର୍ବାଚନରେ ୨ଟି କଂଗ୍ରେସ, ୧ ବିଜେପି, ୧ ଆର୍‌ଜେଡି ଗୋଟିଏ, ୧ ବିଜେଡି ଏବଂ ଲୋକସଭାକୁ ମିଶାଇ ସମାଜବାଦୀ ପାର୍ଟି ୨ ଆସନରେ ଜିତିଛି।

ତେବେ ଏହି ଆଲୋଚନାର ପ୍ରସଙ୍ଗ ହେଉଛି ପଦ୍ମପୁର ଉପନିର୍ବାଚନ ଫଳାଫଳ। ଏଠାରେ ବିଜୁ ଜନତା ଦଳ (ବିଜେଡି) ଯେଭଳି ବହୁମତ ହାସଲ କଲା ତାହା ପ୍ରାୟ ସମସ୍ତଙ୍କ କଳ୍ପନା ବାହାରେ। ବିଜେଡି ୪୨,୬୭୯ ଭୋଟ୍‌ ବ୍ୟବଧାନରେ ନିର୍ବାଚନ ଜିତିଛି। ସ୍ୱର୍ଗତ ବିଜୟ ରଂଜନ ସିଂହ ବରିହାଙ୍କ ସୁକନ୍ୟା ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କୁ ୧,୨୦,୮୦୭ ଖଣ୍ଡ ଭୋଟ ମିଳିଛି। ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୮,୧୨୮ ଖଣ୍ଡ ଭୋଟ୍‌ ମିଳିଛି।

ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୯୪ ଖଣ୍ଡ ଭୋଟ୍‌ ମିଳିଛ। ଏଠାରେ ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମୁଖ୍ୟତଃ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଥିଲା। ପରବର୍ତ୍ତୀ ସମୟରେ ବିଜେପି ଓ ବିଜେଡି ମଧ୍ୟରେ ଘମାଘୋଟ ଲଢେଇ ସାମ୍ନାକୁ ଆସିଥିଲା। ଏହି ଲଢେଇ ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ସମସ୍ତଙ୍କ ମୁହଁରେ ଗୋଟିଏ କଥା- ‘ପଦ୍ମପୁରରେ କିଏ ଜିତିବ’? ନିର୍ବାଚନୀ ପ୍ରଚାରର ଶେଷଦିନ ପର୍ଯ୍ୟନ୍ତ ଉଭୟ ଦଳର ବିଜୟ ବ୍ୟବଧାନ ଉନିସ-ବିସ୍ ରହିବା ଆକଳନ କରାଯାଉଥିଲା। ଡିସେମ୍ବର ୫ ତାରିଖ ଭୋଟ୍‌ ପରେ ଉଭୟ ଦଳ ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ମଧ୍ୟ ବିଜେଡିର ସପକ୍ଷରେ ଅନେକ ମତପ୍ରକାଶ କରିଥିଲେ। ଜନାଦେଶ ପୂର୍ବରୁ ବିଜେଡି ପ୍ରାୟ ୫ରୁ ୧୦ ହଜାର ଭୋଟ୍‌ ବ୍ୟବଧାନରେ ବିଜୟଲାଭ କରିବାନେଇ ଅନେକ ଆକଳନ କରିଥିଲେ। ସେତେବେଳକୁ କଂଗ୍ରେସ ନିଜକୁ ତୃତୀୟ ସ୍ଥାନରେ ସୁରକ୍ଷିତ କରିସାରିଥିଲା।

ତେବେ ପଦ୍ମପୁର ଭୋଟର ଯେଉଁ ରାୟ ଶୁଣାଇଲେ ତାହା ଆଲୋଡନ ସୃଷ୍ଟି କଲା! ଏହି ଜନାଦେଶ ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ନିଶ୍ଚୟ ଚକ୍କିତ କରିଥିବ। ପାଖାପାଖି ୪୩ ହଜାର ଭୋଟ୍‌ ବ୍ୟବଧାନ! ଏମିତି କେମିତି ହେଲା? ସାଧାରଣରେ ଏହି ପ୍ରଶ୍ନ ଗୁଞ୍ଜରିତ ହେବାରେ ଲାଗିଛି।

ପଦ୍ମପୁର ଉପନିର୍ବାଚନ ପ୍ରଥମରୁ ହିଁ ପ୍ରସଙ୍ଗଭିତ୍ତିକ ରାଜନୈତିର ବାର୍ତ୍ତା ଦେଇଥିଲା। ଚାଷୀ, ମଣ୍ଡି, ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା, ରେଳପଥ, ଦାଦନ ଆଦି ପ୍ରମୁଖ ପ୍ରସଙ୍ଗ ନିର୍ବାଚନର ମୁଖ୍ୟ ଅସ୍ତ୍ର ହୋଇଥିଲା। ଏଭଳି କି ଚାଷୀ ସମସ୍ୟା, କୃଷି ବୀମା ଓ ପଦ୍ମପୁର ଜିଲ୍ଲା ମାନ୍ୟତା ଦାବିରେ ଲୋକେ ତୀବ୍ର ଆନ୍ଦୋଳନ କରିଥିଲେ। ଚାଷୀଙ୍କୁ ସନ୍ତୁଷ୍ଟକରିବା ପାଇଁ ନିର୍ଦ୍ଧାରିତ ସମୟଠାରୁ ବହୁ ପୂର୍ବରୁ ସରକାର ସେଠାରେ ମଣ୍ଡି ଖୋଲିଥିବା ଅଭିଯୋଗ ମଧ୍ୟ ଆସିଲା।

କୃଷି ବୀମା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟକ୍କର ମଧ୍ୟ ହୋଇଥିଲା। ଚାଷୀଙ୍କ ପାଇଁ ଦଳମାନଙ୍କର ଦରଦ ରାଜଧାନୀରେ ମଧ୍ୟ ପ୍ରତିଫଳିତ ହୋଇଥିଲା। ବିଜେଡି ଓ ବିଜେପି ପଦ୍ମପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଲଢେଇ କରିବା ଦେଖାଯାଇଥିଲା। ବିଜେପିର ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ କେନ୍ଦ୍ର କୃଷିମନ୍ତ୍ରୀ ପଦ୍ମପୁରରେ ଜୋରଦାର ପ୍ରଚାର କରିଥିଲେ।

ତେବେ ଅଣପ୍ରସଙ୍ଗ ରାଜନୀତିରେ ଦେଖାଦେଇଥିଲା ରାଜ୍ୟର ଜିଏସ୍‌ଟି ଏବଂ କେନ୍ଦ୍ରର ଆୟକର ଚଢାଉ। ସତ୍ତା ହାସଲ ପାଇଁ ହେଉ ଅବା ପ୍ରସଙ୍ଗ ରାଜନୀତିରୁ ଲୋକଙ୍କ ଧ୍ୟାନ ହଟାଇବାକୁ! ଏହି ଉପନିର୍ବାଚନରେ ଗଣମାଧ୍ୟମ ସଂସ୍ଥାକୁ ନେଇ ଏକ କଳଙ୍କିତ ଘଟଣା ସାମ୍ନାକୁ ଆସିଲା। ନିର୍ଦ୍ଧିଷ୍ଟ ଦୁଇଟି ନ୍ୟୁଜ୍ ଚ୍ୟାନେଲ୍‌ର ନାଁରେ ଲୋକଙ୍କୁ ଟଙ୍କାବାଣ୍ଟି ଭୋଟର୍‌ଙ୍କୁ ପ୍ରଭାବିତ କରିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଲା। ପୂର୍ବରୁ ଗଣମାଧ୍ୟମକୁ ନେଇ ଏଭଳି ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ନିକଟରେ ହୁଏତ କେବେ ହୋଇ ନଥିବ। ଯାହା ଗଣମାଧ୍ୟମ ଉପରେ ଲୋକଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲାଭଳି ସ୍ଥିତି ସାମ୍ନାକୁ ଆଣିଲା।

ମୁଖ୍ୟମନ୍ତ୍ରୀଙ୍କ ଶ୍ରେୟତା:

ତେବେ ପଦ୍ମପୁର ବିଜୟ ପଛରେ ଯେଉଁ ମୁଖ୍ୟ କାରଣ ରହିଛି ତାହା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରେୟତା ବୋଲି କୁହାଯାଏ। ମୁଖ୍ୟମନ୍ତ୍ରୀ ପୂର୍ବରୁ କୌଣସି ଉପନିର୍ବାଚନ ପ୍ରଚାରରେ ଯାଇ ନଥିବା ବେଳେ ପଦ୍ମପୁରରେ ପହଞ୍ଚିଥିଲେ। ଡିସେମ୍ବର ୨ରେ ପଦ୍ମପୁର ପ୍ରଚାରରେ ପ୍ରତ୍ୟକ୍ଷ ଭାବେ ତିନୋଟି ବ୍ଲକ୍‌କୁ ଯାଇ ନିର୍ବାଚନୀ ସଭା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି:

ପ୍ରତି ସଭାରେ ସେହି ବ୍ଲକ୍‌ର ଦାବି ମୁତାବକ ଘୋଷଣା କଲେ। ଝାରବନ୍ଧଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚକଧରା ଡ୍ୟାମ୍‌ର ଉନ୍ନତୀକରଣ ଏବଂ ଉଚ୍ଚକ୍ଷମତା ସଂପନ୍ନ ଗ୍ରିଡ୍‌ କାର୍ଯ୍ୟର ତ୍ୱରିତ ସମ୍ପନ୍ନ ପ୍ରତିଶ୍ରୁତି ଦେଲେ। ପାଇକମାଳକୁ ଏନ୍‌ଏସିରେ ପରିଣତ କରାଯିବା, ଗୋଷ୍ଠୀ କେନ୍ଦ୍ର ସ୍ଥାପନ ହେବ ବୋଲି ଘୋଷଣା କଲେ।

୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ପ୍ରକ୍ରିୟା ସରିବ ବୋଲି କହିଲେ। ନିର୍ବାଚନ ଚରଣ ବିଧି ଉଠିବା ପରେ ଚାଷୀଙ୍କୁ ଘୋଷଣା ମୁତାବକ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ ବୋଲି ଭରସା ଦେଇଥିଲେ। ଖାଲି ସେତିକି ନୁହେଁ, ଜାତିଭିତ୍ତିକ ଭୋଟ୍‌କୁ ଦୃଷ୍ଟିରେ ରଖି କୁଲତା ସମାଜର ଲୋକଙ୍କ ସୁବିଧା ପାଇଁ ପୁରୀରେ ଏକ ଏକର ବିଶିଷ୍ଟ ଧର୍ମଶାଳାର ନିର୍ମାଣ ପାଇଁ ଜମି ଓ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ।

ଗଙ୍ଗାଧର ମେହେର ଭବନ ପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ଏବଂ ୩ କୋଟି ଟଙ୍କା ମଞ୍ଜୁର କଲେ। ଓଡିଶା ମେହେର (ଭୁଲିଆ) ସମାଜ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲା। ଏହା ସହିତ ମହିଳା ଗୋଷ୍ଠୀଙ୍କ ପାଇଁ ବିନା ସୁଧରେ ଋଣ ପ୍ରଦାନ ଅର୍ଥରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଆଦି ଘୋଷଣା ହୋଇଛି।

ଏହା ନିର୍ବାଚନ ଆଚରଣ ବିଧିର ଘୋର ଉଲଂଘନ ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ ମଧ୍ୟ କରିଛନ୍ତି। ଏଠାରେ ଦଳ ନିଜର କଳ, ବଳ ଓ କୌଶଳକୁ ବ୍ୟବହାର କରି ନିର୍ବାଚନ ଲଢୁଥିବା ଅଭିଯୋଗ ହୋଇଥିଲା। ସେପଟେ ସବୁ ପ୍ରକାର ପରାକ୍ରମ ସତ୍ତ୍ୱେ ବିଜେପି ପରାଜୟ ବରଣକଲା।

ଏସବୁ ଭିତରେ ଶାସକ ଦଳର ସବୁପ୍ରକାର ପ୍ରତିଶ୍ରୁତିକୁ ଆଧାରକରି ପଦ୍ମପୁର ଭୋଟର୍‌ ବିଜେଡିକୁ ଏକ ସୁଯୋଗ ପ୍ରଦାନ କରିଛନ୍ତି। ଉପନିର୍ବାଚନରେ ୮୧.୨୯% ଭୋଟର୍ ମତଦାନ କରିଛନ୍ତି, ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ। ୨୦୦୪ ମସିହା ସାଧାରଣ ନିର୍ବାଚନରେ ୭୪.୦୯% ଭୋଟର୍ ମତଦାନ କରିଥିବା ବେଳେ ୨୦୦୯ ମସିହାରେ ୭୫.୫୧ % ଏବଂ ୨୦୧୪ ମସିହା ଓ ଗତ ନିର୍ବାଚନରେ ୭୯.୧୬ % ମତଦାନ ହୋଇଥିଲା।

ଏବେ ପ୍ରତିଶ୍ରୁତି ପାଳନର ବେଳ:

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ସେସବୁ ଭିତରେ ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରମୁଖ ବୋଲି ବିବେଚନା କରାଯାଏ। ତେବେ ଯେତେବେଳେ ପଦ୍ମପୁର ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଉଠିଲା ସେହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନିଜ ନିଜ ଅଞ୍ଚଳକୁ ଜିଲ୍ଲା ଘୋଷଣା କରିବା ଦାବି ମଧ୍ୟ ସାମ୍ନାକୁ ଆସିଥିଲା। ଯଦି ସରକାର ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରନ୍ତି ତେବେ ଅନ୍ୟସବୁ ଅଞ୍ଚଳକୁ କ’ଣ କରିବେ ତାହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

ଗୁରୁତ୍ୱର କଥା ହେଉଛି, ପଦ୍ମପୁର ଭଳି ଯଦି ୧୪୭ ନିର୍ବାଚନ ମଣ୍ଡଳୀରେ ପ୍ରସଙ୍ଗଭିତ୍ତିକ ନିର୍ବାଚନ ଲଢେଇ ହୁଏ ତାହେଲେ ଭୋଟର ବେଶ ଉପକୃତ ହେବେ ଏବଂ ସ୍ଥାନୀୟ ଅଞ୍ଚଳ ତା’ର ଦାବି ହାସଲ କରିବାରେ ସଫଳ ହେବ ବୋଲି ଏହି ଉପନିର୍ବାଚନ ପରେ ଅନେକଙ୍କ ମତ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)