ଘର ନେତା ପଛରେ, ଆମଦାନୀ ନେତାଙ୍କୁ ପୁରସ୍କାର

ବିଜେଡି ସରକାରଙ୍କୁ ଯେଉଁମାନେ କଟୁ ସମାଲୋଚନା କରିଥିଲେ, ଗାଳି ଦେଇଥିଲେ, ନବୀନ ବାବୁଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲେ ତାଙ୍କୁ ମିଳିଛି ପୁରସ୍କାର୍। ଯେଉଁଠି ନିଜ ଦଳର ବରିଷ୍ଠ ଏବଂ ବୟୋଜ୍ୟେଷ୍ଠ ନେତା କଣଠେସା, ସେଇଠି ଆମଦାନୀ ନେତା ଫୁଲ୍ ପାୱାରଫୁଲ୍। ପଢନ୍ତୁ ପୂରା ଖବର…

ଘର ନେତା ପଛରେ, ଆମଦାନୀ ନେତାଙ୍କୁ ପୁରସ୍କାର

ବିଜେଡିର ଏକ ବିଚିତ୍ର ସ୍ଥିତି ଉପରେ ଟିକେ ଆଲୋଚନା କରିବା। ଏହି ଦଳକୁ ଗାଳିଦେଇଥିବା ନେତାଙ୍କୁ ମିଳିଛି ପୁରସ୍କାର। ଦଳରେ ଏବେ ଅନେକ ନେତା ଅଛନ୍ତି ଯେଉଁମାନେ ଦିନେ ନବୀନଙ୍କୁ ଗାଳି ଦେଉଥିଲେ, ସମାଲୋଚନା କରୁଥିଲେ। ଏବେ ସେମାନେ ବିଜେଡିର ମୋଷ୍ଟ୍‌ ପାୱାର୍‌ଫୁଲ୍ ନେତା।

ଅନ୍ୟପକ୍ଷରେ ଦଳରେ ବର୍ଷବର୍ଷ ଧରି ରହି ଆସିଥିବା ନେତାଙ୍କୁ ପୁରସ୍କାର ତ ଦୂରର କଥା କେଉଁ ଏକ କୋଣରେ କୋଣଠେସା ହେଇ ପଡିରହୁଛନ୍ତି। ନା ସେମାନଙ୍କୁ କେହି ପଚାରୁଛନ୍ତି ନା କେହି ପରାମର୍ଶ କରୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସରୁ ଆସିଥିବା ଆମଦାନୀ ନେତାଙ୍କ ଏବେ ଦଳରେ ବଡ ଦବଦବା ରହିଛି।

ବର୍ତ୍ତମାନ ରାଜ୍ୟସଭା ପାଇଁ ବିଜେଡି ଘୋଷଣା କରିଥିବା ନିରଞ୍ଜନ ବିଶିଙ୍କଠାରୁ ଆରମ୍ଭ କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଯାଏଁ ଦିନେ ନବୀନଙ୍କ ଥିଲେ କଡ଼ା ସମାଲୋଚକ। ଏବେ କିନ୍ତୁ ଏମାନେ ବିଜେଡିର ଆଗ ଧାଡିର ନେତା। ଏପରିକି ବିଜେଡି ବରିଷ୍ଠ ନେତାଙ୍କୁ ଉପେକ୍ଷା କରି ଏମାନଙ୍କୁ ଅଧିକ ପ୍ରାଧାନ୍ୟ ଦେବାକୁ ପଛାଉନି।

ପ୍ରଥମେ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କ କଥା ବିଚାରକୁ ନିଆଯାଉ। ଦିନେ ସରକାରୀ ଦଳକୁ ମାଟିରେ ମିଶାଇଦେବା ପାଇଁ ପ୍ରତିଜ୍ଞା କରିଥିଲେ ନିରଞ୍ଜନ। ଆଦିବାସୀ ବିରୋଧୀ ବିଜେଡି ସରକାରକୁ କଡା ଟକ୍କର ଦେବାକୁ ଯୋଜନା କରୁଥିଲେ ନିରଞ୍ଜନ। ପଞ୍ଚାୟତ ନିର୍ବାଚନ ବେଳେ ଶତାଧିକ ଆଦିବାସୀ ନେତାଙ୍କୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଥିଲେ। ବିଜେଡି ଦଳକୁ ରାଜନୈତିକ ବାସନ୍ଦ କରିବୁ ବୋଲି ଶପଥ ନେଇଥିବା ଏହି ନେତା ଏବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ। ଗତ ୩ /୪ ଦିନ ତଳେ ବିଜେଡିରେ ଯୋଗଦେଲେ ଆଉ ତା’ପରେ ତାଙ୍କ ନାଁ ରାଜ୍ୟସଭା ପାଇଁ ଘୋଷଣା କରିଛି ଦଳ।

ଚର୍ଚ୍ଚା ହେଉଛି ନିଜସ୍ୱାର୍ଥ ପାଇଁ ନିରଞ୍ଜନ ବାବୁ ସବୁକିଛି ଟେକି ଦେଇଛନ୍ତି ସରକାରୀ ଦଳକୁ। ପଶ୍ଚିମ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ନିରଞ୍ଜନ ବିଶୀଙ୍କୁ ଦଳରେ ସାମିଲ କରି ବିଜେଡି ବଡ ବାଜିମାତ କରିଥିବା ମନେ କରୁଛି। ଏଥିପାଇଁ ଦଳର ଆଉ ଜଣେ ଅଦିବାସୀ ଚେହେରା ତଥା ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ପ୍ରଦୀପ ମାଝୀଙ୍କୁ ପଛରେ ପକାଇ ନିରଞ୍ଜନଙ୍କୁ ରାଜ୍ୟସଭା ପାଇଁ ସୁଯୋଗ ଦେଇଛି।

ସେହିପରି ନବୀନଙ୍କ ଆଉ ଜଣେ ଟାଣୁଆ ସମାଲୋଚକ ଭାବେ ଜଣାଶୁଣା ଥିଲେ ସସ୍ମିତ ପାତ୍ର। କଂଗ୍ରେସରେ ଥିବାବେଳେ ସସ୍ମିତ ଥିଲେ ନବୀନଙ୍କ କଡା ସମାଲୋଚକ। ବିଭିନ୍ନ ଇଂରଜୀ ଖବରକାଜ ଏବଂ ୱେବ୍‌ସାଇଟ୍‌ରେ ରାଜ୍ୟ ସରକାରଙ୍କ ନୀତିକୁ ନେଇ କଡ଼ା ସମାଲୋଚନା କରି ଲେଖିଥିଲେ ଅନେକ ଆର୍ଟିକିଲ୍। ଏହାପରେ ସସ୍ମିତ ଦଳରେ ସାମିଲ ହେଲେ। ଦଳ ତାଙ୍କୁ ଏକା ଥରକେ ମୁଖପାତ୍ର କରିଦେଲା।

ଆଗରୁ ସିନା ବିଜେଡିକୁ ସମାଲୋଚନା କରୁଥିଲେ, ହେଲେ ଦଳରେ ଯୋଗଦାନ ପରେ ଦଳର ଏତେ ପ୍ରଶଂସାକଲେ ଆଉ ସଙ୍କଟ ସମୟରେ ଦଳ ଷ୍ଟାଣ୍ଡ୍‌କୁ ଲୋକଙ୍କ ଆଗରେ ଏମିତି ରଖିଲେ ଯେ ଦଳ ତାଙ୍କୁ ପୁରସ୍କାର ଦେବାକୁ ବାଧ୍ୟହେଲା। ଦଳର ଅନେକ ବରିଷ୍ଠ ନେତାଙ୍କୁ ପଛରେ ପକାଇ ସସ୍ମିତଙ୍କୁ ମିଳିଲା ରାଜ୍ୟସଭା ଟିକେଟ୍। ଏବେ ଦ୍ୱିତୀୟ ଥର ପାଇଁ ସେ ଯିବେ ରାଜ୍ୟସଭା।

ସେହିପରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କଥା ବିଚାରକୁ ନିଆଯାଉ। କଂଗ୍ରେସରେ ରହି ବିଭିନ୍ନ ସଂଗଠନ ଦ୍ୱାରା ସରକାରଙ୍କୁ ପକାଉଥିଲେ ଅଡୁଆରେ। ସେ ଚିଟ୍‌ଫଣ୍ଡ୍‌ ହେଉ ବା ଚାଷୀ ସଂଗଠନ ଅଙ୍ଗନବାଡୀଠୁ ଆରମ୍ଭ କରି ଶିକ୍ଷକ ସଂଗଠନ ସବୁ ସଂଗଠନର ନେତୃତ୍ୱ ନେଉଥିଲେ ସୌମ୍ୟବାବୁ। ଏପରିକି ଲୋୟର ପିଏମ୍‌ଜିରେ ଅନେକ ଥର ଏହି ସଂଗଠନ ପାଇଁ ଧାରଣାରେ ବସିଛନ୍ତି, ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଆଉ ମାଡ ବି ଖାଇଛନ୍ତି। ତାଙ୍କ ଗଣମାଧ୍ୟମ ମଧ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛି।

ନବୀନଙ୍କ ଭାଷା ଜ୍ଞାନକୁ ନେଇ କଡା ସମାଲୋଚନା କରୁଥିଲେ ହେଲେ ଏ ସବୁକୁ ଜଳାଞ୍ଜଳି ଦେଇ ଦିନେ ହଠାତ ସୌମ୍ୟ ବାବୁ ଯୋଗ ଦେଲେ ବିଜେଡିରେ, ଆଉ କେଇ ଘଣ୍ଟା ମଧ୍ୟରେ ତାଙ୍କ ନା ଘୋଷଣା ହେଲା ରାଜ୍ୟସଭା ପାଇଁ। ପ୍ରଥମେ ରାଜ୍ୟସଭା ଏବେ ସେ ଖଣ୍ଡପଡ଼ାରୁ ବିଧାନସଭା ପାଇଁ ନିର୍ବାଚିତ ହୋଇଛନ୍ତି।

ବର୍ତ୍ତମାନର ମେୟର ସୁଲୋଚନା ଦାସ ଟିଭି ଡିବେଟ୍‌ରେ ନବୀନ ବାବୁଙ୍କ କଡା ସମାଲୋଚକ ଥିଲେ। କଂଗ୍ରେସର ମୁଖପାତ୍ର ଭାବେ ସରକାରଙ୍କ ମୁଖା ଖୋଲି ଦେଉଥିଲେ ସୁଲୋଚନା। ହେଲେ ସମୟ ବଦଳିଲା, ସୁଲୋଚନା କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ, ବିଜେଡିର ଗୁଣଗାନ ପାଇଁ ମୁଖପାତ୍ର ହେଲେ। ଦଳ ତାଙ୍କୁ ଭଲ ରିଓ୍ୱାର୍ଡ ମଧ୍ୟ ଦେଲା। ପ୍ରଥମେ ଭିନ୍ନକ୍ଷମ କମିଶନ ଏବଂ ଏବେ ସେ ଭୁବନେଶ୍ୱରରର ପ୍ରଥମ ମହିଳା ମେୟର।

ସେହିପରି କଟକ ମେୟର ସୁବାସ ସିଂହ ଦିନେ ବସ୍ତି ବାସିନ୍ଦାଙ୍କ ପାଇଁ ଏ ସରକାରକୁ ଅଡୁଆରେ ପକାଇବା ସହ କେତେ ରାଲି ଆନ୍ଦୋଳନ କରିଛନ୍ତି। ହେଲେ ବିଜେଡିରେ ଯୋଗଦେବା ପରେ ଦଳ ତାଙ୍କୁ ରିୱାର୍ଡ ଦେଲା। ପ୍ରଥମେ ରାଜ୍ୟସଭା ଏବଂ ଏବେ ସେ କଟକ ମେୟର ଅଛନ୍ତି।

ସେହିପରି ମାନସ ମଙ୍ଗରାଜ। ଦିନେ କଂଗ୍ରେସର ନେତା ଥିଲେ ମାନସ ବାବୁ। ତା’ ପରେ ଦଳରେ ଯୋଗଦେଲେ ଆଉ ବନିଗଲେ ଦଳର ପାୱାରଫୁଲ୍ ନେତା। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଏବଂ ଏବେ ସେ ରାଜ୍ୟସଭା ପ୍ରାର୍ଥୀ। ସେହିପରି ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁ ଏବଂ ବିକ୍ରମ ପଣ୍ଡା। ନବୀନଙ୍କ ନିଜ ଜିଲ୍ଲା ଗଂଜାମର ଏମାନେ ଦିନେ ଥିଲେ ଟାଣୁଆ ନେତା।

ବ୍ରହ୍ମପୁର ଆସନରୁ ଚନ୍ଦ୍ରଶେଖର ସାହୁ ବିଜୟୀ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ହେଲେ ସେ ଯେତେବେଳେ ବିଜେଡିରେ ଯୋଗଦେଲେ ତାଙ୍କ ସହଯୋଗୀ ବିକ୍ରମ ପଣ୍ଡା ମଧ୍ୟ କଂଗ୍ରେସ ଛାଡି ବିଜେଡି ଆସିଲେ। ଗତ ୧୯ ନିର୍ବାଚନରେ ବ୍ରହ୍ମପୁର ବିଜେଡିର ଅନେକ ଟାଣୁଆ ନେତାଙ୍କୁ ଉପେକ୍ଷା କରି ଦଳ ବିକ୍ରମ ଏବଂ ଚନ୍ଦ୍ରଶେଖରଙ୍କୁ ଯଥାକ୍ରମେ ବିଧାନସଭା ଏବଂ ଲୋକସଭା ଟିକେଟ୍ ଦେଇଥିଲା।

ଦିନେ ସରକାରଙ୍କ ଅନେକ ଦୋଷ ଦୁର୍ବଳତାକୁ ପଦାରେ ପକାଇଥିବା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବେ ଦଳର ଜଣେ ଟାଣୁଆ ଓ ପାୱାର କରିଡର୍‌ରେ ଦବଦବା ରଖୁଥିବା ନେତା। ସେହିପରି ପ୍ରଦୀପ ମାଝି ପୂର୍ବତନ କଂଗ୍ରେସ ସାଂସଦ ତଥା ଦଳର ନବରଙ୍ଗପୁର ଓ ମାଲକାନଗିରିର ଟାଣୁଆ ଆଦିବାସୀ ଚେହେରା। ସେ ଅନେକ ପ୍ରସଙ୍ଗରେ ବିଜେଡିକୁ ଅଡୁଆରେ ପକାଇଛନ୍ତି। ନବରଙ୍ଗପୁର ଏବଂ ମାଲାକାନଗିରିରେ କଂଗ୍ରେସ ତରଫରୁ ଜିଲ୍ଲାପାଳ ଅଫିସ ଘେରିଛନ୍ତି। ଏବେ କଂଗ୍ରେସ ଛାଡି ବିଜେଡିରେ ପ୍ରଦୀପ ମାଝୀ। ପ୍ରଦୀପ ବାବୁଙ୍କୁ କିନ୍ତୁ ବିଜେଡି ସେହି ସ୍ଥାନ ଦେଇପାରିନି ଯାହା ଅନ୍ୟମାନଙ୍କୁ ଅତିଶୀଘ୍ର ଦେଇଛି।

ସେହିପରି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ। ବିଜେପିର ନେତା ବିଜେଡିରେ ଯୋଗଦେଲେ। ଏକାଥରକେ ମନ୍ତ୍ରୀ। ଆଉ ଜଣେ ଆମଦାନୀ ନେତା ହେଲେ ତୁଷାରକାନ୍ତୀ ବେହେରା। ବିଜେପି ଛାଡିଲେ। ବିଜେଡିରୁ ବିଧାନସଭା ଟିକେଟ୍ ପାଇ ଜିତି ଏକାଥରକେ କ୍ରୀଡାମନ୍ତ୍ରୀ ହେଲେ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଯିଏ ବିଜେଡି ସରକାରଙ୍କୁ ଦିନେ କଟୁ ସମାଲୋଚନା କରିଛି, ଗାଳି ଦେଇଛି, ନବୀନ ବାବୁଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ତାକୁ ବିଜେଡିରେ ମିଳିଛି ରିୱାର୍ଡ। ଇଏ ବି ଏକପ୍ରକାର ରାଜନୀତି। ଯେଉଁଠି ନିଜ ଦଳର ବରିଷ୍ଠ ଏବଂ ବୟୋଜ୍ୟେଷ୍ଠ ନେତା କଣଠେସା ସେଇଠି ଆମଦାନୀ ନେତା ଫୁଲ୍ ପାୱାରଫୁଲ୍।