• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଓଡ଼ିଆ ଭାଷା ୧୯/୦୯/୨୦୧୮ ଠାରୁ ସରକାରୀ ଭାଷା ଭାବେ ରାଜ୍ୟ ବିଧାନସଭାରେ ୧୯୫୪ ଭାଷା ଆଇନ୍ ସଂଶୋଧନ ହୋଇ "ଭାଷା ଆଇନ୍ ୨୦୧୮ ଦ୍ୱିତୀୟ ସଂଶୋଧନ ହୋଇ ପାରିତ ହେଲା। ଯାହାକି ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ପରିଗଣିତ ହେଲା। ୧୩ ଅଗଷ୍ଟ ୨୦୧୯ ଠାରୁ ଓଡ଼ିଆ ଭାଷା ସରକାରୀ ଭାଷା ହେଲା ବୋଲି ମହାମହିମ ରାଜ୍ୟପାଳ ଗେଜେଟ୍ ନୋଟିଫିକେସନ କରି ବିଜ୍ଞପ୍ତି ପ୍ରକାଶ କଲେ ସେଥିରେ ସ୍ପଷ୍ଟ ରହିଲା କି ଆଜି ଠାରୁ ଓଡ଼ିଆ ଭାଷା ହିଁ ସରକାରୀ ଭାଷା, ଯେଉଁମାନେ ଏହି ଆଇନ ଖିଲାପ କରିବେ ସେମାନଙ୍କ ବିରୋଧରେ ୧୯୬୨ ସରକାରୀ ଚାକିରୀ ସର୍ତ୍ତାବଳୀ ନିୟମାନୁସାରେ ଦଣ୍ଡବିଧାନ କରାଯିବ ଏବଂ ଯେଉଁମାନେ ଦୃଢ଼ତାର ସହ ପାଳନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ହୋଇଛି l ଯାହାକି ଭାଷା ଆନ୍ଦୋଳନ ଓଡି଼ଶାର ଉଦ୍ୟମ ଫଳରେ ସମ୍ଭବ ହେଲା।

ଭାରତ ସ୍ଵାଧୀନତାର ବହୁ ବର୍ଷ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନ କରାଯାଇଥିଲା। ୧୮୬୬ରେ ଆରମ୍ଭ ହୋଇଥିବା ଆନ୍ଦୋଳନ ୧୯୦୩ରେ ବିଶାଳ ରୂପ ନେଇଥିଲା। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷମାନେ ଏହି ଜାତୀୟତାବାଦ ଅନ୍ଦୋଳନକୁ ଆଗେଇ ନେଉଥିଲେ। ଏହାର ପଶ୍ଚାତ୍ ଭାଗରେ ଇଂରେଜ ସରକାରକୁ ହଟାଇ ମାତୃଭୂମିର ସୁରକ୍ଷା ଏକମାତ୍ର ଉଦ୍ଦେଶ୍ୟ ଥିଲା। ପ୍ରଥମ ସ୍ଵାଧୀନତା ସଂଗ୍ରାମ ବୋଲି ଯଦି ଆମେ ୧୮୧୭ ଖୋର୍ଦ୍ଧାର ପାଇକ ଆନ୍ଦୋଳନକୁ ନେଉଛେ ତେବେ ସେହିଦିନଠାରୁ ହିଁ ଭାରତର ସ୍ଵାଧୀନତା ସଂଗ୍ରାମ ଜାରି ରହିଛି।

ସେହି ପ୍ରେକ୍ଷାପଟରେ ବିଭିନ୍ନ ଉପାୟରେ ଇଂରେଜ ସରକାର ବିରୋଧରେ ଆନ୍ଦୋଳନ ଜାରିରହିଥିଲା, ଯେମିତି ବକ୍ସି ଜଗବନ୍ଧୁଙ୍କ ଅସହଯୋଗ ଆନ୍ଦୋଳନ ମଧ୍ୟ ତନ୍ମଧ୍ୟରୁ ଅନ୍ୟତମ। ଯାହା ଫଳରେ ୧୮୮୫ରେ ଭାରତୀୟ ଜାତୀୟ କଂଗ୍ରେସର ଅଭ୍ୟୁଦୟ ହେଲା। ସାରା ଦେଶରେ ନୂତନ ଆଶା ସଞ୍ଚାର ହେଉଥିବା ବେଳେ କଟକ ଠାରେ ୧୮୮୬ ମାର୍ଚ୍ଚ ୩ରେ ‘ଉତ୍କଳ ସଭା’ ମୁଣ୍ଡ ଟେକି ଜାତୀୟତାବୋଧ ଜାଗ୍ରତ କରିବା ପାଇଁ ଅଣ୍ଟା ଭିଡ଼ିଲା।

କଂଗ୍ରେସର ୧୮୮୬ ଡିସେମ୍ବରରେ ହେବାକୁ ଥିବା ଦ୍ଵିତୀୟ ସଭାକୁ ଉତ୍କଳ ସଭା ଚାରି ଜଣ ପ୍ରତିନିଧିଙ୍କୁ ପଠାଇଲା। ସେମାନଙ୍କ ମଧ୍ୟରେ ମଧୁସୂଦନ ଦାସ, ଗୋଲକ ଚନ୍ଦ୍ର ବୋଷ, ହରିବଲ୍ଲଭ ଘୋଷ୍, କାଳୀପଦ ବାନାର୍ଜୀ ପ୍ରମୂଖ ଭାଗ ନେଇଥିଲେ। କେବଳ ସେତିକି ନୁହେଁ, ବାଲେଶ୍ଵର ସୋସାଇଟି ମଧ୍ୟ ତିନି ଜଣଙ୍କୁ ପଠାଇଥିଲା। ସେମାନଙ୍କ ମଧ୍ୟରେ ବୈକୁଣ୍ଠନାଥ ଦେ, ଭଗବାନ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମଣ୍ଡଳ ପ୍ରମୁଖ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରାନ୍ତରୁ ଜାତୀୟ କଂଗ୍ରେସର ସଭାଗୁଡିକରେ ଭାଗ ନେଇ ଜାତୀୟ ଆନ୍ଦୋଳନକୁ ଆଗକୁ ନେଉଥିଲେ।

ଏଭଳି ଆନ୍ଦୋଳନ ଚାଲିଥିବା ସମୟରେ ଇଂରେଜ ସରକାର ଚିନ୍ତାକଲେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଅଲଗା ଅଲଗା କରିଦେଲେ ଏମାନେ ଏକାଠି ହୋଇପାରିବେ ନାହିଁ। ସେହି ପ୍ରେକ୍ଷାପଟରେ ସମ୍ବଲପୁରକୁ ମଧ୍ୟପ୍ରଦେଶ ସହ ମିଶାଇ ଅଲଗା କରିଦେବାକୁ ଯୋଜନା କଲେ। ସରକାରୀ ଚାକିରୀ କରିଥିବା ସମ୍ବଲପୁରର ଚକ୍ରଧର ବେହେରା ଏକଥା ଜାଣିପାରି ଚାକିରୀରୁ ଇସ୍ତଫା ଦେଇ ଚାଲିଆସିଲେ ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ପ୍ରମୁଖଙ୍କୁ ସରକାରଙ୍କର ଆଭିମୁଖ୍ୟ ବିଷୟରେ ଅବଗତ କରାଇବା ପରେ ସମ୍ବଲପୁରରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପ୍ରକ୍ରିୟା ଆରମ୍ଭ ହେଲା। ଗଙ୍ଗାଧର ମେହେର ପ୍ରମୁଖ ମଙ୍ଗ ଧରିବା ଆରମ୍ଭ କଲେ।

ଏଥି ମଧ୍ୟରେ ୧୮୮୮ରେ ପାରଳାଖେମୁଣ୍ଡି ‘ଉତ୍କଳ ହିତୈଷିଣୀ ସଭା’ ବେଳକୁ ମଧୁବାବୁ ଜାତୀୟ କଂଗ୍ରେସର ଜଣେ ଆଗଧାଡିର ନେତା ଭାବେ ଜଣାଶୁଣା ହୋଇ ସାରିଲେଣି। ଜାତୀୟ କଂଗ୍ରେସର ଆଭିମୁଖ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ନେଇ ଅନ୍ୟମାନଙ୍କ ମଧ୍ୟରେ ନନ୍ଦ କିଶୋର ବଳ, ଗୋପାଳ ଚନ୍ଦ୍ର ପ୍ରହରାଜ, ବିଶ୍ଵନାଥ କର, ମଧୁସୂଦନ ରାଓ, ଗୋକୁଳାନନ୍ଦ ଚୌଧୁରୀ, ନରେନ୍ଦ୍ର ନାରାୟଣ ରାୟ, ଲୋକନାଥ ସାମନ୍ତରାୟ, ମହମ୍ମଦ ଅବଦୁଲ ସତ୍ତାର ପ୍ରମୁଖ ମଧ୍ୟ ଜାତୀୟ ଆନ୍ଦୋଳନର ପ୍ରମୁଖ ଭାଗରେ ଆଗେଇ ଚାଲିଲେ।

୧୯୨୦ ଜାତୀୟ କଂଗ୍ରେସର ନାଗପୁର ସଭାରେ ନିଷ୍ପତ୍ତି ହେଲା କି ଆଞ୍ଚଳିକ ଭାଷାଭିତ୍ତିକ ଭାବେ କମିଟି ଗଠନ କରାଯିବ, ସେହି ସଭାରେ ଗୋପବନ୍ଧୁ ଦାସ, ଭାଗୀରଥୀ ମହାପାତ୍ର, ଜଗବନ୍ଧୁ ଦାସ, ଜଦୁମଣି ମଙ୍ଗରାଜ, ମୁକୁନ୍ଦ ପ୍ରସାଦ ଦାସ, ନିରଞ୍ଜନ ପଟ୍ଟନାୟକ, ହରେକୃଷ୍ଣ ମହତାବ ପ୍ରମୁଖ ଯୋଗ ଦେଇଥିଲେ ଏବଂ ଜଗବନ୍ଧୁ ସିଂହଙ୍କ ନେତୃତ୍ଵରେ ଉତ୍କଳ ୟୁନିଅନ କନ୍‌ଫରେନ୍ସ ଅନୁଷ୍ଠିତ ହେଲା। ଏହି ସଭାରେ ଗୋପବନ୍ଧୁ ଦାସ କହିଥିଲେ, ସମସ୍ତ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା ପାଇଁ ନିଷ୍ପତ୍ତି ନିଆଯାଉ। ତା’ପରେ ୧୯୨୧ ମସିହାରେ ଜାତୀୟ କଂଗ୍ରେସକୁ ବଳଦେବା ପାଇଁ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ କରାଗଲା।

ଓଡ଼ିଆ ଭାଷାର ସୁରକ୍ଷା ତା’ର ଶବ୍ଦାବଳୀ ସମେତ ଭାଷାର ମଧୁରତା ସମସ୍ତ ଭାଷା ଠାରୁ ସ୍ଵତନ୍ତ୍ରତା ବାରି ହୋଇପଡୁଥିଲା। ଏପ୍ରିଲ୍ ୦୧,୧୯୩୬ ମସିହାରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟଭାବେ ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଲା। ପରବର୍ତ୍ତୀ ସମୟରେ ଭାରତ ସ୍ଵାଧୀନତା ପାଇବା ପରେ ୧୯୫୨ ମସିହାରେ ପଦ୍ମପୁରର ବିଧାୟକ ଲକ୍ଷ୍ମୀନାରାୟଣ ମିଶ୍ର ବିଧାନସଭାରେ ସ୍ଵତନ୍ତ୍ର ଭାଷା ଆଇନ ଆଣିବା ପାଇଁ ଏକ ବିଲ୍ ଆଣିଲେ। ଏହି ବିଲ୍ ଉପରେ ଗୃହରେ ଆଲୋଚନା ଚାଲିଥିବା ବେଳେ କେତେକ ବିଧାୟକ ଏପରି ବିଲ୍ ହାସ୍ୟାସ୍ପଦ ବୋଲି କହିଥିଲେ ଏବଂ ବିଲ୍‌ ବିଧାନସଭାରେ କାଟ୍ ଖାଇଯିବା ଦେଖି ସେ ସେହି ବିଲ୍‌କୁ ଫେରାଇ ନେବାକୁ ଉଚିତ ମଣିଲେ।

ଏହି ସବୁ ଆଲୋଚନାକୁ ନବକୃଷ୍ଣ ଚୌଧୁରୀ ଶୁଣୁଥିଲେ ଏବଂ ବିଲ୍ ପ୍ରତି ସଂଖ୍ୟାଧିକ ଭୋଟ ନଥିବା ଦେଖି ମର୍ମାହତ ବି ହୋଇଥିଲେ। କିନ୍ତୁ ଧୈର୍ଯ୍ୟହରା ନ ହୋଇ ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲେ ତା’ ପରେ ତାଙ୍କ ମନରେ ଥିବା ଭାଷା ଆଇନକୁ ୧୯୫୪ ମସିହାରେ ପାରିତ କରାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିୟମାବଳୀ ପ୍ରଣୟନ ହୋଇ ନ ଥିବାରୁ ତାହା ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହୋଇ ପାରୁ ନଥିଲା। ୧୯୬୩ରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଭାଷା ଆଇନ ସଂଶୋଧନ ହୋଇ ଓଡ଼ିଆ ସହିତ ଇଂରାଜୀରେ ବିଧାନସଭା ଚାଲିବ ବୋଲି ନିଷ୍ପତ୍ତି ହେବା ପରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ପରିଗଣିତ ହେବାରେ ଭଟ୍ଟା ପଡ଼ିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଓଡ଼ିଆ ଭାଷା ଆମର ସାମ୍ବିଧାନିକ ଅଧିକାର। ମାତୃଭାଷା ହିଁ ଆମର ସରକାରୀ ଭାଷା ବୋଲି କହି ଟିଟିଲାଗଡ଼ର ଗଜାନନ ମିଶ୍ର ଏକ ଭିନ୍ନ ଧାରଣର ଆନ୍ଦୋଳନ ଚଳେଇ ରଖିଲେ। ତାହାକୁ କାର୍ଯ୍ୟକାରୀ କରେଇବା ପାଇଁ ଭୁବନେଶ୍ୱରରେ ୨୦୧୫ ମସିହାରେ ଆମରଣ ଅନଶନ ଠାରୁ ଆରମ୍ଭ କରି ଜନଚେତନା ଜାଗ୍ରତ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ସେହି ଆନ୍ଦୋଳନକୁ ସରକାରୀ ସମର୍ଥକମାନେ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କଲେ ଏବଂ ସେଥିରେ ସଫଳ ବି ହେଲେ।

ଏହାକୁ ଦେଖି ଓଡ଼ିଆ ପ୍ରାଣ ପୁନର୍ଜୀବିତ କରିବା ପାଇଁ ଭାଷା ଆନ୍ଦୋଳନ, ଓଡି଼ଶା ଗଠନ ହେଲା, ଯାହାକି ବିଶ୍ୱରେ ଅନନ୍ୟ ଆନ୍ଦୋଳନ ଭାବେ ପରିଗଣିତ ହେଲା। ଗାନ୍ଧିବାଦୀ ନୀତିରେ କାହାକୁ କିଛି ନ କହି ବା ନୀରବତାର ସହ କଳା

ପତାକା ଅଭିଯାନ ଭୁବନେଶ୍ୱର ସମେତ ଓଡି଼ଶାର ବିଭିନ୍ନ ଜାଗାରେ ହେଲା। ରାଉରକେଲା, ସମ୍ବଲପୁର, ଟିଟିଲାଗଡ଼, ବ୍ରହ୍ମପୁର, କେଉଁଝର, ଯୋଡ଼ା, ଯାଜପୁର, ଫୁଲବାଣୀ ପ୍ରଭୃତି ଅଞ୍ଚଳରେ ଦୀର୍ଘ ଦିନ ଧରି ଏହି ଆନ୍ଦୋଳନା ଚାଲିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି ‘ଓଡ଼ିଆରେ ଓଡିଶା ଶାସନ ଓ ଖିଲାପକାରୀକୁ ଦଣ୍ଡ ବିଧାନ’।

ଏହି ଆନ୍ଦୋଳନରେ ଓଡିଶାର ବରେଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଅଭିନବ ଆନ୍ଦୋଳନକୁ ଆଗେଇ ନେଲେ। ଯାହା ଫଳରେ ସରକାର ୮୭୮ ଦିନ ଭିତରେ ଭାଷା ଆଇନକୁ ବାରମ୍ବାର ସଂଶୋଧନ କରି ୧୯/୦୯/୨୦୧୮ରେ ଭାଷା ଆଇନ ସଂଶୋଧନ ପୂର୍ବକ ଓଡ଼ିଆ ଭାଷା ହିଁ ଓଡ଼ିଶାର ସରକାରୀ ଭାଷାଭାବେ ବିଲ୍ ଗୃହୀତ କଲେ ଏବଂ ୧୩ /୦୮/୨୦୧୯ ରେ ନିୟମାବଳୀ କରି ସେହିଦିନଠାରୁ ଓଡ଼ିଆ ଭାଷା ସରକାରୀ ଭାଷା ଏବଂ ଖିଲାପକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବ୍ୟବସ୍ଥା ମଧ୍ୟ ରହିଲା।

ପବିତ୍ର ଉତ୍କଳ ଦିବସ ଅବସରରେ ଆମ ପୂର୍ବଜଙ୍କ ସ୍ଵପ୍ନକୁ ସାକାର କରିବା ସହ ସାଧାରଣ ନାଗରିକର ଅଧିକାର କିପରି କ୍ଷୁଣ୍ଣ ନ ହେବ ସେଥିପ୍ରତି ସମସ୍ତ ନାଗରିକ ସଚେତନ ହେବା ନିତାନ୍ତ ଆବଶ୍ୟକ।

ଆବାହକ, ଭାଷା ଆନ୍ଦୋଳନ, ଓଡିଶା

ଦୂରଭାଷ: ୯୪୩୭୦୨୮୮୭୪

(ବି.ଦ୍ର: ଏହି ଲେଖାରେ ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)