Astrospeak
  • Live TV
  • Read In English

ଓଡ଼ିଆ ଅସ୍ମିତା ବିଜେପିର ‘ବ୍ରହ୍ମାସ୍ତ୍ର’; ଫାଇଦା ନେବାରେ କଂଗ୍ରେସ ପଛୁଆ

୨୦୧୯ ନିର୍ବାଚନ ପରଠାରୁ ପ୍ରାୟ ୫ ବର୍ଷ ଧରି ‘ବନ୍ଧୁ-ବନ୍ଧୁ’ ଏବଂ ଶେଷରେ ‘ମେଂଟ-ମେଂଟ’ର ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ରୀୟ ଶାସନାଧିନ ବିଜେପି ଓ ରାଜ୍ୟ କ୍ଷମତାରେ ଥିବା ବିଜେଡି ଠିକ ନିର୍ବାଚନ ଚାଲିଥିବା ସମୟରେ ଉଭୟେ ଉଭୟଙ୍କୁ ଘୋର ବିରୋଧ ଓ କଡା ଟକ୍କର ଦେଉଥିବା ଦେଖାଯାଉଛି।

VK Pandian is the main target of BJP in this election
ଓଡ଼ିଆ ଅସ୍ମିତାକୁ ବିଜେପିର ‘ବ୍ରହ୍ମାସ୍ତ୍ର’; ମୁଖ୍ୟ ଟାର୍ଗେଟ୍‌ ଭିକେ ପାଣ୍ଡିଆନ୍

୨୦୧୯ ନିର୍ବାଚନ ପରଠାରୁ ପ୍ରାୟ ୫ ବର୍ଷ ଧରି ‘ବନ୍ଧୁ-ବନ୍ଧୁ’ ଏବଂ ଶେଷରେ ‘ମେଂଟ-ମେଂଟ’ର ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ରୀୟ ଶାସନାଧିନ ବିଜେପି ଓ ରାଜ୍ୟ କ୍ଷମତାରେ ଥିବା ବିଜେଡି ଠିକ ନିର୍ବାଚନ ଚାଲିଥିବା ସମୟରେ ଉଭୟେ ଉଭୟଙ୍କୁ ଘୋର ବିରୋଧ ଓ କଡା ଟକ୍କର ଦେଉଥିବା ଦେଖାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଲୋକସଭା ବାଚସ୍ପତି ଓମ୍ ବିରଲା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀର ଡ୍ରିମ୍‌ ଗାର୍ଲ ହେମା ମାଳିନୀ, ସାଂସଦମାନଙ୍କ ସମେତ ୟୁପି, ରାଜସ୍ଥାନ, ଆସାମ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଘନ ଘନ ଓଡ଼ିଶା ଆସି ବିଜେପି ପାଇଁ ପ୍ରଚାର କାରିବା ସହିତ ବିଜେଡିକୁ ଆକ୍ରମଣ କରିବାରେ କୌଣସି ଅସ୍ତ୍ର ଆଉ ବାକି ରଖିନାହାନ୍ତି। ଆଉ ସମସ୍ତ ଅସ୍ତ୍ର ମଧ୍ୟରେ ବିଜେପି ଓଡ଼ିଆ ଅସ୍ମିତାକୁ କରିଛି ‘ବ୍ରହ୍ମାସ୍ତ୍ର’।

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ଯେତେ ସବୁ କେନ୍ଦ୍ରୀୟ ନେତୃତ୍ୱ ଗତ ୩ଟି ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ଆସିଛନ୍ତି ପ୍ରାୟ ସଭିଏ ଓଡ଼ିଆ ଅସ୍ମିତାକୁ ପ୍ରମୁଖ ପ୍ରସଙ୍ଗ କରି ନବୀନ ନେତୃତ୍ୱାଧିନ ବିଜେଡି ସରକାର ଉପରେ ବର୍ଷୁଛନ୍ତି। ପ୍ରତିଟି ଭାଷଣ ଅସ୍ମିତାରୁ ଆରମ୍ଭ ପୁଣି ଅସ୍ମିତାରେ ଶେଷ! ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଆକ୍ଷେପ କରି ତାମିଲ ବାବୁ ଓଡ଼ିଆ ଅସ୍ମିତା ସହ ଖେଳୁଛନ୍ତି, ଓଡ଼ିଆ ଅସ୍ମିତା ସଙ୍କଟରେ ଅଛି, ବାବୁରାଜ ଏଠି ଲ୍ୟାଣ୍ଡ୍‌, ସ୍ୟାଣ୍ଡ୍‌, ମାଇନିଂ ଏବଂ ଗୋ ମାଫିଆଙ୍କୁ ପ୍ରଶ୍ରୟ ଦେଉଥିବା କହି ଘେରୁଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଓ ଅଳଙ୍କାର ଆଦି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ଚଳିତ ନିର୍ବାଚନରେ ବିଜେପିର ମୁଖ୍ୟ ଟାର୍ଗେଟ୍‌ ହେଉଛନ୍ତି ପାଣ୍ଡିଆନ୍ ବୋଲି ମନେ ହେଉଛି। କାରଣ, ଦୀର୍ଘ ଦିନ ଧରି ବିଭିନ୍ନ ମୌଳିକ ସମସ୍ୟାରେ ରାଜ୍ୟବାସୀ ଡୁବି ରହିଥିବାର ବ୍ୟାପକ ଚିତ୍ର ସାମ୍ନାକୁ ଆସିଛି, ଯାହାର ସମାଧାନ କରିବାରେ ବିଜେଡି ସରକାର ଅସଫଳ ହୋଇଛି।

ଭୋଟ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି ପାଣି, ଯାହା ପାଇଁ ଲୋକେ ସଂଘର୍ଷ, ଆନ୍ଦୋଳନ କରିବା ସହିତ ଭୋଟ୍‌ ବର୍ଜନର ଚେତାବନୀ ଦେଲେ ଆଉ ଅନେକ ସ୍ଥାନରେ ଭୋଟ୍‌ ବର୍ଜନ ମଧ୍ୟ କରିଛନ୍ତି। ଏହା ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ନିଯୁକ୍ତି ଆଦିକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଭରିରହିଛି । ତେଣୁ ଲୋକଙ୍କ ମଧ୍ୟରେ ଏକ ପରିବର୍ତ୍ତନର ଇଚ୍ଛା ଜାଗ୍ରତ ହୋଇଛି, ଏକଥା ସ୍ୱୀକାର କରିବାକୁ ପଡ଼ିବ।

ସେପଟେ ବିଗତ କେତୋଟି ନିର୍ବାଚନରେ ‘ବିଜୁବାବୁଙ୍କ ଅଧୁରା ସ୍ୱପ୍ନ’କୁ ବିଜେଡି ପ୍ରମୁଖ ପ୍ରସଙ୍ଗ କରିଥିବାବେଳେ ପରବର୍ତ୍ତି ସମୟରେ କେନ୍ଦ୍ରୀୟ ଅବହେଳା ଓ ନବୀନଙ୍କ ବିକାଶ ହୋଇଥିଲା ମୁଖ୍ୟ ଅସ୍ତ୍ର। ବିଜେଡି-ବିଜେପି ‘ସମ୍ପର୍କ’ ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଭେଇଗଲା। ପେଟ୍ରୋଲ୍‌, ଡିଜେଲ୍‌, ରନ୍ଧନ ଗ୍ୟାସ୍‌, ଦରଦାମ ବୃଦ୍ଧି, କେନ୍ଦ୍ରୀୟ ନିଯୁକ୍ତି, ଏମ୍ଏସ୍‌ସି ଗ୍ୟାରେଂଟି ଆଦି ପ୍ରସଙ୍ଗରେ ଅନ୍ୟ ବିଜେପି ବିରୋଧୀ ଦଳମାନେ ବରାବର ପ୍ରତିବାଦ, ବିକ୍ଷୋଭ ଓ ଆନ୍ଦୋଳନ କରିଥିଲେ ମଧ୍ୟ ଆଂଚଳିକ ଶାସକ ଦଳ ଭାବରେ ବିଜେଡିର ନିରବତା ପ୍ରକାଶ ପାଇଲା।

ତେବେ ଠିକ୍‌ ଚଳିତ ୨୦୨୪ ନିର୍ବାଚନ ପ୍ରଚାରରେ କେନ୍ଦ୍ର ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଳ ବିବାଦ, ଓଡ଼ିଆ ବରପୁତ୍ରଙ୍କୁ ଭାରତରତ୍ନ, ଖଣିଜ ସମ୍ପଦ ରୟାଲଟି ବୃଦ୍ଧି ଆଦିକୁ ବିଜେଡି ନିର୍ବାଚନୀ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଭରପୂର ଉଦ୍ୟମ କରିଛି। କିନ୍ତୁ ଏଥିରେ ସଫଳ ହୋଇପାରି ନାହିଁ। କାରଣ ଦୀର୍ଘ ୫ ବର୍ଷ ମଧ୍ୟରେ ଏସବୁ ପ୍ରସଙ୍ଗରେ କେନ୍ଦ୍ରକୁ ସେଭଳି ଢଙ୍ଗରେ ବିଜେଡି ସରକାର ଉତ୍ତର ମାଗି ନାହିଂ। ବରଂ ଏକ କାର୍ଯ୍ୟକ୍ରମରେ ମୋଦି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ରୁ ୮ ମାର୍କ ଦେଇଛନ୍ତି। ଅର୍ଥାତ ମୋଦି ସରକାରଙ୍କୁ ସୁଶାସନର ସାର୍ଟିପିକେଟ୍ ଦେଇଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ‘ମାର୍କ’ କିନ୍ତୁ କମିବା ସ୍ଥିତିରେ!

ନିର୍ବାଚନ ଠିକ୍ ପୂର୍ବରୁ ସଭିଙ୍କ ପାଇଁ ଯୋଜନା, ଘୋଷଣାର ଭଣ୍ଡାର ଖୋଲିଦେଲେ, ‘ଶଙ୍ଖ’ ବ୍ୟାଗ୍‌ ଠାରୁ ଆରମ୍ଭ କରି ‘ନୂଆଁ-ଓ’ ପର୍ଯ୍ୟନ୍ତ ବ୍ୟାପକ ପ୍ରଚାର କଲେ। ହେଲେ ଲୋକଙ୍କ ଅସନ୍ତୋଷରେ କିନ୍ତୁ ପୂର୍ଣ୍ଣଛେଦ ପଡିପାରିଲା ନାହିଁ! ବିଜେଡିର ବରିଷ୍ଠ ନେତାମାନେ ନିର୍ବାଚନୀ ପ୍ରଚାରରେ ଗଲେ ଲୋକେ ଘେରିବା, ବିକାଶକୁ ନେଇ ପ୍ରଶ୍ନ କରିବା, ସଭା, ସମିତି, ସୋସିଆଲ୍‌ ମିଡିଆରେ ସରକାରୀ ବିରୋଧୀ ଲହରର ଦେଖିବାକୁ ମିଳେ।

ତେବେ କେନ୍ଦ୍ରରେ ମୋଦି ସରକାରଙ୍କୁ କଡା ଟକ୍କର ଦେଉଥିବା କଂଗ୍ରେସ କିନ୍ତୁ ଓଡ଼ିଶାରେ ଦୁର୍ବଳ ସ୍ଥିତି ଯୋଗୁଁ ‘ସରକାରୀ ବିରୋଧୀ ଲହର’ର ଫାଇଦା ନେବାରେ ଅସମର୍ଥ ଥିବା ଦେଖାଦେଇଛି। ଯେଉଁଠି ବିଜେପି ଏକ ବିକଳ୍ପ ଭାବରେ ଲୋକଙ୍କ ସମ୍ମୁଖରେ ନିଜକୁ ଠିଆ କରାଇବାରେ ସବୁ ଶକ୍ତି ଲଗାଇ ଦେଇଛି, କଂଗ୍ରେସ ସେଠି ପଛରେ ପଡ଼ିଯାଇଛି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)