• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ ତାରିଖରେ କରାଯିବ ବୋଲି ନିର୍ବାଚନ କମିଶନ ଦିନ ଧାର୍ଯ୍ୟ କରିଛନ୍ତି। ଜୁଲାଇ ୨୧ରେ ଭୋଟ ଗଣତି କରାଯିବ। ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ। ଭାରତରେ ଏକ ଲିଖିତ ସମ୍ବିଧାନ ମାଧ୍ୟମରେ ଦେଶରେ ଶାସନ ଚାଲିଥାଏ। ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ମୁଖ୍ୟ।

ଭାରତରେ ପ୍ରତି ୫ ବର୍ଷରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହୋଇଥାଏ। ଆମ ଦେଶ ଭାରତର ରାଷ୍ଟ୍ରପତିଙ୍କ ନିର୍ବାଚନର ପ୍ରକ୍ରିୟା ଅନ୍ୟ ଦେଶ ଠାରୁ ଭିନ୍ନ ଅଟେ। ଏହାକୁ ସବୁଠାରୁ ଉତ୍ତମ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟ କୁହାଯାଇପାରେ। ଏଥିରେ ଅନେକ ଦେଶରେ ହେଉଥିବା ରାଷ୍ଟ୍ରପତି ନିର୍ବାଚନର ପ୍ରକ୍ରିୟାର ଉତ୍ତମ ବ୍ୟବସ୍ଥା ସବୁକୁ ସାମିଲ କରାଯାଇଛି। ବିଶ୍ୱର ଅନ୍ୟ ଦେଶମାନଙ୍କର ସମ୍ବିଧାନ ଅପେକ୍ଷା ଭାରତର ସମ୍ବିଧାନ ମଧ୍ୟ ସର୍ବୋତ୍ତମ।

ରାଷ୍ଟ୍ରପତି ନିର୍ବାଚନ ଅପ୍ରତ୍ୟକ୍ଷ ବା ପରୋକ୍ଷ ମତଦାନରେ ହୋଇଥାଏ। ଦେଶର ସମସ୍ତ ରାଜ୍ୟର ବିଧାନସଭାର ବିଧାୟକ ଓ ସଂସଦର ଉଭୟ ସଦନର ସାଂସଦମାନେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେଇଥାନ୍ତି। ଏହି ନିର୍ବାଚନରେ ସାଧାରଣ ଜନତା ଭୋଟ୍‌ ନ ଦେଇ ସେମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ରାଷ୍ଟ୍ରପତି ବାଛିଥାନ୍ତି।

ତେବେ ରାଜ୍ୟସଭାର ମନୋନୀତ ସାଂସଦ ଓ ଲୋକସଭାର ଦୁଇ ମନୋନୀତ ସାଂସଦ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେଇ ନଥାନ୍ତି। ଭାରତର ୯ଟି ରାଜ୍ୟରେ ବିଧାନ ପରିଷଦ ରହିଛି। ଏହି ସବୁ ରାଜ୍ୟର ବିଧାନ ପରିଷଦର ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇ ନଥାନ୍ତି। କାରଣ ଏମାନେ ଲୋକଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହୋଇ ନଥାନ୍ତି। ଦେଶର କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ, ପୁଡୁଚେରି ଭଳି ଯେଉଁଠି ବିଧାୟକମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି, ସେସବୁ ପ୍ରଦେଶର ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥାନ୍ତି।

ରାଷ୍ଟ୍ରପତି ନିର୍ବାଚନର ବର୍ତ୍ତମାନ ବ୍ୟବସ୍ଥା ୧୯୭୧ର ଜନସଂଖ୍ୟା ଆଧାରରେ ୧୯୭୪ ଠାରୁ ଚାଲିଆସିଛି ଓ ଏହି ବ୍ୟବସ୍ଥା ୨୦୨୬ ପର୍ଯ୍ୟନ୍ତ ଲାଗୁରହିବ। ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ମଣ୍ଡଳରେ ୪୮୦୯ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ଜଣ ସାଂସଦ ଓ ବାକି ୪ ହଜାର ୩୩ ଜଣ ବିଧାୟକ। ବିଧାୟକମାନଙ୍କର ଭୋଟ୍‌ର ମୂଲ୍ୟ ୫ ଲକ୍ଷ ୪୩ ହଜାର ୭୩୧ ଏବଂ ସାଂସଦମାନଙ୍କର ଭୋଟ୍‌ର ମୂଲ୍ୟ ୫ ଲକ୍ଷ ୪୩ ହଜାର ୨୦୦।

ଏସବୁ ମିଶି ସମୁଦାୟ ଭୋଟ୍‌ର ମୂଲ୍ୟ ହେଉଛି ୧୦ ଲକ୍ଷ ୮୬ ହଜାର ୪୩୧। ରାଷ୍ଟ୍ରପତି ନିର୍ବାଚନ ୨୦୨୨ରେ ପ୍ରତ୍ୟେକ ସାଂସଦଙ୍କ ଭୋଟ୍‌ର ମୂଲ୍ୟ ୭୦୮ରୁ କମିଯାଇ ୭୦୦ରେ ରହିଛି। ଏହାର କାରଣ ହେଉଛି ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇ ନାହିଁ। ଉତ୍ତରପ୍ରଦେଶ ବିଧାନସଭାର ଭୋଟ୍‌ର ମୂଲ୍ୟ ସର୍ବାଧିକ ୮୩୮୨୪। ଏହା ପରେ ରହିଛି କ୍ରମଶଃ ମହାରାଷ୍ଟ୍ର ବିଧାନସଭାର ଭୋଟ୍‌ ମୂଲ୍ୟ ୫୦୪୦୦ ଏବଂ ବିହାର ବିଧାନସଭାର ମତ ମୂଲ୍ୟ ୪୨୦୩୯ ଓ ପଶ୍ଚିମବଙ୍ଗର ୪୪୩୯୪।

ଓଡ଼ିଶା ବିଧାନସଭାର ପ୍ରତି ବିଧାୟକଙ୍କ ଭୋଟ ମୂଲ୍ୟ ୧୪୯ ଅର୍ଥାତ ଓଡ଼ିଶା ବିଧାୟକଙ୍କ ସମସ୍ତ ଭୋଟ୍‌ ମୂଲ୍ୟ ୨୧,୯୦୩। ସିକିମ୍‌ ବିଧାନସଭାର ଭୋଟ ମୂଲ୍ୟ ସର୍ବନିମ୍ନ ୨୨୪। ଲୋକସଭାର ୫୪୩ ଓ ରାଜ୍ୟସଭାର ୨୩୩ ସାଂସଦ ଏବଂ ସବୁରାଜ୍ୟର ବିଧାୟକ ଏହି ନିର୍ବାଚନରେ ଭୋଟ ଦେଇଥାନ୍ତି ଓ ୫୦ ପ୍ରତିଶତରୁ ଅଧିକ ମିଳିଥିବା ପ୍ରାର୍ଥୀ ଭୋଟରେ ବିଜୟୀ ହୋଇଥାନ୍ତି।

ଦେଶର ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ବାବଦରେ କୁହାଯାଇଛି ଯେ କୌଣସି ଦଳ ଦଳୀୟ ସଦସ୍ୟଙ୍କ ପାଇଁ ହ୍ୱିପ୍‌ ଜାରି କରିପାରିବେ ନାହିଁ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଏକ ସ୍ୱତନ୍ତ୍ର ସ୍ୟାଇ (ଇଙ୍କ୍‌)ବାଲା କଲମ ବ୍ୟବହାର କରାଯିବ। ଏହି କଲମରେ ସାଂସଦ ଓ ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ୧, ୨, ୩ ଲେଖି ନିଜର ପସନ୍ଦ ବାଛିବେ।

ଭୋଟ ବେଳେ ରାଷ୍ଟ୍ରପତିଙ୍କୁ ଭୋଟ ଦେବା ସମୟରେ ନାମ ଆଗରେ ବରିଷ୍ଠତା ଲେଖିବାକୁ ପଡିଥାଏ। ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରୁ ପସନ୍ଦର ପ୍ରାର୍ଥୀଙ୍କ ନାମ ପାଖରେ ୧ ଲେଖିବାକୁ ପଡିଥାଏ। ଯେଉଁ ପ୍ରାର୍ଥୀଙ୍କ ନାମ ପାଖରେ କମ ସଂଖ୍ୟକ ୧ ରହିଥାଏ ସେମାନଙ୍କୁ କମ ଭୋଟ ମିଳିଛି ବୋଲି ଗଣନା କରାଯାଏ। ଯେଉଁ ପ୍ରାର୍ଥୀଙ୍କ ନାମ ପାଖରେ ଅଧିକ ସଂକ୍ୟକ ୧ ରହିଥାଏ ସେହି ପ୍ରାର୍ଥୀ ଜିତିବାର ହକଦାର ହୋଇଥାନ୍ତି। ଭାରତର ରାଷ୍ଟ୍ରପତି ନିର୍ବାଚନରେ ରାଜନୈତିକ ଦଳମାନେ ପୂରା ସକ୍ରିୟ ରହିଥାନ୍ତି।

ରାଷ୍ଟ୍ରପତିଙ୍କୁ ଭାରତର ସଂସଦର ଉଭୟ ସଦନର ସାଂସଦ ଏବଂ ରାଜ୍ୟ ବିଧାନସଭାର ବିଧାୟକମାନେ ୫ ବର୍ଷ ପାଇଁ ନିର୍ବାଚିତ କରିଥାନ୍ତି। ଭୋଟ ଦେବା ସମୟରେ ଏକ ବିଧିମାନ ଫର୍ମୁଲା ପ୍ରସ୍ତୁତ କରାଯାଇଥାଏ। ଫଳରେ ସବୁ ରାଜ୍ୟର ଜନସଂଖ୍ୟା ଏବଂ ବିଧାନସଭାର ସଦସ୍ୟମାନଙ୍କ ଦ୍ୱାରା ଭୋଟଦାନର ସଂଖ୍ୟା ମଧ୍ୟରେ ଏକ ଅନୁପାତ ରହିଥାଏ ଏବଂ ବିଧାନସଭା ସଦସ୍ୟ ଓ ସାଂସଦଙ୍କ ମଧ୍ୟରେ ଏକ ସମାନୁପାତର ଅବସ୍ଥା ରହିପାରିବ। ଯଦି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କୌଣସି ପ୍ରାର୍ଥୀଙ୍କୁ ବହୁମତ ନ ମିଳେ ତେବେ ସେଥିପାଇଁ ମଧ୍ୟ ଏକ ପଦ୍ଧତି ରହିଛି।

ରାମଚନ୍ଦ୍ରପୁର, ରଣପୁର,

ମୋ : ୯୪୩୮୪୮୫୦୯୪

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)