• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଚାରି ବର୍ଷ ପରେ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଏଥିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍‌, ଦକ୍ଷିଣ ଆଫ୍ରିକା ଭଳି ଟିମ୍ ନ ଥିଲେ ବି ମହାଦେଶୀୟ ମହାଶକ୍ତି ହେବା ପାଇଁ ଭାଗ ନେଉଥିବା ଟିମ୍‌ଗୁଡ଼ିକ ମଧ୍ୟରେ ଯେଉଁ ଲଢ଼େଇ ହୁଏ, ସେଥିରେ କମ୍ ରୋମାଞ୍ଚ ଦେଖିବାକୁ ମିଳେ ନାହିଁ। ଏହାର ବିଜେତା କିଏ ହେବ, ତାହାକୁ ନେଇ କ୍ରିକେଟ୍‌ର ଜନ୍ମଦାତା ଇଂଲଣ୍ଡ ଓ ବିକାଶକର୍ତ୍ତା ଅଷ୍ଟ୍ରେଲିଆରେ ବି ଚର୍ଚ୍ଚା ହୁଏ। ସେମାନେ ବି ନୂଆ ବିଜେତାର ପ୍ରତୀକ୍ଷାରେ ଥାଆନ୍ତି। ବିଶ୍ୱରେ ଏହା ଏକମାତ୍ର ମହାଦେଶୀୟ ଟୁର୍ଣ୍ଣାମେଣ୍ଟ୍‌।

ଏଯାବତ ଏସିଆ କପ୍‌ରେ ୧୪ ସଂସ୍କରଣ ଖେଳାସରିଛି। ଦୁଇ ଥର ଦିନିକିଆ ଓ ଥରେ ଟି-୨୦ ବିଶ୍ୱକପ୍ ବିଜେତା ଭାରତ ଏଥିରେ ସବୁଠାରୁ ସଫଳ ଟିମ୍ ଭାବେ ସର୍ବାଧିକ ୭ ଥର ମୁକୁଟ ଜିତିଛି। ଶ୍ରୀଲଙ୍କା ପାଞ୍ଚ ଓ ପାକିସ୍ତାନ ଦୁଇ ଥର ବିଜେତା ହୋଇଛି। ବାଂଲାଦେଶ କେବେ ଟ୍ରଫି ଜିତିପାରିନି। ରୋଟେସନ୍ ନୀତି ଅନୁଯାୟୀ, ଏହାର ପଞ୍ଚଦଶ ସଂସ୍କରଣ ଟି-୨୦ ଫର୍ମାଟ୍‌ରେ ଖେଳାଯିବ।

୨୦୧୬ ଓ ୨୦୧୮ରେ ଖେଳାଯାଇଥିବା ପୂର୍ବ ଦୁଇ ସଂସ୍କରଣରେ ଭାରତ ବିଜେତା ହୋଇଥିଲା। ଟିମ୍ ଇଣ୍ଡିଆ ପାଖରେ କ୍ରମାଗତ ତୃତୀୟ ମୁକୁଟ ଜିତିବାର ସୁଯୋଗ ରହିଛି। ଅନେକ ପୂର୍ବତନ କ୍ରିକେଟର୍ ଏଥର ବି ଭାରତକୁ ତା’ର ସାମର୍ଥ୍ୟ ଦୃଷ୍ଟିରୁ ଫେଭରିଟ୍ ବିବେଚନା କରୁଛନ୍ତି। ଟିମ୍ ଇଣ୍ଡିଆକୁ ସବୁଠାରୁ ସନ୍ତୁଳିତ ଟିମ୍ ଦୃଷ୍ଟିରୁ ବିଚାର କରାଯାଉଛି, ଯଦିଓ ଆଘାତଜନିତ କାରଣରୁ ପେସର୍ ଯଶପ୍ରୀତ ବୁମ୍‌ରାଙ୍କ ଭଳି ‘ବ୍ରହ୍ମାସ୍ତ୍ର’ ଟିମ୍‌ରେ ନାହାନ୍ତି। ଏହାସତ୍ତ୍ୱେ ଟିମ୍‌ରେ ଦକ୍ଷ ଓ ପ୍ରତିଭାଶାଳୀ ଖେଳାଳିଙ୍କ ଅଭାବ ନାହିଁ।

ତେବେ ଗତ କିଛି ବର୍ଷ ହେଲା ପ୍ରଭାବଶାଳୀ ପ୍ରଦର୍ଶନ କରିଆସୁଥିବା ପାକିସ୍ତାନ ରୋହିତ ଶର୍ମାଙ୍କ ଟିମ୍ ପାଇଁ ବଡ଼ ଆହ୍ୱାନ ହୋଇପାରେ। ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଭଳି ଟିମ୍ ବି ଖେଳୁଛନ୍ତି। ବାଂଲାଦେଶ ‘ଜ୍ୟାଣ୍ଟ୍ କିଲର୍’ ସାବ୍ୟସ୍ତ ହୋଇପାରେ। ଆଫଗାନିସ୍ତାନ ଟିମ୍ ବି ଟି-୨୦ ଫର୍ମାଟ୍‌ରେ ଭଲ ଖେଳୁଛି। କିନ୍ତୁ ସେମାନେ କେହି ମୁକୁଟର ଦାବିଦାର ନୁହନ୍ତି।

ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ମୁକାବିଲା:

ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ଯାଏଁ ଚାଲିବ ଏସିଆ କପ୍। ମୁଖ୍ୟ ଇଭେଣ୍ଟ୍‌ ଛଅଟି ଟିମ୍‌କୁ ନେଇ ଖେଳାଯିବ। ଗ୍ରୁପ୍-ଏ’ରେ ଭାରତ, ପାକିସ୍ତାନ ଓ ଏକ କ୍ୱାଲିଫାଇଙ୍ଗ୍ ଟିମ୍ ରହିଥିବା ବେଳେ ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଟିମ୍ ରହିଛନ୍ତି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଟିମ୍ ଅନ୍ୟ ଟିମ୍ ବିପକ୍ଷରେ ଥରେ ଖେଳିବ। ପ୍ରତି ଗ୍ରୁପ୍‌ରୁ ଦୁଇ ଶୀର୍ଷ ଟିମ୍ ସୁପର୍-୪ ପର୍ଯ୍ୟାୟକୁ ଉନ୍ନୀତ ହେବେ। ସୁପର୍-୪ର ଦୁଇ ଶୀର୍ଷ ଟିମ୍ ମଧ୍ୟରେ ଫାଇନାଲ୍ ଖେଳାଯିବ।

ଉଦ୍‌ଘାଟନୀ ମ୍ୟାଚ୍ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଆୟୋଜିତ ହେବ। ତେବେ ୨୮ ତାରିଖରେ ଦୁବାଇ ଠାରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର। ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ଥାଏ - ତାହା ଦ୍ୱିପାକ୍ଷିକ ଶୃଙ୍ଖଳା ହେଉ ବା ବହୁପାକ୍ଷିକ। ଏହି ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇସାରିଲାଣି। ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ହେବ ବୋଲି ଅନୁମାନ କରାଯାଉଛି।

ଏସିଆ କପ୍ ଇତିହାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୩ ଥର ମୁକାବିଲା ହୋଇଛି। ଭାରତ ସାତ ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ପାଞ୍ଚ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଅନ୍ୟ ଏକ ମ୍ୟାଚ୍‌ର ଫଳାଫଳ ବାହାରିପାରି ନାହିଁ। ତେବେ କୌତୂହଳର ବିଷୟ ହେଉଛି ଯେ ଟୁର୍ଣ୍ଣାମେଣ୍ଟ୍‌ରେ ଏହି ଦୁଇ ଟିମ୍ ମଧ୍ୟରେ କେବେ ଫାଇନାଲ୍ ଖେଳାଯାଇ ନାହିଁ।

୨୮ ତାରିଖର ଗ୍ରୁପ୍ ମ୍ୟାଚ୍‌କୁ ନେଇ ଉତ୍କଣ୍ଠାର ଆଉ ଏକ କାରଣ ରହିଛି। ଏହି ମ୍ୟାଚ୍ ଯେଉଁ ଗ୍ରାଉଣ୍ଡ୍‌ରେ ଖେଳାଯିବ, ସେଠାରେ ଗତ ବର୍ଷ ଟି-୨୦ ବିଶ୍ୱକପ୍ ସମୟରେ ପାକିସ୍ତାନ ଟିମ୍ ଭାରତକୁ ୧୦ ଓ୍ୱିକେଟ୍‌ରେ ଏକତରଫା ଭାବେ ହରାଇଥିଲା। ଏହା ଏକ ଅପ୍ରତ୍ୟାଶିତ ଫଳାଫଳ ଥିଲା। ବିଶ୍ୱକପ୍ (ଉଭୟ ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ) ଇତିହାସରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ରେକର୍ଡ ଭାଙ୍ଗିଥିଲା। ଏଥର ଭାରତ ପାଖରେ ସେହି ହିସାବ ପରିଶୋଧ କରିବାର ସୁଯୋଗ ରହିବ।

ଭାରତ କାହିଁକି ଦାବିଦାର:

କେବଳ ପରିସଂଖ୍ୟାନ ଦୃଷ୍ଟିରୁ ଭାରତକୁ ମୁକୁଟର ଦାବିଦାର କୁହାଯାଉନି, ଏହା ପଛରେ ଅନେକ କାରଣ ରହିଛି - ଭାରତୀୟ ଟିମ୍‌ର ବ୍ୟାଟିଂରେ ଗଭୀରତା, ପ୍ରତିଭାଶାଳୀ ଖେଳାଳିଙ୍କ ଭଣ୍ଡାର ଏବଂ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ଉତ୍ତମ ସଂଯୋଜନା।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଭାରତ-ପାକିସ୍ତାନ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ପ୍ରଦର୍ଶନ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ ଆଇସିସି ରିଭ୍ୟୁର ନୂଆ ଏପିସୋଡ୍‌ରେ କହିଛନ୍ତି, “କେବଳ ଏସିଆ କପ୍ ନୁହେଁ, ଯେକୌଣସି ଟୁର୍ଣ୍ଣାମେଣ୍ଟ୍‌ରେ ଟିମ୍ ଇଣ୍ଡିଆର ବାଧା ଅତିକ୍ରମ କରିବା ସହଜ ହୋଇ ନ ଥାଏ। ତେବେ ପ୍ରତିଥର ଆମେ ଯେତେବେଳେ ଟି-୨୦ ବିଶ୍ୱକପ୍‌ର ଆଲୋଚନା କରିଥାଉ, ମୋର ମନେ ହୁଏ ଯେ ଭାରତ ହିଁ ସବୁଠାରୁ ମଜଭୁତ ଓ ଉନ୍ନତ ଟିମ୍। ଭାରତୀୟ ଟିମ୍‌ର ବ୍ୟାଟିଂରେ ଅନ୍ୟ ଟିମ୍ ତୁଳନାରେ ଗଭୀରତା ଅଧିକ ଏବଂ ଏହି କାରଣରୁ ମୋର ମନେ ହେଉଛି ଯେ ଭାରତ ଏଥର ବି ଏସିଆ କପ୍ ଜିତିବାରେ ସଫଳ ହେବ।”

ପଣ୍ଟିଂଙ୍କ କହିବାନୁଯାୟୀ, ସେ ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ବିଜୟର ଦାବିଦାର ବିବେଚନା କରୁଛନ୍ତି। ତେବେ ଏହାର ଅର୍ଥ ନୁହେଁ ଯେ ପାକିସ୍ତାନ ଦୁର୍ବଳ ଟିମ୍। ପାକିସ୍ତାନ ବି ଉନ୍ନତ କ୍ରିକେଟ୍ ଟିମ୍ ଏବଂ ଗତ କିଛି ବର୍ଷ ହେଲା ସେ କ୍ରିକେଟ୍‌କୁ ଅନେକ ସୁପର୍‌ଷ୍ଟାର୍ ଖେଳାଳି ଦେଇଛି।

ଏସିଆ କପ୍ ପାଇଁ ମନୋନିତ ଭାରତୀୟ ଟିମ୍‌ରେ ପେସ୍ ଆକ୍ରମଣ ଟିକେ ଦୁର୍ବଳ ଜଣାପଡ଼ୁଛି, କାରଣ ପେସ୍ ବାହିନୀରେ ଯଶପ୍ରୀତ ବୁମ୍‌ରା ନାହାନ୍ତି। ଭୁବନେଶ୍ୱର କୁମାରଙ୍କୁ ଛାଡ଼ିଦେଲେ, ଅନ୍ୟ କାହା ପାଖରେ ସେତେ ଅଭିଜ୍ଞତା ନାହିଁ। ଅବଶ୍ୟ ଅଭେଶ ଖାଁ ଓ ଅର୍ଶଦୀପ ସିଂହ - ଉଭୟ ପ୍ରତିଭାଶାଳୀ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ବି ସହଯୋଗ ମିଳିପାରେ। ତେବେ ସ୍ପିନ୍ ବାହିନୀରେ ସମସ୍ୟା ନାହିଁ। ସେଥିରେ ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡ଼େଜା ଓ ରବି ବିଷ୍ଣୋଇ ରହିଛନ୍ତି।

ପେସ୍ ଆକ୍ରମଣରେ ସମସ୍ୟା ସତ୍ତ୍ୱେ ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ଟ ଭାରତୀୟ ଟିମ୍‌କୁ ଏସିଆ କପ୍‌ର ସବୁଠାରୁ ବଡ଼ ଦାବିଦାର ବିବେଚନା କରିଛନ୍ତି।

ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ପ୍ରଶଂସକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବଟ୍ଟ କହିଛନ୍ତି, "ଭାରତ ନିଶ୍ଚୟ ଜିତିପାରିବ, ଏମିତି ନୁହେଁ ଯେ ତା’ ଭିତରେ ଭିଟାମିନ୍‌ର ଅଭାବ ରହିଛି। କୌଣସି ଟିମ୍ ଏହି ମୁକୁଟ ଜିତିପାରିବ; କିନ୍ତୁ ସତ କଥା ହେଉଛି ଭାରତ ବହୁତ ଭଲ ଖେଳୁଛି। ଭାରତ ପାଖରେ ଭଲ ଖେଳାଳିଙ୍କ ଭଣ୍ଡାର ରହିଛି ଏବଂ ଅଧିକାଂଶ ଖେଳାଳି ଆନ୍ତର୍ଜାତିକ କ୍ରିକେଟ୍‌ରେ ଅଭିଜ୍ଞତା ହାସଲ କଲେଣି। ଏହି କାରଣରୁ ତାକୁ ଏସିଆ କପ୍ ବିଜୟର ଦାବିଦାର ବିବେଚନା କରାଯାଉଛି।"

ବଟ୍ଟ ଭାରତୀୟ ଟିମ୍‌ର ସାମର୍ଥ୍ୟ ଓ ପାକିସ୍ତାନ କ୍ରିକେଟ୍‌ର ଦୁର୍ବଳତା ବିଷୟରେ ବି ବଖାଣିଛନ୍ତି। ସେ କହିଛନ୍ତି, "ଆମ ପାଖରେ ଭାରତ ଭଳି ବ୍ୟବସ୍ଥା ନାହିଁ, ଯାହା ସବୁଠାରୁ ବଡ଼ ଦୁର୍ବଳତା। ପାକିସ୍ତାନ ପାଖରେ ଭାରତ ଭଳି ଖେଳାଳିଙ୍କ ଭଣ୍ଡାର ନାହିଁ, କାରଣ ଆମେ ଗଢ଼ି ନାହୁଁ। ଆମକୁ ନିଜ ବ୍ୟବସ୍ଥା ଉପରେ ଭରସା ନାହିଁ। ଏହି କାରଣରୁ ଆମର ସେକେଣ୍ଡ ଷ୍ଟ୍ରିଙ୍ଗ୍ ଟିମ୍ କେଉଁଠି ଖେଳୁଥିବାର ଦେଖିବାକୁ ମିଳୁ ନାହିଁ। ଆମେ ବାବର ଆଜାମ୍, ମହମ୍ମଦ ରିଜଓ୍ୱାନ୍, ଶାହୀନ ଆଫ୍ରିଦୀ ଓ ଫଖର ଜମାନ୍‌ଙ୍କୁ ଏକସଙ୍ଗେ ବ୍ରେକ୍ ଦେଇପାରିବୁ ନାହିଁ। ଆମ ପାଖରେ ବିଶ୍ୱାସ ନାହିଁ।"

ବଟ୍ଟ ଅନ୍ୟ ଟିମ୍ ଉପରେ ବି ନିଜ ମତ ଦେଇଛନ୍ତି। ତାଙ୍କ କହିନୁଯାୟୀ, ପାକିସ୍ତାନ ନିଜ ଦିନରେ ଯେକୌଣସି ଟିମ୍‌କୁ ହରାଇପାରେ। ତେବେ ଏହା ଦିନ ଉପରେ ନିର୍ଭର କରୁଛି। ଆଫଗାନିସ୍ତାନ ଟିମ୍ ‘ଡାର୍କ ହର୍ସ’ ସାବ୍ୟସ୍ତ ହୋଇପାରେ। ଶ୍ରୀଲଙ୍କା ବି ଭଲ ଖେଳୁଛି। ବାଂଲାଦେଶ ବେଳେ ବେଳେ ଭଲ କ୍ରିକେଟ୍ ଖେଳେ।

ଭାରତୀୟ ଟିମ୍‌ର ଅନ୍ୟତମ ପ୍ରମୁଖ ବ୍ୟାଟର୍ ଲୋକେଶ ରାହୁଲ (ଉପ-ଅଧିନାୟକ) ଏବେ ଫିଟ୍ ହୋଇଗଲେଣି। ସେ ଏବେ ଜିମ୍ବାୱେ ଗସ୍ତରେ ଦିନିକିଆ ଶୃଙ୍ଖଳାରେ ଟିମ୍‌ର ଅଧିନାୟକତ୍ୱ କରୁଛନ୍ତି। ସେ ଆସିବା ଦ୍ୱାରା ଭାରତୀୟ ବ୍ୟାଟିଂ ଲାଇନ୍-ଅପ୍ ମଜଭୁତ ହୋଇଛି।

ଭାରତ ପାଖରେ ପ୍ରତିଭାଶାଳୀ ଖେଳାଳିଙ୍କ ଭଣ୍ଡାର ରହିଛି, ଏ କଥା ଠିକ୍। ଟିମ୍‌ରେ ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ାଙ୍କ ଭଳି ପ୍ରତିଭାଶାଳୀ ଯୁବ ବ୍ୟାଟର୍ ଅଛନ୍ତି, ଯେଉଁମାନେ ବଡ଼ ସ୍କୋର୍ କରିବାର ଓ ପ୍ରତିକୂଳ ପରିସ୍ଥିତିରେ ଟିମ୍‌କୁ ଆଗେଇ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ସାମର୍ଥ୍ୟ ରଖନ୍ତି।

ଭାରତ ପାଖରେ ସୀମିତ ଓଭର୍ କ୍ରିକେଟ୍ ପାଇଁ ମୁଖ୍ୟ ଟିମ୍ ସହ ଏକ ଦ୍ୱିତୀୟ ଟିମ୍ ବି ରହିଛି। ଏହି ଟିମ୍ ଆୟରଲାଣ୍ଡ୍‌, ୱେଷ୍ଟ୍‌ଇଣ୍ଡିଜ୍, ଜିମ୍ବାୱେ ବିପକ୍ଷରେ ସଫଳତା ଅର୍ଜନ କରିଛି। ଭାରତ ପାଖରେ ଅଧିନାୟକଙ୍କ ବିକଳ୍ପ ବି ରହିଛି। ଏଥିନେଇ ବହୁ ପରୀକ୍ଷାନିରୀକ୍ଷା ସରିଲାଣି। ସୀମିତ ଓଭର୍‌ରେ ରୋହିତଙ୍କ ଛଡ଼ା ରାହୁଲ, ଶିଖର ଧାବନ୍, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଇସାରିଲେଣି।

୨୦୨୧ ଟି-୨୦ ବିଶ୍ୱକପ୍ ଓ ୨୦୨୨ ଏସିଆ କପ୍ ମଧ୍ୟରେ ଭାରତୀୟ ଟିମ୍ ଅନେକ ସୀମିତ ଓଭର୍ ମ୍ୟାଚ୍ ଖେଳି ନିଜ ସାମର୍ଥ୍ୟର ପ୍ରଦର୍ଶନ କରିସାରିଛି। ରାହୁଲ ଦ୍ରାବିଡ଼ଙ୍କ ଭଳି କୋଚ୍ ଟିମ୍ ସହିତ ଅଛନ୍ତି। ସୁତରାଂ ଏସିଆ କପ୍‌ରେ ଭାରତକୁ ଫେଭରିଟ୍ ବିବେଚନା କରାଯିବାରେ ଯଥାର୍ଥତା ରହିଛି। ଅବଶ୍ୟ ବାମହାତି ପେସର୍ ଶାହୀନ୍ ଆଘାତଜନିତ କାରଣରୁ ପାକ୍ ଟିମ୍‌ରୁ ବାଦ ପଡିବା ଟିମ୍ ଇଣ୍ଡିଆ ପାଇଁ ଆଶ୍ୱସ୍ତିର ବିଷୟ ତଥାପି ପାକିସ୍ତାନ ଠାରୁ ସତର୍କ ରହିବାର ଆବଶ୍ୟତା ଅଛି।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)