Advertisment

ଚମକ ହରାଉଛନ୍ତି ମିଷ୍ଟର ୩୬୦ ସୂର୍ଯ୍ୟକୁମାର

ଭାରତର ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ଏକଦା ନିଜ ବ୍ୟାଟିଂ ପାଇଁ ଅଜସ୍ର ପ୍ରଶଂସା ସାଉଁଟିଥିବା ସୂର୍ଯ୍ୟ ଆଜି କ୍ରମାଗତ ବିଫଳତା ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି। ନିଜ ଚମକ ହରାଉଛନ୍ତି ମିଷ୍ଟର ୩୬୦।

ଅଦ୍ୟତନ ହୋଇଛି
Suryakumar Yadav

Mr. 360 Suryakumar is losing its glory

Advertisment

ଗତ ବର୍ଷ ମୌଖିକ ରୂପରେ ନୂଆ ମିଷ୍ଟର ୩୬୦ ଡିଗ୍ରୀ ବ୍ୟାଟର୍ ଭାବେ ଆଖ୍ୟାୟିତ ହୋଇଥିବା ଭାରତର ସୂର୍ଯ୍ୟକୁମାର ଯାଦବ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥରର ଚର୍ଚ୍ଚା ସକାରାତ୍ମକ ନୁହେଁ। ତାଙ୍କର ବାରମ୍ବାର ବିଫଳତାକୁ ନେଇ ଆଲୋଚନା ହେଉଛି, ଯାହା ତାଙ୍କ ଭବିଷ୍ୟତ ଉପରେ ବି ପ୍ରଶ୍ନଚିହ୍ନ ଲଗାଇଦେଇଛି।

Advertisment

୨୦୨୩ ଫେବ୍ରୁଆରୀ ୧। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଟି-୨୦ ମ୍ୟାଚ୍‌ରେ ୨୪ ରନ୍‌ର ଏକ ଛୋଟ ଅଥଚ ଉପଯୋଗୀ ଇନିଂସ୍ ଖେଳିଥିଲେ। କିନ୍ତୁ ଏହାପରେ ତାଙ୍କ ପାଇଁ ଯେମିତି ସବୁ କିଛି ବଦଳିଗଲା।

ଅଧିକ ପଢ଼ନ୍ତୁ: ମାହିଙ୍କ ବଡ଼ ହୃଦୟ, ୮୮ ବର୍ଷିୟା ଫ୍ୟାନ୍‌ଙ୍କ ଘରକୁ ଯାଇ ଭେଟିଲେ

ସେହିଦିନ ଠାରୁ ପରବର୍ତ୍ତୀ ସାତ ଇନିଂସ୍‌ରେ ସେ ମୋଟ ୨୪ ରନ୍ ହିଁ କରିପାରିଥିଲେ, ଯେଉଁଥିରେ ଗୋଟିଏ ଟେଷ୍ଟ୍‌, ତିନି ଲେଖାଏଁ ଦିନିକିଆ ଆନ୍ତର୍ଜାତିକ ଓ ଆଇପିଏଲ୍ ରହିଥିଲା। ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଲା, ସେହି ସାତ ଇନିଂସ୍‌ରୁ ଚାରି ଥର ସେ ଗୋଲ୍‌ଡେନ୍ ଡକ୍ (ପ୍ରଥମ ବଲ୍‌ରେ ଆଉଟ୍ ହେବା)ର ଶିକାର ହୋଇଥିଲେ।

Advertisment

ସୂର୍ଯ୍ୟଙ୍କ ଏଭଳି ପ୍ରଦର୍ଶନକୁ ଦେଖି ବିଶ୍ୱାସ କରିପାରୁ ନାହାନ୍ତି କ୍ରିକେଟ୍ ପ୍ରଶଂସକ। ଆଜି ତାଙ୍କ ପ୍ରଦର୍ଶନ ଓ ମୁହଁରୁ ସେହି ଚମକ ହଜିଯାଇଛି। କାହିଁକି ଏମିତି ହେଉଛି କେହି ବୁଝିପାରୁ ନାହାନ୍ତି। ଖୋଦ୍ ସୂର୍ଯ୍ୟ ବି ଏହି ନୈରାଶ୍ୟଜନକ ଅବଧିର କେବେ ଅନ୍ତ ହେବ, ତାହାର ଅନୁମାନ ଲଗାଇପାରୁ ନାହାନ୍ତି।

ସୂର୍ଯ୍ୟ ଏବେ ବି ଆଇସିସି ଟି-୨୦ ଆନ୍ତର୍ଜାତିକ ବ୍ୟାଟିଂ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନର ମହମ୍ମଦ ରିଜୱାନ୍ ତାଙ୍କ ଠାରୁ ୯୫ ପଏଣ୍ଟ ପଛରେ ଅଛନ୍ତି। ସୂର୍ଯ୍ୟ ଏ ଯାବତ ଶୀର୍ଷତ୍ୱ ବଜାୟ ରଖିବାର କାରଣ ତାଙ୍କର ଗତ ବର୍ଷର ବିସ୍ମୟକର ପ୍ରଦର୍ଶନ। ବିରାଟ କୋହଲି, ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କରଙ୍କ ସମେତ ଅନେକ ଖେଳାଳି ସେତେବେଳେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ।

Advertisment

ସେ ୨୦୨୨ରେ ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ୧୧୬୪ ରନ୍ ସଂଗ୍ରହ କରିଥିଲେ। ମୁମ୍ବାଇର ଏହି ବ୍ୟାଟରଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୮୭.୪୩ ଓ ଆଭରେଜ୍ ଥିଲା ୪୬.୫୬। ଏହି ସମୟରେ ସେ ନଅ ଅର୍ଦ୍ଧଶତକ ଛଡ଼ା ଦୁଇ ଶତକ ବି ଲଗାଇଥିଲେ ତାହା ପୁଣି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମାଟିରେ।

ଏହି ଦୁଇ ଗସ୍ତରେ ସୂର୍ଯ୍ୟ ଯେତେବେଳେ ଶତକ ଲଗାଇବା ପରେ ସାମ୍ବାଦିକ ସମ୍ମିଳନୀକୁ ଆସୁଥିଲେ, ସେତେବେଳେ ସେ ଏହା ଅସ୍ୱୀକାର କରି ନ ଥିଲେ ଯେ ତାଙ୍କୁ ନିଜର ଅସାଧାରଣ ସଫଳତାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି।

ସେତେବେଳେ ବିରାଟଙ୍କ ଭଳି ପୁରୁଖା ଖେଳାଳି କହୁଥିଲେ ଯେ ସୂର୍ଯ୍ୟଙ୍କ ବ୍ୟାଟିଂକୁ ଦେଖି ଏଭଳି ମନେହେଉଛି ଯେ ଯେମିତି ସେ ପିଚ୍‌ରେ ନୁହନ୍ତି, ଭିଡିଓ ଗେମ୍‌ରେ ବ୍ୟାଟିଂ କରୁଛନ୍ତି।

ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ୍ ସମୟରେ ଅଧିକାଂଶ ମ୍ୟାଚ୍‌ରେ ସୂର୍ଯ୍ୟଙ୍କ ଆଗରେ ବିପକ୍ଷ ବୋଲର୍ ଭାବେ ନିରୁପାୟ ଦିଶୁଥିଲେ ଏବଂ ତାହା ସତୁରି ଓ ଅଶୀ ଦଶନ୍ଧିରେ କାରିବୀୟ କିମ୍ବଦନ୍ତୀ ସାର୍ ଭିଭିଆନ୍ ରିଚାର୍ଡ୍ସଙ୍କ ଆଧିପତ୍ୟ କଥା ମନେପକାଇ ଦେଉଥିଲା।

୨୦୨୩ରେ ରାଜକୋଟ୍ ଠାରେ ସେ ଶ୍ରୀଲଙ୍କା ବିପକ୍ଷରେ ଏକ ବିସ୍ଫୋରକ ଶତକ ଲଗାଇଲେ। ତାଙ୍କୁ ଭାରତୀୟ ଟି-୨୦ ଟିମ୍‌ର ଉପ-ଅଧିନାୟକ ଦାୟିତ୍ୱ ବି ମିଳିଲା। ଦିନିକିଆରେ ସଞ୍ଜୁ ସାମ୍‌ସନ୍‌ଙ୍କ ପରିବର୍ତ୍ତେ ତାଙ୍କୁ ପ୍ରାଥମିକତା ଦିଆଗଲା। ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ରେ ବି ସୁଯୋଗ ମିଳିଲା।

କିନ୍ତୁ ଏହାପରେ ତାଙ୍କ କ୍ୟାରିଅର ଏକ ନିଷ୍ଠୁର ଟର୍ଣ୍ଣ ନେଲା। ସେବେଠାରୁ ବିଫଳତା ତାଙ୍କ ପିଛା ଛାଡ଼ୁନି। ଗତ ଦୁଇ ମାସ ହେଲା ସେ କଠିନ ସମୟ ଦେଇ ଗତି କରୁଛନ୍ତି ଯେତେବେଳେ କି ଏହା ପୂର୍ବର ୧୨ ମାସର ଯାତ୍ରା ତାଙ୍କ ପାଇଁ ସ୍ୱପ୍ନିଳ ଥିଲା।

ମିଡିଆର ହେଡ୍‌ଲାଇନ୍ ‘ନୂଆ ମିଷ୍ଟର ୩୬୦’ରୁ ‘ସୂର୍ଯ୍ୟଙ୍କ ଉପରେ ଗ୍ରହଣ ଲାଗିଲା’କୁ ପରିବର୍ତ୍ତିତ ହେଲା। ଯେଉଁ ବ୍ୟାଟିଂ ପାଇଁ ସେ ପ୍ରଶଂସାର ଶିଖରରେ ପହଞ୍ଚିଥିଲେ, ଆଜି ସେଥିପାଇଁ ଏହି ଡାହାଣହାତି ବ୍ୟାଟର୍ ସମାଲୋଚନାର ଶରବ୍ୟ ହୋଇଛନ୍ତି।

ଅନ୍ୟପଟେ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ତାଙ୍କୁ ନେଇ ଆଶାବାଦୀ ଅଛନ୍ତି। ଆଇପିଏଲ୍ ପୂର୍ବରୁ ପଣ୍ଟିଂ କହିଥିଲେ ଯେ ସାରା ଜଗତ ଜାଣିଛି ଯେ ହ୍ୱାଇଟ୍ ବଲ୍ କ୍ରିକେଟ୍‌ରେ ସୂର୍ଯ୍ୟ କ’ଣ କରିବାର ସାମର୍ଥ୍ୟ ରଖନ୍ତି। ସୂର୍ଯ୍ୟଙ୍କ ପ୍ରଦର୍ଶନରେ ନିରନ୍ତରତାର ଅଭାବ ଥିଲେ ବି ଭାରତ ଏହି ଖେଳାଳିଙ୍କ ଉପରେ ଭରସା କରିବା ଦରକାର, କାରଣ ଏଭଳି ଖେଳାଳି ଆପଣଙ୍କୁ ବିଶ୍ୱକପ୍ ଜିତାଇପାରିବେ। ସେ ଦିବଙ୍ଗତ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର୍ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସଙ୍କ ଉଦାହରଣ ବି ଦେଇଥିଲେ।

ସୂର୍ଯ୍ୟଙ୍କ ଭବିଷ୍ୟତ କେତେ ସୁରକ୍ଷିତ:

ସୂର୍ଯ୍ୟକୁମାରଙ୍କ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଯଦି ବଳବତ୍ତର ରହେ, ତା’ହେଲେ ଭାରତୀୟ ଟିମ୍‌ରେ ସ୍ଥାନ ବଜାୟ ରଖିବା ତାଙ୍କ ପକ୍ଷେ କଷ୍ଟକର ହୋଇଯିବ ଅଥବା ଟି-୨୦ ଭଳି ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ ଯାଏଁ ତାଙ୍କ ସ୍ଥାନ ସୀମିତ ରହିଯିବ।

ଅନେକ ଉଦୀୟମାନ ଖେଳାଳି ଏବେ କ୍ୟୁ’ରେ ଅଛନ୍ତି। ତା’ଛଡ଼ା ଶ୍ରେୟାସ ଆୟରଙ୍କ ଭଳି ବ୍ୟାଟର୍ ସୁସ୍ଥ ହୋଇ ଫେରିବା ସ୍ଥଳେ ଦିନିକିଆରେ ସେ ନିଜ ସ୍ଥାନ ହରାଇପାରନ୍ତି। ଆଗକୁ ଟେଷ୍ଟ୍‌ରେ ତାଙ୍କୁ ନିଆଯିବାର ସମ୍ଭାବନା ପ୍ରାୟ କ୍ଷୀଣ। ସେଠାରେ ବି ଶ୍ରେୟାସ ବା ଅନ୍ୟ କେହି ତାଙ୍କ ପାଇଁ ପ୍ରତିବନ୍ଧକ ହୋଇପାରନ୍ତି।

ସୀମିତ ଓଭର୍ ହେଉ ବା ଟେଷ୍ଟ୍‌ - ପ୍ରଦର୍ଶନରେ ନିରନ୍ତରତା ରଖୁ ନ ଥିବା, କ୍ରମାଗତ ନିରାଶ କରୁଥିବା ଖେଳାଳିଙ୍କ ସ୍ଥାନ କେଉଁ ଫର୍ମାଟ୍‌ରେ ବି ସୁରକ୍ଷିତ ନୁହେଁ।

ଅତୀତର କିଛି ରେକର୍ଡ ସେଠାରେ ଅର୍ଥହୀନ ହୋଇଯାଏ। ସୂର୍ଯ୍ୟଙ୍କୁ ଏ କଥା ଧ୍ୟାନରେ ରଖିବାକୁ ହେବ। ତାଙ୍କୁ ଅନ୍ୟମାନଙ୍କ ଠାରୁ ପ୍ରେରଣା ହାସଲ କରିବାକୁ ହେବ। ଫର୍ମ ପାଇଁ କଠିନ ପରିଶ୍ରମ କରିବାକୁ ହେବ। ସମସ୍ତଙ୍କ କ୍ୟାରିଅର୍‌ରେ ଏମିତି ସମୟ ଆସେ। ତାଙ୍କୁ ସଠିକ୍ ମାର୍ଗଦର୍ଶନ ବି ଦିଆଯିବା ଦରକାର। ଆଇପିଏଲ୍ ଏକ ବଡ଼ ସୁଯୋଗ, ଯେଉଁଥିରେ ସେ ଭଲ ପ୍ରଦର୍ଶନ କରି ଜାତୀୟ ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Cricket Indian Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ