'ଭାଗ ଧନୋ ଭାଗ... ଆଜ ତେରୀ ବସନ୍ତୀ କି ଇଜ୍ଜତ କା ସବାଲ୍ ହୈ'। ଏହି ସଂଳାପ ଶୁଣିବା ମାତ୍ରେ ଆଖି ସାମ୍ନାକୁ ଚାଲିଆସେ ହେମା ମାଲିନୀଙ୍କ ଛବି। ଏହି ଦୃଶ୍ୟରେ ବସନ୍ତୀଙ୍କୁ ଗବର ସିଂହଙ୍କ ସାଥୀଙ୍କଠାରୁ ରକ୍ଷା କରିବା ନେଇ ଚେଷ୍ଟା କରାଯାଉଥିବା ଦେଖିବାକୁ ମିଳେ। ସେ ତାଙ୍କ ଟାଙ୍ଗାକୁ ବହୁତ ଦ୍ରୁତ ଗତିରେ ଚଳାଇଥାନ୍ତି। ଏହି ସମୟରେ ଟାଙ୍ଗା ପଥରରେ ଧକ୍କା ହୋଇ ଓଲଟିପଡେ ଆଉ ବସନ୍ତୀ ମଧ୍ୟ ଟାଙ୍ଗା ସହିତ ପଡିଯାଏ।
ସିନେମା ହଲରେ ଏହି ଦୃଶ୍ୟ ପାଇଁ ହେମା ମାଳିନୀଙ୍କୁ ବହୁତ ପ୍ରଶଂସା କରାଯାଇଥିଲା, କିନ୍ତୁ ଯେତେବେଳେ ଟାଙ୍ଗା ପଥର ସହିତ ଧକ୍କା ହୋଇ ତଳେ ପଡ଼ିଯାଏ, ସେତେବେଳେ ଟାଙ୍ଗାରେ ହେମା ମାଲିନୀ ନୁହେଁ, ତାଙ୍କ ବଦଳରେ ଥାନ୍ତି ରେଶମା ପଠାନ। ଏଥିରେ ତାଙ୍କର ଦମଦାର ଷ୍ଟଣ୍ଟ୍ ଦେଖିବାକୁ ମିଳିଥିଲା।
ବଲିଉଡର ପ୍ରଥମ ଷ୍ଟଣ୍ଟ ମହିଳା ରେଶମା ପଠାନ କୁହନ୍ତି ଯେ “ଏହି ଦୃଶ୍ୟରେ ଏକ ନକଲି ଚକ୍କା ଲାଗିବାର ଥିଲା କିନ୍ତୁ କେହି ଜଣେ ଅସଲି ଚକ୍କା ଲଗେଇଦେଇଥିଲେ। ଅସଲି ଚକ୍କାରେ ଏକ ଦଣ୍ଡ ଥାଏ, ଫଳରେ ଏହା ଭାଙ୍ଗେ ନାହିଁ। ଏମିତି ହେବାରୁ ଟାଙ୍ଗା ଓଲଟିଗଲା। ମୁଁ ପ୍ରଥମେ ତଳେ ପଡ଼ିଗଲି ଏବଂ ତା’ପରେ ଟାଙ୍ଗା ମୋ ଉପରେ ପଡ଼ିଲା।”
Also Read
ଷ୍ଟଣ୍ଟ୍ ଓ ଷ୍ଟ୍ରଗଲ ଲାଇଫ୍କୁ ନେଇ ଆଉ କ’ଣ କହିଛନ୍ତି ରେଶମା ପଠାନ ଆସନ୍ତୁ ଜାଣିବା।
- ସେ ସମୟର ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଗଲେ, ମୁଁ ନିରୁପା ରାୟ ଏବଂ ଦୁର୍ଗା ଖୋଟେଙ୍କ ପରି ଅନେକ ଅଭିନେତ୍ରୀଙ୍କ ପାଇଁ ବଡୀ ଡବଲ୍ସ କରିସାରିଛି। କିନ୍ତୁ, 'ଶୋଲେ' ମୋତେ ଏକ ଭିନ୍ନ ପରିଚୟ ଦେଇଥିଲା। ହେମା ଜୀ ନିଜେ ମୋତେ ଫିଲ୍ମରେ ନେବାକୁ ନିର୍ମାତାମାନଙ୍କୁ କହିଥିଲେ। ସେ ଭାବୁଥିଲେ ମୁଁ ତାଙ୍କ ସହିତ ଅଧିକ ମେଳ ଖାଉଛି ଏବଂ ଷ୍ଟଣ୍ଟ ଦୃଶ୍ୟରେ କେହି ଜାଣି ପାରୁ ନଥିଲେ ପରଦାରେ ହେମା ଜୀ ଅଛନ୍ତି କି ମୁଁ। ସେ ମତେ ଏତେ ଭଲ ପାଇଗଲେ ଯେ ଯଦି ସେ କୌଣସି ଫିଲ୍ମର ସୁଟିଂରେ ଅନ୍ୟ କାହାର ବଡୀ ଡବଲ୍କୁ ଦେଖୁଥିଲେ, ତେବେ ସେ ମୋ ବିଷୟରେ ପଚାରୁଥିଲେ ଏବଂ ମୁଁ ସୁଟିଂରେ ନ ପହଞ୍ଚିବା ପର୍ଯ୍ୟନ୍ତ ସେ ସୁଟିଂ କରୁ ନଥିଲେ।
- ହେମା ମାଲିନୀଙ୍କ ବଡୀ ଡବଲ୍ ଭାବରେ ମୁଁ 'ପ୍ରତିଜ୍ଞା', 'ଚାଚା ଭତିଜା', 'ରାମକଲି', 'ହମ୍ ତେରେ ଆଶିକ୍', 'ଅଲି ବାବା ଚାଲିସ୍ ଚୋର' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିସାରିଛି। ମୁଁ ତାଙ୍କ ସହ ଏତେଗୁଡ଼ିଏ ଫିଲ୍ମ କରିସାରିଛି ଯାହା ମୋର ମନେ ପଡୁନି। ଯଦି ମୁଁ ସବୁ ଚଳଚ୍ଚିତ୍ର ଗଣନା କରିବାକୁ ବସେ ତେବେ ପାଞ୍ଚଶହରୁ ଅଧିକ ଚଳଚ୍ଚିତ୍ର ହେବ। ମୁଁ ମୀନା କୁମାରୀ, ଆଶା ପାରେଖ, ପରଭେନ ବବି, ୱାହିଦା ରେହମାନ, ଜିନତ ଅମାନ, ରେଖା, ନୀତୁ ସିଂହ, ଶ୍ରୀଦେବୀ, ଅମୃତା ସିଂହ ଏବଂ ଫରହାଙ୍କ ପରି ଅନେକ ଅଭିନେତ୍ରୀଙ୍କ ବଡୀ ଡବଲ୍ ଭାବେ କାମ କରିସାରିଛି।
- ମୋର ଷ୍ଟଣ୍ଟ୍ ଭାବରେ ଟାଙ୍କା ଚଳେଇବା ଠାରୁ ଆରମ୍ଭ୍ କରି ଘୋଡା ଚଢିବା, ଉଚ୍ଚ କୋଠାରୁ ଡେଇଁବା, ଖଣ୍ଡା ଚଲେଇବା, ଦଉଡିରେ ଚାଲିବା, ଚଳନ୍ତା ଗାଡିରୁ ଡେଇଁବା ଭଳି ଦୃଶ୍ୟ କରିସାରିଛି। ମୁଁ ଆସିବା ପୂର୍ବରୁ ପୁରୁଷମାନେ ଝିଅମାନଙ୍କ ପୋଷାକ ପିନ୍ଧି ହିନ୍ଦୀ ଚଳଚ୍ଚିତ୍ରରେ ହିରୋଇନମାନଙ୍କ ପାଇଁ ଏପରି ଷ୍ଟଣ୍ଟ କରୁଥିଲେ।
- କଥା ଅମୃତା ସିଂହଙ୍କ ପାଖକୁ ଆସେ ତ ତାଙ୍କ ଫିଲ୍ମ 'ସିଆଇଡି'ର ଏକ ଦୃଶ୍ୟ ପାଇଁ ମୁଁ ଉତ୍ସାହର ସହିତ ପ୍ରଥମ ମହଲାରୁ ଡେଇଁ ପଡିଲି। ସେତେବେଳେ ମୋର ଏତେ ଆଇଡିଆ ନଥିଲା। ଯେତେବେଳେ ମୋର ପେଟରେ ଶିଶୁ ପାଞ୍ଚ ମାସର ହୋଇଥିଲା ସେତେବେଳେ ମୁଁ ଏହି ଷ୍ଟଣ୍ଟ କରିଥିଲି। ଏହି ଦୃଶ୍ୟ ଏପରି ଥିଲା ଯେ ଗୁଣ୍ଡାମାନେ ଅମୃତା ସିଂହ ଏବଂ ବିନୋଦ ଖାନ୍ନାଙ୍କୁ ଗୋଡ଼ାଉଥିଲେ। ଉଭୟଙ୍କୁ ଛାତ ଉପରୁ ଡେଇଁବାର ଥିଲା। ମୁଁ ଅମୃତା ସିଂହଙ୍କ ବଡୀ ଡବଲ କରୁଥିଲି ଏବଂ ମୁଁ ଘରର ପ୍ରଥମ ମହଲାରୁ ଡେଇଁ ପଡିଲି।
- ସେତେବେଳେ ଜଣା ପଡିଲାନି କିନ୍ତୁ ପରେ ଯେତେବେଳେ କିଛି ଅସୁବିଧା ହେଲା ଡାକ୍ତରଙ୍କ ପାଖକୁ ଗଲି। ଡାକ୍ତର କହିଥିଲେ, ‘ ଭଗବାନ ଯାହାଙ୍କୁ ରକ୍ଷା କରନ୍ତି ତାଙ୍କୁ କେହି ମାରି ପାରିବେ ନାହିଁ ଆଉ ସେ ଯାହାକୁ ମାରିବାକୁ ଚାହାଁନ୍ତି ତାଙ୍କୁ କେହି ରକ୍ଷା କରିପାରିବେ ନାହିଁ। ସେତେବେଳେ ଯେଉଁ ପିଲାର ଜୀବନ ନିର୍ମିତ ହୋଇଥିଲା, ମୋ ପୁଅ ଆଜି ନିଜେ ଜଣେ ଡାକ୍ତର।
- ଦିନେ ହଠାତ୍ ଷ୍ଟଣ୍ଟ୍ କାମ ଆରମ୍ଭ ହେଲା। ଆମେ ସେତେବେଳେ ବହୁତ ଗରିବ ଥିଲୁ ଏବଂ ଘରର ଖର୍ଚ୍ଚ ପାଇଁ ମୁଁ ରାସ୍ତାରେ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଦଉଡିରେ ଆକ୍ରୋବାଟିକ୍ସ ଦେଖାଉଥିଲି। ସାରା ଦିନକୁ ବିପଦରେ ପକାଇବା ପରେ ମଧ୍ୟ ଅଭାବ ମେଣ୍ଟୁ ନଥିଲା। ଷ୍ଟଣ୍ଟ ନିର୍ଦ୍ଦେଶକ ଏସ୍ ଆଜିମ ମୋତେ ଦେଖିଥିଲେ ଏବଂ ସେ ଏହି କାମରେ ମୋର ପରାମର୍ଶଦାତା ହୋଇଥିଲେ। ସେତେବେଳେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ ପାଇଁ କାମ କରିବା ଏକ ଲଜ୍ଜାଜନକ ବୃତ୍ତି ବୋଲି ବିବେଚନା କରାଯାଉଥିଲା। ମୋ ବାପା ମଧ୍ୟ ପ୍ରଥମେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।
- କୌଣସି ପ୍ରକାରେ ମୋ ବାପାଙ୍କୁ ମନାଇବା ପରେ ମୁଁ ପ୍ରଥମ ଦିନ ଫେମସ୍ ଷ୍ଟୁଡିଓରେ ମା’ଙ୍କ ସହ ଫିଲ୍ମର ସୁଟିଂ କରିବାକୁ ଯାଇଥିଲି, ସେହି ଫିଲ୍ମଟି ଥିଲା ‘ଏକ ଖିଲାଡି ବାୱନ ପତ୍ତେ’। ସେତେବେଳେ ଜଣେ ବାଳକ ପ୍ରସିଦ୍ଧ ହିରୋଇନ୍ ଲକ୍ଷ୍ମୀ ଛାୟାଙ୍କ ବଡୀ ଡବଲ ହୋଇ ଷ୍ଟଣ୍ଟ ଦୃଶ୍ୟର ସୁଟିଂ କରୁଥିଲେ। ୧୫ଟି ଟେକ୍ ନିଆଯାଇଥିଲା କିନ୍ତୁ ସେ ପିଲାଟି ଆବଶ୍ୟକ ଅନୁସାରେ ଶଟ୍ ଦେଇପାରିଲା ନାହିଁ।
- ଆକ୍ସନ୍ ନିର୍ଦ୍ଦେଶକ ଅଜିମ୍ ମୋ ଉପରେ ଭରସା କରିଥିଲେ। ସେ ମୋତେ ଏହି ଦୃଶ୍ୟ ବୁଝାଇଥିଲେ। କେଉଁ କୋଣରୁ କ୍ୟାମେରା ଆଗରେ ପ୍ରବେଶ କରିବାକୁ ହେବ? କେଉଁଠାରୁ ଆକ୍ସନ ନିଆଯିବ ଏବଂ ଫଲୋଅପ୍ରେ କେଉଁଠିକୁ ଯିବାକୁ ହେବ, ମୁଁ ଏସବୁ ବୁଝିଲି ଏବଂ ପ୍ରଥମ ଟେକ୍ରେ ପରଫେକ୍ଟ ସଟ୍ ଦେଇଥିଲି। ଏହା ଦେଖି ପୁରା ସେଟ୍ କରତାଳିରେ ପୂରିଗଲା। ସେହିଠାରେ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋର ନାଁ ଚଢିଗଲା।
- ଲୋକମାନେ ମୋତେ ଭାରତର ପ୍ରଥମ ମହିଳା ଷ୍ଟଣ୍ଟ କଳାକାର ବୋଲି କୁହନ୍ତି। ମୋ କାହାଣୀକୁ ନେଇ ଯେତେବେଳେ 'ଶୋଲେ ଗର୍ଲ' ଚଳଚ୍ଚିତ୍ର ନିର୍ମିତ ହୋଇଥିଲା, ଲୋକମାନେ ମୋତେ ଭେଟିବାକୁ ଆସୁଥିଲେ ଏବଂ ମୋତେ ବିଭିନ୍ନ କାର୍ଯ୍ୟକ୍ରମକୁ ଡାକି ସମ୍ମାନିତ କରୁଥିଲେ। କିନ୍ତୁ ମୋର ପ୍ରାଥମିକ ଅବସ୍ଥା ବହୁତ ଖରାପ ଥିଲା।
- ପ୍ରଥମ ଥର ମୁଁ ୟୁନିୟନରେ ପଞ୍ଜୀକରଣ କରିବାକୁ ଗଲି, କେହି ମୋ କଥା ଶୁଣିଲେ ନାହିଁ। ଲୋକମାନେ କହୁଥିଲେ ଯଦି ଝିଅଟିଏ ଜଣେ ଷ୍ଟଣ୍ଟ୍ କଳାକାର ହୋଇଯାଏ, ତେବେ ଏହା ୟୁନିଅନର ନାମକୁ ନଷ୍ଟ କରିବ। ସେହି ଚିନ୍ତାଧାରା ଏବଂ ସେହି ପରିସ୍ଥିତି ମଧ୍ୟରେ ବି ମୁଁ ସାହସ ହରାଇଲି ନାହିଁ। ମୁଁ ବିଶ୍ୱାସ କରେ ଯେପର୍ଯ୍ୟନ୍ତ ତୁମେ ନିଜ ଜିଦରେ ଅଟଳ ନିହେଁ, ସଫଳତା ପାଇବା କଷ୍ଟକର।