Advertisment

ସରିଯିବ ସେରେନାଙ୍କ ଯୁଗ, ଅଧୁରା ରହିଯିବ ଏକ ଅଭିଳାଷ

ଟେନିସ୍ ଜଗତରେ ଏବେ ଆମେରିକୀୟ ତାରକା ସେରେନା ଓ୍ୱିଲିଅମ୍ସଙ୍କୁ ନେଇ ଚର୍ଚ୍ଚା। ଦୁଇ ଦଶନ୍ଧିର ଦୀର୍ଘ ଆଧିପତ୍ୟ ପରେ ଅବସର ନେବାକୁ ଯାଉଛନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି। ୟୁଏସ୍ ଓପନ୍ ହେବ ତାଙ୍କର ଶେଷ ଗ୍ରାଣ୍ଡ୍‌ସ୍ଲାମ୍ ଓ ଶେଷ ଟୁର୍ଣ୍ଣାମେଣ୍ଟ। ଏଥି ସହିତ ଅଧୁରା ରହିଯିବ ତାଙ୍କର ସର୍ବାଧିକ ଗ୍ରାଣ୍ଡ୍‌ସ୍ଲାମ୍ ଏକକ ମୁକୁଟ ଜିତିବାର ଅଭିଳାଷ।

ଅଦ୍ୟତନ ହୋଇଛି
The age of Serena is going to end

The age of Serena is going to end

Advertisment

ବିଶ୍ୱ ମହିଳା ଟେନିସ୍‌ରେ ସବୁଠାରୁ ବଡ଼ ନାଁ, ୨୩ ଗ୍ରାଣ୍ଡସ୍ଲାମ୍ ଏକକ ମୁକୁଟ ବିଜୟିନୀ ସେରେନା ଓ୍ୱିଲିଅମ୍ସଙ୍କ ଯୁଗର ଅନ୍ତ ଘଟିବ ଆଉ କିଛି ଦିନ ପରେ। ଆଉ ଦେଖିବାକୁ ମିଳିବନି ପେସାଦାର ଟେନିସ୍‌ରେ ସେହି ଦମ୍‌ଦାର୍‌ ଖେଳାଳିଙ୍କୁ।

Advertisment

ନିକଟରେ ଅମେରିକୀୟ ତାରକା ସେରେନା ୟୁଏସ୍ ଓପନ୍ ପରେ ଟେନିସ୍‌ରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ତାଙ୍କ ପକ୍ଷରେ ଏହା ବଡ଼ ନିଷ୍ପତ୍ତି ହୋଇଥିଲେ ହେଁ ଟେନିସ୍ ଜଗତ ପାଇଁ ଅପ୍ରତ୍ୟାଶିତ ନ ଥିଲା। ସେପ୍ଟେମ୍ବରରେ ୪୧ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଥିବା ସେରେନା ଆଉ କେତେ ବା ଖେଳିଥା’ନ୍ତେ? ଦୁଇ ଦଶନ୍ଧିର କ୍ୟାରିଅର ଆଉ କେତେ ବାଟ ଲମ୍ବି ଯାଇପାରିଥା’ନ୍ତା?

ଖୋଦ୍ ସେରେନା ଏ କଥା ବୁଝିପାରିଥିଲେ। ବିଶ୍ୱ ଟେନିସ୍‌ରେ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଏକକ ମୁକୁଟ ଜିତିବାର ଅଭିଳାଷ ତାଙ୍କର ଅଧୁରା ରହିଯିବ; ହେଲେ ଓପନ୍ ଏରାରେ ତାଙ୍କ ଦୀର୍ଘ ଆଧିପତ୍ୟର କାହାଣୀ ସବୁବେଳେ ସ୍ମରଣୀୟ ରହିବ। ଅଷ୍ଟ୍ରେଲୀୟ ମାର୍ଗାରେଟ୍ କୋର୍ଟଙ୍କ ୨୪ ଗ୍ରାଣ୍ଡସ୍ଲାମ୍ ବିଜୟର ସର୍ବକାଳୀନ ରେକର୍ଡ ଠାରୁ ସେରେନା ମାତ୍ର ଗୋଟିଏ ମୁକୁଟ ଦୂରରେ ଅଛନ୍ତି। ସେ ଯଦି ୟୁଏସ୍ ଓପନ୍ ଜିତିବେ, ତା’ହେଲେ ମାର୍ଗାରେଟ୍‌ଙ୍କ ସମକକ୍ଷ ହୋଇପାରିବେ; କିନ୍ତୁ ତାଙ୍କୁ ଅତିକ୍ରମ କରିପାରିବେ ନାହିଁ। କାରଣ ୟୁଏସ୍ ଓପନ୍ ତାଙ୍କ କ୍ୟାରିଅରର ଶେଷ ଗ୍ରାଣ୍ଡସ୍ଲାମ୍ (ଶେଷ ଟୁର୍ଣ୍ଣାମେଣ୍ଟ ମଧ୍ୟ)।

Advertisment

ତେବେ ୟୁଏସ୍ ଓପନ୍ ଜିତିବା ତାଙ୍କ ପାଇଁ କସ୍ମିନକାଳେ ସହଜ ହେବ ନାହିଁ। ସେ ମେଜର୍ ବିଜୟ ସହ କ୍ୟାରିଅରର ଅନ୍ତ ଘଟାଇବାକୁ ଚାହୁଁ ଥାଇପାରନ୍ତି; ହେଲେ ଏ କଥାକୁ ବି ଧ୍ୟାନ ଦେବାକୁ ହେବ ଯେ ସେ ୨୦୧୭ ପର ଠାରୁ କୌଣସି ଗ୍ରାଣ୍ଡସ୍ଲାମ୍ ଜିତିପାରି ନାହାନ୍ତି। ସେ ଦୀର୍ଘ ଦିନ ହେଲା ଫର୍ମ ଓ ଫିଟ୍‌ନେସ୍ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି। ସମ୍ଭବତଃ ଏହାହିଁ ତାଙ୍କ ଅବସର ନିଷ୍ପତ୍ତି ପଛର ମୁଖ୍ୟ କାରଣ।

ସେରେନା ମାର୍ଗାରେଟ୍‌ଙ୍କ ସମକକ୍ଷ ହୋଇପାରିବେ କି ନାହିଁ, ତାହା ଭିନ୍ନ କଥା। ତେବେ ଯେଉଁ କଥାର ଆଲୋଚନା ଜରୁରୀ, ତାହା ତାଙ୍କର ଉଲ୍ଲେଖନୀୟ କ୍ୟାରିଅର, କ୍ରୀଡ଼ା ପ୍ରତି ପ୍ରତିବଦ୍ଧତା, ବୟସକୁ ପଛରେ ପକାଇ ଆଗକୁ ବଢ଼ିବାର ଅଦମନୀୟ ଇଚ୍ଛାଶକ୍ତି।

Advertisment

ଟେନିସର ସୁବର୍ଣ୍ଣ ଯୁଗର ଅନ୍ତ ସେରେନାଙ୍କ ଅବସରରୁ ଆରମ୍ଭ ହୋଇଯିବ। ସେ ତାଙ୍କ ଭଉଣୀ ଭେନସ୍ ଓ୍ୱିଲିୟମ୍ସଙ୍କ ସହ ଗତ ଦୁଇ ଦଶନ୍ଧି ଧରି ମହିଳା ଟେନିସ୍‌ରେ ରୋମାଞ୍ଚକୁ ବଜାୟ ରଖିଆସିଛନ୍ତି। ଜଣେ ଟେନିସ୍ ବିଷୟରେ କିଛି ଜାଣି ନ ଥିଲେ ବି ସେରେନା ଓ୍ୱିଲିଅମ୍ସଙ୍କ ନାମ ନିଶ୍ଚୟ ଶୁଣିଥିବ। ଆଗକୁ ଟେନିସ୍‌ରେ ତାଙ୍କ ଅନୁପସ୍ଥିତି ଅନୁଭୂତ ହେବ।

ଉଭୟ ପୁରୁଷ ଓ ମହିଳା ଟେନିସ୍‌କୁ ବିଚାରକୁ ନେଲେ, ବୟସ୍କ ଖେଳାଳିଙ୍କ ଶୃଙ୍ଖଳ ମଧ୍ୟରୁ ଅବସର ଘୋଷଣା କରିବାରେ ସେ ପ୍ରଥମ ଖେଳାଳି। ଅନ୍ୟମାନେ ନିକଟ ଭବିଷ୍ୟତରେ ନିଜ କ୍ୟାରିଅର୍‌ରେ ପୂର୍ଣ୍ଣଚ୍ଛେଦ ପକାଇପାରନ୍ତି। ସେରେନାଙ୍କ ଭଳି ରୋଜର୍ ଫେଡ଼େରର୍, ରାଫେଲ୍ ନାଡ଼ାଲ୍ ଓ ନୋଭାକ୍ ଜୋକୋଭିଚ୍ ମଧ୍ୟ ଗତ ଦୁଇ ଦଶନ୍ଧି ଧରି ଟେନିସ୍‌ରେ ଆଧିପତ୍ୟ ଜାରି ରଖିଛନ୍ତି। ସେମାନେ କ୍ରୀଡ଼ାରେ ଏକ ବୈପ୍ଳବିକତା ଆଣିଛନ୍ତି। ପୁରୁଣା ଓ ନୂଆ ପିଢ଼ିର ପ୍ରଶଂସକମାନଙ୍କୁ ନେଇ ଏକ ବିଶାଳ ପ୍ରଶଂସକ-ଗୋଷ୍ଠୀ ସୃଷ୍ଟି କରିପାରିଛନ୍ତି। ଏହି ଚାରି ଖେଳାଳି କେବଳ ପ୍ରଶଂସକମାନଙ୍କ ଧ୍ୟାନ-ଆକର୍ଷଣ କରି ନାହାନ୍ତି, ବିଜ୍ଞାପନ ଜଗତରେ ଏବେ ବି ସେମାନଙ୍କ ଔଜ୍ଜ୍ୱଲ୍ୟ ବଳବତ୍ତର ରହିଛି।

ସେରେନାଙ୍କ ଭଳି ରୋଜର୍ ଓ ରାଫେଲ୍‌ଙ୍କ ଫିଟ୍‌ନେସ୍‌ଜନିତ ସମସ୍ୟା ଯୋଗୁଁ ସେମାନଙ୍କ ଅବସର ନେଇ ଚର୍ଚ୍ଚା ହୋଇଆସୁଛି। ଆଗକୁ ଟେନିସ୍ ତା’ର ଲୋକପ୍ରିୟ ଖେଳାଳିଙ୍କ ବିନା କିଭଳି ଅଗ୍ରସର ହେବ, ତାହାକୁ ନେଇ ବି ଆଲୋଚନା ହେଉଛି। ରୋଜରଙ୍କୁ ବି ୪୧ ବର୍ଷ ବୟସ ହେଲାଣି। ସେ ଗତ ଦୁଇ ବର୍ଷ ମଧ୍ୟରେ ଏକାଧିକ ଥର ଆଣ୍ଠୁ ସର୍ଜରୀ କରାଇଛନ୍ତି ଏବଂ ଗତ ବର୍ଷ ଓ୍ୱିମ୍ବଲଡନ୍ କ୍ୱାର୍ଟର-ଫାଇନାଲ୍‌ରେ ହାରିବା ପର ଠାରୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‌ରୁ ଦୂରରେ ଅଛନ୍ତି।

୨୦ ଗ୍ରାଣ୍ଡସ୍ଲାମ୍ ବିଜେତା ରୋଜର୍‌ଙ୍କ କ୍ୟାରିଅର ଆଉ ବେଶୀ ବାଟ ଯିବ ବୋଲି କେହି ଆଶା କରୁ ନାହାନ୍ତି। ୩୬ ବର୍ଷୀୟ ରାଫେଲ୍ ପାଦ ଯନ୍ତ୍ରଣା ଭୋଗି ଆସୁଛନ୍ତି, ଯେଉଁଥିପାଇଁ ତାଙ୍କ ଅବସର ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ସେ ଫ୍ରେଞ୍ଚ୍ ଓପନ୍ ଜରିଆରେ ପୁରୁଷ ଟେନିସ୍‌ରେ ରେକର୍ଡ ୨୨ତମ ଗ୍ରାଣ୍ଡସ୍ଲାମ୍ ଏକକ ମୁକୁଟ ଜିତିଥିଲେ। ରେଡିଓ ଫ୍ରିକ୍ୱେନ୍ସି ଚିକିତ୍ସା ତାଙ୍କ ପାଦ ଯନ୍ତ୍ରଣା କମାଇ ଓ୍ୱିମ୍ବଲଡନ୍ ଖେଳିବାକୁ ଅନୁମତି ଦେଇଥିଲା; ହେଲେ ଯନ୍ତ୍ରଣା ଯେ ପୁଣି ନ ଫେରିବ, ସେଥିନେଇ ଏ ବାମହାତି ଖେଳାଳି ଆଶ୍ୱସ୍ତ ନୁହନ୍ତି।

୩୫ ବର୍ଷୀୟ ନୋଭାକ୍ ସେମାନଙ୍କ ମଧ୍ୟରେ ସବୁଠାରୁ କନିଷ୍ଠ ଓ ଫିଟ୍ ମଧ୍ୟ। ସେ ଗତ ମାସରେ ଓ୍ୱିମ୍ବଲଡନ୍‌ରେ ୨୧ତମ ମେଜର୍ ମୁକୁଟ ଜିତିଥିଲେ। ସେ ରାଏଲ୍‌ଙ୍କୁ ବି ଅତିକ୍ରମ କରିପାରନ୍ତି। ଟେନିସ୍‌ର ପୁରୁଣା ପିଢ଼ିର କୃତିତ୍ୱର ମଶାଲକୁ ସେ ଆଉ କିଛି ବର୍ଷ ଯାଏଁ ଆଗେଇ ନେଇପାରିବେ ବୋଲି ଆଶା କରାଯାଉଛି।

ପୁରୁଷ ଟେନିସ୍‌ରେ ଏବେ ରାଫେଲ୍, ନୋଭାକ୍ ତ ଅଛନ୍ତି; ହେଲେ ମହିଳା ଟେନିସ୍‌ରେ ସେରେନାଙ୍କ ପରେ ଆଉ କେହି ଯେ ଏତେ ବାଟ ଯାଇପାରିବେ ଏବଂ ଗ୍ରାଣ୍ଡସ୍ଲାମ୍ ମୁକୁଟ ସଂଖ୍ୟାରେ ତାଙ୍କ ନିକଟତର ହୋଇପାରିବେ, ଏ କଥା କଳ୍ପନା କରିହେଉନି।

ବିଶ୍ୱ ମାନ୍ୟତାର ଶୀର୍ଷରେ ଥାଇ ବେଲ୍‌ଜିୟମ୍‌ର ଜଷ୍ଟିନ୍ ହେନିନ୍ ଓ ଅଷ୍ଟ୍ରେଲିଆର ଆଶ୍‌ଲେ ବାର୍ଟି ଅବସର ନେଇଥିଲେ। ଅବସର ନେବା ବେଳକୁ ଉଭୟଙ୍କ ବୟସ ୩୦ ବର୍ଷ ବି ହୋଇ ନ ଥିଲା। ସେମାନେ ଅଥବା ଅନ୍ୟ ପ୍ରତିଭାଶାଳୀ ଖେଳାଳି ଖେଳ ଛାଡ଼ିବା ପଛରେ ଯାହା କାରଣ ଥାଉ ନା କାହିଁକି, ଗୋଟିଏ କଥାକୁ ସ୍ୱୀକାର କରିବାକୁ ହେବ ଯେ ସେରେନାଙ୍କ ଭଳି ଏତେ ବର୍ଷ ଯାଏଁ ଖେଳିବା ସାଧାରଣ କଥା ନୁହେଁ।

ସେରେନା ଗର୍ଭାବସ୍ଥାରେ ହିଁ ଟେନିସ୍ କଥା ଶୁଣିଥିଲେ। ଯେତେବେଳେ ସେ ମାଆ ଓରେସନ୍‌ଙ୍କ ଗର୍ଭରେ ଥିଲେ, ସେତେବେଳେ ବାପା ରିଚାର୍ଡ ସ୍ଥିର କରିଥିଲେ ଯେ ଗର୍ଭସ୍ଥ ଶିଶୁକୁ ଟେନିସ୍ ଖେଳାଳି କରିବେ। ଏଥିପାଇଁ ସେ ସ୍ତ୍ରୀଙ୍କୁ ଟେନିସ୍ ସମ୍ପର୍କିତ ବହି ଆଣି ଦେଉଥିଲେ, ଟେନିସ୍ ମ୍ୟାଚ୍‌ର ଭିଡ଼ିଓ କ୍ଲିପ୍ ଦେଖାଉଥିଲେ ଏବଂ ଷ୍ଟାଡ଼ିୟମ୍‌ରେ ମ୍ୟାଚ୍ ବି ଦେଖାଉଥିଲେ।

ସେରେନା ଓ ତାଙ୍କ ବଡ଼ ଝିଅ ଭେନସ୍‌ଙ୍କୁ ରିଚାର୍ଡ ଖରାରେ ଘଣ୍ଟା ଘଣ୍ଟା ଟେନିସ୍ ଅଭ୍ୟାସ କରାଉଥିଲେ। କେହି କେହି ଭାବୁଥିଲେ ଯେ ରିଚାର୍ଡ ବୋଧହୁଏ ପାଗଳ ହୋଇଗଲେଣି। କିନ୍ତୁ କିଏ ଏ କଥା ଜାଣିଥିଲା ଯେ ଦିନେ ଦୁଇ ଝିଅ ଟେନିସ୍‌ରେ ତୁଙ୍ଗ ଶିଖର ଛୁଇଁବେ ଆଉ ସେରେନା ହେବେ ବିଶ୍ୱ ଟେନିସ୍‌ର ସୁପର୍‌ଷ୍ଟାର୍। ପିତାଙ୍କ ସ୍ୱପ୍ନ ଠାରୁ ବହୁ ଆଗକୁ ଯାଇଛି ସାନ ଝିଅ। ଏବେ ସେହି ଦୀର୍ଘ ଯାତ୍ରାରେ ଅନ୍ତ ଘଟାଇବାର ସମୟ ଆସିଛି।

ନିଜ ସଫଳ କ୍ୟାରିଅର୍‌ରେ ସେରେନା ସାତ ଥର ଅଷ୍ଟ୍ରେଲିଆନ୍ ଓପନ୍, ସାତ ଥର ଓ୍ୱିମ୍ବଲ୍‌ଡନ୍ ଓପନ୍, ଛଅ ଥର ୟୁଏସ୍ ଓପନ୍ ଓ ତିନି ଥର ଫ୍ରେଞ୍ଚ୍ ଓପନ୍ ମୁକୁଟ ଜିତିଛନ୍ତି। ଏତଦ୍‌ଭିନ୍ନ, ସେ ବଡ଼ ଭଉଣୀ ଭେନସ୍‌ଙ୍କ ସହ ମିଶି ୧୪ ଥର ମହିଳା ଯୁଗଳ ଗ୍ରାଣ୍ଡସ୍ଲାମ୍ ମୁକୁଟ ହାସଲ କରିଛନ୍ତି। ସେ ମଧ୍ୟ ଚାରି (ଗୋଟିଏ ଏକକ, ତିନିଟି ଯୁଗଳ) ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ପାଇଛନ୍ତି।

ଟେନିସ୍ ଜଗତ ଏ କଥା ଜାଣେ ଯେ ସମସ୍ତେ ସେରେନା ହୋଇପାରିବେନି। ସେରେନା ହେବା ଏତେ ସହଜ ନୁହେଁ।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Serena Williams Serena Williams Crashes Out From Australian Open Serena Williams Exit Australian Open
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ