ଗ୍ରୀଷ୍ମଋତୁରେ ମଏଶ୍ଚରାଇଜର୍ ଦରକାର ନା ନାହିଁ, ଆସନ୍ତୁ ଜାଣିବା…

ଶୀତଦିନ ସରିଲା ପରେ ଖରାଦିନେ ଘରକୁ ମଏଶ୍ଚଚରାଇଜ୍‌ର ଆଣିବା ଅଦରକାରୀ ଭାବିଥାଉ। କିନ୍ତୁ ପ୍ରକୃତରେ ମଏଶ୍ଚଚରାଇଜର୍‌ ଶୀତ ଦିନେ ତ୍ୱଚା ପାଇଁ ଯେତିକି ଆବଶ୍ୟକ ଗ୍ରୀଷ୍ମଋତୁରେ ମଧ୍ୟ ସମାନ ଭାବେ ଦରକାରୀ। ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମଋତୁରେ କେଉଁ ମଏଶ୍ଚଚରାଇଜର୍ ବାଛିବା।

ଗ୍ରୀଷ୍ମଋତୁରେ ମଏଶ୍ଚରାଇଜର୍ ଦରକାର ନା ନାହିଁ

ଲକ୍ଷ୍ୟ କରିଥିବେ ଶୀତଋତୁ ସରି ଆସିଲା ମାନେ ଟିଭି ଓ ମାଗାଜିନ ଆଦିରୁ ମଏଶ୍ଚଚରାଇଜର୍‌ର (moisturizer) ବିଜ୍ଞାପନ କମିଯାଏ। କହିବାକୁ ଗଲେ ଏକପ୍ରକାର ବନ୍ଦ ହୋଇଯାଏ। ଆଉ ଆମେମାନେ ବି ଶୀତଦିନ ସରିଲା ପରେ ଖରାଦିନେ ଘରକୁ ମଏଶ୍ଚଚରାଇଜ୍‌ର ଆଣିବା ଅଦରକାରୀ ଭାବିଥାଉ। କିନ୍ତୁ ପ୍ରକୃତରେ ମଏଶ୍ଚଚରାଇଜର୍‌ ଶୀତ ଦିନେ ତ୍ୱଚା ପାଇଁ ଯେତିକି ଆବଶ୍ୟକ ଗ୍ରୀଷ୍ମଋତୁରେ ମଧ୍ୟ ସମାନ ଭାବେ ଦରକାରୀ। ଆପଣ ମହିଳା ହୁଅନ୍ତୁ କି ପୁରୁଷ, ଆପଣଙ୍କ ତ୍ୱଚା ତେଲିଆ, ଶୁଷ୍କ କିମ୍ବା ମଧ୍ୟମ ଯେଉଁ ପ୍ରକାରର ହେଉଥାଉନା କାହିଁକି, ବର୍ଷର ସବୁ ଋତୁ ଏବଂ ସବୁଦିନ ହିଁ ତ୍ୱଚା ପାଇଁ ମଏଶ୍ଚଚରାଇଜର୍ ଲଗାଇବା ଜରୁରୀ।

ପ୍ରକୃତରେ ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ କାରଣରୁ dehydration (ଦେହରୁ ଜଳୀୟ ଅଂଶ କମିଯିବା) ହୋଇ ତ୍ୱଚା ଶୁଷ୍କ ହୋଇଯାଏ। ତା’ ଛଡ଼ା ଗରମରୁ ରକ୍ଷା ପାଇବା ପାଇଁ ଆମେ ଅଧିକ ସମୟ ଏୟାରକଣ୍ଡିସନଣ୍ଡ ରୁମ୍‌ ଭିତରେ ବିତାଇଥାଉ। ଆଉ ଏହି ଅପ୍ରାକୃତିକ ଥଣ୍ଡା ପବନ ତ୍ୱଚାକୁ ଅଧିକ ଶୁଷ୍କ କରିଦେଇଥାଏ। ଏହା ଦ୍ୱାରା ମୁହଁରେ ରିଙ୍କିଲ୍ସ ବା କୁଞ୍ଚିତ ରେଖା ପଡିଯିବାର ଆଶଙ୍କା ବଢ଼ିଯାଏ।

ସେହିପରି ଖରାଦିନେ ସୁଇମିଙ୍ଗ ପୁଲ୍‌ କିମ୍ବା ପୋଖରୀରେ ଘଣ୍ଟା ଘଣ୍ଟା ସମୟ ବିତେଇବାକୁ ଯଦିଓ ଆରାମଦାୟକ ଲାଗେ, କିନ୍ତୁ ଏହା ଚମଡାର ଉପର ସ୍ତରର ସୁରକ୍ଷାକାରୀ ତୈଳୀୟ ଆବରଣ ବା ସେବିସିୟସ ଲେୟାର ଓ ଜଳୀୟ ଅଂଶକୁ ଧୋଇଦେଇ, ତ୍ୱଚାକୁ ରୁକ୍ଷ କରିଦେଇଥାଏ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଖରାଦିନେ ମଏଶ୍ଚଚରାଇଜର୍ ଲଗାଇବା ଜରୁରୀ ହୋଇଥାଏ।

କିଛି ଲୋକ ଯୁକ୍ତି କରନ୍ତି ଯେ, "ଖରାଦିନେ ତ ତ୍ୱଚା ଏମିତିରେ ତୈଳୀୟ ଲାଗେ ଓ ଝାଳ ହୁଏ, ସେଥିରେ ପୁଣି ମଏଶ୍ଚଚରାଇଜର୍ ଲଗାଇବା କାହିଁକି?" ପ୍ରକୃତରେ ଆପଣଙ୍କ ତ୍ୱଚା ଅତ୍ୟଧିକ ତୈଳୀୟ ଲାଗିବା ଅର୍ଥ ହେଉଛି, ଆପଣଙ୍କ ତ୍ୱଚା ଶୁଷ୍କ ବା ଡିହାଇଡ୍ରେଟେଡ୍ ଅଛି, ତେଣୁ ଦେହରୁ ଆଉ ଜଳୀୟ ଅଂଶ ଯେପରି ନଷ୍ଟ ନ ହୁଏ ସେଥିପାଇଁ ତ୍ୱଚା ସେବମ୍‌ ବା ତୈଳୀୟ ଆବରଣଟେ ବନେଇ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛି। ଏହିସବୁ କାରଣ ପାଇଁ ଗ୍ରୀଷ୍ମଋତୁରେ ମଏଶ୍ଚଚରାଇଜର୍‌ର ବ୍ୟବହାର ଜରୁରୀ ହୋଇଥାଏ।

ଗ୍ରୀଷ୍ମଋତୁ ପାଇଁ ମଏଶ୍ଚଚରାଇଜର୍ ବାଛିବା ଓ ଲଗାଇବା ସମୟରେ ଦୁଇ ତିନୋଟି କଥା ଉପରେ ଧ୍ୟାନଦେଲେ ତ୍ୱଚା ସୁନ୍ଦର ଓ ସୁରକ୍ଷିତ ରହି ଅତ୍ୟଧିକ ତୈଳାକ୍ତ କିମ୍ବା ଚିପ୍‌ଚିପା ଲାଗେ ନାହିଁ:

(୧) ଦେଖିବେ ଯେ, ଯେଉଁ ମଏଶ୍ଚଚରାଇଜର୍‌ଟି ବାଛିଚନ୍ତି ତା'ର ଏସ୍‌ପିଏଫ୍ (SPF/ Sun Protection Factor) ବା ସୂର୍ଯ୍ୟ କିରଣରୁ ରକ୍ଷା କରିବାର ଶକ୍ତି ଅତି କମରେ ୧୫ ହୋଇଥିବା ଦରକାର।

(୨) ମଏଶ୍ଚଚରାଇଜର୍ ଟି ଭାରୀ କ୍ରିମ୍‌ କିମ୍ବା ଅଏଲ୍‌ ବେସ୍ଡ ନ ହୋଇ ହାଲୁକା ଲୋସନ୍ କିମ୍ବା ଜେଲ୍ ବେସ୍ଡ ହୋଇଥିବା ଉଚିତ। ନ ହେଲେ ଏହା ଝାଳ ଓ ସେବମ୍ ସହ ମିଶି ଚର୍ମ କୋଷର ପୋର୍ସ (ଲୋମଛିଦ୍ର) ଗୁଡିକୁ ବନ୍ଦ କରିଦିଏ, ଯାହାଦ୍ୱାରା ମୁଖବ୍ରଣ, ବ୍ଲାକ୍‌ହେଡ୍ସ ଓ ହ୍ୱାଇଟ୍‌ହେଡ୍ସ ଭଳି ସମସ୍ୟା ଦେଖାଦିଏ।

(୩) ତ୍ୱଚା ହାଲୁକା ଓଦା (ପୁରା ଶୁଖିବା ଆଗରୁ) ଥିବା ଅବସ୍ଥାରେ ହିଁ ମଏଶ୍ଚଚରାଇଜର୍ ଲଗାଇବା ଉଚିତ, ଏହାଦ୍ୱାରା ଦେହର ଜଳୀୟ ଅଂଶ ବାଷ୍ପୀଭୁତ ହୁଏ ନାହିଁ।

(୪) ସେହି ଅଏଲଫ୍ରୀ (ତୈଲ ମୁକ୍ତ) ମଏଶ୍ଚଚରାଇଜର୍‌କୁ ଦିନରେ ଦୁଇ ତିନି ଥର (ରାତିରେ ଶୋଇବା ଆଗରୁ ନିହାତି) ଲଗାଇବେ।

(୫) ମଏଶ୍ଚଚରାଇଜର୍ ସହ ରାତିରେ ଗୋଟିଏ ଭଲ ଓଭର୍‌ନାଇଟ୍ ମାସ୍କ ବ୍ୟବହାର କଲେ ତ୍ୱଚା ଆହୁରି ନରମ, ମୁଲାୟମ ଓ ଚିକ୍କଣ ଦିଶିଥାଏ।

ଗ୍ରୀଷ୍ମଋତୁରେ ଗୋଟିଏ ଭଲ ଅଏଲ୍‌ଫ୍ରି ମଏଶ୍ଚଚରାଇଜର୍ ଓ ସନ୍‌ସ୍କ୍ରୀନ୍‌ ସହ ଦିନରେ ୨-୨.୫ ଲିଟର ପାଣି, ଘୋଳଦହି, ପଇଡ଼ ପାଣି ପିଇବା ଓ ତରଭୁଜ, କାକୁଡି, ଜାମୁରୋଳ ଆଦିର ସେବନ ଶରୀରକୁ ଡିହାଇଡ୍ରେସନ୍‌ରୁ ବଞ୍ଚାଇବା ସହ ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷାକରି ନରମ ଓ ଉଜ୍ୱଳ କରିଥାଏ।