Advertisment

ରିଲାକ୍ସ ହେବାର ସହଜ ବାଟ

ଆପଣ ଯଦି ଖୁବ ବେଶୀ ଉଦ୍‌ବେଗ ଓ ମାନସିକ ଚାପ ଭିତରେ ରହୁଛନ୍ତି ଏବଂ ସମାଧାନଟିଏ ଚାହୁଁଛନ୍ତି, ତେବେ ରିଲାକ୍ସ ହେବାର ସହଜ ଉପାୟ କେତୋଟି ଥରେ ଆପଣେଇ ଦେଖନ୍ତୁ। ଆପଣଙ୍କୁ ଯାହା ସବୁ ସହଜ ଲାଗିବ ଓ ଆପଣ ଯାହା ସତକୁ ସତ କରିପାରିବେ ସେଇ କଥା କୁହାଯାଇଛି।

ଅଦ୍ୟତନ ହୋଇଛି
Some easy way to relax

Some easy way to relax

Advertisment

ଆଜିକାଲି ଖୁବ ବ୍ୟସ୍ତ ରହିବାକୁ ହେଉଛି। ବିବ୍ରତ ଲାଗୁଛି। ଟିକିଏ ଦମ୍ ମାରି ବସିବାକୁ ଚାହୁଁଥିଲେ ବି ଅବସର ମିଳୁନି। ଯଦିବା ଅବସର ମିଳୁଛି ତେବେ ନିଜକୁ ଚିନ୍ତାମୁକ୍ତ କରି ଘଡ଼ିଏ ବସିପାରିବାର ବାଟ ଜଣା ନାହିଁ। ଇଏ ମୋ କଥା ନୁହେଁ, ମୋତେ ଏଇ କେଇ ମାସ ଭିତରେ କିଛି ଗୋଟେ ମାନସିକ ସମସ୍ୟାର ସମାଧାନ ପାଇଁ ଫୋନ୍ କରିଥିବା ଡଜନେ ସରିକିରୁ ଅଧିକ ଲୋକଙ୍କର କଥା। ରାଗ, ବିରକ୍ତି, ଉଦ୍‌ବେଗ, ମାନସିକ ଚାପ ଏସବୁ ଏବେ ପିଲାଙ୍କଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ସମସ୍ୟା।

Advertisment

ପିଲାଙ୍କର ନିଜ ପାଠପଢ଼ା, କ୍ୟାରିୟର୍, ଘରେ ଯାବତୀୟ ନିୟମ କାନୁନ୍, ବଡ଼ମାନେ ବୁଝିପାରୁ ନାହାଁନ୍ତି ସାଙ୍ଗକୁ ସାଙ୍ଗସାଥି ଓ ସମ୍ପର୍କକୁ ନେଇ ସମସ୍ୟା ତ ବାପା ମାଆଙ୍କର ପିଲାର ଭବିଷ୍ୟତ, ଦେହ-ପାଆ, ଅର୍ଥାଭାବ ଓ ଅନ୍ୟାନ୍ୟ ଘରୋଇ ସମସ୍ୟା। ଚାକିରି କରୁଥିବା ଲୋକଙ୍କର ଉପର ଅଫିସର୍, ଚାକିରିରେ ବଦଳି, ଦରମା ବୃଦ୍ଧି ଆଦି ସମସ୍ୟା ତ ଫ୍ରିଲାନ୍ସରଙ୍କର କେଉଁଠୁ କେମିତି କିଛି ଗୋଟେ ନିୟମିତ ଆୟ ମିଳିବାର ସମସ୍ୟା। ବେପାରୀମାନଙ୍କର ଲାଭ-କ୍ଷତି, ଜିନିଷ ନଷ୍ଟ, ବାକି-ବୁକର ସମସ୍ୟା ତ ଘରର ମହିଳାମାନଙ୍କର ସ୍ୱାଧିନତା ମିଳୁନି କି କେହି ମନକଥା ବୁଝୁ ନାହାଁନ୍ତିର ସମସ୍ୟା। ଚାରି ପାଖରେ ଯେମିତି କେବଳ ସମସ୍ୟା ହିଁ ସମସ୍ୟା।

ସମସ୍ୟାର ତ ଆଦି ଅନ୍ତ ନାହିଁ ସତ, କିନ୍ତୁ ସବୁ ପରେ ବି ତ ବଞ୍ଚିବା ପାଇଁ ହେଲେ ରିଲାକ୍ସ ହେବାକୁ ହିଁ ହେବ। ଷ୍ଟ୍ରେସ୍, ଏନ’ଜାଇଟି ଆଦି ରୋଗ କିଣିସାରିବା ପରେ ପୁଳାଏ ଏଲୋପାଥିକ୍ ମେଡିସିନ୍ ଖାଇ ଆଉ କିଛି ରୋଗ ସାଇଡ୍ ଇଫେକ୍ଟରୁ ପାଇବା ଅପେକ୍ଷା, ଆରମ୍ଭରୁ ଛୋଟମୋଟ କେତୋଟି ଉପାୟ ଆପଣେଇ ନେଇ ସୁସ୍ଥ ଓ ଆନନ୍ଦରେ ରହିବା ଭଲ। ଆପଣ ଯଦି ଖୁବ ବେଶୀ ଉଦ୍‌ବେଗ ଓ ମାନସିକ ଚାପ ଭିତରେ ରହୁଛନ୍ତି ଏବଂ ସମାଧାନଟିଏ ଚାହୁଁଛନ୍ତି, ତେବେ ରିଲାକ୍ସ ହେବାର ସହଜ ଉପାୟ କେତୋଟି ଥରେ ଆପଣେଇ ଦେଖନ୍ତୁ। ଆପଣଙ୍କୁ ଯାହା ସବୁ ସହଜ ଲାଗିବ ଓ ଆପଣ ଯାହା ସତକୁ ସତ କରିପାରିବେ ସେଇ କଥା କୁହାଯାଇଛି।

Advertisment

୧- ସର୍ବପ୍ରଥମ, ସବୁଠୁ ସହଜ ଓ ସର୍ବୋତ୍ତମ ଉପାୟ ହେଲା କିଛି ସମୟ ପାଇଁ ଲମ୍ବା ଶ୍ୱାସ-ପ୍ରଶ୍ୱାସ ନେବା। ଏହି ଶ୍ୱାସକ୍ରିୟା ହିଁ ରାଗ, ଉଦ୍‌ବେଗ, ମାନସିକ ଚାପ ଏସବୁକୁ କମେଇବାର ସବୁଠୁ ଭଲ ଉପାୟ ବୋଲି ମନୋଚିକିତ୍ସକମାନେ ଅନେକ ପରୀକ୍ଷା ନୀରିକ୍ଷା କରି କହିଛନ୍ତି। ଏ ଲେଖକ ବି ଅନେକ ସମୟରେ ପରୀକ୍ଷା କରି ଦେଖିଛି। ଆପଣ ଏହାକୁ ଯେକୌଣସି ସ୍ଥାନରେ ଏବଂ ଯେତେବେଳେ ପାରିବେ ସେତେବେଳେ କରିପାରିବେ।

ଗହଳି ଭିତରୁ ଖାଲି ପାଞ୍ଚ ମିନିଟ୍ ବାହାରି ଯାଇ ନିଶ୍ୱାସ-ପ୍ରଶ୍ୱାସକୁ ନଜର କଲେ ହେଲା। ଏହା ପୁଣି ବିଭିନ୍ନ ପ୍ରକାରର ବି ଅଛି। ଏଇ ଯେମିତି, ଉଭୟ ନାକପୁଡ଼ା ଦେଇ ଜୋର୍‌ରେ ଶ୍ୱାସପ୍ରଶ୍ୱାସ ନେବା ଆଣିବା, ନ ହେଲେ ଗୋଟିଏ ପୁଡ଼ା ବାଟେ ପ୍ରଶ୍ୱାସ ନେଇ ଅନ୍ୟ ପୁଡ଼ା ବାଟେ ଛାଡ଼ିବା। ଆପଣଙ୍କୁ ଯେତେବେଳେ ଯେଉଁଟା ସୁବିଧା ସେଇଟା ପରୀକ୍ଷା କରିପାରନ୍ତି। ଏଥିରେ ଆପଣଙ୍କୁ ରିଲାକ୍ସ ତ ମିଳିବ ଆଉ ଗୋଟେ ଉପକାର ବି ମିଳିବ। ଏହାଦ୍ୱାରା ସ୍ମୃତିଶକ୍ତି ବି ବୃଦ୍ଧି ହେବ।

Advertisment

୨- ଦ୍ୱିତୀୟ ସହଜ ବାଟଟି ହେଲା, ବର୍ତ୍ତମାନରେ ବଞ୍ଚିବା। ମାନେ, ବେଶୀ କିଛି ନକାରାତ୍ମକ କଥା ନ ଭାବିକି ଅତୀତରେ ନ ରହି, ଯେଉଁ କାମ କରୁଛନ୍ତି ସେଇ କାମରେ ମନ ଦିଅନ୍ତୁ। ସେଇ କାମଟିକୁ ଦେଖନ୍ତୁ। ଦେଖିବେ ସେତିକି କରିବା ଦ୍ୱାରା କାମଟି ତ ଭଲ ହେବ ହିଁ ହେବ, ତା’ ସହ ଅତୀତର ଭାବନା ଓ ଭବିଷ୍ୟତର ଚିନ୍ତାକୁ ଛାଡ଼ି ବର୍ତ୍ତମାନରେ ରହିବା ଭିତରେ ଯେଉଁ ଆନନ୍ଦ ଓ ସୌନ୍ଦର୍ଯ୍ୟ ରହିଛି ତାହା ବି ମିଳିବ।

ସବୁ ସମୟରେ ଯଦି ଅଭ୍ୟାସ କରିପାରୁ ନାହାଁନ୍ତି ତେବେ ବ୍ୟସ୍ତ ହେବାର କିଛି ନାହିଁ; ଯେତେବେଳେ ବି ମନେପଡୁଛି ସେତେବେଳେ ବାସ୍ ପାଞ୍ଚ ମିନିଟ୍ ପାଇଁ ଯେଉଁ କାମ କରୁଛନ୍ତି ସେଇ କାମରେ ଏକାଗ୍ର ହୁଅନ୍ତୁ। ଯେତେବେଳେ ଅଧିକ ବ୍ୟସ୍ତ ବିବ୍ରତ ଲାଗୁଛି ସେତେବେଳେ ଏଇ କଥାଟିକୁ ନିଶ୍ଚୟ କରନ୍ତୁ। ଯଦି କିଛି କାମ ନ କରୁଥିବା ବେଳେ ଅସ୍ଥିର ଲାଗୁଛି, ତେବେ ନିଜ ଇନ୍ଦ୍ରିୟ ଉପରେ ଏକାଗ୍ରତା ଆଣନ୍ତୁ। ତା’ର ଗତିବିଧି ଉପରେ ସେଇ ପାଞ୍ଚ ମିନିଟ୍ ପାଇଁ ହିଁ ନଜର ପକାନ୍ତୁ।

୩- ତୃତୀୟ ସହଜ ବାଟଟି ହେଉଛି ମ୍ୟୁଜିକ୍ ଶୁଣିବା। ଆପଣଙ୍କୁ ଭଲ ଲାଗୁଥିବା ଯେକୌଣସି ମ୍ୟୁଜିକ୍ ଶୁଣନ୍ତୁ। କେତୋଟି ରିସର୍ଚ୍ଚରୁ ଜଣାପଡିଛି ଯେ, ମାତ୍ର ୨୦ ମିନିଟ୍ ମ୍ୟୁଜିକ୍ ଶୁଣିବା ଦ୍ୱାରା ଆଖିଦୃଶିଆଭାବେ ଷ୍ଟ୍ରେସ୍ ଲେବଲ୍ କମିଯାଇପାରେ। ଆଉ ପସନ୍ଦର ମ୍ୟୁଜିକ୍ ଶୁଣିବା ଦ୍ୱାରା ଏନ୍‌ଜାଇଟି, ହୃତ୍‌ସ୍ପନ୍ଦନ, ରକ୍ତଚାପ ମଧ୍ୟ କମେ। ଯଦି ପାରୁଛନ୍ତି ତେବେ ଆପଣ ସମୁଦ୍ରର ଲହଡ଼ି, ବର୍ଷାର ରିମିଝିମ୍ ସ୍ୱର, ଚଢ଼େଇର କିଚିରି ମିଚିରି କଥା ଆଦି ପ୍ରକୃତିର ବିଭିନ୍ନ ସ୍ୱର ନ ହେଲେ କିଛି ଇନ୍‌ଷ୍ଟ୍ରୁମେଣ୍ଟାଲ୍ ମ୍ୟୁଜିକ୍‌ର ଏକ ପ୍ଲେ ଲିଷ୍ଟ୍ ତିଆରି କରନ୍ତୁ। ଯେମିତିକି ଇଣ୍ଟରନେଟ୍ ନ ଥିଲେ ବି ଆପଣ ମ୍ୟୁଜିକ୍ ଶୁଣିପାରିବେ।

କେତେଜଣଙ୍କ କ୍ଷେତ୍ରରେ କାମ କରିବା ବେଳେ ମ୍ୟୁଜିକ୍ ଶୁଣିବା ଦ୍ୱାରା କାମର ଗୁଣାତ୍ମକତା ବଢ଼ିବାର ଦେଖାଯାଇଛି। ବିଶେଷ କରି ତରୁଣମାନଙ୍କ କ୍ଷେତ୍ରରେ ଏମିତି ହେବାର ଲକ୍ଷ କରାଯାଇଛି। ତେଣୁ ଆପଣ ଯଦି ଜଣେ ଅଭିଭାବକ ଓ ଆପଣଙ୍କ ପିଲା ଯଦି ମ୍ୟୁଜିକ୍ ଶୁଣି ପାଠ ପଢ଼ିବାକୁ ପସନ୍ଦ କରୁଛି, ତେବେ ଆପଣ ତା’ ଉପରେ ଆଦୌ ବିରକ୍ତ ହୁଅନ୍ତୁ ନାହିଁ। ଲକ୍ଷ୍ୟ କରନ୍ତୁ, ମ୍ୟୁଜିକ୍ ଲଗେଇ ସେ ଅନ୍ୟମନସ୍କ ହେଉଛି ନା’ ମନଧ୍ୟାନ ଦେଇ ପାଠପଢୁଛି। ଆପଣ ବି ଯଦି ମ୍ୟୁଜିକ୍ ଶୁଣି କାମ କରିବାରେ ଆଗ୍ରହୀ, ତେବେ ଆପଣଙ୍କ ପାଇଁ ବି ଏ ଉପାୟଟି ସବୁ ଦିଗରୁ ଲାଭଦାୟକ।

୪- ଚତୁର୍ଥ ସହଜ ଉପାୟ ହେଲା, ମୁହଁକୁ ଥଣ୍ଡା ପାଣି ଛାଟିବା। ଏହା ଦ୍ୱାରା ଆପଣଙ୍କ ଶରୀରର ତାପମାତ୍ରା ଠିକ ହେବା ସହ ଆପଣଙ୍କୁ ସତେଜ ବି ଲାଗିବ। ଏତଦ ବ୍ୟତୀତ ମଣିବନ୍ଧ (ହାତରେ ଯେଉଁଠି ଘଣ୍ଟା ପିନ୍ଧନ୍ତି, ଠିକ ସେଇଠି ଭିତର ପଟରେ)କୁ ପାଣି ଟ୍ୟାପ୍ ତଳେ କିଛି ସମୟ ରଖନ୍ତୁ ନ ହେଲେ ମଣିବନ୍ଧ ଉପରେ କିଛି ସମୟ ବରଫ ରଖିଦିଅନ୍ତୁ। ସମସ୍ତ ମୂଖ୍ୟ ଶିରାପ୍ରଶିରା ସେଇ ବାଟ ଦେଇ ଯାଇଥିବାରୁ ଏହା ସଙ୍ଗେ ସଙ୍ଗେ ଆପଣଙ୍କୁ ଶାନ୍ତ କରିବାକୁ ସାହାଯ୍ୟ କରିବ।

୫- ପଞ୍ଚମ ସହଜ ରାସ୍ତା ହେଲା, ଘର ଭିତରୁ ବା ଅଫିସ୍ ରୁମ୍‌ରୁ ବାହାରି ଟିକେ ଖରାକୁ ଯାଆନ୍ତୁ। ସୂର୍ଯ୍ୟ କିରଣରେ ଥିବା ଭିଟାମିନ୍ ଡି ଆପଣଙ୍କ ମୁଡ୍‌କୁ ସଙ୍ଗେ ସଙ୍ଗେ ବଦଳାଇ ଦେବ।

୬- ଷଷ୍ଠ ସହଜ ଉପାୟ ହେଲା, କାମ ସାରିବା ଚିନ୍ତା ଛାଡ଼ି ବସିବା ଯାଗାରୁ ଉଠି ଟିକେ ଦୁଇ ଘେରା ବୁଲି ଆସନ୍ତୁ। ହେଉ ପଛେ ୧୦ ମିନିଟ୍ ପାଇଁ। ଏହି ୧୦ ମିନିଟ୍ ଆପଣଙ୍କ ରକ୍ତ ସଞ୍ଚାଳନ ଠିକ କରି ଆପଣଙ୍କୁ ପରବର୍ତ୍ତୀ କାମ ପାଇଁ ପ୍ରସ୍ତୁତ କରାଇଦେବ।

୭- ସପ୍ତମ ସହଜ ବାଟ ହେଲା, ହସିବା। ବଡ଼ ପାଟିରେ ମନ ଖୋଲି ହସନ୍ତୁ। ସାଙ୍ଗସାଥି ବା ପରିବାର ଲୋକଙ୍କ ସହ ଖଟି କରି ହସନ୍ତୁ ନ ହେଲେ ଯଦି ଏକୁଟିଆ ଅଛନ୍ତି ତେବେ ୟୁଟ୍ୟୁବ୍‌ରେ ଆପଣଙ୍କ ପ୍ରିୟ କାର୍ଟୁନ୍, କମେଡି ଶୋ’ କି ଫିଲ୍ମ ନ ହେଲେ ଷ୍ଟାଣ୍ଡ୍‌ ଅପ୍ କମେଡି ଦେଖି ହସନ୍ତୁ। ଏହା ଆପଣଙ୍କ ମୁଡ୍ ବଦଳାଇବା ସହ ଆପଣଙ୍କୁ ଫ୍ରେସ୍ ଅନୁଭବ କରାଇବ।

୮- ଅଷ୍ଟମ ସହଜ ଉପାୟ ହେଲା, କଳ୍ପନା କରିବା। ଆପଣଙ୍କର ଲକ୍ଷ୍ୟ, ସ୍ୱପ୍ନ ବା ଯାହାବି ପାଇବାକୁ ଇଚ୍ଛା ସେ ବିଷୟରେ ଆଖି ବନ୍ଦ କରି କଳ୍ପନା କରନ୍ତୁ। ଆପଣ ଯେଉଁ ଯାଗାରେ ପହଞ୍ଚିବାକୁ ଇଚ୍ଛା କରୁଛନ୍ତି ସେଇଠି ପହଞ୍ଚି ଯାଇଛନ୍ତି ବୋଲି ଭିଜୁଆଲାଇଜ୍ କରନ୍ତୁ। ଦେଖନ୍ତୁ ନା, ଏକଥା ପଢୁ ପଢୁ ଆପଣଙ୍କ ମୁହଁରେ ହାଲ୍‌କା ହସ ଆସିଗଲାଣି, ଆଉ କଳ୍ପନା କଲେ...? ଆପଣ ଖୁସି ତ ହେବେ ନିଶ୍ଚୟ, କାମ କରିବାକୁ ଆଗ୍ରହ ବି ହେବ ଓ ରିଲାକ୍ସ ଲାଗିବ।

୯- ନବମ ସହଜ କଥାଟି ହେଲା, ପାଞ୍ଚ ମିନିଟ୍ ସମୟ ବାହାର କରି ନିଜ ହାତକୁ ମସାଜ୍ କରନ୍ତୁ। ମାନେ ହାତ ପାପୁଲିକୁ ଘଷନ୍ତୁ। ସବୁ ଶିରା ପ୍ରଶିରା ସେଇ ଭିତରେ ଥିବାରୁ ଏହା ଆପଣଙ୍କୁ ସତେଜ ଅନୁଭବ କରେଇବାରେ ସହଯୋଗ କରିବ।

୧୦- ଦଶମ ଓ ଶେଷ ଉପାୟଟି ହେଲା, ଅସ୍ଥିର ଲାଗିଲେ ଝର୍କା କିମ୍ବା କବାଟ ବାହାରକୁ ଚାହିଁ ଟିକେ ଆକାଶ, ମେଘ, ଗଛପତ୍ର, ଏମିତିକି ବାହାରେ ଚାଲୁଥିବା ଲୋକମାନଙ୍କୁ ଦେଖନ୍ତୁ। ବର୍ତ୍ତମାନରେ ରହିବା ସହ ଗୋଟେ ଫ୍ରେସ୍ ଅନୁଭବ ଆସିବ।

ଏଠାରେ ଏ ଲେଖକ ଏହି ସବୁ ସହଜ ଉପାୟକୁ ଆପଣ ରାଗ, ବିରକ୍ତ, ଚିଡିଚିଡା କି ଅସ୍ଥିର ଲାଗୁଥିବା ବେଳେ ନ ହେଲେ ଡିପ୍ରେସନ୍, ଏନ୍‌ଜାଇଟି ଓ ଷ୍ଟ୍ରେସ୍ ବଢ଼ିଯାଇଥିବା ବେଳେ ପ୍ରୟୋଗ କରିପାରିବେ। ଏତେଗୁଡ଼ିଏ କାମ କେମିତି କରିବେ ଭାବି ବ୍ୟସ୍ତ ହୁଅନ୍ତୁନି। ଯେଉଁଟା ସବୁଠୁ ସହଜ ଲାଗୁଛି ଆଉ ସେହି ମୁହୂର୍ତ୍ତରେ କରିବା ସମ୍ଭବ ମନେହେଉଛି ସେଇ ଗୋଟିକ ହିଁ କରନ୍ତୁ। ବାସ୍ ସୁସ୍ଥ ରୁହନ୍ତୁ ଓ ଖୁସି ରୁହନ୍ତୁ।

Article
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ