• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର୍ ଭାରତର ବିରାଟ କୋହଲି ଅଗଷ୍ଟ ୧୮ରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୫ ବର୍ଷ ପୂର୍ଣ୍ଣ କରିଛନ୍ତି । ଦିନିକିଆ ବିଶ୍ୱକପ୍ (୨୦୧୧ ସଂସ୍କରଣ) ବିଜୟ ଠାରୁ ନେଇ ଆନ୍ତର୍ଜାତିକ କ୍ରିକେଟ୍‌ରେ ୭୬ ଶତକ ସହାୟତାରେ ୨୫,୦୦୦ରୁ ଅଧିକ ରନ୍‌ ସଂଗ୍ରହ ଓ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ସବୁ ଫର୍ମାଟ୍‌ରେ ଟିମ୍‌ର ନେତୃତ୍ୱ ଗ୍ରହଣ ଭଳି ଅନେକ ଉପଲବ୍‌ଧି ହାସଲ କରିଛନ୍ତି ବିରାଟ ।

ଅଧିନାୟକ ଥିବାବେଳେ ସେ ଟିମ୍‌କୁ କୌଣସି ଫର୍ମାଟ୍‌ରେ ବିଶ୍ୱକପ୍ ଜିତାଇପାରି ନ ଥିଲେ ବି ଦ୍ୱିପାକ୍ଷିକ ସିରିଜ୍‌ରେ ଅନେକ ସଫଳତା ଦେଇଛନ୍ତି । ତେବେ ଜଣେ ଖେଳାଳି ବା ବ୍ୟାଟର୍ ଦୃଷ୍ଟିରୁ ବିଚାର କଲେ ଜଣାଯାଏ, ସେ ନିଜର ଦୀର୍ଘ କ୍ୟାରିଅର୍‌ରେ ଅନେକ ସଫଳତା ପାଇସାରିଲେଣି । ଆଉ କିଛି ଉପଲବ୍‌ଧି ମଧ୍ୟ ତାଙ୍କ ଠାରୁ ଆଶା କରାଯାଉଛି, ଯେପରିକି କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ୧୦୦ ଆନ୍ତର୍ଜାତିକ ଶତକ ରେକର୍ଡକୁ ଅତିକ୍ରମ କରିବା । ଏହା ଅବଶ୍ୟ ସେତେ ସହଜ କଥା ନୁହେଁ, କାରଣ ସମସ୍ତେ ସଚିନ ହୋଇପାରିବେ ନାହିଁ ।

ଆନ୍ତର୍ଜାତିକ କ୍ରିକେଟ୍‌ରେ ବିରାଟ ଏ ଯାବତ ୧୧୧ ଟେଷ୍ଟ ମ୍ୟାଚ୍ ଖେଳି ୮୬୭୬ ରନ୍‌, ୨୭୫ ଦିନିକିଆ ଖେଳି ୧୨୮୯୮ ଓ ୧୧୫ ଟି-୨୦ ଖେଳି ୪୦୦୮ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟରେ ସେ ୨୯, ଦିନିକିଆରେ ୪୬ ଓ ଟି-୨୦ରେ ଗୋଟିଏ ଶତକ ଲଗାଇଛନ୍ତି । ସଚିନଙ୍କ ଠାରୁ ସେ ୨୪ ଶତକ ଦୂରରେ ଅଛନ୍ତି ।

ବିରାଟ ନିଜ ୧୫ ବର୍ଷର କ୍ୟାରିଅର୍‌ରେ କ୍ରିକେଟ୍ ପିଚ୍‌ରେ ୫୧୦ କିଲୋମିଟର ଦୌଡ଼ିଛନ୍ତି । ସେ ନିଜ ରନ୍ ପାଇଁ ୨୭୭ କିଲୋମିଟର ଦୌଡ଼ିଥିବା ବେଳେ ନିଜ ଯୋଡ଼ିଦାରଙ୍କ ପାଇଁ ୨୩୩ କିଲୋମିଟର ଦୂରତ୍ୱ ନିର୍ଦ୍ଧାରଣ କରିଛନ୍ତି । ଏଥିରେ ବାଉଣ୍ଡାରୀ ଦୌଡ଼ ସାମିଲ ନାହିଁ ।

ଅନେକ ଉଲ୍ଲେଖନୀୟ ରେକର୍ଡ:

୧୫ ବର୍ଷ ପୂର୍ବେ ୨୦୦୮ ଅଗଷ୍ଟ ୧୮ରେ ବିରାଟ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ୍ ଜରିଆରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ । ସେତେବେଳେ ତାଙ୍କ ବୟସ ହୋଇଥିଲା ୧୯ ବର୍ଷ ୨୮୭ ଦିନ । ସେ ନିଜ ପ୍ରଥମ ଦିନିକିଆରେ ହିଁ ଓପନିଂ କରିଥିଲେ । ଏହା ସହିତ ପଦାର୍ପଣରେ ଓପନିଂ କରିବାରେ ସେ ସର୍ବକନିଷ୍ଠ ଭାରତୀୟ ହୋଇପାରିଥିଲେ ।

ଏହାପରେ ସେ ସଫଳତାର ସିଢ଼ି ଚଢ଼ିବା ଆରମ୍ଭ କଲେ । ଦିନିକିଆ ବିଶ୍ୱକପ୍ (୨୦୧୧ରେ ବାଂଲାଦେଶ ବିପକ୍ଷରେ) ପଦାର୍ପଣରେ ଶତକ ଓ ଟି-୨୦ ବିଶ୍ୱକପ୍ (୨୦୧୨ରେ ଆଫଗାନିସ୍ତାନ ବିପକ୍ଷରେ) ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରିବାରେ ସେତେବେଳେ ସେ ହୋଇପାରିଥିଲେ ବିଶ୍ୱର ପ୍ରଥମ ଖେଳାଳି ।

ଟି-୨୦ ବିଶ୍ୱକପ୍ ଇତିହାସରେ ବିରାଟ ଚମକପ୍ରଦ ପ୍ରଦର୍ଶନ କରିଛନ୍ତି । ଏହାର ୨୦୧୪ ଓ ୨୦୧୬ ସଂସ୍କରଣରେ ସେ ‘ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଥିଲେ । ଏଥିରେ ଟାର୍ଗେଟ୍‌କୁ ଚେଜ୍ କରିବାରେ ତାଙ୍କ ବ୍ୟାଟିଂ ଆଭରେଜ୍ ୫୧୮ । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର କାମେରୁନ୍ ହ୍ୱାଇଟ୍‌ଙ୍କ ଆଭରେଜ୍ ହେଉଛି ୧୦୪ ।

କୋହଲି ଏ ଯାବତ ନିଜ ଆନ୍ତର୍ଜାତିକ କ୍ୟାରିଅର୍‌ରେ ୮୩ ଭେନ୍ୟୁରେ ଖେଳିଛନ୍ତି । ସେଥିମଧ୍ୟରେ ସେ ୪୬ ଭେନ୍ୟୁରେ ଶତକ ଲଗାଇଛନ୍ତି । ସେ ସର୍ବାଧିକ ୫ ଶତକ ଅଷ୍ଟ୍ରେଲିଆର ଆଡିଲେଡ୍ ଗ୍ରାଉଣ୍ଡରେ ହାସଲ କରିଛନ୍ତି । କେବଳ ସଚିନ (୫୩) ବିରାଟଙ୍କ ଠାରୁ ଅଧିକ ଭେନ୍ୟୁରେ ଶତକ ଲଗାଇଛନ୍ତି । ବିରାଟ ଦିନିକିଆ ଖେଳିଥିବା ସମସ୍ତ ନଅ ଦେଶରେ ଶତକ ହାସଲ କରିଛନ୍ତି । ଏହାଛଡ଼ା ଟେଷ୍ଟରେ ସେ ଆଠ ଦେଶ ମଧ୍ୟରୁ ସାତ ଦେଶରେ ଶତକ ଲଗାଇଛନ୍ତି ।

ଭାରତ ପକ୍ଷରୁ ଦ୍ରୁତତମ ଦିନିକିଆ ଶତକ ହାସଲର ରେକର୍ଡ ବିରାଟଙ୍କ ନାମରେ ରହିଛି । ସେ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଜୟପୁର ଦିନିକିଆରେ ମାତ୍ର ୫୨ ବଲ୍‌ରେ ଶତକ ଅର୍ଜନ କରିଥିଲେ ।

ଟେଷ୍ଟରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ୨୦୧୧ରୁ ସେ ଟେଷ୍ଟ ଖେଳିବା ଆରମ୍ଭ କରିଥିଲେ । ୨୦୧୬ରୁ ୨୦୧୯ ମଧ୍ୟରେ ସେ ଲଗାଇଥିବା ୧୫ ଶତକ ମଧ୍ୟରୁ ୭ ଶତକକୁ ଦ୍ୱିଶତକରେ ପରିଣତ କରିଥିଲେ, ଯାହା ଏକ ଭାରତୀୟ ରେକର୍ଡ । ସେ କ୍ରମାଗତ ଚାରି ଟେଷ୍ଟ ସିରିଜ୍‌ରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ ବ୍ୟାଟର୍ ।

ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଦିନିକିଆରେ ତିନି ଥର ୫-୦ରେ ସିରିଜ୍ ଜିତିଛି । ଟେଷ୍ଟ ଇତିହାସରେ ସେ ଭାରତର ସବୁଠାରୁ ସଫଳ ଅଧିନାୟକ । ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୮ରୁ ୪୦ ମ୍ୟାଚ୍ ଜିତିଥିବା ବେଳେ ୧୭ ମ୍ୟାଚ୍ ହାରିଥିଲା ଓ ୧୧ ମ୍ୟାଚ୍ ଡ୍ର’ ରହିଥିଲା ।

ବିରାଟଙ୍କ ବିନା ଟିମ୍ ଇଣ୍ଡିଆ ଅସମ୍ପୂର୍ଣ୍ଣ:

ଟେଷ୍ଟ୍‌ ହେଉ କି ଦିନିକିଆ ଆନ୍ତର୍ଜାତିକ - ବିରାଟ କୋହଲିଙ୍କ ବିନା ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ହୋଇପାରେ ନାହିଁ । ସେ ଅନେକ ବର୍ଷ ହେଲା ଟିମ୍‌ର ଅଭିନ୍ନ ଅଙ୍ଗ ରହିଆସିଛନ୍ତି । ସେ ଫର୍ମରେ ଥାଆନ୍ତୁ ବା ନ ଥାଆନ୍ତୁ, ଜଣେ ଅଭିଜ୍ଞ ତଥା ଫିଟ୍ ଖେଳାଳି ଭାବେ ଟିମ୍‌ରେ ତାଙ୍କ ଉପସ୍ଥିତି ଅପରିହାର୍ଯ୍ୟ ହୋଇଯାଇଛି ।

ବିରାଟ ଆଜି ବି ଟିମ୍‌ର ସବୁଠାରୁ ଫିଟ୍ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି । କେବଳ ବ୍ୟାଟିଂ ପ୍ରଦର୍ଶନ ନୁହେଁ, ତାଙ୍କ ଫିଟ୍‌ନେସ୍ ମଧ୍ୟ ଅନ୍ୟ ଖେଳାଳିଙ୍କ ପାଇଁ ଉଦାହରଣ । ତାଙ୍କ ଉପସ୍ଥିତି ଟିମ୍‌ରେ ଉତ୍ସାହ ଭରିଦିଏ । ଚୟନକାରୀ ହୁଅନ୍ତୁ କି ଟିମ୍ ମ୍ୟାନେଜ୍‌ମେଣ୍ଟ - ସମସ୍ତେ ଏ କଥା ଜାଣନ୍ତି ।

ଟି-୨୦ ଭଳି ଫର୍ମାଟ୍‌ରେ ଯୁବ ଖେଳାଳିଙ୍କୁ ଅଗ୍ରାଧିକାର ଦିଆଯାଇ ରୋହିତ (ଶର୍ମା), ବିରାଟଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ପାଇଁ ବାଟ ବନ୍ଦ କରିଦିଆଯାଇପାରେ; ହେଲେ ଟେଷ୍ଟ ଓ ଦିନିକିଆରେ ଏବେ ଉଭୟଙ୍କ ବିନା ଟିମ୍‌ର ପରିକଳ୍ପନା କରାଯାଇପାରେନି । ଯେତେବେଳେ ସୁଯୋଗ ପାଇବା ସ୍ଥଳେ ଯୁବ ବ୍ୟାଟର୍‌ମାନେ ଆଶାଜନକ ପ୍ରଦର୍ଶନ କରିପାରନ୍ତି ନାହିଁ କି ସେମାନଙ୍କ ପ୍ରଦର୍ଶନରେ ନିରନ୍ତରତା ରହେ ନାହିଁ, ସେତେବେଳେ ବିଶ୍ରାମ ଦିଆଯାଇଥିବା ବରିଷ୍ଠ ଖେଳାଳିଙ୍କ କଥା ମନେ ପଡ଼େ।

ଟିମ୍‌ରେ ସନ୍ତୁଳନ ରକ୍ଷା ପାଇଁ ଉଭୟ ବରିଷ୍ଠ ଓ ଯୁବ ଖେଳାଳି ରହିବା ଆବଶ୍ୟକ । ଅନ୍ୟ ଖେଳରେ ବି ଏହା ଦେଖିବାକୁ ମିଳେ।

ଶେଷ ବିଶ୍ୱକପ୍ ହୋଇପାରେ ୨୦୨୩ ସଂସ୍କରଣ:

ବିରାଟଙ୍କୁ ଏବେ ୩୪ ବର୍ଷ ବୟସ । ତାଙ୍କ ଭିତରେ ଆଉ ତିନି-ଚାରି ବର୍ଷର କ୍ରିକେଟ୍ ବାକି ଅଛି ବୋଲି କୁହାଯାଇପାରେ । ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ତାଙ୍କର ଖେଳିବା ସମ୍ଭାବନା କମ୍ ।

କେବଳ ଫିଟ୍‌ନେସ୍ ଯଥେଷ୍ଟ ନୁହେଁ । ବୟସ ବୃଦ୍ଧି ସହ ପ୍ରଦର୍ଶନରେ ନିରନ୍ତରତା ଓ ଫର୍ମ ବଜାୟ ରଖିବା ବଡ଼ କଥା । ମହେନ୍ଦ୍ର ସିଂହ ଧୋନିଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହେଲା । ଫିଟ୍ ଥିବା ସତ୍ତ୍ୱେ ତାଙ୍କୁ ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିବାକୁ ପଡ଼ିଲା। ବିରାଟଙ୍କୁ ମଧ୍ୟ ବହୁ ସମୟରେ ଫର୍ମ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ତେଣୁ ଭାରତରେ ହେବାକୁ ଥିବା ୨୦୨୩ ସଂସ୍କରଣ ତାଙ୍କ ପାଇଁ ଶେଷ ଦିନିକିଆ ବିଶ୍ୱକପ୍ ହୋଇପାରେ।

ବିଶ୍ୱକପ୍ ପରେ ମଧ୍ୟ ବିରାଟ ଉଭୟ ଟେଷ୍ଟ ଓ ଦିନିକିଆ ଫର୍ମାଟ୍‌ରେ ଖେଳ ଜାରି ରଖିପାରନ୍ତି । ଅବଶ୍ୟ ପରବର୍ତ୍ତୀ ସମୟରେ ତାଙ୍କୁ ଗୋଟିଏ ଫର୍ମାଟ୍ ଛାଡ଼ିବାକୁ ପଡ଼ିପାରେ । ଆଗକୁ ତାଙ୍କ ପାଇଁ ବୟସଜନିତ ଚାଲେଞ୍ଜ୍ ବଢ଼ିବ। ଖୋଦ୍ ବିରାଟ ଏ କଥା ଜାଣନ୍ତି । ସେଥିପାଇଁ ତାଙ୍କୁ ନିଜ ପ୍ରଦର୍ଶନ ଉପରେ ଅଧିକ ଫୋକସ୍ କରିବାକୁ ପଡ଼ିବ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)