ବାସ୍ତୁବିଦ୍ୟା ଆମର ପ୍ରାଚୀନ ଶାସ୍ତ୍ର ମଧ୍ୟରୁ ଅନ୍ୟତମ। ଏହା ଏକ ଗୁପ୍ତ ବିଦ୍ୟା। ଏହାର ଉପକାରିତା ଉପରେ ସନ୍ଦେହ ନାହିଁ କି ରଖିବା କଥା ମଧ୍ୟ ନୁହେଁ। ଯୁଗ ଯୁଗରୁ ଏହା ଆମର ମୁନିଋଷିମାନଙ୍କ ଅକ୍ଲାନ୍ତ ପରିଶ୍ରମର ବିଦ୍ୟା ଯାହା କେବଳ ମାନବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ।
ସତ୍ୟ ହିଁ ଶିବ ଏବଂ ଶିବ ହିଁ ସୁନ୍ଦର ଅଟେ। ଏହି ଶାସ୍ତ୍ର ଠାରୁ ପୂର୍ଣ୍ଣ ଲାଭ ପାଇବାକୁ ହେଲେ ଆମ ସମସ୍ତଙ୍କୁ ସତ୍ୟ ମାର୍ଗରେ ଚାଲିବାର ଅଛି। ଗୃହକୁ ଭଙ୍ଗାରୁଜା ନ କରି ବାସ୍ତୁକୁ ସଜାଡିବାର ଉପାୟ ମଧ୍ୟ ଆମ ମୁନିଋଷିମାନଙ୍କ ଶାସ୍ତ୍ରରେ ବର୍ଣ୍ଣନା ପ୍ରମାଣ ଅଛି।
ବାସ୍ତୁ ବିଦ୍ୟା ଭାଙ୍ଗିବାର ଶାସ୍ତ୍ର ନୁହେଁ ଏହା ଗଢିବା ବା ନିର୍ମାଣ କରିବାର ବିଦ୍ୟା। ବାସ୍ତୁ ଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକୃତି ବା ପରିବେଶରେ ଅନୁକୂଳତା ରକ୍ଷା କରି ଭବନ, ନଗର ଆଦି ନିର୍ମାଣ କରିବା। ଏହା ମାଧ୍ୟମରେ ଆମେ ଆମର ଆବାସ ସ୍ଥଳକୁ ଉର୍ଜାବାନ କରି ନିଜର ଅନୁକୂଳ କରିପାରିବା।
ଏହା ଏକ ଏପରି ବିଜ୍ଞାନ ଯାହାର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ଏବଂ ତା’ର ପାରିପାର୍ଶ୍ୱିକ ଅବସ୍ଥା ଉପରେ ପଡିଥାଏ। ବାସ୍ତୁର ବ୍ୟତିକ୍ରମ ଯୋଗୁଁ ବହୁତ ଅଘଟଣମାନ ପୁରାତନ ରାଜମହଲ ଠାରୁ ନେଇ ବିଭିନ୍ନ ଗୃହ, ନଗର ଆଦିରେ ଦେଖିବାକୁ ମିଳେ। ଯେଉଁ ଘରେ ଦିନେ ବହୁତ ଖୁସିରେ ମାହୋଲ୍ ଥିଲା ସେହି ଘର କାଳକ୍ରମେ ଭୂତ କୋଠିରେ ପରିଣତ ହୋଇଥିବାର ଦେଖାଯାଇଛି।
Also Read
ଘର କରିବାର କିଛିଦିନ ଭିତରେ ଏପରି ସ୍ଥିତି ସୃଷ୍ଟିହୁଏ ଯେଉଁଥିରେ ଗୃହ କାମ ଅଧାରୁ ବନ୍ଦ ହୋଇଯାଏ ଏବଂ ବିକ୍ରି କରିବା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଯାଏ। କେଉଁ ଗୃହରେ ବଂଶ ସାରା ରୋଗି ହୋଇଯାନ୍ତି ଏହିପରି ଅନେକ ପ୍ରକାର କଷ୍ଟ ଭୋଗିବାକୁ ପଡିଥାଏ।
ବହୁତ ବାସ୍ତୁଦୋଷ ଗୃହ ନିର୍ମାଣର ତୃଟି ଯୋଗୁଁ ଉପୁଜିଥାଏ ଯାହା ଆମେ ସମାଧାନ ବାସ୍ତୁବିତ୍ଙ୍କ ପରାମର୍ଶ ନେଇ କରିଦେବା କିନ୍ତୁ ବାସ୍ତୁଦୋଷ ଥିବା ଗୃହରେ ଅଧିକ ସମୟ ରହିବା ପରେ ବ୍ୟକ୍ତିଙ୍କର ବିଚାର ଧାରା ଏବଂ କାର୍ଯ୍ୟକ୍ଷେତ୍ର ବ୍ୟତିକ୍ରମ ଦେଖାଯାଏ ଫଳରେ ଅନେକ ଦୁଃଖ ଭୋଗିବାକୁ ପଡିଥାଏ, ଏଣୁ ବାସ୍ତୁ ସହିତ ନିଜର ଆଚାର ବିଚାରରେ ପରିବର୍ତ୍ତନ ଆଣିବା ଦରକାର ଅନ୍ୟଥା ପୂର୍ଣ୍ଣ ଲାଭ ବା ଶୁଭଫଳ ପାଇପାରିବା ନାହିଁ।
ଏଣୁ ଆମମାନଙ୍କୁ ମହାପୁରୁଷଙ୍କ ନିତୀବାଣୀ ଶୁଣି ତାକୁ ବ୍ୟବହାରରେ ଲଗାଇ ପାରିଲେ ଆମେ ଅନେକ ପ୍ରକାର ଶୁଭ ଫଳ ପାଇପାରିବା। ଏଣୁ ମହର୍ଷି ମନୁଙ୍କ ନୀତିବାଣିରୁ କେତେକ ଗୃହରେ ଶାନ୍ତିରେ ରହିବା ପାଇଁ କେତେକ ନିୟମ ନିମ୍ନରେ ଦିଆଗଲା।
- ଗୃହରେ ସ୍ୱାମୀ ଓ ସ୍ତ୍ରୀ ଉଭୟ ପରସ୍ପର ପ୍ରତି ସନ୍ତୁଷ୍ଟ ହୋଇ ରହିପାରିଲେ ଗୃହରେ ଅନେକ ମଙ୍ଗଳ ହୋଇଥାଏ।
- ଧନ ଅର୍ଜନ କରିବା ପାଇଁ ସବୁବେଳେ ସତ୍ମାର୍ଗକୁ ଆପଣାଇବା ଦରକାର। ଯେତେ କଷ୍ଟ ହେଲେ ବି ଅସତ୍ ମାର୍ଗରେ ଧନ ଉପାର୍ଜନ କରିବା ଅନୁଚିତ।
- ଗୃହରେ ନିଜ ନିଜ ଭିତରେ ହିଂସା ଭାବ ନ ରଖି ଏକାଠି ଚଳିବା ଦ୍ୱାର ଶୁଭ ଫଳ ମିଳେ।
- ଯେଉଁ ଘରେ ନାରୀମାନେ ଅବହେଳିତ ହୁଅନ୍ତି ସେ ଘରେ କେବେ ବି ସୁଖଶାନ୍ତି ମିଳେ ନାହିଁ।
ଇମେଲ୍: saroj.sm2014@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)