ଶୀର୍ଷକଟି ପଢି ଅନେକ ହୁଏତ ଭୃକୁଞ୍ଚନ କରିବେଣି, ଆଶ୍ଚର୍ଯ୍ୟ ହେବେଣି ଯେ ଆଜି ପର୍ଯ୍ୟନ୍ତ ସେମାନେ 'ମୁଡ୍ ସ୍ୱିଙ୍ଗ୍' କଥାଟିକୁ ଝିଅପିଲା ବା ମହିଳାମାନଙ୍କ ସହ ଯୋଡା ହୋଇଥିବା ଦେଖି ଆଉ ଶୁଣି ଆସିଛନ୍ତି। ହେଲେ ଆଜି ଏଇଟି ପୁରୁଷମାନଙ୍କ ସହ କେମିତି ଯୋଡାହେଲା। ପ୍ରକୃତରେ ଅନେକ ପୁରୁଷ ମଧ୍ୟ ନିଜର ଏ ମୁଡ୍ ସ୍ୱିଙ୍ଗ୍ ବିଷୟରେ ଅବଗତ ନଥାନ୍ତି।
ଅନେକ ସମୟରେ ସେମାନେ ତଥା ପରିବାରର ଲୋକେ ଏହାକୁ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଚାପ କାରଣରୁ ଏମିତି ଚିଡା ଲାଗିବା କିମ୍ବା କୌଣସି କାମରେ ସ୍ପୃହା ନ ରହିବା ପରି ଲାଗୁଛି ବୋଲି ଭାବିନିଅନ୍ତି। ଏହାକୁ ଡାକ୍ତରି ଭାଷାରେ "ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍" କୁହାଯାଏ। ମହିଳାମାନଙ୍କ ଠାରେ ମେନୋପଜ୍ ପରି ପୁରୁଷମାନଙ୍କ ଠାରେ ସାଧାରଣତଃ ୪୦-୬୦ ବର୍ଷ ବୟସରେ ଏହା ହର୍ମୋନାଲ୍ ଇମ୍ବାଲାନ୍ସ, "ଆଣ୍ଡ୍ରୋପଜ୍"ର ପ୍ରାଥମିକ ଲକ୍ଷଣ ହିସାବରେ ଦେଖାଯାଏ।
ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍ର କାରଣ:
ମେଲ୍ ମୁଡ୍ ସ୍ୱିଙ୍ଗ୍ ମୁଖ୍ୟତଃ ବୟସ ବଢିବା ବା ବୟସ୍କ ହେବାର ପ୍ରକ୍ରିୟାରେ ଶରୀରରେ ପୁରୁଷ ହରମୋନ 'ଟେଷ୍ଟୋଷ୍ଟେରନ୍'ର ମାତ୍ରା କମିବା ବା ଆଣ୍ଡ୍ରୋପଜ୍ ସହ ଜଡିତ। ଟେଷ୍ଟୋଷ୍ଟେରନର ଅନ୍ୟ ନାମ ମେଲ୍ ବା ପୁରୁଷ ହର୍ମୋନ୍। ଏହା ପ୍ରାକୃତିକ ଉପାୟରେ ମେଲ୍ ରିପ୍ରଡକ୍ଟିଭ୍ କ୍ଷେତ୍ରରେ ବିକାଶ କରିଥାଏ। ଏହି ହର୍ମୋନ୍ ହିଁ ପୁରୁଷମାନଙ୍କ ଶାରୀରିକ ବିକାଶ, ମା°ସପେଶୀର ବିକାଶ, ନିଶ-ଦାଢି ତଥା ଦେହରେ ଲୋମ ବା ବଡି ହେୟାର ଏବଂ ଅନ୍ୟାନ୍ୟ ମେଲ୍ କ୍ୟାରେକ୍ଟରିଷ୍ଟିକ୍ସ ପାଇଁ ଦାୟୀ।
Also Read
୩୦ ବର୍ଷ ବୟସ ପରେ ଶରୀରରେ ଏହି ହର୍ମୋନ୍ର ମାତ୍ରା ଧୀରେଧୀରେ କମିବା ଆରମ୍ଭ କରେ। ଟେଷ୍ଟୋଷ୍ଟେରନ୍ ମଧ୍ୟ ପୁରୁଷମାନଙ୍କ ଆତ୍ମବିଶ୍ୱାସ, ମାନସିକ ଫିଟ୍ନେସ୍ (ଶାରୀରିକ ମଧ୍ୟ), ଉର୍ଜା ଏବଂ ସେକ୍ସ ଡ୍ରାଇଭ୍ ପାଇଁ ଦାୟୀ, ଯାହା ପୁରୁଷମାନଙ୍କୁ ସୁଖୀ ଏବଂ ସଫଳ ପାରିବାରିକ ତଥା ସାମାଜିକ ସମ୍ପର୍କ ଆଣିଦିଏ। ଆଣ୍ଡ୍ରୋପଜ୍ରେ ସାଧାରଣତଃ ଅତ୍ୟଧିକ ମାନସିକ ଚାପ (stress), ଶରୀରରେ ଟେଷ୍ଟୋଷ୍ଟେରନ୍ କମ ହେବା ତଥା ଇଷ୍ଟ୍ରୋଜେନ୍ ମାତ୍ରା ବଢିବା କାରଣରୁ ପୁରୁଷମାନେ ଚିଡ୍ଚିଡା ହୋଇଯାଆନ୍ତି।
ଅନେକ ସମୟରେ ମେଦବହୁଳତା ବା ଓଜନ ବଢିବା ମଧ୍ୟ ଆଣ୍ଡ୍ରୋପଜ୍ଜନିତ ମୁଡ୍ ସ୍ୱିଙ୍ଗ୍ର କାରଣ ହୋଇଥାଏ। ମେଦବହୁଳତାରେ ଫ୍ୟାଟ୍ ବା ଚର୍ବି ଟେଷ୍ଟୋଷ୍ଟେରନ୍ ହରମୋନରୁ ଇଷ୍ଟ୍ରୋଜେନ୍ ତିଆରି କରିଦିଅନ୍ତି ଏବଂ ଏହା ପୁରୁଷମାନଙ୍କ ମାନସିକ ଚାପ ଏବଂ ଚିଡ୍ଚିଡା ବ୍ୟବହାର ସୃଷ୍ଟିକରେ। ସେମିତି ଡାଇବେଟିସ୍ ମଧ୍ୟ ସେକ୍ସ ଡ୍ରାଇଭ କମ୍ ହେବା ତଥା ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ପାଇଁ ଦାୟୀ ହୋଇଥାଏ।
ଏହି ଅବସ୍ଥା ମଧ୍ୟ ପୁରୁଷମାନଙ୍କ କ୍ଷେତ୍ରରେ ଅତ୍ୟଧିକ ମାନସିକ ଚାପ ତଥା ପାରିବାରିକ ଅଶାନ୍ତିର କାରଣ ହୋଇଥାଏ। ସେହିପରି ରାତିରେ ନିଦ୍ରାବସ୍ଥାରେ ନିଶ୍ୱାସ ବନ୍ଦହୋଇ ଶ୍ୱାସରୁଦ୍ଧ ହେବା, ନିଦ ଭାଙ୍ଗିବା ବା ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପନିଆ ମଧ୍ୟ ଦିନରେ ଏବଂ କାର୍ଯ୍ୟକ୍ଷେତ୍ରରେ ଥକ୍କା ବା ମାନ୍ଦା ଲାଗିବା, ଏକାଗ୍ରତା କମିବା ପରି ଲକ୍ଷଣ ସୃଷ୍ଟିକରି ପୁରୁଷମାନଙ୍କ କ୍ଷେତ୍ରରେ ଅସନ୍ତୁଷ୍ଟ ଓ ଚିଡ୍ଚିଡା ବ୍ୟବହାର ବଢାଇଥାଏ। ଏହାଛଡା କାମ/କ୍ୟାରିୟର୍ ଏବଂ ପାରିବାରିକ ଜୀବନରେ ଅତ୍ୟଧିକ ଚାପ ଶରୀରରେ ଷ୍ଟ୍ରେସ୍ ହର୍ମୋନ୍ କର୍ଟିସୋଲ୍ର ମାତ୍ରା ବଢାଇଥାଏ, ଯାହା ଟେଷ୍ଟୋଷ୍ଟେରନ୍ର ମାତ୍ରାକୁ କମେଇଦେଇ ମୁଡ୍ ସ୍ୱିଙ୍ଗ୍ର କାରଣ ହୁଏ। କିଛି ଔଷଧ ମଧ୍ୟ ଏପ୍ରକାର ହର୍ମୋନାଲ୍ ଇମ୍ବାଲାନ୍ସ ସୃଷ୍ଟି କରିଥାନ୍ତି।
ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍ର ଲକ୍ଷଣ:
ଯେମିତିକି ଅବସ୍ଥାର ନା'ରୁ ହିଁ ଜଣାପଡେ, ଏଥିରେ ପୁରୁଷମାନେ ଇରିଟେବଲ୍ ବା ଚିଡ୍ଚିଡା ହୋଇଯାନ୍ତି। ଅତି ସାଧାରଣ କିମ୍ବା ସାମାନ୍ୟ କଥାରେ ମଧ୍ୟ ଉତ୍ତେଜିତ ଓ ଅଧୈର୍ଯ୍ୟ ହୋଇପଡନ୍ତି। ଏଥିରେ ଦେଖାଯାଉଥିବା ସାଧାରଣ ଲକ୍ଷଣଗୁଡିକ ହେଲା: ଚିଡ୍ଚିଡା ହେବା, ରାଗିବା ବା ଉତ୍ତେଜିତ ହେବା, ଅଧୈର୍ଯ୍ୟହେବା, ଚିନ୍ତିତ ରହିବା, ଯୁକ୍ତିପ୍ରବଣ, ହତାଶାଭାବ, ପାରିବାରିକ ଓ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ନହେବା, ଆଖପାଖର ଲୋକଙ୍କ ପ୍ରତି ସମ୍ବେଦନଶୀଳ ନହେବା, ସହଜରେ ଉପହାସ ଉଡେଇବା, ପ୍ରତିଶୋଧପରାୟଣ, ଜିଦ୍ଖୋର ହୋଇଯିବା, ନିଜକୁ ସାମାଜିକ ଓ ବନ୍ଧୁ ମହଲରୁ ବାଛନ୍ଦ କରିନେବା, ଦୁଃଖି ଓ ଅସନ୍ତୁଷ୍ଟ ରହିବା। କିଛି ପୁରୁଷ ଏହି ଅବସ୍ଥାରେ ଅନ୍ୟ ଉପରେ ଚିଡି, ରାଗି, ଯୁକ୍ତିକରି ନିଜକୁ ଜାହିର କରିବା ବେଳେ ଅନ୍ୟ କିଛି ଜଣ ନିଜ ମନ ଭିତରେ ସବୁ ଚାପିରଖି ମାନସିକ ଅବସାଦର ଶୀକାର ହୁଅନ୍ତି।
ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍ ନିରୂପଣ ଓ ଚିକିତ୍ସା:
ମାତ୍ରାଧିକ ଲକ୍ଷଣ ଦେଖାଯାଉଥିଲେ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନକୁ ପ୍ରଭାବିତ କରୁଥିଲେ ଡାକ୍ତରଙ୍କ ପରାମର୍ଶକ୍ରମେ ଶରୀରରେ ଟେଷ୍ଟୋଷ୍ଟେରନ୍ର ମାତ୍ରା ରକ୍ତ ପରୀକ୍ଷା ଦ୍ୱାରା ଜାଣି ନିଅନ୍ତୁ। ଏହା ଆପଣଙ୍କ ଡକ୍ଟରଙ୍କ ପକ୍ଷରେ ସଠିକ ଚିକିତ୍ସାରେ ସାହାଯ୍ୟ କରିବ। ଆବଶ୍ୟକ ସ୍ଥଳେ ଟେଷ୍ଟୋଷ୍ଟେରନ୍ ରିପ୍ଲେସ୍ମେଣ୍ଟ୍ ଥେରାପି କରାଯାଇ ପାରିବ।
ସଠିକ ମାତ୍ରା ଏବଂ ସମୟ ବ୍ୟବଧାନରେ ସିନ୍ଥେଟିକ୍ ଟେଷ୍ଟୋଷ୍ଟେରନ୍ର ଇଞ୍ଜେକସନ୍ ଲକ୍ଷଣଗୁଡିକୁ ନିୟନ୍ତ୍ରଣ କରି ସୁସ୍ଥ ପାରିବାରିକ ତଥା ସାମାଜିକ ଜୀବନ ଦେଇଥାଏ। ଏହା ଛଡା ମଧୁମେହ, ଉଚ୍ଚରକ୍ତଚାପ, ମେଦବହୁଳତା, ହୃଦ୍ରୋଗ, ମାନସିକ ଚାପର ସଠିକ ନିୟନ୍ତ୍ରଣ ଏବଂ ଚିକିତ୍ସା ମଧ୍ୟ ନିହାତି ଜରୁରୀ। ତୈଳୀୟ ଖାଦ୍ୟ ତଥା ଚିନି ଓ ଶର୍କରା ଗ୍ରହଣକୁ ନିୟନ୍ତ୍ରଣ କରିବା ମଧ୍ୟ ବେଶ ଉପଯୋଗୀ ସାବ୍ୟସ୍ତ ହୁଏ। ମଦ୍ୟପାନ, ଧୂମପାନ ମାନସିକ ଅବସ୍ଥାକୁ ଆହୁରି ଜଟିଳ କରେ। ପ୍ରତିଦିନ ୩୦-୪୦ ମିନିଟ୍ ବ୍ୟାୟାମ କରିବା ବିଶେଷ ଉପକାରୀ ହୋଇଥାଏ।
ମାନସିକରୋଗ ବିଶେଷଜ୍ଞ ବା ସାଇକିଆଟ୍ରିଷ୍ଟ୍ଙ୍କ ପରାମର୍ଶ ଓ ଚିକିତ୍ସା ମଧ୍ୟ ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍ରେ ଦେଖାଯାଉଥିବା ମାନସିକ ଲକ୍ଷଣଗୁଡିକର ନିୟନ୍ତ୍ରଣରେ ସାହାଯ୍ୟ କରି, ପାରିବାରିକ ଜୀବନକୁ ମଧ୍ୟ ସରଳ କରେ।
ନିଜେ ନିଜକୁ ସାହାଯ୍ୟ କରନ୍ତୁ:
- ବୟସ୍କ ହେବାର ପ୍ରକ୍ରିୟାକୁ ଗ୍ରହଣ (accept) କରି, ନିଜ ବ୍ୟବହାରରେ ଦେଖାଯାଉଥିବା ପରିବର୍ତ୍ତନ ତଥା ମୁଡ୍ ସ୍ୱିଙ୍ଗ୍ର ଲକ୍ଷଣଗୁଡିକୁ ଚିହ୍ନଟ କରନ୍ତୁ।
- ପରିବାର ତଥା ବନ୍ଧୁମାନେ ଆପଣଙ୍କ ବ୍ୟବହାର ତଥା ମୁଡ୍ରେ ପରିବର୍ତ୍ତନକୁ ସ୍ୱୀକାର କରି, ନିୟନ୍ତ୍ରଣ କରନ୍ତୁ; ସେମାନଙ୍କ କଥାକୁ ସବୁବେଳେ ଅଭିଯୋଗ ଭାବନ୍ତୁ ନାହିଁ।
- ମୁଡ୍ ସ୍ୱିଙ୍ଗ୍ ଦ୍ୱାରା ଆପଣଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିବା ଲକ୍ଷ୍ୟକଲେ, ଟେଷ୍ଟୋଷ୍ଟେରନ୍ ଲେଭେଲ୍ ଟେଷ୍ଟ୍ କରି ଡାକ୍ତରଙ୍କ ସାହାଯ୍ୟ ନିଅନ୍ତୁ। ହର୍ମୋନ୍ ଥେରାପି ଦ୍ୱାରା ତୁରନ୍ତ ସୁପରିଣାମ ନ ଦେଖିଲେ ବ୍ୟସ୍ତ, ବିବ୍ରତ ନ ହୋଇ ଧୈର୍ଯ୍ୟ ରଖନ୍ତୁ।
- ଆସନ, ଧ୍ୟାନ, ପ୍ରାଣାୟମ ଦ୍ଵାରା ମାନସିକ ଚାପକୁ ନିୟନ୍ତ୍ରଣ କରିବା ଶିଖନ୍ତୁ, ଆବଶ୍ୟକ ସ୍ଥଳେ ସାଇକିଆଟ୍ରିଷ୍ଟ୍ଙ୍କ ସାହାଯ୍ୟ ନିଅନ୍ତୁ। ଅନେକ ଜାଗାରେ ପ୍ରଦାନ କରାଯାଉଥିବା "କପଲ୍-କାଉନ୍ସେଲିଂ" ବିଶେଷ ଉପକାରୀ ହୋଇଥାଏ।
- ଚିନି, ଶର୍କରା, ତୈଳୀୟ, ଜଙ୍କ୍ ଫୁଡ୍ର ଗ୍ରହଣକୁ ନିୟନ୍ତ୍ରଣ କରନ୍ତୁ। ଅଧିକ ଫଳ, ପନିପରିବା, ତନ୍ତୁ ଜାତୀୟ ଖାଦ୍ୟ, ନଟ୍ସ ଗ୍ରହଣ କରନ୍ତୁ।
- ଶାରୀରିକ ବ୍ୟାୟାମକୁ ନିଜ ଦୈନନ୍ଦିନ ରୁଟିନ୍ରେ ସାମିଲ କରନ୍ତୁ। ଏକ୍ସରସାଇଜ୍ ଦ୍ୱାରା ଶରୀରରେ ଫିଲ୍-ଗୁଡ୍ ହର୍ମୋନ୍ 'ଏଣ୍ଡୋରଫିନ୍' କ୍ଷରଣ ହୋଇଥାଏ। ଏହା ମାନସିକ ଅବସାଦକୁ ଦୂର କରେ ତଥା ମୁଡ୍କୁ ଏଲିଭେଟ୍ ବା ସୁସ୍ଥ କରେ, କାମ କରିବାରେ ସ୍ପୃହା ଆସେ।
- ନିଜ କର୍ମମୟ ଜୀବନରୁ ବିରାମ ନେଇ ପରିବାର ସହ ପିକ୍ନିକ୍, ଭ୍ରମଣରେ ଯାଆନ୍ତୁ। ନିଜ ସାଥୀଙ୍କ ସହ ଅତୀତରେ ବିତାଇଥିବା ମନୋରମ ମୁହୂର୍ତ୍ତ ସବୁକୁ ମନେପକାଇ ପୁଣି ଖୁସି ହୁଅନ୍ତୁ। ନିଜେ ଜାଣିପାରୁଥିବା ତଥା ଭୋଗୁଥିବା ପରିବର୍ତ୍ତନକୁ ନିଜ ସାଥୀଙ୍କ ସହ ବାଣ୍ଟନ୍ତୁ ଏବଂ ସାହାଯ୍ୟ ଲୋଡନ୍ତୁ। ପରସ୍ପରକୁ ଲୋଡିବା, ବୟାନ କରିବା ଏବଂ ସାହାଯ୍ୟ କରିବା ହିଁ ସମ୍ପର୍କକୁ ମଜଭୁତ୍ କରିଥାଏ।