• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pabitra Mohan Kar

ଦୀର୍ଘ ତିନି ଦଶନ୍ଧିର ମିଳିତ ସରକାର(coalition government)ର ବାସ୍ତବତା ଓ ବାଧ୍ୟବାଧକତାର ଅବସାନ ଘଟାଇ ୨୦୧୪ ମସିହା ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ବିପୁଳ ବିଜୟ ହାସଲ କରି ସରକାର ଗଠନ କଲା। ଯଦିଓ 'ଜାତୀୟ ଗଣତାନ୍ତ୍ରିକ ମେଣ୍ଟ'(NDA) ବ୍ୟାନରରେ ନୂଆ ସର୍କାର ଗଠିତ ହେଲା, ଏହା ଯେ ମୁଖ୍ୟତଃ ବିଜେପି ଓ ବିଶେଷକରି ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ଚମତ୍କାରୀ ପ୍ରଚାର ଓ ପ୍ରଦର୍ଶନର ପରିଣାମ, ଏଥିରେ ସନ୍ଦେହ ନାହିଁ। ଭାରତୀୟ ଭୋଟରମାନେ ଭି. ପି. ସିଂହ, ନରସିଂହ ରାଓ, ବାଜପେୟୀ ଓ ମନମୋହନ ସିଂହଙ୍କ ଭଳି ପ୍ରାଜ୍ଞ ଓ ଅଭିଜ୍ଞ ନେତାଙ୍କ ନେତୃତ୍ଵ ପ୍ରତି ଯେତେ ମାତ୍ରାରେ ଆସ୍ଥା ପ୍ରକଟ କରି ନଥିଲେ, ତା ଠାରୁ ବହୁ ଅଧିକ ଆଶା ଓ ଆସ୍ଥା ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵ ପ୍ରତି ପ୍ରଦର୍ଶନ କରିଥିଲେ।

ଭାରତ ହେଉଛି ବିଶ୍ଵର ବିଶାଳତମ ସଫଳ ଗଣତନ୍ତ୍ର। ବିବିଧତା ମଧ୍ୟରେ ଏକତା ଏହାର ଚରିତ୍ର। ଭାଷା, ଭୂଗୋଳ, ଖାଦ୍ୟ, ପୋଷାକ, ପୂଜା, ପାର୍ବଣ, ପରମ୍ପରା ଓ ଧର୍ମରେ ନାହିଁ ନ ଥିବା ବିବିଧତା ସତ୍ତ୍ଵେ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଭାରତୀୟ ଗଣତନ୍ତ୍ରର ସଫଳତାକୁ ନେଇ ଦେଶ ଭିତରେ ଓ ବାହାରେ ଉପୁଜିଥିବା ସମସ୍ତ ଆଶଙ୍କାକୁ ଅମୂଳକ ସିଦ୍ଧ କରି ଭାରତ ଚଳିତବର୍ଷ ନିଜ ସ୍ଵର୍ଣ୍ଣିମ ସ୍ଵାଧୀନତାର ପ୍ଲାଟିନମ ଜୁବିଲି ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଧନ୍ୟବାଦର ପାତ୍ର । ପ୍ରତ୍ୟେକ ଆବାସୀ ଓ ପ୍ରବାସୀ ଭାରତୀୟଙ୍କ ପାଇଁ ଏହି ଘଟଣା ନିଜ ଜୀବଦ୍ଦଶାରେ ଏକ ବିରଳ ଗୌରବମୟ ଉପଲବ୍ଧି।

୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵର ଅକଳ୍ପନୀୟ ସଫଳତା ହାସଲ ଓ ତା'ର ଠିକ୍ ପାଞ୍ଚବର୍ଷ ପରେ, ୨୦୧୯ରେ ଆହୁରି ଅଧିକ ଆସନ ସହ ଉକ୍ତ ସଫଳତା ପୁନଃ ପ୍ରତିପାଦିତ ହେଲା ଯାହା ନେହରୁଙ୍କ ନିର୍ବାଚନୀ ସଫଳତା ସହ ତୁଳନୀୟ। ମୋଦି କ୍ରମାଗତ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେଲେ। ବିଶ୍ଵବ୍ୟାପୀ ଚର୍ଚ୍ଚା ହେଲା। ଯେଉଁ ମୋଦିଙ୍କ ପାଇଁ ଆମେରିକା ପ୍ରବେଶ ନିଷେଧ ଥିଲା, ପ୍ରଧାନମନ୍ତ୍ରୀଭାବେ ଆମେରିକା ଭ୍ରମଣ କରିବାରେ ସିଏ ରେକର୍ଡ଼ କଲେ।

ତେବେ ପ୍ରଶ୍ନ ହେଉଛି ୨୦୧୪ରେ ମୋଦି ହାସଲ କରିଥିବା ନିର୍ବାଚନୀ ସଫଳତାର ପ୍ରକୃତ କାରଣ କ’ଣ, ଯାହା ନିର୍ବାଚନ ବିଶେଷଜ୍ଞ ଓ ଭାଷ୍ୟକାରମାନଙ୍କୁ ମଧ୍ୟ ଆଚମ୍ବିତ କରିଥିଲା? ଓଡ଼ିଆରେ କଥାଟିଏ ଅଛି 'କହି ଜାଣେ ଯିଏ, ପଚା ମାଛ ବିକେ ସିଏ'। ମନମୋହନ ସିଂହ ସିନା ଭାରତୀୟ ଅର୍ଥନୀତିର ଉଦାରିକରଣ କରିଥିଲେ, ମୋଦି କିନ୍ତୁ ସୁନେଲି ସ୍ୱପ୍ନର ଜାତୀୟକରଣ କରିବାରେ ଚତୁରତମ ରାଜନେତାର ମାନ୍ୟତା ପାଇଲେ।

୨୦୧୪ ସାଧାରଣ ନିର୍ବାଚନ ବେଳେ କ୍ରମାଗତ ଦ୍ଵିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦରେ ଆସୀନ ମନମୋହନ ସିଂହ ୟୁପିଏ ସରକାରର ନେତୃତ୍ଵ ନେଉଥିଲେ। ସିଏ ବିଶ୍ଵର ଜଣେ ଶୀର୍ଷ ସ୍ଥାନୀୟ ଅର୍ଥନୀତି ବିଶାରଦ, ଉଚ୍ଚ ଶିକ୍ଷିତ ଓ ମାର୍ଜିତ ରାଜନେତା। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, ଭାରତର ଅର୍ଥ ସଚିବ ଓ ଅର୍ଥମନ୍ତ୍ରୀ ଭାବରେ ଡ.ସିଂହ ଥିଲେ ଯଥେଷ୍ଟ ଅଭିଜ୍ଞ। ସିଏ ମନୋରଞ୍ଜନ କରୁ ନଥିଲେ କିମ୍ବା କୌଣସି ଅପେରା ପ୍ରଯୋଜନା କରୁ ନଥିଲେ। ଭିନ୍ନଭିନ୍ନ ଭାବାଦର୍ଶର ବିଂଶାଧିକ ଦଳ ସମ୍ବଳିତ ଏକ ମିଳିତ ସରକାରର ନେତୃତ୍ୱ ନେଉଥିଲେ। ଯାତ୍ରା ସଂଳାପ କହୁ ନଥିଲେ, ଆତ୍ମପ୍ରଚାର କରୁ ନଥିଲେ କିମ୍ବା ଅବାସ୍ତବ ସ୍ୱପ୍ନର ଜାଲ ପକେଇ ଦେଶବାସୀଙ୍କୁ ଭ୍ରମିତ କରୁ ନଥିଲେ।

'ଦିଲ୍‌ ମାଙ୍ଗେ ମୋର' ମାନସିକତାର ସାଧାରଣ ଜନତାଙ୍କ ପାଇଁ ସପନ ବଣିକ ମୋଦି ବେଶ ଖାପ ଖାଇଲେ। ଭାବପ୍ରବଣତା, ନୈତିକତାବିହୀନ ଶାବ୍ଦିକତା, ଦୃଢଭାବେ ଅବାସ୍ତବ ଆଶ୍ୱାସନା ଓ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନରେ ମୋଦି ପାରଙ୍ଗମ। ନିଜ ପଦ ମର୍ଯ୍ୟାଦାର ଅବମାନନା କରି ସ୍ଵାଧୀନ ଭାରତର ପ୍ରତ୍ୟେକ ସରକାରକୁ ଅସଫଳ, ଅପାରଗ ଓ ଦୁର୍ବଳ ଘୋଷଣା କରି ଭାରତର ସେହି ଆଦ୍ୟ ସ୍ଥପତିମାନଙ୍କ ପ୍ରତି ଲୋକଙ୍କ ମନରେ ଘୃଣା ଓ ବିଦ୍ୱେଷ ଭରିବା ଉଦ୍ୟମରେ ମୋଦି ସଫଳ ହେଲେ। 'ଅଚ୍ଛେଦିନ'ର ଦିବାସ୍ୱପ୍ନ ବେଶ ଭଲ ବିକ୍ରି ହେଲା।

ବିଦେଶରେ ଗଚ୍ଛିତ କଳାଧନରୁ ନିଜ ଭାଗ ୧୫ଲକ୍ଷ ଟଙ୍କାର ଲୋଭ, ୪୦/୫୦ ଟଙ୍କା ଦରରେ ପେଟ୍ରୋଲ, ଆୟକର ଉଚ୍ଛେଦ, ବର୍ଷକୁ ଦୁଇ କୋଟି ଚାକିରି, କୃଷକମାନଙ୍କ ଆୟ ଦୁଇଗୁଣ ହେବାର ଘୋଷଣା, ଦେଶର ସ୍ଥାୟୀ ଶତ୍ରୁ ପାକିସ୍ତାନ ପ୍ରସଙ୍ଗରେ 'ଘୁସ୍‌କେ ମାରେଙ୍ଗେ' ଭଳି, ଜଣେ ତେର ବର୍ଷର ଅଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କର ସ୍ନାୟୁଉତ୍ତେଜକ ଭାଷଣରେ ସାଧାରଣ ଜନତା ଭଳିଯିବା ସ୍ଵାଭାବିକ।

ଲୋକେ ଭଳିଗଲେ, ଭୋଟଦେଲେ ଓ ୨୦୧୪ରେ ଭାରତର ସାଧାରଣ ନିର୍ବାଚନରେ ଇତିହାସ ସୃଷ୍ଟି ହେଲା। ଦେଶ ସ୍ଵାଧୀନ ହେବା ପୂର୍ବରୁ, ଏପରିକି ସ୍ଵାଧୀନତା ଆନ୍ଦୋଳନରେ ବି ଯେଉଁମାନଙ୍କର ଯୋଗଦାନ ନଥିଲା, ପରନ୍ତୁ ଭାରତର ସମ୍ବିଧାନ ଓ ଜାତୀୟ ପତାକାର ସ୍ୱରୂପକୁ ଯେଉଁମାନେ ପ୍ରତ୍ୟାଖ୍ୟାନ କରୁଥିଲେ, ସେଇ ରକ୍ଷଣଶୀଳ ଧର୍ମୀୟ ସଂପ୍ରଦାୟର ପ୍ରବକ୍ତା ଓ ସମର୍ଥକମାନଙ୍କ ମନରେ ୨୦୧୪ ନିର୍ବାଚନ ଫଳାଫଳ ଉଲ୍ଲାସ ଓ ଜୋଶ୍ ଭରିଦେଲା।

୨୦୧୪ ନିର୍ବାଚନର ପ୍ରଚାର ଓ ଫଳାଫଳ ଥିଲା ଆଶା, ବିଶ୍ୱାସ ସୁଖ, ସମୃଦ୍ଧି ଓ ଦୁର୍ନୀତିମୁକ୍ତ ପ୍ରଶାସନ ସମ୍ବଳିତ ସାମଗ୍ରୀକ ସ୍ୱପ୍ନର ପ୍ରତିବିମ୍ବ। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ପ୍ରତିରକ୍ଷା, ବାଣିଜ୍ୟ, ଟିକସ ବ୍ୟବସ୍ଥା, ଦରଦାମ, ରୋଜଗାର, ସଡ଼କ, ରେଳଯାତ୍ରା, ବିମାନଯାତ୍ରା, ବ୍ୟାଙ୍କ୍‌ ସେବା ଆଦି ପ୍ରାୟ ପ୍ରତି କ୍ଷେତ୍ରରେ ରାତାରାତି ସୁଫଳ ମିଳିବ ବୋଲି ଅଧିକାଂଶ ଲୋକଙ୍କ ମନରେ ବିଶ୍ୱାସ ଜନ୍ମିଲା। ମନମୋହନ ସିଂହଙ୍କ ନିରହଂକାରୀ ଓ ମାର୍ଜିତ ପ୍ରଚାର ମୋଦିଙ୍କ ଦ୍ଵାରା ପରିଚାଳିତ ଆକ୍ରମଣାତ୍ମକ ପ୍ରଚାର ତୁଳନାରେ ଫିକା ପଡିଗଲା।

ସେଇ ସମୟରେ ଟୁ-ଜି ସ୍ପେକ୍ଟ୍ରମ ଦୁର୍ନୀତି ସଂକ୍ରାନ୍ତୀୟ ରିପୋର୍ଟ ପ୍ରକାଶ ପାଇଥାଏ(ଯାହା ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ଏବେ ପ୍ରମାଣିତ ହୋଇଛି)। ନେହରୁଙ୍କ ଠାରୁ ଆରମ୍ଭ କରି ଇନ୍ଦିରା ଓ ରାଜୀବ ସମେତ ଗାନ୍ଧୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଅତ୍ୟନ୍ତ ଅରୁଚିକର ଭାଷାରେ ଗାଳିମନ୍ଦ କରି ଭୋଟଦାତାଙ୍କୁ ପ୍ରଭାବିତ କରାଗଲା। ଡିଜିଟାଲ୍‌ ପ୍ଲାଟ୍‌ଫର୍ମ, ସୋସିଆଲ ମେଡିଆ, ଟିଭି ଓ ଖବରକାଗଜ ଜରିଆରେ ବିପୁଳ ଅର୍ଥ ବ୍ୟୟ କରି ବିଜେପି ଦ୍ଵାରା ଯେଉଁଭଳି ପ୍ରଚାର କରାଗଲା, ତାହା ଥିଲା ଅଶ୍ରୁତପୂର୍ବ ଓ ଅଚିନ୍ତନୀୟ।

ସେ ଯାହା ହେଉ, ଲୋକେ ବିଶ୍ୱାସ କଲେ, ଭୋଟ ଦେଲେ ଓ ମୋଦି ଜିତିଲେ। ଉଲ୍ଲାସ ଓ ଉଦ୍ଦୀପନାରେ ଚତୁର୍ଦିଗ ପ୍ରକମ୍ପିତ ହେଲା। ଗୋଟେ ନୂଆ ଯୁଗର ଆରମ୍ଭ ହେଲା ବୋଲି ଧାରଣା ସୃଷ୍ଟି ହେଲା। ମୋଦିଙ୍କ ଯାଦୁରେ ଲୋକେ ଏପରି ମୋହିତ ହେଇଗଲେ ଯେ ଦେଶ ୨୦୧୪ରେ ହିଁ ପ୍ରକୃତ ସ୍ଵାଧୀନତା ପାଇଲା ବୋଲି କହିବାକୁ ପଛେଇଲେନି। ମୋଦିଙ୍କ ପ୍ରତି କିଛି ଲୋକ ଏଭଳି ଆନୁଗତ୍ୟ ପ୍ରଦର୍ଶନ କଲେ ଯେ, ଯଦି କେହି ତାଙ୍କ ସରକାର ବିରୋଧରେ କିଛି ଅଭିଯୋଗ ବା ସରକାରକୁ ସମାଲୋଚନା କଲେ, ସରକାରଙ୍କ ଜବାବ ବା ପ୍ରତିକ୍ରିୟା ପୂର୍ବରୁ ଏହି ଅନୁଗତ ଗୋଷ୍ଠୀଟି ଅଭିଯୋଗକାରୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ।

ମୋଦି ଏସବୁ ଜାଣୁଥିଲେ ବି ନିରବ ରହୁଥିଲେ। ଏମିତି ଅନ୍ଧ ଭଳି ସମର୍ଥନ ଆଉ କୌଣସି ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଭଳି ମନେ ହୁଏନା। ଏମିତି କି ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ନୁହେଁ।

ଏବେ ଏହି ଯାଦୁଗର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତା ଉପରେ ନଜର ପକେଇବା। ତାଙ୍କର ଯେଉଁସବୁ ପ୍ରମୁଖ ପଦକ୍ଷେପ ଗଣମାଧ୍ୟମରେ ବେଶ ଆଲୋଚିତ ହୋଇଛି, ଦେଖିବା ସେଗୁଡିକ ଶାସନ ବ୍ୟବସ୍ଥାକୁ ଲୋକାଭିମୁଖି କରି ସାଧାରଣ ଜନତାଙ୍କର କେତେ ହିତ ସାଧନ କରିଛି।

ଦୀର୍ଘ ସାତ ଦଶନ୍ଧି ଧରି ଭାରତର ଭିତ୍ତିଭୂମି ବିକାଶ ପାଇଁ ଦୀର୍ଘସୂତ୍ରୀ ଯୋଜନା କରୁଥିବା 'ଯୋଜନା ଆୟୋଗ'(planning commission)କୁ ବଦଳେଇ 'ନିତି ଆୟୋଗ' କରି ଦିଆଗଲା। ପାର୍ଲାମେଣ୍ଟ୍‌ରେ ସାଧାରଣ ବଜେଟ୍‌ ଉପସ୍ଥାପନ ତାରିଖ ଫେବୃଆରି ୨୮ ପରିବର୍ତ୍ତେ ଫେବୃଆରି ୧ ତାରିଖ କରାଗଲା। ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହେଉଥିବା ରେଲ୍‌ୱେ ବଜେଟ୍‌କୁ ସାଧାରଣ ବଜେଟ୍‌ ସହ ମିଶେଇ ଦିଆଗଲା। ସରକାରୀ ଯୋଜନାଗୁଡିକର ନାଁ ବଦଳେଇ ଦିଆଗଲା। 'ନିର୍ମଳ ଭାରତ ଅଭିଯାନ' ହୋଇଗଲା 'ସ୍ୱଚ୍ଛ ଭାରତ ଅଭିଯାନ', 'ଜାତୀୟ ଉତ୍ପାଦନ ଯୋଜନା'(National manufacturing policy)ର ନାଁ ହେଲା 'ମେକ୍ ଇନ୍ ଇଣ୍ଡିଆ'। ଏ ତାଲିକା ଖୁବ୍ ଲମ୍ବା।

ସ୍ଥାନଗୁଡିକର ନାଁ ମଧ୍ୟ ବଦଳେଇ ଦିଆଗଲା। ଆହ୍ଲାବାଦ ହେଇଗଲା ପ୍ରୟାଗରାଜ, ଫୈଜାବାଦ ହୋଇଗଲା ଅଯୋଧ୍ୟା। ଜାତୀୟ ପୁରସ୍କାରଗୁଡିକର ନାମ ପରିବର୍ତ୍ତନ କରାଗଲା। 'ରାଜୀବ ଗାନ୍ଧୀ ଖେଳରତ୍ନ' ପୁରସ୍କାର ହୋଇଗଲା 'ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର'। ଷ୍ଟାଡିୟମର ନାଁ ମଧ୍ୟ ବଦଳାଗଲା। ଗୁଜରାଟର ମୋଟେରା ଷ୍ଟାଡିୟମ ହୋଇଗଲା ନରେନ୍ଦ୍ର ମୋଦି ଷ୍ଟାଡିୟମ। ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସସ୍ଥାନର ନାଁ 'ରେସ୍ କୋର୍ସ ରୋଡ୍‌'କୁ ପରିବର୍ତ୍ତନ କରି 'ଲୋକ କଲ୍ୟାଣ ମାର୍ଗ' କରିଦିଆଗଲ।

ଏ ସବୁ ନାମ ପରିବର୍ତ୍ତନରୁ କ’ଣ ମିଳିଲା ଜନତାଙ୍କୁ? ଦରଦାମ ନିୟନ୍ତ୍ରଣ ଓ ନୂତନ ନିଯୁକ୍ତି ପ୍ରଦାନ ବଦଳରେ ଗୋଟେ ବେଶ ଶକ୍ତିଶାଳୀ ସରକାର ଏଇଭଳି ଆଖିଝଲସା ଓ ଲୋକଦେଖାଣିଆ ଫମ୍ପା କାର୍ଯ୍ୟଗୁଡିକୁ ଆଗ୍ରାଧିକାର ଦେବା ୨୦୧୪ ମସିହାର ଐତିହାସିକ ଜନାଦେଶର ଅମର୍ଯ୍ୟାଦା ନୁହେଁ କି?

୨୦୧୬ ନଭେମ୍ବର ୮ ତାରିଖ ରାତିରେ ଘୋଷିତ ବିମୁଦ୍ରିକରଣର ଭୟ ଓ ପରାଭବ କାହାରି ମନରୁ ଯାଇ ନଥିବ। ରାତି ୮ଟାରେ ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କଲେ ଯେ ରାତି ୧୨ଟାରୁ ୫୦୦/୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ। ରାତିଟାରେ ମାତ୍ର ୪ ଘଣ୍ଟାରେ ଏଡ଼େ ବଡ ଦେଶ କିପରି ପ୍ରସ୍ତୁତ ହେଇପାରିବ ବୋଲି ପ୍ରଧାନମନ୍ତ୍ରୀ ଭାବିଥିଲେ କି? ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଲେ। ନୂଆ ନୋଟ ଛପା ହେଲା। ଏଟିଏମ ମେସିନ୍ ଗୁଡିକୁ ନୂଆ ନୋଟର ଆକାର ଅନୁସାରେ ପ୍ରସ୍ତୁତ କରାଗଲା। ହେଲେ ମିଳିଲା କ’ଣ? ଗୋଟେ ସ୍ଥିର ଓ ପ୍ରଗତିଶୀଳ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦିଆଗଲା।

କଥା ଥିଲା ବିଦେଶରୁ କଳାଧନ ଫେରେଇ ଆଣିବେ। ହେଲେ ଦେଶକୁ କାଙ୍ଗାଳ କରିଦେଲେ। ବିମୁଦ୍ରିକରଣ ପାଇଁ ସପ୍ତାହେ ସମୟ ଦେଇଥିଲେ କ’ଣ ଅସୁବିଧା ହୋଇଥାନ୍ତା ?ଘୋଷଣା ପରେ ସମସ୍ତ ନେଣଦେଣ ଓ ବ୍ୟାଙ୍କିଙ୍ଗ କାରବାର ଯାଞ୍ଚ କରାଯାଇ ସନ୍ଦେହାସ୍ସଦ ଅର୍ଥ କାରବାରକୁ ଧରି ହେଇଥାନ୍ତା। ରିଜର୍ଭ ବ୍ୟାଙ୍କ୍‌ ସମେତ ଦେଶର ସଂପୂର୍ଣ୍ଣ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସରକାରଙ୍କ ନିୟନ୍ତ୍ରଣାଧୀନ। ତଥାପି ନିରୀହ ଲୋକଙ୍କୁ ହରକତ କରାଗଲା।

ସେଇଭଳି କରୋନା ଆରମ୍ଭ ସମୟରେ ମଧ୍ୟ ଠିକ୍ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନିଜେ ଅଚାନକ ଘୋଷଣା କଲେ ଯେ ରାତି ୧୨ଟାରୁ ସାରା ଦେଶରେ ଲକ୍‌ଡ଼ାଉନ। ଗାଡି ମଟର, ସହର ବଜାର, କଳ କାରଖାନା, ସ୍କୁଲ କଲେଜ ଆଦି ସବୁ ବନ୍ଦ। ଇଏ କିଭଳି ଘୋଷଣା। ଆନୁଷଙ୍ଗିକ ଆୟୋଜନ ନାହିଁ। ମୂଲିଆ ମଜଦୁର କେଉଁଠି ରହିବେ, କୁଆଡେ ଯିବେ, କ’ଣ ଖାଇବେ କିଛି ବିଚାର ନାହିଁ। ପ୍ରସ୍ତୁତି ପାଇଁ ସେମାନଙ୍କୁ ଦିନଟିଏ ବି ସମୟ ଦିଆଗଲା ନାହିଁ। ଦେଶରେ ହାହାକାର ପଡ଼ିଗଲା। ପ୍ରବାସୀ ଶ୍ରମିକମାନଙ୍କର ସେ ହୃଦୟ ବିଦାରକ ପାଦଚଲା ଦୃଶ୍ୟ ମନେପଡିଲେ ଏବେ ବି ଦେହ ଶୀତେଇ ଉଠୁଛି।

ଦେଶକୁ ଚମକେଇ ଦେଲା ଭଳି ଘୋଷଣା କରିବା ମୋଦିଙ୍କ ପସନ୍ଦ। ବିମୁଦ୍ରିକରଣ ହେଉ ବା ସାରା ଦେଶ ଲକ୍‌ଡାଉନ୍‌, ନ୍ୟୁନତମ ପ୍ରସ୍ତୁତି ବିନା ଅଚାନକ ଘୋଷଣା କରି ଦେଶବାସୀଙ୍କୁ ଝଟକା ଦେବାରେ ତାଙ୍କର ଆନନ୍ଦ। ଅନର୍ଗଳ ଶ୍ରୁତିମଧୁର ଭାଷଣ ଦେବାରେ ପ୍ରସିଦ୍ଧ ମୋଦି କିନ୍ତୁ ଅତ୍ୟନ୍ତ ଗୁରୁତର ପ୍ରସଙ୍ଗରେ ଅବିଶ୍ୱସନୀୟ ନିରବତା ଅବଲମ୍ବନ କରନ୍ତି।

ଗଲୱନ ଘାଟିରେ ଚୀନ୍‌ର ଆକ୍ରମଣ, ଅରୁଣାଚଳ ପ୍ରଦେଶରେ ଚୀନ୍‌ ଦ୍ଵାରା ଭିତ୍ତିଭୂମି ନିର୍ମାଣ, କୃଷକ ଆନ୍ଦୋଳନ, ଦିଲ୍ଲୀ ଦଙ୍ଗା, ବ୍ୟାଙ୍କ ଠକେଇ କରି ନୀରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ବିଦେଶ ପଳାୟନ, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଜିଡିପି ହ୍ରାସ, ଉତ୍ପାଦନ ଓ ଆମଦାନୀ ହ୍ରାସ ଆଦି କୌଣସିଟି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସିଏ ବିଶେଷ ମୁହଁ ଖୋଲନ୍ତିନି। ପେଗାସସ୍‌ ମାମଲା ହେଉ କିମ୍ବା ଲକ୍ଷ୍ମୀପୁର ଖେରଠାରେ ଆନ୍ଦୋଳନରତ କୃଷକମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଦ୍ଵାରା ଗାଡି ଚଢେଇଦେବା ଘଟଣା ହେଉ, ମୋଦି ନିରବ। ଅଥଚ ଷ୍ଟାଚ୍ୟୁ ସ୍ଥାପନରେ ସିଏ ମାତ୍ରାତିରିକ୍ତ ତତ୍ପରତା ପ୍ରଦର୍ଶନ କରନ୍ତି। ପଟେଲଙ୍କ ଷ୍ଟାଚ୍ୟୁ ହେଉ ଅଥବା ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି, ମୋଦି ସବୁଠୁ ଆଗରେ।

ହଜାର ହଜାର କୃଷକ ବର୍ଷାଧିକ କାଳ ଦିଲ୍ଲୀ ସୀମାନ୍ତରେ ଧାରଣାରେ ବସିଥିଲେ ବି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବା ଦୂରେ ଥାଉ, ସେମାନଙ୍କ ସମସ୍ୟା ବିଷୟରେ ପଦେ ପ୍ରତିକ୍ରିୟା ରଖିଲେନି। କିନ୍ତୁ ସାମ୍ବାଦିକଙ୍କ ସହ କେଦାରନାଥ ମନ୍ଦିର ଭ୍ରମଣ, ସେଠାରେ ଯୋଗ ସାଧନ ଓ ଶଙ୍କରାଚାର୍ଯ୍ୟଙ୍କ ପୀଠରେ ପଦାର୍ପଣ ବେଶ ଆଡମ୍ବର ସହ କରନ୍ତି। ୧୩ ବର୍ଷ ମୁଖ୍ୟମନ୍ତ୍ରୀ ଓ ଆଠବର୍ଷ ପ୍ରଧାନମନ୍ତ୍ରୀ ରହି ମଧ୍ୟ ନିର୍ବାଚନ ପ୍ରଚାରରେ ତାଙ୍କ ଆଗ୍ରହ ଓ ଅଗ୍ରାଧିକାର ସର୍ବଜନବିଦିତ।

କରୋନାର ଦ୍ୱିତୀୟ ଲହର ସମୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୋଦିଙ୍କ ପ୍ରଚାର ଆକ୍ରମଣ ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। କଂଗ୍ରେସ ଦଳ ହେଉ ବା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ, ସେମାନଙ୍କ ପ୍ରତି ଶାଣିତ ଶବ୍ଦାକ୍ରମଣରେ ମୋଦି ଉଲ୍ଲସିତ ଓ ଶତଜିହ୍ଵ ହୋଇ ଉଠନ୍ତି।

ଆଉ ଦିନ କେଇଟାରେ ପ୍ରଧାନମନ୍ତ୍ରୀଭାବେ ମୋଦି ଆଠବର୍ଷ ପୂରଣ କରିବେ। ୨୦୧୪ରୁ ଆରମ୍ଭ ଏହି ଐତିହାସିକ ଅଧ୍ୟାୟକୁ ବିଶ୍ଳେଷଣ କଲେ ତାଙ୍କ ପ୍ରାଥମିକତାକୁ ନେଇ ବୁଦ୍ଧି ବାଟବଣା ହୁଏ। ବିମୁଦ୍ରିକରଣଜନିତ ଯନ୍ତ୍ରଣା, ଲକ୍‌ଡାଉନ୍‌ ଯୋଗୁଁ ଶ୍ରମିକମାନଙ୍କ ଅପ୍ରତ୍ୟାଶିତ ଅସହାୟତା, ବର୍ଷେ ବ୍ୟାପୀ ଆନ୍ଦୋଳନରେ ସାତ ଶହ କୃଷକଙ୍କ ମୃତ୍ୟୁ, ପାର୍ଲାମେଣ୍ଟ ଭିତରେ ଓ ବାହାରେ ମହାତ୍ମା ଗାନ୍ଧୀଙ୍କ ଅସମ୍ମାନ ସହ ତାଙ୍କ ହତ୍ୟାକାରୀର ଗୁଣଗାନ ଭଳି ଘଟଣାରେ ସିଏ ବିବ୍ରତ ଓ ବିଚଳିତ ହେଲା ପରି ଲାଗନ୍ତିନି। ଅଥଚ ନିଜ ଶାବ୍ଦିକ ଆତସବାଜିରେ ନିଜକୁ କେତେବେଳେ ଦେଶର ପ୍ରଧାନ ସେବକ ବୋଲି ବର୍ଣ୍ଣନା କରନ୍ତି, ତ ଆଉ କେତେବେଳେ ନିଜେ ଦେଶର ଚୌକିଦାର ସାଜନ୍ତି।

ସର୍ବଦାଲୋକଙ୍କୁ ମୋହିତ ଓ ପ୍ରତିପକ୍ଷକୁ ପରାସ୍ତ କରିବାର ଉପାୟ ପାଞ୍ଚୁଥା'ନ୍ତି। ନିଜେ କହିଥିବା କୌଣସି ଗୋଟିଏ ବି ଜନମଙ୍ଗଳ ଯୋଜନାର ସଫଳ ରୂପାୟନ ତାଙ୍କ ଦ୍ଵାରା ହୋଇନାହିଁ। କୃଷି, ଶିଳ୍ପ, ଦରଦାମ ନିୟନ୍ତ୍ରଣ, ନିଯୁକ୍ତି, କଳାଧନ, ଦୁର୍ନୀତି, ରାଜନୀତିର ଅପରାଧିକରଣ, ଆଇନକାନୁନ ସ୍ଥିତି, ଆଭ୍ୟନ୍ତରୀଣ ଶାନ୍ତି ପ୍ରତିଷ୍ଠା ଭଳି ବହୁ ପ୍ରସଙ୍ଗରେ ପୂର୍ବବର୍ତ୍ତୀ ସରକାରଠାରୁ ତାଙ୍କ ସରକାରର ଉପଲବ୍ଧି ଓ ଅବଦାନ ନୈରାଶ୍ୟଜନକ। ବିଦେଶ ନୀତି ଓ ପଡୋଶୀ ରାଷ୍ଟ୍ରମାନଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ମଧ୍ୟ ଉଲ୍ଲେଖଯୋଗ୍ୟ କିଛି ନାହିଁ।

ହୁଏତ ନିଜେ ଜଣେ ଅନନ୍ୟ ଜନନାୟକ ବୋଲି ପ୍ରମାଣିତ କରିବା ସହ ନିଜର ବ୍ରାଣ୍ଡ୍‌ ଭାଲ୍ୟୁରେ ବୄଦ୍ଧି ଘଟାଇବା ହିଁ ତାଙ୍କର ଅଗ୍ରାଧିକାର ଓ ପ୍ରାଥମିକତା ବୋଲି ଭାବିବାକୁ ହେବ। ଏଥିପାଇଁ ଭାବପ୍ରବଣତା ଓ ରାଷ୍ଟ୍ରପ୍ରେମର ଅତିରଞ୍ଜନ ହିଁ ତାଙ୍କର ବ୍ରହ୍ମାସ୍ତ୍ର।