• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ଆପଣ ସେମାନଙ୍କ ମଧ୍ୟରୁ ଜଣେ ନୁହଁନ୍ତି ତ, ଯିଏ ସାଧାରଣ ଅଇ ଉଠେଇଲେ କିମ୍ବା ବାନ୍ତି ହେଲେ ଡାକ୍ତରଙ୍କ ଦ୍ୱାରସ୍ଥ ହୁଅନ୍ତି? କିମ୍ବା ସେମାନଙ୍କ ମଧ୍ୟରୁ ଜଣେ, ଯିଏ ମୁଣ୍ଡବିନ୍ଧା ଆରମ୍ଭ ହେଲା ମାତ୍ରେ ସିଟି ସ୍କାନ୍ ପାଇଁ ଧାଇଁଯାଆନ୍ତି? ଯଦି ଆପଣଙ୍କ ଉତ୍ତର ହଁ, ତେବେ ପ୍ରକୃତରେ ଆପଣ ଗୋଟିଏ ସାଂଘାତିକ ମାନସିକ ରୋଗ ଭୋଗ କରୁଥାଇ ପାରନ୍ତି, ଏହାକୁ ମେଡିକାଲ ଭାଷାରେ ‘ଅର୍ଥୋରେକ୍‌ସିସ୍’ କୁହାଯାଏ କିମ୍ବା ସାଧାରଣ ଭାଷାରେ କହିଲେ ‘ହେଲ୍‌ଥ ପର୍‌ଫେକ୍ ସନିଜିମ୍’।

ହେଲ୍‌ଥ ପର୍‌ଫେକ୍‌ସନିଷ୍ଟ୍‌ ହେଉଛନ୍ତି ସେହି ବ୍ୟକ୍ତି, ଯେଉଁମାନେ ସର୍ବଦା ସ୍ୱାସ୍ଥ୍ୟ ସମସ୍ୟାଜନିତ ଚିନ୍ତା ଦ୍ୱାରା ଆବିଷ୍ଟ ରହନ୍ତି ଆଉ ସେମାନଙ୍କ ଏହି ଚିନ୍ତା ଶରୀର ମଧ୍ୟରେ ବିଭିନ୍ନ ପାର୍ଶ୍ୱ-ପ୍ରତିକ୍ରିୟା ସୃଷ୍ଟି କରି, ମାନସିକ ସ୍ତରରୁ ଆସି ଶାରୀରିକ ସ୍ତରରେ ନିଜକୁ ପ୍ରକାଶ କରେ (ପ୍ରକୃତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ)। ଯେଉଁ ବ୍ୟକ୍ତିମାନେ ନିଜ ଦୁଃଖ, ରାଗ ବା ଅନ୍ୟ କୌଣସି ମାନସିକ ଆବେଗକୁ ଚାପି ରଖନ୍ତି, ଯେଉଁମାନେ ମାତ୍ରାଧିକ ଭାବପ୍ରବଣ, ନିଜ ସମସ୍ୟା ଓ ଆବେଗକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ, ସାଧାରଣତଃ ସେମାନେ ହିଁ ‘ଅର୍ଥୋରେକ୍‌ସିସ୍’ ଭୋଗିଥାନ୍ତି।

ଏମାନେ ନିଜର ଦ୍ୱନ୍ଦକୁ ଜାଣିପାରନ୍ତି ନାହିଁ ଆଉ ଏହି ମାନସିକ ଦ୍ୱନ୍ଦ ଓ ଚିନ୍ତା କୌଣସି ରୋଗ ରୂପରେ ଶରୀରରେ ଦେଖାଯାଏ। ମନୋଚିକିତ୍ସକମାନଙ୍କ ମତରେ ଯେତେବେଳେ କୌଣସି ବ୍ୟକ୍ତି ଦୁଃଖରେ ଆଖି ଲୁହ ଗଡାଇ ପାରେନି, ସେତେବେଳେ ଆମ ଦେହର ଇନ୍ଦ୍ରିୟଗୁଡିକ କାନ୍ଦିବା ଆରମ୍ଭ କରନ୍ତି (ସାଇକୋ ସୋମାଟିକ୍ ରୋଗ)। ଏହା ସବୁବେଳେ ତୁରନ୍ତ ନ ହୋଇ ପରେ ଭବିଷ୍ୟତରେ ମଧ୍ୟ ଦେଖାଯାଇପାରେ।

‘କଗ୍‌ନିଟିଭ୍ ସାଇକୋଥେରାପି’ର ଆନ୍ତର୍ଜାତୀୟ ସଂଘ ମତରେ, ସ୍ୱାସ୍ଥ୍ୟ ସଚେତନ ହେବା ବା ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବା ଅତି ସାଧାରଣ କଥା। କିନ୍ତୁ ଏହାର ମାତ୍ରାଧିକ ହେବାକୁ ହେଲ୍‌ଥ ପର୍‌ଫେକ୍‌ସନିଜିମ୍ କୁହାଯାଏ। ଏ କ୍ଷେତ୍ରରେ ବ୍ୟକ୍ତି ଅତି ସାଧାରଣ ସ୍ୱାସ୍ଥ୍ୟଗତ ପରିବର୍ତ୍ତନ କିମ୍ବା ଶାରୀରିକ କଷ୍ଟକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡେ। ଉଦାହରଣସ୍ୱରୂପ, ଜଣେ ହେଲ୍‌ଥ ପର୍‌ଫେକ୍‌ସନିଷ୍ଟ କେଉଁଠାରୁ ପଢିଲେ ଯେ, ଧମନୀର ଗତି (pulse rate) ମିନିଟ୍‌କୁ ୭୫ ହୋଇଥାଏ, କିନ୍ତୁ ଗଣିଲା ବେଳକୁ ତାଙ୍କ ଧମନୀର ଗତି ୭୦ କିମ୍ବା ୭୭ ହେଲା ତେବେ ସେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଦୌଡିବେ, କାରଣ ସେ ଜାଣି ନଥାନ୍ତି ଯେ ଧମନୀର ଗତି ମିନିଟ୍ ପ୍ରତି ୬୦-୧୦୦ ମଧ୍ୟରେ ହୋଇଥାଏ ଏବଂ ଏହା ଆମର ବିଶ୍ରାମ କରିବା, ବ୍ୟାୟାମ କରିବା, ମାନସିକ ସ୍ଥିତି, ଶରୀରର ତାପମାତ୍ରା ଓ ପରିବେଶର ପ୍ରଭାବରେ ବଦଳି ମଧ୍ୟ ପାରେ।

ଆାଜିକାଲି ପ୍ରତ୍ୟେକ ଟିଭି ଚାନେଲ୍ ଓ ବହୁ ପତ୍ରିକାରେ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଓ ଲେଖା ରହୁଛି। ଅନେକ ସମୟରେ ଏ ସବୁକୁ ଦେଖି ଓ ପଢି ଲୋକଙ୍କ ମନରେ ଗୋଟିଏ ଧାରଣା ସୃଷ୍ଟି ହେଉଛି ଯେ, ମଣିଷ ଶରୀରର ଗୋଟେ ନିର୍ଦ୍ଦିଷ୍ଟ ଆକାର-ପ୍ରକାର, ମାପ ଓ ଓଜନ (perfect body type) ରହିଛି। ଫଳରେ ନିଜ ସ୍ୱାସ୍ଥ୍ୟକୁ ନେଇ ଲୋକମାନେ ଅଯଥା ଚିନ୍ତାଗ୍ରସ୍ତ ହୋଇପଡୁଛନ୍ତି। ଅର୍ଥୋରେକ୍‌ସିସ୍‌କୁ ଅନେକ ସମୟରେ “ହାଇପୋକଣ୍ଡ୍ରିଆସିସ୍’ ବୋଲି ଧରିନିଆ ଯାଇଥାଏ। କିନ୍ତୁ ହାଇପୋକଣ୍ଡ୍ରିଆସିସ୍‌ରେ ପୀଡିତ ବ୍ୟକ୍ତି ନିଜକୁ ବ୍ୟାଧିଗ୍ରସ୍ତ ଭାବିଥାଏ, କିମ୍ବା କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଭୟ ସଦା ସର୍ବଦା ମନରେ ଧରି ରଖିଥାଏ।

ଅତି ଛୋଟ ଶାରୀରିକ କଷ୍ଟକୁ ଏମାନେ କୌଣସି ବଡ ରୋଗର ନାଁ ଦେଇଥାନ୍ତି ଓ ନିଜେ ନିଜେ ସିଦ୍ଧାନ୍ତରେ ଉପନୀତ ହୋଇଥାନ୍ତି ଯେ, ମୁଁ ଅମୁକ ରୋଗରେ ପୀଡିତ। କୌଣସି ଡାକ୍ତରଙ୍କ ମତ କିମ୍ବା ପରୀକ୍ଷା ମଧ୍ୟ ଏମାନଙ୍କ ମତକୁ ପରିବର୍ତ୍ତନ କରିପାରେ ନାହିଁ। ଯେକୌଣସି ରୋଗ ବିଷୟରେ ପଢିଲେ ବା ଶୁଣିଲେ, ଏମାନେ ଚିନ୍ତାଗ୍ରସ୍ତ ହୋଇପଡନ୍ତି ଯେ ନିଜେ ସେମାନେ ସେହି ରୋଗ ଦ୍ୱାରା ଆକ୍ରାନ୍ତ ଓ ତା’ର ଲକ୍ଷଣଗୁଡିକୁ ନିଜ ଶରୀରରେ ଅନୁଭବ କରନ୍ତି (ଅମୋଲ୍ ପାଲେକରଙ୍କ ଅଭିନିତ ହିନ୍ଦୀ ଫିଲ୍ମ ‘ମେରୀ ବିବି କୀ ଶାଦି’ ଏହାର ଏକଉଦାହରଣ)।

ମନୋଚିକିତ୍ସକଙ୍କ ମତରେ ହାଇପୋକଣ୍ଡ୍ରିଆସିସ୍ ରୋଗୀର ମନ, ଚିନ୍ତା ଓ ଭାବନା ତା’ ନିଜ ନିୟନ୍ତ୍ରଣାଧୀନ ନଥାଏ, ଯାହାକି ତା’ର ସାଧାରଣ ଜୀବନଯାପନ ଉପରେ ଅତ୍ୟନ୍ତ କୁପ୍ରଭାବ ପକାଇଥାଏ। ଏହା ଯେକୌଣସି ବୟସର ବ୍ୟକ୍ତିକୁ ହୋଇପାରେ। ତେବେ ସାଧାରଣତଃ ଏହା ପ୍ରାକ୍ ତାରୁଣ୍ୟରେ ଅଧିକ ଦେଖାଯାଏ। ସ୍ତ୍ରୀ ଓ ପୁରୁଷ, ଉଭୟ ବର୍ଗର ଲୋକଙ୍କୁ ଏହା ସମାନ ଭାବରେ ଆକ୍ରାନ୍ତ କରିଥାଏ।

ହେଲ୍‌ଥ ପରଫେକ୍‌ସନିଜିମ୍ ଯେ କେବଳ ସେହି ବ୍ୟକ୍ତିର ଭାବନାକୁ ପ୍ରଭାବିତ କରି ମନରେ ନିଜର ଶରୀର ପାଇଁ ଅଯଥା ଚିନ୍ତା ଆଣେ ତା’ ନୁହେଁ ବରଂ ହେଲ୍‌ଥ ପରଫେକ୍‌ସନିଷ୍ଟମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ଯେପରିକି ପ୍ରଜନନ କ୍ଷମତା କମିଯିବା, ଦୁର୍ବଳ ସ୍ୱାସ୍ଥ୍ୟ, ପାରିବାରିକ ସମ୍ପର୍କରେ ଅସନ୍ତୁଳନ, ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନ ବୋଧର ଅଭାବ, ମାନସିକ, କାର୍ଯ୍ୟ ସମ୍ପାଦନାକୁ ନେଇ ଉଦ୍‌ବେଗ, ଆତ୍ମହତ୍ୟା ପ୍ରବଣତା ଓ ଆତ୍ମଘାତୀ ଭାବନା, ଏକାକୀତ୍ୱ ବୋଧ, ଧୈର୍ଯ୍ୟର ଅଭାବ, ହତାଶାବୋଧ, କ୍ରୋଧ ଏବଂ ଆବେଗକୁ ଦମନ କରି ପାରିବାରେ ଅସମର୍ଥତା।

ଏଥର ଚାଲନ୍ତୁ ହେଲ୍‌ଥ ପରଫେକ୍‌ସନିଜିମ୍‌ରୁ ରକ୍ଷା ପାଇବାର କେତୋଟି ସରଳ ଉପାୟ ଉପରେ ନଜର ପକା‍ଇବା:

୧- କୌଣସି ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା / ଡାକ୍ତରଙ୍କ (ମନୋଚିକିତ୍ସକ ) ସହ ନିୟମିତ ଯୋଗାଯାଗ ରକ୍ଷା କରନ୍ତୁ

୨- ପଢିଥିବା ଓ ଦେଖିଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯେକୌଣସି ଲେଖା ବା ବିଜ୍ଞାପନକୁ ହଠାତ୍ ବିଶ୍ୱାସ କରନ୍ତୁ ନାହିଁ

୩- ଏକାକୀତ୍ୱକୁ ଏଡାଇବା ପାଇଁ ନିଜକୁ କାର୍ଯ୍ୟବ୍ୟସ୍ତ ରଖନ୍ତୁ। ଓ୍ୱାର୍କିଂ ଆଓ୍ୱାର ପରେ କୌଣସି ଖେଳ/ଗେମସ୍, ଗାର୍ଡେନିଂ, କ୍ରାଫ୍ଟ, ଚିତ୍ରକରିବା, ବହି ପଢିବା, ମ୍ୟୁଜିକ-ଡ୍ୟାନ୍ସରେ ନିଜକୁ ବ୍ୟସ୍ତ ରଖନ୍ତୁ

୪- ଆତ୍ମହତ୍ୟା ପ୍ରବୃତ୍ତି ଉଦ୍ରେକକାରୀ ଭାବନା ଠାରୁ ଦୂରେଇ ରୁହନ୍ତୁ

୫- ନିଜକୁ ଚିନ୍ତାମୁକ୍ତ ରଖିବା ପାଇଁ ଆନ୍‌ଜାଇଟି ମ୍ୟାନେଜ୍‌ମେଣ୍ଟ୍‌ ଓ ରିଲାକ୍‌ସେସନ୍ ଥେରାପିର ସାହାଯ୍ୟ ନିଅନ୍ତୁ।

ମନେ ରଖନ୍ତୁ ଆପଣଙ୍କ ଡାକ୍ତର ବି ବହୁ ସମୟରେ ସ୍ୱାସ୍ଥ୍ୟରକ୍ଷାର ସମସ୍ତ ନିୟମ ପାଳନ କରିବାରେ ସମର୍ଥ ହୁଅନ୍ତି ନାହିଁ। ତେଣୁ ସବୁବେଳେ ନିଜ ଶରୀର ଓ ଭବିଷ୍ୟତକୁ ନେଇ ଚିନ୍ତାଗ୍ରସ୍ତ ନ ରହି ନିଜ ଜୀବନକୁ ବଞ୍ଚିବା ଶିଖି ପାରିଲେ ହିଁ ଆପଣ ପରଫେକ୍ଟ ହେଲ୍‌ଥର ଅଧିକାରୀ ହୋଇପାରିବେ।

OTV is now on Whatsapp

Join and get latest news update delivered to you via whatsapp

Join Now