Advertisment

Cricket World Cup 2023: ଗାଭାସ୍କରଙ୍କ ଉଲ୍ଲେଖନୀୟ କ୍ୟାରିଅର୍‌ର ଅଲୋଡ଼ା କୀର୍ତ୍ତି

୧୭୪ ବଲ୍‌ରେ ଅପରାଜିତ ୩୬ ରନ୍‌, ତାହା ପୁଣି ଦିିନିକିଆ କ୍ରିକେଟ୍ ବିଶ୍ୱକପ୍‌ରେ। ଆଜିର ଆକ୍ରମଣାତ୍ମକ କ୍ରିକେଟ୍‌ରେ ନୂଆ ପିଢ଼ି ପାଇଁ ଏହା ବିଶ୍ୱାସଯୋଗ୍ୟ ନ ହେଲେ ବି କଥାଟି ସତ। ବିଶ୍ୱକପ୍ ଇତିହାସର ଏହା ସବୁଠାରୁ ଧୀମା ଇନିଂସ୍। କିମ୍ବଦନ୍ତୀ ବ୍ୟାଟର୍ ସୁନୀଲ ଗାଭାସ୍କରଙ୍କ ଉଲ୍ଲେଖନୀୟ କ୍ୟାରିଅର୍ ସହ ଯୋଡ଼ି ହୋଇରହିଛି ଏହି ଅଲୋଡ଼ା କୀର୍ତ୍ତି।

author-image
Biswajit Mohanty
ଅଦ୍ୟତନ ହୋଇଛି
The highlight of Gavaskar's remarkable career

The highlight of Gavaskar's remarkable career

୧୭୪ ବଲ୍‌ରେ ଅପରାଜିତ ୩୬ ରନ୍‌, ତାହା ପୁଣି ଦିନିକିଆ କ୍ରିକେଟ୍ ବିଶ୍ୱକପ୍‌ରେ। ଆଜିର ଆକ୍ରମଣାତ୍ମକ କ୍ରିକେଟ୍‌ରେ ନୂଆ ପିଢ଼ି ପାଇଁ ଏହା ବିଶ୍ୱାସଯୋଗ୍ୟ ନୁହେଁ। ଯେଉଁଠି ଯୁବରାଜ ସିଂହଙ୍କ ଭଳି ବ୍ୟାଟର୍ ଏକଦା (୨୦୦୭ ଟି-୨୦ ବିଶ୍ୱକପ୍‌ରେ) ୬ ବଲ୍‌ରେ ୩୬ ରନ୍ କରିଥିଲେ, ସେଠାରେ କେମିତି ବା ବିଶ୍ୱାସ କରାଯିବ ଯେ ଜଣେ ୩୬ ରନ୍ ପାଇଁ ଏତେ ବଲ୍‌ର ସାମ୍ନା କରିଥିଲେ।

Advertisment

ବିଶ୍ୱାସ ନ ହେଲେ ବି କଥାଟି ସତ। ବିଶ୍ୱକପ୍ ଇତିହାସର ଏହା ସବୁଠାରୁ ଧୀମା ଇନିଂସ୍। ଆଜକୁ ୪୮ ବର୍ଷ ପୂର୍ବେ ଏହି ଇନିଂସ୍ ଖେଳିଥିଲେ କ୍ରିକେଟ୍ ଜଗତର ବଡ଼ ନାଁ ଭାରତର ସୁନୀଲ ଗାଭାସ୍କର । ଏହି କିମ୍ବଦନ୍ତୀ ବ୍ୟାଟର୍‌ଙ୍କ ଉଲ୍ଲେଖନୀୟ କ୍ୟାରିଅର୍‌ର ଏହା ଥିଲା ଏକ ଅଲୋଡ଼ା କୀର୍ତ୍ତି। ଏହି ଇନିଂସ୍ ପାଇଁ ତାଙ୍କୁ ଅନେକ ନିନ୍ଦା ଶୁଣିବାକୁ ପଡ଼ିଥିଲା। ସ୍ପଷ୍ଟୀକରଣ ବି ଦେବାକୁ ପଡ଼ିଥିଲା।

୧୯୭୫ ଜୁନ୍‌ରେ ଇଂଲଣ୍ଡ ଠାରେ ଆୟୋଜିତ ହୋଇଥିଲା ପ୍ରଥମ ଦିନିକିଆ ବିଶ୍ୱକପ୍। ସ୍ପିନର୍ ଭେଙ୍କଟ ରାଘବନ୍‌ଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ବି ଏଥିରେ ଭାଗ ନେଇଥିଲା। ଗାଭାସ୍କର ଥିଲେ ଟିମ୍‌ର ଉପ-ଅଧିନାୟକ।

Advertisment

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିଲା। ଜୁନ୍ ୭ରେ ଲର୍ଡ୍ସ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ମ୍ୟାଚ୍ ଦେଖିବାକୁ ଯାଇଥିବା ଭାରତୀୟ ପ୍ରଶଂସକମାନଙ୍କୁ ବହୁତ ନିରାଶ ହେବାକୁ ପଡ଼ିଥିଲା। ଖେଳ ଆଗକୁ ବଢ଼ିବା ସହିତ ପିଚ୍ ଧୀମା ହୋଇଚାଲିଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଟିମ୍ ଧାର୍ଯ୍ୟ ୬୦ ଓଭର୍‌ରେ ୪ ୱିକେଟ୍ ହରାଇ ୩୩୪ ରନ୍ ସଂଗ୍ରହ କରିଥିଲା। ଯେତେବେଳେ ଭାରତୀୟ ଟିମ୍ ବ୍ୟାଟିଂ ଆରମ୍ଭ କଲା, ସେତେବେଳେ ଜିଓଫ୍ ଆର୍ନୋଲ୍ଡଙ୍କ ଦ୍ୱିତୀୟ ବଲ୍‌ରେହିଁ କଟ୍ କରିବାକୁ ପ୍ରୟାସ କରିଥିଲେ ଗାଭାସ୍କର। ବଲ୍ ତାଙ୍କ ବ୍ୟାଟ୍‌କୁ ଛୁଇଁକି ଯାଇଥିଲା। କିନ୍ତୁ ଇଂଲଣ୍ଡର କୌଣସି ଖେଳାଳି କ୍ୟାଚ୍ ଆଉଟ୍‌ର ଅପିଲ୍ କରି ନ ଥିଲେ।

ଗାଭାସ୍କର ଚାହିଁଥିଲେ ପାଭିଲିଅନ୍ ଫେରି ସଚ୍ଚୋଟପଣିଆର ପରିଚୟ ଦେଇପାରିଥା’ନ୍ତେ, କିନ୍ତୁ ସେ ପିଚ୍ ଛାଡ଼ି ନ ଥିଲେ। ଏହାପରେ ଯାହା ଘଟିଲା, ତାହା ଥିଲା ତାଙ୍କ ପାଇଁ ଯନ୍ତ୍ରଣାଦାୟକ।

ଗାଭାସ୍କର ଏକ କ୍ରସ୍ ବ୍ୟାଟେଡ୍ ସଟ୍ ଲଗାଇଥିଲେ। ଏହାପରେ ତାଙ୍କ ବ୍ୟାଟ୍‌ରୁ ରନ୍ ବାହାରିବା ବନ୍ଦ ହୋଇଗଲା। ଇଂଲଣ୍ଡର ବୋଲର୍‌ମାନେ ପେସାଦାର ବୋଲିଂ କରୁଥିଲେ ଏବଂ ତାଙ୍କୁ ରନ୍ ନେବା ପାଇଁ କୌଣସି ସୁଯୋଗ ଦେଉ ନ ଥିଲେ। ଗାଭାସ୍କର ଯେଉଁ ସଟ୍ ମାରୁଥିଲେ, ତାହା ସିଧା ଫିଲ୍ଡର୍‌ଙ୍କ ହାତକୁ ଯାଉଥିଲା। ଏହି ସମୟରେ ଦର୍ଶକମାନେ ତାଙ୍କ ଧୀମା ବ୍ୟାଟିଂରେ ଅସନ୍ତୁଷ୍ଟ ହୋଇ ବିଅର୍‌ର କେନ୍ ବଜାଇବା ଆରମ୍ଭ କରିଦେଇଥିଲେ।

ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍ ୩ ୱିକେଟ୍ ହରାଇ ମାତ୍ର ୧୩୨ ରନ୍ କରିବାକୁ ସମର୍ଥ ହୋଇଥିଲା। ଗାଭାସ୍କର ୧୭୪ ବଲ୍ ଖେଳି ୩୬ ରନ୍ କରି ଶେଷ ଯାଏଁ ଅପରାଜିତ ଥିଲେ। ତାଙ୍କ ଇନିଂସ୍‌ରେ ଗୋଟିଏ ଚୌକା ରହିଥିଲା।

ଆଉଟ୍ ହେବାକୁ ଚାହୁଁଥିଲେ ଲିଟିଲ୍ ମାଷ୍ଟର:

୧୯୮୩ ବିଶ୍ୱକପ୍ ଚାମ୍ପିଅନ୍ ଟିମ୍‌ର ସଦସ୍ୟ ତଥା ୧୯୮୪ ଏସିଆ କପ୍ ଚାମ୍ପିଅନ୍ ଟିମ୍‌ର ଅଧିନାୟକ ଗାଭାସ୍କର ଏ ସମ୍ପର୍କରେ ଲେଖିଛନ୍ତି, “ମୁଁ ଟିମ୍ ମ୍ୟାନେଜର୍‌ଙ୍କୁ ପଚାରିଥିଲି ଯେ ମୁଁ କ’ଣ ଜାଣିଶୁଣି ନିଜ ୱିକେଟ୍ ହରାଇବି। ମ୍ୟାନେଜର୍ ମୋତେ କହିଥିଲେ ଯେ ଯଦି ତୁମକୁ ରନ୍ ନେବା ପାଇଁ ଅସୁବିଧା ହେଉଛି, ତା’ହେଲେ ସିଙ୍ଗଲ୍ କିମ୍ବା ୨ ରନ୍ ନେବା ଉପରେ ଧ୍ୟାନ ଦିଅ।”

“ଇଂଲଣ୍ଡ ଆକ୍ରମଣାତ୍ମକ ଫିଲ୍ଡିଂ ସଜାଡ଼ିଥିଲା ଏବଂ ୧-୨ ରନ୍ କରିବା ବି କଷ୍ଟକର ହେଉଥିଲା। ପ୍ରତିଥର ମୁଁ ଭାବୁଥିଲି ଯେ ଏହି ବଲ୍‌ରେ ସଟ୍ ମାରିବି, କିନ୍ତୁ ମୋ ପାଦ ରକ୍ଷାତ୍ମକ ସଟ୍ ଖେଳିବା ମୁଦ୍ରାକୁ ମୋଡ଼ି ହୋଇଯାଉଥିଲା। ଦର୍ଶକଙ୍କ ପାଟି ମୋତେ ବିଚଳିତ କରିଦେଇଥିଲା। ଆମେ ପ୍ରଥମରୁ ଭାବି ନେଇଥିଲୁ ଯେ ଏହି ସ୍କୋର୍‌ର ପିଛା କରିପାରିବୁନି।”

ସନ୍ନି ଆହୁରି ମଧ୍ୟ ଲେଖିଛନ୍ତି, “ଏହା ସମ୍ଭବତଃ ମୋ ଜୀବନର ସବୁଠାରୁ ଖରାପ ଇନିଂସ୍ ଥିଲା। ସେହି ସମୟରେ ମୁଁ ଅନେକ ଥର ଭାବିଥିଲି ଯେ ପୂରା ୱିକେଟ୍ ଛାଡ଼ିଦେବି ଏବଂ ବୋଲ୍ଡ ହୋଇଯିବ। ନିଜ ଯନ୍ତ୍ରଣାରୁ ମୁକୁଳିବା ପାଇଁ ଏହି ବାଟ ମୋତେ ଠିକ୍ ଲାଗୁଥିଲା।”

“ଏହି ସମୟରେ ମୋର ତିନି କ୍ୟାଚ୍ ଛାଡ଼ି ଦିଆଯାଇଥିଲା, ସେଗୁଡ଼ିକ ମଧ୍ୟ ସହଜ କ୍ୟାଚ୍ ଥିଲା। ମୁଁ ଅଦ୍ଭୁତ ଅବସ୍ଥା ଦେଇ ଗତି କରୁଥିଲି। ମୁଁ ନା ରନ୍ କରିପାରୁଥିଲି ନା ଇଚ୍ଛାକରି ଆଉଟ୍ ହୋଇପାରୁଥିଲି।”

ସନ୍ନିଙ୍କୁ ସମାଲୋଚନା:

ଏହି ଇନିଂସ୍ ପରେ ଲୋକେ ଗାଭାସ୍କରଙ୍କୁ ଅନେକ କଥା କହିଥିଲେ। ଏହାଦ୍ୱାରା ତାଙ୍କୁ ଓ ତାଙ୍କ ପ୍ରଶଂସକମାନଙ୍କୁ ଖରାପ ଲାଗିଥିଲା। କେତେକ ଲୋକ ଭାବୁଥିଲେ ଯେ ଗାଭାସ୍କର ଏଭଳି ଖେଳିବାର କାରଣ, ସେ ରାଘବନ୍‌ଙ୍କୁ ଅଧିନାୟକ କରାଯାଇଥିବାରୁ ଅସନ୍ତୁଷ୍ଟ ଥିଲେ। ଇଂଲଣ୍ଡରେ ଏଭଳି ଚର୍ଚ୍ଚା ହୋଇଥିଲା ଯେ ଇଂଲଣ୍ଡ ଟିମ୍‌ର ଖେଳାଳି ଜାଣିଶୁଣି ଗାଭାସ୍କରଙ୍କ କ୍ୟାଚ୍ ଛାଡ଼ୁଥିଲେ, ଯାହାଫଳରେ ଟିମ୍‌ର ବିଜୟ ସୁନିଶ୍ଚିତ ହୋଇଯିବ।

କେହି କେହି ଏଭଳି ଅଭିଯୋଗ କରିବାକୁ ପଛାଇ ନ ଥିଲେ ଯେ ଗାଭାସ୍କର ୬୦ ଓଭର୍ ଯାଏଁ ବ୍ୟାଟିଂ କରିବାର କାରଣ ତାଙ୍କ ଆଭରେଜ୍ ଉନ୍ନତ ହୋଇପାରିବ। ଗାଭାସ୍କର ଏହାର ଉତ୍ତର ଦେଇ କହିଥିଲେ, “ଏହାଠାରୁ ବାଜେ କଥା କିଛି ନ ଥାଇପାରେ। ତା’ଛଡ଼ା ମୁଁ ଏକା ୬୦ ଓଭର୍ ଖେଳି ନ ଥିଲି। ବିଶ୍ୱନାଥଙ୍କୁ ଛାଡ଼ିଦେଲେ, କୌଣସି ଭାରତୀୟ ଖେଳାଳି ପରିସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରି ନ ଥିଲେ।”

ମଗାଯାଇଥିଲା ସ୍ପଷ୍ଟୀକରଣ:

ମ୍ୟାଚ୍ ପରେ ତତ୍କାଳୀନ ଭାରତୀୟ ଟିମ୍ ମ୍ୟାନେଜର୍ ଗୁଲାବରାୟ ରାମଚାନ୍ଦ ଏହି ପ୍ରଦର୍ଶନ ପାଇଁ ଗାଭାସ୍କରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ସେତେବେଳେ ଗାଭାସ୍କରଙ୍କୁ ମନେ ହୋଇଥିଲା ଯେ ଟିମ୍ ମ୍ୟାନେଜର୍ ତାଙ୍କ ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ହୋଇଯାଇଛନ୍ତି, କାରଣ ଯେତେବେଳେ ସେ (ରାମଚାନ୍ଦ) ରାଘବାନ୍ ଓ ତାଙ୍କ ସହିତ ପରବର୍ତ୍ତୀ ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ଚୟନ କରିବା ଲାଗି ବସିଲେ, ସେତେବେଳେ ତାଙ୍କ ପୂର୍ବ ଇନିଂସ୍ ବିଷୟରେ ଗୋଟିଏ ଶବ୍ଦ ବି କହି ନ ଥିଲେ। ତେବେ ପରବର୍ତ୍ତୀ ଘଟଣା ପ୍ରମାଣିତ କରିଥିଲା ଯେ ତାଙ୍କର ଏହି ଧାରଣା ଠିକ୍ ନ ଥିଲା।

ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ପୂର୍ବ ଆଫ୍ରିକାକୁ ଭେଟିଥିଲା, ଯିଏ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଦୁର୍ବଳ ଟିମ୍ ଥିଲା। ଭାରତୀୟ ଟିମ୍ ସେହି ମ୍ୟାଚ୍‌କୁ୧୦ ୱିକେଟ୍‌ରେ ସହଜରେ ଜିତିଥିଲା। ସେଥିରେ ଗାଭାସ୍କର ଅପରାଜିତ ୬୫ ରନ୍‌ର ଇନିଂସ୍ ଖେଳିଥିଲେ।

ସେମିଫାଇନାଲ୍‌ରେ ସ୍ଥାନ ପାଇବା ପାଇଁ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ଜିତିବା ଆବଶ୍ୟକ ଥିଲା। କିନ୍ତୁ ଟିମ୍ ସେହି ମ୍ୟାଚ୍ ହାରିଯାଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ସେହି ବିଶ୍ୱକପ୍‌ରେ ଗାଭାସ୍କର ଭାରତ ପକ୍ଷରୁ ସର୍ବାଧିକ ୧୧୩ ରନ୍ କରିଥିଲେ।

ବିଶ୍ୱକପ୍ ପରେ ୟୁରୋପରେ ଛୁଟି କଟାଇ ଗାଭାସ୍କର ଯେତେବେଳେ ଭାରତ ଫେରିଲେ, ସେତେବେଳେ ତାଙ୍କୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ତତ୍କାଳୀନ ସଭାପତି ପିଏମ୍ ରୁଙ୍ଗଟା ଇଂଲଣ୍ଡ ବିପକ୍ଷ ବ୍ୟାଟିଂ ପ୍ରଦର୍ଶନ ପାଇଁ ସ୍ପଷ୍ଟୀକରଣ ମାଗିଥିଲେ।

ଭାରତୀୟ ଟିମ୍ ମ୍ୟାନେଜର୍ ବୋର୍ଡ ସଭାପତିଙ୍କୁ ଦେଇଥିବା ରିପୋର୍ଟରେ ଲେଖିଥିଲେ, “ଗାଭାସ୍କର ଜାଣିଶୁଣି ଟିମ୍‌ର ସ୍ୱାର୍ଥ ବିରୋଧରେ ଧୀମା ଇନିଂସ୍ ଖେଳିଥିଲେ। ଟିମ୍‌ର ଯୁବ ଖେଳାଳିଙ୍କ ମନୋବଳ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଥିଲା। ସେ ଟିମ୍‌ରେ ଉପ-ଅଧିନାୟକର ଭୂମିକା ଠିକ୍‌ରେ ତୁଲାଇ ନ ଥିଲେ ଏବଂ ନିଜକୁ ଟିମ୍‌ର ଅନ୍ୟ ସଦସ୍ୟଙ୍କ ଠାରୁ ଅଲଗା ରଖିଥିଲେ।

ଗାଭାସ୍କର ସେତିକିବେଳେ ଜାଣିବାକୁ ପାଇଥିଲେ ଯେ ସେ ଟିମ୍ ମ୍ୟାନେଜର୍‌ଙ୍କୁ ଯେଉଁ ସଫେଇ ଦେଇଥିଲେ, ତାହା ସନ୍ତୋଷଜନକ ନ ଥିଲା। ସେ ବୋର୍ଡ ସଭାପତିଙ୍କୁ ସ୍ପଷ୍ଟୀକରଣ ଦେଇ ଲେଖିଥିଲେ, “ଟିମ୍‌ର ଅନ୍ୟ ସଦସ୍ୟମାନଙ୍କ ଠାରୁ ଅଲଗା ରହିବା ଓ ସେମାନଙ୍କୁ ପ୍ରୋତ୍ସାହିତ ନ କରିବା - ଏ ଦୁଇଟି କଥାକୁ ଛାଡ଼ିଦେଲେ, ଆପଣ ମୋ ବିରୋଧରେ ଯେକୌଣସି ଅଭିଯୋଗ କରିପାରିବେ।”

“୧୪ ଜଣିଆ ଭାରତୀୟ ଟିମ୍‌ର ୮ ଜଣ ସଦସ୍ୟଙ୍କୁ ଡକାଯାଉ ଏବଂ ଯଦି ସେମାନେ କୁହନ୍ତି ଯେ ମୁଁ ଟିମ୍‌ର ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରି ନାହିଁ, ତା’ହେଲେ ମୁଁ କ୍ରିକେଟ୍‌ରୁ ଅବସର ନେଇଯିବି।”

ସେ ଜାଣିଶୁଣି ଏଭଳି କରିଛନ୍ତି କହିବା ତାଙ୍କ ପ୍ରତି ଅନ୍ୟାୟ ବୋଲି ଗାଭାସ୍କର ଉଲ୍ଲେଖ କରିବା ସହ ଟିମ୍‌ର ବୋଲର୍‌ମାନଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତାଙ୍କର ଏହି ସ୍ପଷ୍ଟୀକରଣ ବୋର୍ଡ ସଭାପତିଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Cricket World Cup Sunil Gavaskar
Advertisment
Advertisment