ଓଡ଼ିଶାର ପରମ୍ପରା ଅନନ୍ୟ, ଏହାର ସଂସ୍କୃତି ଅଦ୍ୱିତୀୟ। ଆମେ ପର୍ବ ପାଳୁ ଆମ ପ୍ରକୃତିର ପରିବର୍ତ୍ତନକୁ ନେଇ। ମାଟି, ପାଣି, ପବନ, ଆକାଶ, ନିଆଁ ଏସବୁ ସୃଷ୍ଟିର ମୂଳତତ୍ତ୍ୱ ଏବଂ ଆମେ ଏହି ସବୁକୁ ନେଇ ଉତ୍ସବ ମନାଉ। ଆମ ଭାରତୀୟ ସଭ୍ୟତାରେ ପ୍ରକୃତିକୁ ନାରୀର ଆଖ୍ୟା ଦିଆଯାଇଛି, କାରଣ ଏହା ଆମ ମାଆ ପରି ଆମକୁ ସୃଷ୍ଟି କରିଛି।
ଆଦିମ କାଳରୁ ଯେବେଠୁ ମାନବ ସଭ୍ୟତା ଆରମ୍ଭ ହେଲା ସେବେଠୁ ହିଁ ମଣିଷ ନିଜର ପ୍ରଥମ ଆବଶ୍ୟକତା ଖାଦ୍ୟ ପାଇଁ କୃଷି ଆରମ୍ଭ କରିଥିଲା। ଧିରେ ଧିରେ ଜୀବନଶୈଳୀରେ ପ୍ରକୃତିର ଉପାଦାନଗୁଡିକର ପ୍ରାଧାନ୍ୟତା ଦେଖି ତାକୁ ନେଇ ବିଭିନ୍ନ ଉତ୍ସବ ମନାଇବା ଆରମ୍ଭ ହେଲା।
ତେବେ ଆମ ଭାରତ ତଥା ବିଶେଷଭାବେ ଓଡ଼ିଶାରେ କୃଷି ଆମର ଜୀବିକାର ମୁଖ୍ୟ ମାନଦଣ୍ଡ ହୋଇଥିବା ହେତୁ ଆମର ପ୍ରାୟ ସମସ୍ତ ପର୍ବ କୃଷିଭିତ୍ତିକ ହୋଇଥାଏ। ଅକ୍ଷୟ ତୃତୀୟାଠୁ ନେଇ ରଜ, ଗହ୍ମା ପୂର୍ଣ୍ଣିମା, ମାଣବସା ଏମିତି ବାରମାସରେ ତେର ପର୍ବ। ଏପରିକି ଆମ ଓଡ଼ିଆଙ୍କ ଆରାଧ୍ୟ କାଳିଆ ଠାକୁର ମଧ୍ୟ ଠିକ ଏହିପରି ସବୁ ପର୍ବ ପାଳନ୍ତି। ତେବେ ଆଜି ଆସନ୍ତୁ ଏପରି ଏକ ଗଣ ପର୍ବ ରଜ ବିଷୟରେ କିଛି ତଥ୍ୟ ଜାଣିବା।
Also Read
ପ୍ରକୃତିକୁ ସମ୍ମାନ:
ଯେପରି ଆମେ ଜାଣୁ ଯେ ରଜ ହେଲା ଓଡ଼ିଶାର ଗଣପର୍ବ, ଅର୍ଥାତ୍ ଏଥିରେ ସାମାଜିକ ଭାବେ ଲୋକମାନେ ସାମିଲ ହୋଇ ମଉଜ କରନ୍ତି। ରଜର ବିଶେଷତ୍ୱ ବିଷୟରେ କହିଲେ ଅନେକ କଥା ଆସେ। ଏହା ଜ୍ୟେଷ୍ଠ ଓ ଆଷାଢ଼ର ସନ୍ଧିକ୍ଷଣରେ ପଡ଼ୁଥିବାରୁ ଆମେ ଏହି ସମୟରେ ଆଷାଢ଼ ମାସ ବା ବର୍ଷାକୁ ସ୍ୱାଗତ କରିଥାଉ। ତେଣୁ ଏହା ପୁରୁଣା ଋତୁକୁ ବିଦାୟ ଦେଇ ନୂଆକୁ ସ୍ୱାଗତ କରିବାର ଏକ ପର୍ବ।
ନାରୀଙ୍କୁ ସମ୍ମାନ:
ଏହା ସହ ଆଦ୍ୟ ଆଷାଢ଼ରେ ବର୍ଷା ଆରମ୍ଭ ହେବା ସମୟରେ ଆମ ମାଟି ମାଆ ଧରିତ୍ରୀ ନିଜକୁ ଆଗାମୀ ଦିନରେ ଫସଲ ଉପାର୍ଜନ ପାଇଁ ପ୍ରସ୍ତୁତ କରିଥାଏ। ଠିକ ଯେପରି ଗୋଟିଏ ଝିଅର ମାସିକ ଋତୁସ୍ରାବ ଆରମ୍ଭ ହେବା ପରେ ସେ ସନ୍ତାନ ସମ୍ଭବା ହୋଇଗଲା ବୋଲି ଆମେ ଜାଣୁ, ସେହିପରି ଏହି ସମୟରେ ଆମ ମାଟି ମାଆ ନିଜକୁ ଆଗାମୀ ଦିନରେ ସନ୍ତାନ ସମ୍ଭବା କରିବା ପାଇଁ ବିଶ୍ରାମରେ ଯାଉଥିବାରୁ ଏହି ସମୟରେ ଆମ ଭୂମି ମାତା ବା ପୃଥିବୀ ମାଆ ରଜବତୀ ହୋଇଛନ୍ତି ବା ମେନ୍ଷ୍ଟ୍ରୁଏଟ୍ କରିଛନ୍ତି ବୋଲି ବୁଝାଯାଏ।
ଏଣୁ ରଜ ଆମ ନାରୀତ୍ୱକୁ ଉତ୍ସବ ପରି ମନାଇବାକୁ ଦିଏ। ଜଣେ ନାରୀର ମାସିକ ଧର୍ମ ବା ରଜବତୀ ହେବାକୁ ସମାଜ ଏକ ଘୃଣ୍ୟ ନାମ ଦେଇଥିବା ବେଳେ ଏହା ଯେ ସୃଷ୍ଟିର ଆରମ୍ଭ, ତାହା ଏହି ପର୍ବ ଆମକୁ ସୂଚାଇଥାଏ।
ରଜର ବୈଶିଷ୍ଟ୍ୟ:
ରଜ, ଯେପରି ଆମେ ଜାଣିଲେ ଯେ ପୃଥିବୀ ମାତାର ରଜବତୀ ହେବାକୁ ପାଳନ କରାଯାଏ, ତେଣୁ ଏହି ସମୟରେ ଭୂମିକୁ କଷ୍ଟ ଦେବା ପରି କୌଣସି କାମ ହୁଏ ନାହିଁ। ଯଦି ଆମେ ଏକ ନାରୀର ଶାରୀରିକ ଗଠନ ଦୃଷ୍ଟିରୁ ଦେଖିବା, ତେବେ ଆମର ଶରୀର ସନ୍ତାନ ଉତ୍ପନ୍ନ ପାଇଁ ଅନୁକୂଳ ହେବା ପରେ ଋତୁସ୍ରାବ ଆରମ୍ଭ ହୁଏ, ଯେଉଁ ସମୟରେ ଗର୍ଭାଶୟର ଅନ୍ତଃ ସ୍ତର ବା ଏଣ୍ଡୋମେଟ୍ରିୟମ୍ରେ ପରସ୍ତ ପରସ୍ତ ହୋଇ ଗର୍ଭଧାରଣ ପାଇଁ ପ୍ରସ୍ତୁତ ହେଉଥିବା ଶଯ୍ୟା ବା ସ୍ତର ନଷ୍ଟ ହୋଇଥାଏ ଏବଂ ରକ୍ତ ସହ ଏହା ଜରାୟୁ ମୁଖ ଦେଇ ବାହାରକୁ ଚାଲିଆସେ, ଶରୀରର ଅନ୍ୟ ବର୍ଜ୍ୟ ପରି ଏହା ମଧ୍ୟ ପ୍ରତି ମାସରେ ନିର୍ଗତ ହୁଏ।
ତେବେ ଏହି ପ୍ରକ୍ରିୟା ଯୋଗୁଁ ଆମ ଗର୍ଭାଶୟ ବା ୟୁଟେରସ୍ ପ୍ରବଳ ସଂକୋଚନ ଓ ପ୍ରସାରଣ ଦେଇ ଗତିକରେ। ଏଥିପାଇଁ ରଜସ୍ୱାଳା ମହିଳାମାନଙ୍କର ତଳିପେଟରେ ଯନ୍ତ୍ରଣାହୁଏ। ଏହି କାରଣରୁ ରଜବତୀ ହେବା ସମୟରେ ଝିଅ ଓ ଘରର ମହିଳାମାନଙ୍କୁ ପୂର୍ବ କାଳରେ ଘର କାମରୁ ବିରତ ରଖାଯାଉଥିଲା, ଯାହାଦ୍ୱାରା ସେମାନେ ଆରାମ କରିପାରିବେ।
ଏହି ପ୍ରକ୍ରିୟା ସାଧାରଣତଃ ଚାରିରୁ ପାଞ୍ଚ ଦିନ ଯାଏଁ ରହୁଥିବାରୁ ଚାରିଦିନ ଯାଏଁ ଘରକାମ, ପୂଜା ଆଦି କରିବାକୁ ବାରଣ କରାଯାଉଥିଲା। ତେବେ ଏହା ପଛରେ ପ୍ରକୃତ କାରଣ କିନ୍ତୁ ହେଲା ଶରୀରକୁ ବିଶ୍ରାମ ଦେବା।
ଆପଣମାନେ ଜାଣନ୍ତି କି ଆମ ପ୍ରଭୁ ଜଗନ୍ନାଥଙ୍କ ସହ ରତ୍ନ ସିଂହାସନରେ ତାଙ୍କ ଦୁଇ ପତ୍ନୀ ଶ୍ରୀଦେବା ଓ ଭୂଦେବୀ ବିରାଜିତା। ଏ ଭୂଦେବୀ ହେଲେ ଭୂମି ଦେବୀ ବା ଆମ ମାଟି ମାଆ। ବରାହ ଅବତାରରେ ଭୂ ଅର୍ଥାତ୍ ପୃଥିବୀକୁ ନିଜ ଦାନ୍ତରେ ଧାରଣ କରି ମହାପ୍ରଭୁ ମହାପ୍ରଳୟରୁ ରକ୍ଷା କରିଥିବା ହେତୁ ଭୂଦେବୀଙ୍କୁ ତାଙ୍କର ପତ୍ନୀ ବୋଲି କୁହାଯାଇଛି।
କିନ୍ତୁ ବ୍ୟବହାରିକ ଭାବେ ଦେଖିଲେ ଭୂଦେବୀ ଓ ଶ୍ରୀଦେବୀ ହେଲେ ପ୍ରକୃତି ଓ ମହାପ୍ରଭୁ ହେଲେ ପୁରୁଷ। ଏ ବ୍ରହ୍ମାଣ୍ଡ ସର୍ବଦା ପ୍ରକୃତି ଓ ପୁରୁଷର ମିଳନର ସମ୍ମାନ ଦେଇଛି। ସେଥିପାଇଁ ଆମ ମହାପ୍ରଭୁ ନିଜ ପାଖରେ ପ୍ରକୃତି ରୂପି ଭୂଦେବୀ ଓ ଧନର ପ୍ରତୀକ ଶ୍ରୀଦେବୀଙ୍କୁ ବସାଇଥାଆନ୍ତି।
ରଜ ସମୟରେ ଆମର ସବୁ ଦେବୀମାନେ ମଧ୍ୟ ରଜବତୀ ବା ରଜସ୍ୱାଳା ହୋଇଥିବା କୁହାଯାଏ। ତିନି ଦିନ ପରେ ବସୁମତୀ ସ୍ନାନ ଦିନ ଅତ୍ୟନ୍ତ ଆଡ଼ମ୍ୱରରେ ସମସ୍ତଙ୍କ ସ୍ନାନ ହୁଏ। ଏଣୁ ଆମେ ଘରେ ଆମ ଝିଅ ବୋହୁମାନଙ୍କୁ ବି କଠିନ କାର୍ଯ୍ୟ ପାଇଁ ମନା କରୁ।
ତେବେ ପରିବାରରେ ଝିଅ ରଜସ୍ୱାଳା ହେବା ପରେ ମଧ୍ୟ ଆମେ ଏପରି ଉତ୍ସବ ମନାଉ। ଯେହେତୁ ଆମେ ଓଡ଼ିଆମାନେ ଆମ ଦେବତାମାନଙ୍କୁ ମଧ୍ୟ ଆମ ପରି ରଖୁ, ‘ଯଥା ଦେହେ, ତଥା ଦେବେ’ ନ୍ୟାୟରେ ଆମେ ଆମ ଭୂଦେବୀମାତାଙ୍କ ରଜବତୀ ହେବାର ଉତ୍ସବ ମଧ୍ୟ ସେତିକି ଉତ୍ସାହରେ ମନାଉ।
ଝିଅ ବୋହୁମାନେ ନୂଆ ଲୁଗା ପିନ୍ଧନ୍ତି, ରଜର ମୁଖ୍ୟ ଖାଦ୍ୟ ପାନ ଓ ପୋଡ଼ ପିଠା ଖାଇ ଦୋଳିରେ ଝୁଲନ୍ତି। ଦୋଳିରେ ଝୁଲିବାର ଧାରଣା ରହିବାର କାରଣ ହେଲା, ଏହି ସମୟରେ ଆମେ ଧରିତ୍ରୀମାଆକୁ କଷ୍ଟ ନ ଦେବା ତଥା ନିଜେ ଝିଅମାନେ ବିଶ୍ରାମ ନେବା ଉଦ୍ଦେଶ୍ୟରେ ଭୂମିରେ ପାଦ ନ ରଖି ଦୋଳିରେ ଝୁଲିବା। ତେବେ ରଜ ସମୁଦାୟ ଚାରିଦିନ ଥିବା ବେଳେ ତୃତୀୟଦିନ ଭୂମି ଉପରେ ଖାଲି ପାଦରେ ନ ଚାଲିବାର ପ୍ରଥା ରହିଛି କାରଣ ଭୂମିଙ୍କୁ କଷ୍ଟ ହୁଏ।
ରଜରେ ପୋଡ଼ପିଠା ଖାଇବା ପଛରେ ଥିବା ବୈଜ୍ଞାନିକ ତତ୍ତ୍ୱ ହେଲା ଏହା ଚାଉଳ ଚୁନାରୁ ପ୍ରସ୍ତୁତ। ବିଭିନ୍ନ ପୌଷ୍ଟିକ ଉପାଦାନ ଯେପରିକି ନଡ଼ିଆ, ଗୁଡ଼ ଆଦି ଦିଆଯାଇ ଅଳ୍ପ ଆଞ୍ଚରେ ଅଧିକ ସମୟ ଧରି ମାଟି ହାଣ୍ଡି ଭିତରେ ପ୍ରସ୍ତୁତ ହୋଇଥିବା ଏକ ପିଠା।
ରଜ ପୂର୍ବଦିନ ରାତିରେ ଚାଉଳ ଗୁଣ୍ଡରୁ ଏହାର ଆଣ କରି ଚୁଲି ଉପରେ ମାଟିହାଣ୍ଡି ଭିତରେ ଏହାକୁ ବସାଇଦିଆଯାଏ। ଅଧିକ ସମୟ କମ୍ ଜାଳରେ ଅର୍ଥାତ୍ ଖୁବ ଧୀରେ ଧୀରେ ଏହା ସିଝେ। ଏହି ପ୍ରକ୍ରିୟାରେ ଖାଦ୍ୟର ପୋଷକ ଦ୍ରବ୍ୟ ନଷ୍ଟ ହୋଇ ନ ଥାଏ। ଏହା ଚାଉଳରୁ ପ୍ରସ୍ତୁତ ହେଉଥିବାରୁ ଏହାର ପାଚନ ସହଜ ହୋଇଥାଏ। ଏଣୁ ଏହା ଏକ ଅତ୍ୟନ୍ତ ଉପାଦେୟ ପିଠା।
ଆଜିକାଲି ପୋଡ଼ପିଠା କହିଲେ ଅନେକ ପ୍ରକାର ପୋଡ଼ପିଠା ମିଳୁଛି। କିନ୍ତୁ ଚାଉଳ ଚୁନା, ଗୁଡ଼ ଓ ନଡ଼ିଆ ପାତି ଦିଆଯାଇ ପୁରୁଣା ସମୟରେ ଜେଜେମା ଓ ବୋଉ ଦ୍ୱାରା ପ୍ରସ୍ତୁତ ସେ ପିଠାର ସ୍ୱାଦ ଆଉ ମିଳୁନି। କ୍ଷୀର ପୋଡ଼ ପିଠା, ବିରି ପୋଡ଼ ପିଠା, ସୁଜି ପୋଡ଼ ପିଠା, ଇତ୍ୟାଦି ଅନେକ ପ୍ରକାର ଉପାୟରେ ପୋଡ଼ପିଠା ବନାଇ ଦେଉଛନ୍ତି ଆଜିକାଲି ଗୃହିଣୀମାନେ।
ଏହା ଛଡ଼ା ଆଜିକାଲି ଆଉ ଚୁଲି ଉପରେ ନ ରଖି ସହର ବଜାରରେ ଓଭନ୍ ବ୍ୟବହୃତ ହେଲାଣି। କିନ୍ତୁ ସ୍ୱାଦ ଆଉ ପୂର୍ବ ଭଳି ନାହିଁ। ଏହା ସ୍ୱାଭାବିକ ଯେ, ରାନ୍ଧିବାର ମାଧ୍ୟମ ବଦଳିଲେ ସ୍ୱାଦ ବି ବଦଳେ। ତେବେ ଆଶା କରିବା, ଏବେ ଆମେ ଆଧୁନିକତାର ଛୁଙ୍କ ଦେଇ ଆମର ମୌଳିକତାକୁ ଭୁଲିବା ନାହିଁ। ରଜରେ ସାମାଜିକ ମିଳାମିଶା ବଢାଇବାକୁ ବିଭିନ୍ନ ଖେଳ ଓ ରଜ ଦୋଳି ଆଦି ଆୟୋଜନ କରି ନୂଆ ଋତୁକୁ ସ୍ୱାଗତ କରିବା।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)