ଇତିହାସ ହେଉ ବା ବର୍ତ୍ତମାନ। ପ୍ରତ୍ୟେକ ସମୟରେ ସଂଘର୍ଷ କରିବାକୁ ପଡିଛି। ସେହି ସଂଘର୍ଷ ହିଁ ଜଣେ ନାରୀକୁ ଶକ୍ତ କରି ଗଢି ତୋଳିଛି। ଯୋଉଠି ଗୋଟିଏ ରୁଢିବାଦୀ ପ୍ରାଚୀରଟିଏ ନାରୀର ସାମ୍ନାରେ ବାଟ ଓଗାଳିଛି ସେ ପ୍ରାଚୀରକୁ ଭାଙ୍ଗି ଲଙ୍ଘିଯିବା ନାରୀଟି ପାଇଁ ନିଶ୍ଚୟ ଦୁସାଧ୍ୟ। ମାତ୍ର ଇତିହାସରେ ଏମିତି ଅନେକ ଘଟଣା ଘଟିଛି ଯାହାକି ନାରୀଟିଏ ନିଜର ଆତ୍ମସମ୍ମାନ ଏବଂ ସ୍ୱାଭିମାନ ପାଇଁ ନିଜକୁ ସୁଦୃଢ କରି ଛିଡା ହେବାର ସାହସ ଦେଖେଇଛି।
ଫାତିମା ବେଗମ ନା’ଟି ଅନେକଙ୍କୁ ଅପରିଚିତ ଲାଗିପାରେ, କାରଣ ଏ ନା’ଟି ସହ ପରିଚିତ କରେଇବା ପାଇଁ ଇତିହାସ କେବେ ପ୍ରୟାସ କରି ନାହିଁ। ସଫଳତାର ଶିଖରକୁ ଛୁଇଁପାରିଥିବା ଏହି ମହିଳାଙ୍କ ବାବଦରେ ଜଣେଇବା ପାଇଁ ତତ୍କାଳିକ ସମାଜ ଇଚ୍ଛାପ୍ରକାଶ କରି ନଥିବ। କିନ୍ତୁ କସ୍ତୁରୀର ବାସ୍ନାକୁ କ’ଣ କେହି ଲୁଚେଇ ରଖିପାରିବ? ଆମେ ଯାହାଙ୍କ କଥା ଆଲୋଚନା କରୁଛୁ ସେ ହେଲେ ଭାରତର ମନୋରଞ୍ଜନ ଶିଳ୍ପ ଜଗତରେ ପାଦ ଥାପିଥିବା ପ୍ରଥମ ମହିଳା ଫାତିମା ବେଗମ।
ଅଧିକ ପଢ଼ନ୍ତୁ: ସୋନାଲି ବେନ୍ଦ୍ରେଙ୍କ ସଂଘର୍ଷର କାହାଣୀ: ଘର ଭଡା ପାଇଁ ବି ନଥିଲା ଟଙ୍କା
ଜନ୍ମ ଓ ବିବାହ-ବିଚ୍ଛେଦ:
Also Read
୧୮୯୨ ବ୍ରିଟିଶ ଭାରତରେ ଫାତିମା ବେଗମ ଗୋଟିଏ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଟି ଦିନୁ ଖୁବ୍ ସୌଖିନ୍ ଥିଲେ ନୃତ୍ୟ ସଂଗୀତ ଅଭିନୟ ପ୍ରତି ଆକୃଷ୍ଟ ଥିଲେ ମଧ୍ୟ କେବେ ଅଭିନୟ ପାଇଁ ମୁହଁରେ ରଂଗ ମାଖି ନଥିଲେ। କୁହାଯାଏ ଯେ ସେ ଥିଲେ ଅଦ୍ୱିତୀୟ ସୁନ୍ଦରୀ। ତାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ଅନେକ ପୁରୁଷ ବିବାହ ପ୍ରସ୍ତାବ ଦେଉଥିଲେ। ଏକଥା ବି ଶୁଣାଯାଏ, ସେ କୁଆଡେ ୩ ଜଣଙ୍କୁ ବିବାହ କରିଥିଲେ। ମାତ୍ର ଏହାର ସତ୍ୟାସତ୍ୟ ଅଜଣା।
ସେ ଆଇନଗତ ଭାବେ ସାଚେନର ନବାବ ସିଦ୍ଦି ଇବ୍ରାହିମ୍ ମହମ୍ମଦ ୟାକୁତ୍ ଖାଁଙ୍କୁ ବିବାହ କରିଥିଲେ। ତିନୋଟି ସନ୍ତାନର ଜନନୀ ବି ହେଲେ ମାତ୍ର ଦୁର୍ଭାଗ୍ୟ କୋଉ ରୂପରେ ଆସେ କହିହେବ ନାହିଁ। ନବାବ ସାହେବଙ୍କର ମନ ଫାତିମା ବେଗମଙ୍କ ଠାରେ ଭରିଗଲା ତେଣୁ ତାଙ୍କାଠାରୁ ଦୂରେଇବା ପାଇଁ ସେ ଯୋଜନା କଲେ। ଅନ୍ୟାୟ ହେଲା ଫାତିମାଙ୍କ ସହ।
ବିବାହ ସମୟରେ ଲିଖିତ ଦସ୍ତାବିଜ୍ ହୋଇ ନଥିବାରୁ ଫାତିମା ତାଙ୍କର ସ୍ୱୀକୃତିପ୍ରାପ୍ତ ପତ୍ନୀ ନୁହଁନ୍ତି ବୋଲି ସିଦ୍ଦି ଇବ୍ରାହିମ୍ ଘୋଷଣା କଲେ। ସେତିକିରେ କଥା ଛିଡିଲାନି। ତାଙ୍କା ଜନ୍ମିତ ପିଲାମାନେ ଯେ ତାଙ୍କର ଉତ୍ତରାଧିକାରୀ ହୋଇପାରିବେନି ବୋଲି ଚୁକ୍ତିନାମା କଲେ। କଠୋରପନ୍ଥୀ ନିୟମର କାଠଗଡାକୁ ଚାଲିଆସିଲେ ଫାତିମା ବେଗମ୍। ଓଃ... କେତେବଡ ବିଶ୍ୱାସଘାତ ହେଲା ତାଙ୍କ ସହ। ଯାହାଙ୍କୁ ସେ ସବୁଠୁ ନିଜର ଭାବିଥିଲେ ସେ ହିଁ ଛୁରୀ ଭୁଷିଲେ।
ଆତ୍ମବିଶ୍ୱାସ ଦେଖେଇଲା ନୂଆ ବାଟ:
ତଥାପି ଭାଙ୍ଗିପଡି ନଥିଲେ ଫାତିମା। ତତ୍କାଳିନ କଠୋରପନ୍ଥୀ ପୁରୁଷ ସମାଜର ରକ୍ଷଣଶୀଳ ପରମ୍ପରାର ବେଡି ବାନ୍ଧିପାରି ନଥିଲା ଫାତିମାଙ୍କର ଦୃଢ ମନୋବଳକୁ। ତାଙ୍କର ଦୃଢ ସାହସ ଏବଂ ଅତୁଳନୀୟ ଆତ୍ମବିଶ୍ୱାସ ତାଙ୍କୁ ଛିଡା କରେଇଥିଲା କୋଟିଏରେ ଗୋଟିଏ କରି।
ସେ ସମୟରେ ସାମାଜିକ ସ୍ଥିତି ଏମିତି ଥିଲା ଯେ ନାରୀମାନେ ଅଭିନୟ କରିବା ତ ଦୂରର କଥା ଚିନ୍ତା କରିବା ବି ପାପ। ଥିଏଟର ବା ଚଳଚ୍ଚିତ୍ରରେ ପୁରୁଷମାନେ ହିଁ ନାରୀ ଚରିତ୍ରରେ ଅଭିନୟ କରୁଥିଲେ। ଏମିତି ଗୋଟିଏ ସମୟରେ ପୁରୁଷମାନଙ୍କ ଆଧିପତ୍ୟରେ ଥିବା ଅଭିନୟ ଜଗତକୁ ପାଦ ଥାପିବାର ଦୁଃସାହସ କଲେ ଫାତିମା ବେଗମ୍। ପ୍ରଥମ ଅଭିନୟର ଜୟଯାତ୍ରା ଉର୍ଦ୍ଦୁ ନାଟକରୁ ହିଁ ଆରମ୍ଭ କରିଥିଲେ। ତା’ପରେ ୧୯୨୨ରେ 'ବୀର ଅଭିମନ୍ୟୁ' ମୁକ ଚଳଚ୍ଚିତ୍ରରେ ଦେଖାଦେଲେ।
ଅଧିକ ପଢ଼ନ୍ତୁ: ବଲିଉଡ୍ର ପ୍ରଥମ ମହିଳା ଷ୍ଟଣ୍ଟ୍ କଳାକାରଙ୍କ ସଂଘର୍ଷ ଓ ସଫଳତାର କାହାଣୀ
ଅପ୍ରତିଦ୍ୱନ୍ଦ୍ୱୀ ନାୟିକା:
ଚଳଚ୍ଚିତ୍ର ଓ ଥିଏଟର ଜଗତରେ କୌଣସି ମହିଳା ନଥିବାରୁ ସେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ ନାୟିକା। ଭାବନ୍ତୁ ତ ଥରେ, ସେ ସମୟର କଠୋର ସାମାଜିକ ଜୀବନ ଚଳଣି ଭିତରେ ନାରୀଟିଏ ଭାଙ୍ଗିଥିବା ପରମ୍ପରାକୁ ଲୋକେ କୋଉ ଦୃଷ୍ଟିରେ ଦେଖୁଥିବେ। ତଥାପି ଅବିଚଳିତ ଥିଲେ ଫାତିମା। ତାଙ୍କର ଗୋଟିଏ ଲକ୍ଷ୍ୟ, ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ତିଆରି କରିବା। ଏମିତି କରି ନାରୀଟିଏକୁ ଅଭିନୟ ଜଗତକୁ ଆଣିବାର ପ୍ରଥମ ଏବଂ ସଫଳ ପ୍ରୟାସ କରିଥିଲେ ଫାତିମା ବେଗମ୍।
୧୯୨୨ରେ ଥିଏଟରରୁ ସେ ମୁକ ଚଳଚ୍ଚିତ୍ର 'ବୀର ଅଭିମନ୍ୟୁ'କୁ ଆସିଲେ। ସେତେବେଳକୁ ତାଙ୍କର ତିନିଜଣ ଝିଅ ଚଳଚ୍ଚିତ୍ରରେ ପ୍ରବେଶ କରିସାରିଥିଲେ। ପ୍ରଥମ ଝିଅ ସେହେଜାଦୀ ବେଗମଙ୍କ ବାବଦରେ ଇତିହାସ କିଛି ଜଣେଇ ନାହିଁ। ଦ୍ୱିତୀୟ ଝିଅ ଜୁବେୈଦା ଏବଂ ସାନଝିଅ ସୁଲ୍ତାନା ଚଳଚ୍ଚିତ୍ର ଜଗତରେ ବେଶ୍ ନା’ କମେଇ ପାରିଥିଲେ।
ଗୋଟିଏ ପରିବାରରୁ ଚାରି ସୁନ୍ଦରୀ:
ତେବେ ଏହା ଏକ ବିରଳ ଘଟଣା ଯେ ସେ ସମୟରେ ଗୋଟିଏ ପରିବାରରୁ ଚାରିଜଣ ସୁନ୍ଦରୀ ଏକାସଙ୍ଗେ କାମ କରୁଥିଲେ। ବୀର ଅଭିମନ୍ୟୁ ଚଳଚ୍ଚିତ୍ରରେ ଫାତିମା ବହୁତ ଲୋକପ୍ରିୟତା ପାଇଥିଲେ। ଏଥିରେ ଅନ୍ୟଏକ ଚର୍ଚ୍ଚିତ ବିଷୟ ଥିଲା ଯେ ତାଙ୍କର ଦୁଇ ଝିଅ ମଧ୍ୟ ଅଭିନୟ କରିଥିଲେ। ସୁଭଦ୍ରା ଚତିତ୍ରରେ ନିଜେ ଫାତିମା ଅଭିନୟ କରିବା ସହ ଉତ୍ତରା ଚରିତ୍ରରେ ସୁଲ୍ତାନା ଏବଂ ଅନ୍ୟ ଗୋଟିଏ ଚରିତ୍ର ପାଇଁ ଜୁବୈଦା ଥିଲେ।
ସେ ସମୟରେ ମାତ୍ର କେତେଗୋଟି ହାତଗଣତି ଷ୍ଟୁଡିଓ ଥିଲା, ଯେଉଁମାନେ ଖୁବ ନିଖୁଣ ଭାବେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ। ଫାତିମା ସେମାନଙ୍କ ସହ କାମ କରି କେବଳ ନିଜର ଭବିଷ୍ୟତ ନୁହଁ ନିଜ ପିଲାଙ୍କ ଭବିଷ୍ୟତ ପ୍ରତି ମଧ୍ୟ ଯତ୍ନବାନ ହୋଇଥିଲେ। ତାଙ୍କର ମଝିଆଁ ଝିଅ ଜୁବେୈଦାଙ୍କ ଭାଗ୍ୟ ଖୁବ୍ ଉଜ୍ଜଳ ଥିଲା ତେଣୁ ସେ ମା’ ଫାତିମା ସହ ଅନ୍ୟ ଦୁଇ ଭଉଣୀ ସେହେଜାଦୀ ଏବଂ ସୁଲ୍ତାନାଙ୍କୁ ପଛରେ ପକେଇ ଖୁବ୍ ଉଚ୍ଚକୁ ଉଠିପାରିଥିଲେ।
ପ୍ରଥମ ନାରୀ ନିର୍ଦ୍ଦେଶିକା:
୧୯୨୬ରେ ଫାତିମା ନିଜର ଗୋଟିଏ ଷ୍ଟୁଡିଓ ତିଆରି କରିଥିଲେ ଏବଂ ତାଙ୍କ ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଥିଲା 'ବୁଲ୍ବୁଲେ ଇ ପରିସ୍ତେ'। ଏହାର ନିର୍ଦେଶନା ଦେଇ ସେ ପାଲଟିଯାଇଥିଲେ ଭାରତତୀୟ ଚଳଚ୍ଚିତ୍ର ଶିଳ୍ପର ପ୍ରଥମ ନାରୀ ନିର୍ଦ୍ଦେଶିକା। ସେ ସମୟରେ 'ବୁଲ୍ବୁଲେ ଇ ପରିସ୍ତେ' ଖୁବ୍ ବ୍ୟୟ ବହୁଳ ଚଳଚ୍ଚିତ୍ର ଥିଲା। ଏଥିରେ ଫାତିମାଙ୍କ ମଝିଆଁ ଝିଅ ଜୁବୈଦା ମୁଖ୍ୟ ଅଭିନେତ୍ରୀ ଥିଲେ।
ଚଳଚ୍ଚିତ୍ରଟିର ଆକାଶଛୁଆଁ ସଫଳତା ମା’ ଝିଅଙ୍କ ପାଇଁ ଖୁବ୍ ବଡ ସୌଭାଗ୍ୟ ଆଣିଦେଇଥିଲା। ମା’ ଫାତିମା ଜଣେ ସଫଳ ନିର୍ଦ୍ଦେଶିକା ପାଲଟିବା ସହ ଝିଅ ଜୁବୈଦା ପାଲଟିଗଲେ ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ।
ସଫଳତା:
ଏହାପରେ ଫାତିମା ଗୋଟିଏ ପରେ ଗୋଟିଏ ଚଳଚିଚ୍ଚିତ୍ରର ନିର୍ଦ୍ଦେଶନା ଦେଇଚାଲିଲେ। ସେଗୁଡିକ ହେଲା ୧୯୨୭ର ଚନ୍ଦ୍ରାବଳୀ, ହୀର୍ ରାଞ୍ଛା,୧୯୨୯ର କନକତାରା, ଶକୁନ୍ତଳା, ମିଲନ୍ ଦିନାର୍, ନସିବ୍ନେ ଦେବୀ, ଏବଂ ୱାଣ୍ଡର୍ଫୁଲ୍ ପ୍ରିନ୍ସ୍। ଏହିସନୁ ଚଳଚ୍ଚିତ୍ର ମାଧ୍ୟମରେ ଫାତିମା ବେଗମ ସୃଷ୍ଟି କରିପାରିଲେ ନିଜ ପାଇଁ ଚଳଚ୍ଚିତ୍ର ଇତିହାସରେ ଏକ ସ୍ୱତନ୍ତ୍ର ପରିଚୟ ଆଉ ଚଳଚ୍ଚିତ୍ର ଜଗତକୁ ଦେଇଗଲେ ଏକ ନୂଆ ଦିଗ।
ଏହା ପରେ ଫାତିମା ଦୂରେଇ ଗଲେ କିଛି ଦିନ ପାଇଁ ଚଳଚ୍ଚିତ୍ର ଜଗତରୁ। ୧୯୩୭ରେ ‘ଦୁନିଆ କ୍ୟା ହେ’ରେ ସେ ଶେଷଥର ପାଇଁ କାମ କରିଥିଲେ।
୧୯୮୩ରେ ମୃତ୍ୟୁବରଣ କରିଥିବା ଏହି ମହିଳାଙ୍କ ବାବଦରେ ଚଳଚ୍ଚିତ୍ର ଇତିହାସ ନିରଵ, ମାତ୍ର ଏତିକି ତ ଜାଣିହେଲା ଜଣେ ନାରୀଟିର ସ୍ୱାଭିମାନ ଉପରେ କୁଠାରଘାତ କଲେ ସେ ସାମାଜିକ ବନ୍ଧନର ପରମ୍ପରାକୁ ଭାଙ୍ଗି ଗଢେଇ ଦେଇପାରେ ନୂଆ ସାହସର ଇମାରତ୍।