• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Panda

ସାଉଦି ଆରବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାଉଦି ସରକାରଙ୍କ ନିଷ୍ପତ୍ତିକ୍ରମେ ମହିଳାଙ୍କ ଡ୍ରାଇଭିଂ ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ସାଉଦି ସରକାର ୪ବର୍ଷ ପୂର୍ବେ ଏହି କଟକଣା ଲାଗୁ କରିଥିଲେ। କିନ୍ତୁ ଏବେ ଏହି କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ।

ଏପରିକି ଆଗାମୀ ଦିନରେ ସାଉଦି ମହିଳା ବୁଲେଟ୍ ଟ୍ରେନ୍ ଚଲାଉଥିବାର ମଧ୍ୟ ଦେଖିବାକୁ ମିଳିବ। ସାଉଦିର କ୍ରାଉନ୍ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ୍‌ଙ୍କ ଭିଜନ୍-୨ଠ୨୩ ଅନ୍ତର୍ଗତ ମହିଳାଙ୍କ ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି। ସାଉଦିଆରବ ରେଲ୍‌ୱେଜ୍ (ଏସ୍ଏଆର୍) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏଥିସହ ଦୁଇ ମହିଳା ବୁଲେଟ୍ ଟ୍ରେନ୍ ଚଳାଉଥିବା ଏକ ଭିଡିଓକୁ ମଧ୍ୟ ରେଲ୍‌ୱେଜ୍ ପକ୍ଷରୁ ଶେୟାର କରାଯାଇଛି। ୩୨ ମହିଳାଙ୍କ ପ୍ରଥମ ବ୍ୟାଚ୍ ଟ୍ରେନିଂ ସମ୍ପୂର୍ଣ୍ଣ କରିସାରିଛନ୍ତି । ଏମାନଙ୍କୁ ପ୍ରଥମ ନିଯୁକ୍ତି ଭାବେ ବୁଲେଟ୍ ଟ୍ରେନ୍ ଚଳାଇବାକୁ ସୁଯୋଗ ମିଳିବ। ମକ୍କା-ମଦିନା ମଧ୍ୟରେ ଚଳାଚଳ କରୁଥିବା ବୁଲେଟ୍ ଟ୍ରେନ୍‌ରେ ଏହି ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି।

ନୂଆବର୍ଷରେ ଭିଡିଓ ଜାରି:

ସାଉଦି ଆରବ ରେଲ୍‌ୱେଜ୍ ସୋସିଆଲ ମିଡିଆରେ ୩୨ ମହିଳା ଟ୍ରେନ୍ ଡ୍ରାଇଭରଙ୍କ ଟ୍ରେନିଂ ଶେଷ ହୋଇଥିବା ସମ୍ପର୍କରେ ସୂଚନା ଦେଇଛି। ଏଥିସହ ଏକ ଭିଡିଓ ମଧ୍ୟ ଶେୟାର କରିଛି, ଯେଉଁଥିରେ ଏହି ମହିଳା ଟ୍ରେନ୍ ପାଇଲଟ୍‌ମାନେ ନିଜ ପୁରୁଷ ସହକର୍ମୀ (ଟ୍ରେନ୍ ପାଇଲଟ୍)ଙ୍କ ସହ ନଜର ଆସିଛନ୍ତି।

ନୂଆବର୍ଷ ପ୍ରଥମ ଦିନରେ ଏହି ଭିଡିଓକୁ ସାଉଦି ରେଲ୍‌ୱେଜ୍ ଜାରି କରିଛି। ତେବେ ବୁଲେଟ୍ ଟ୍ରେନ୍ ଚଳାଇବା ଭଳି ପ୍ରୋଜେକ୍ଟରେ ସାମିଲ ହେବାର ସୁଯୋଗ ମିଳିଥିବାରୁ ମହିଳା ପାଇଲଟ୍‌ମାନେ ବେଶ୍ ଖୁସି ବ୍ୟକ୍ତକରିବା ସହ ସାଉଦି ସରକାରଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି।

ଟ୍ରେନିଂ ଶେଷ କରିଥିବା ୩୨ ମହିଳାଙ୍କ ଏହି ବ୍ୟାଚ୍ ୪୫୩ କିମି ଲମ୍ବ ହର୍ମେନ୍ ହାଇସ୍ପିଡ୍ ଲାଇନ୍ ଉପରେ ବୁଲେଟ୍ ଟ୍ରେନ୍ ଦୌଡାଉଥିବାର ନଜର ଆସିବେ। ଏହି ଲାଇନ୍ ମକ୍ମା ମଦିନାକୁ ସଂଯୋଗ କରୁଛି।

ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ:

ସାଉଦି ଆରବ ସରକାର ତଥା ରେଲ୍‌ୱେଜ୍ ପକ୍ଷରୁ ଏ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ଦେଶର ଯୁବତୀ, ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ ସୃଷ୍ଟିକରିବ ନିଶ୍ଚିତ। ଏବେ ଅଧିକରୁ ଅଧିକ ଯୁବତୀ ତଥା ମହିଳା ଏ ଦିଗରେ ଆଗଭର ହେବେ।

ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ସମୟରେ ସାଉଦି ମହିଳାମାନେ ଦେଶର ଇକୋନୋମୀ ଅର୍ଥାତ୍ ଅର୍ଥନୀତିକୁ ଏକ ମଜବୁତ୍ ସ୍ଥିତିରେ ପହଞ୍ଚାଇବା ପାଇଁ ବଡ଼ ଯୋଗଦାନ ଦେଉଥିବା ଦେଖିବାକୁ ମିଳୁଛି। ଏହି ପ୍ରକ୍ରିୟା ବହୁ ପୂର୍ବରୁ ହିଁ ଏଠାରେ ଚାଲିଆସୁଛି। ଏବେ ରେଲ୍‌ୱେ ଡ୍ରାଇଭର୍‌ ପଦବୀରେ ମହିଳାଙ୍କ ନିଯୁକ୍ତି ନେଇ ଯେଉଁ ନୂଆ ପଦକ୍ଷେପ ସାଉଦି ସରକାର ନେଇଛନ୍ତି, ତାହା ସାଉଦି ଆରବକୁ ଆର୍ଥିକ ସ୍ତରରେ ଆହୁରି ଅଧିକ ସଶକ୍ତ କରି ଗଢ଼ିତୋଳିବ।

୨ଠ୧୮ ପୂର୍ବରୁ ଯେଉଁ ଦେଶରେ ମହିଳାଙ୍କୁ ଡ୍ରାଇଭିଂ ପାଇଁ ଅନୁମତି ନଥିଲା, ଏବେ ସେଠି ମହିଳାଙ୍କୁ ଟ୍ରେନ୍ ଚଲାଇବାକୁ ସୁଯୋଗ ମିଳିଛି। ଏହା ସାଉଦି ମହିଳାଙ୍କ ପାଇଁ ଏକ ବଡ଼ ସଫଳତା। ତେବେ ଆଗାମୀ ଦିନରେ ଏହି ମହିଳାମାନଙ୍କୁ ପ୍ଲେନ୍ ଉଡାଇବାକୁ ମଧ୍ୟ ସୁଯୋଗ ମିଳିବ ବୋଲି ଏକ ନୂଆ ଆଶା ସଞ୍ଚାର ହୋଇଛି।

ତୈଳ ଉପରୁ ନିର୍ଭରଶୀଳତା କମ୍ କରିବାର ଲକ୍ଷ୍ୟ:

ସାଉଦି ଆରବର ମୁଖ୍ୟ ଅର୍ଥନୀତି ହେଉଛି ତୈଳ ରପ୍ତାନୀ। ତୈଳ ଉତ୍ତୋଳନ ତଥା ବିଦେଶୀ ରାଷ୍ଟ୍ରଗୁଡ଼ିକୁ ରପ୍ତାନୀ କରୁଥିବା ଦେଶ ତାଲିକାରେ ୨ୟ ନଂରେ ଥିବା ସାଉଦି ଆରବ କେବଳ ଏହାକୁ ନିଜ ଆୟର ଉତ୍ସ କରି ଆଗକୁ ବଢ଼ିଚାଲିଛି। ସାଉଦି ଆରବରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ବିକାଶ କେବଳ ତୈଳ ରପ୍ତାନୀରୁ ଉପାର୍ଜନ ହେଉଥିବା ଅର୍ଥ ଉପରେ ନିର୍ଭରଶୀଳ।

ତେବେ ଏକ ରିପୋର୍ଟ ଅନୁସାରେ ଆଗାମୀ ୬ଠ ବର୍ଷ ମଧ୍ୟରେ ସାଉଦି ଆରବ ଭୂଭାଗରୁ ତୈଳ ପରିମାଣ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କ୍ରାଉନ୍ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ୍ ୨ଠ୧୬ରେ ଭିଜନ-୨ଠ୩ଠ ନିର୍ଦ୍ଧାରଣ କରିଥିଲେ। ତୈଳ ରପ୍ତାନୀ ଉପରୁ ଦେଶର ଅର୍ଥନୀତିର ନିର୍ଭରଶୀଳତାକୁ କମ୍ କରିବା ଲକ୍ଷ୍ୟରେ ଏହାର ପରିକଳ୍ପନା କରାଯାଇଥିଲା। ଅର୍ଥାତ୍ ବର୍ତ୍ତମାନ ସମୟରେ ସାଉଦିରେ ଏମିତି କିଛି ପ୍ରକଳ୍ପକୁ ଆରମ୍ଭ କରାଯାଇଛି ଯାହାଦ୍ୱାରା ତୈଳ ଉତ୍ତୋଳନକୁ କମ୍ କରାଯାଇପାରିବ।

ଏଥିପାଇଁ ମାନବ ସମ୍ବଳକୁ ବ୍ୟାପକ କରିବାର ଆବଶ୍ୟକତା ଥିବା ସାଉଦି ସରକାର ଅନୁଭବ କରୁଛନ୍ତି। ଫଳରେ ମହିଳାଙ୍କୁ ଏବେ ପ୍ରାୟ ସବୁକ୍ଷେତ୍ରରେ ନିଯୁକ୍ତି ଉପରେ ସରକାର ଯୋଜନା କରୁଛନ୍ତି। ସରକାରୀ କର୍ମ ନିଯୁକ୍ତି, ଅତିରିକ୍ତ ଘରୋଇ କ୍ଷେତ୍ର, ଏପରିକି ଶିକ୍ଷା କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ନିଯୁକ୍ତି ଦିଆଯାଉଛି।

କର୍ମକ୍ଷେତ୍ରରେ ପୁରୁଷଙ୍କ ସହ ମହିଳାଙ୍କୁ ସମାନଭାବେ ନିଯୁକ୍ତି ପ୍ରଦାନ କରାଯିବା ଦ୍ୱାରା ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରାଯାଇପାରିବ। ତେବେ ଏହା ସାଉଦି ସରକାରଙ୍କ ଏକ ଉନ୍ନତ ଚିନ୍ତାଧାରା ଭାବେ ଅଭିହିତ କରାଯାଉଛି।

କ’ଣ କହୁଛି ରିପୋର୍ଟ:

ବ୍ରୁକିଙ୍ଗ୍ସ ଇନ୍‌ଷ୍ଟିଚ୍ୟୁସନ୍ ରିପୋର୍ଟ ଅନୁସାରେ ୨ଠ୧୮ରେ ସାଉଦି ଆରବରେ ଚାକିରି କରିବା ମହିଳାଙ୍କ ହାର ୨ଠ% ଥିବା ବେଳେ ୨ଠ୨ଠ ଶେଷ ସୁଦ୍ଧା ଏହା ୩୩%କୁ ବୃଦ୍ଧି ପାଇଛି। ଯାହାକି ସାଉଦି ଆରବ ଭଳି ଏକ ରକ୍ଷଣଶୀଳ ଦେଶରେ ବସବାସ କରୁଥିବା ମହିଳାଙ୍କ ପାଇଁ ବେଶ୍ ଆଶ୍ୱସ୍ତିଜନକ ବୋଲି କୁହାଯାଇପାରିବ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଇମେଲ୍: panda.santoshkumar7@gmail.com