Advertisment

ଖାଲି ଯୋଜନାରେ ନ କରି କାମ ଆରମ୍ଭ କରିବେ କିପରି

ଅନେକ ସମୟରେ ଆମେ ଯୋଜନା କରିଦେଉ, କିନ୍ତୁ କାମକୁ ଆଗକୁ ନେଇ ପାରୁନା। କାମଟିକୁ କେମିତି ଆରମ୍ଭ କରିବା ତାହା ଜାଣିପାରୁନା। ଫଳରେ ବ୍ୟସ୍ତ ଲାଗେ, ବିବ୍ରତ ଲାଗେ ଓ ଚିନ୍ତା ବି ବଢିଯାଏ। ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା ଏହି ୫ଟି ଉପାୟ।

ଅଦ୍ୟତନ ହୋଇଛି
How to be success in plan

How to be success in plan

Advertisment

ଏଇ କିଛି ଦିନ ତଳେ ଦିଲ୍ଲୀରେ ରହୁଥିବା ମୋର ଜଣେ ବନ୍ଧୁଙ୍କର ବନ୍ଧୁ ଭାରି ବ୍ୟସ୍ତ ହୋଇ ମୋତେ ଫୋନ୍ କଲେ। କଥା କ’ଣ କି; ଅନେକ ଦିନ ହେଲା ସେ ଗୋଟେ ନୂଆ ବ୍ୟବସାୟ କରିବାର ଯୋଜନା କରୁଛନ୍ତି ଯେ, ସେ ଦିଗରେ କିନ୍ତୁ ସଫଳତାର ସହ ଟିକେ ବି ଆଗେଇ ହେଉନି। ଏପଟେ ବ୍ୟବସାୟ ପାଇଁ ପୂର୍ବ ଆନୁସଙ୍ଗିକ ଖର୍ଚ୍ଚ ସବୁ ଗୋଟେ ପରେ ଗୋଟେ ହୋଇଚାଲୁଛି। ଏଇ ଯେମିତି ୱେବ୍ ସାଇଟ୍ ତିଆରି, ବିକ୍ରି ପାଇଁ ଜିନିଷ କିଣା, ଜିନିଷ ରଖିବା ପାଇଁ ଆଲ୍‌ମିରା କିଣା, ହିସାବ ରଖିବା ପାଇଁ ସଫ୍ଟୱେୟାର୍ କିଣା ଇତ୍ୟାଦି।

Advertisment

ବିଭିନ୍ନ ଯୋଜନାରେ ବି ଖାତାର କାଗଜ ଭର୍ତ୍ତି ହେଉଛି। ହେଲେ ବ୍ୟବସାୟ ଆରମ୍ଭ ହୋଇପାରୁନି। ଯୋଜନାର ଆଗ ପଛ କିଛି ନାହିଁ। ଯାହା ଶେଷ ବେଳକୁ ଦରକାର ସେସବୁ ହୋଇସାରିଛି ଅଥଚ ଯାହା ଆଗ ଦରକାର ସେସବୁ ହୋଇନି। ତେଣୁ କିଛି ଗୋଟେ କରିଦେଇ ସେ ପୁଣି ବସିଯାଉଛନ୍ତି ଚାରି ଛଅ ମାସ।

ଏମିତି ଏମିତି ହୋଇ ଚାରି ବର୍ଷ ହେଲାଣି। କିଣା ହୋଇଥିବା ଜିନିଷ ସବୁ ୟାକୁ ତାକୁ ଉପହାର ଦେଇ ଦେଇ ସରିଗଲେଣି। ସେ ତେଣୁ ଭାରି ବ୍ୟସ୍ତବିବ୍ରତ, ଚିନ୍ତିତ ଓ ଡିପ୍ରେସ୍ ବି ହୋଇଯାଇଥାଆନ୍ତି ଏ ଭିତରେ। ମୁଁ କୋଭିଡ୍ ସମୟରେ ଅନଲାଇନ୍ ଫ୍ରି କାଉ୍‌ନସିଲିଂ ଦେଉଥିବା କଥା ଶୁଣି ସେ ଫୋନ୍ କରି ଖୁବ୍ ବ୍ୟସ୍ତ ହୋଇ ସମାଧାନଟେ ପଚାରିଲେ।

Advertisment

ଏ ସମସ୍ୟା କେବଳ ତାଙ୍କର ନୁହେଁ। ଏ ସମସ୍ୟା ମୋର, ଆପଣଙ୍କର ଓ ଆମ ପରି ଅନେକଙ୍କର। ସମସ୍ୟାର ପ୍ରକାର ଅଳ୍ପ ଟିକେ ଏପଟ ସେପଟ ହୋଇପାରେ, ଘଟଣା ଟିକେ ଭିନ୍ନ ହୋଇପାରେ ବ୍ୟକ୍ତି ବିଶେଷ ଅନୁସାରେ। କିନ୍ତୁ ସମାଧାନର ବାଟ ଗୋଟିଏ। ଯେତେବେଳେ ଗୋଟେ ଜରୁରୀ କାମ କରିବାରେ ବିଳମ୍ବ ହୋଇଯାଏ ବା ଠିକ ସମୟରେ ସାରି ହୁଏନି, ତାପରେ ଆପଣଙ୍କୁ ଭାରି ଖରାପ ଲାଗେ। ନିଜ ଉପରେ ରାଗ ଲାଗେ।

କେମିତି ସମୟ ସବୁ ସରିଗଲା ଜାଣିହୁଏନି ଓ ହଠାତ୍ ଲାଗେ, ଆପଣଙ୍କ ମୁଣ୍ଡ ଉପରେ ହଜାରେ କାମର ଭାର ଲଦା ହୋଇଛି ଯେମିତି। କେଉଁଟା, କେତେବେଳେ କରିବେ ବୁଝିହୁଏନି ବୋଲି ଥଅ ହୋଇ ବସିଯିବାକୁ ଇଚ୍ଛା ହୁଏ। ଆଉ ସେଇଠୁ ଆରମ୍ଭ ହୁଏ ଷ୍ଟ୍ରେସ୍। ଶେଷରେ କିଛି ବି ହୋଇପାରେନି ବା ଯାହା ହୁଏ ତାହା ଯେମିତି ସେମିତି ହୋଇଯାଏ। ତେବେ ଆସନ୍ତୁ ଏସବୁଥିରୁ ମୁକ୍ତି ପାଇବାର ଉପାୟ ଜାଣିବା:

Advertisment

୧. କଳ୍ପନା କରିବା:

କଳ୍ପନା କରନ୍ତୁ। କାରଣ କଳ୍ପନା କରିବା ଦ୍ୱାରା କାମ କରିବାକୁ ପ୍ରେରଣା ମିଳେ। ସବୁଦିନ ସକାଳେ ଦୁଇ ମିନିଟ୍ ପାଇଁ ଆଖି ବୁଜି ଭାବନ୍ତୁ ଯେ, ଆପଣ ଆଜି ଯେଉଁସବୁ କାମ ସାରିବେ ଭାବିଛନ୍ତି ସେସବୁ ଯଦି ସତକୁ ସତ ସାରିଦିଅନ୍ତି ତାହେଲେ ଆପଣଙ୍କୁ କିପରି ଲାଗିବ। ବହୁତ ଭଲ ଲାଗିବ। ନୁହେଁ କି? ସେଇ ଭଲ ଲାଗିବାର ଯେଉଁ ସକାରାତ୍ମକ ଭାବଟି ତିଆରି ହେବ ସେଇଟା ହିଁ ଆପଣଙ୍କୁ କାମ କରିବା ଲାଗି ପ୍ରେରଣା ଦେବ।

ସବୁଠୁ ଭଲ କଥା ହେଲା, ଏଇ ସହଜ ଓ ସଫଳ ଉପାୟଟି ଆପଣେଇବା ପାଇଁ ଆପଣଙ୍କୁ ବାହାରର କେଉଁ ଜିନିଷ ବା ଘଟଣା ଉପରେ ନିର୍ଭର କରିବାକୁ ପଡିବନି। ଆପଣ ନିଜେ ହିଁ ନିଜକୁ ପ୍ରେରଣା ଦେଇପାରିବେ। ମାନେ ସେଲ୍‌ଫ ମୋଟିଭେସନ୍। ନିଜ ନିଷ୍ପତ୍ତିରେ ଆଗେଇବା ପାଇଁ ସେଲ୍‌ଫ ମୋଟିଭେସନ୍ ସବୁଠାରୁ ଭଲ ଉପାୟ।

୨. କାମକୁ ଭାଗ କରିବା:

କାମକୁ ଛୋଟ ଛୋଟ କରି ଭାଗ ଭାଗ କରିଦିଅନ୍ତୁ। ମାନେ କେଉଁ କାମ ଆଗ କରିବାକୁ ହେବ ଓ ତା’ପରେ କେଉଁଟା କେମିତି କ’ଣ କରାଯିବ ସେସବୁକୁ ଗୋଟେ ପରେ ଗୋଟେ ସ୍ଥିର କରନ୍ତୁ। କଥାଗୁଡିକୁ ଖାଲି ମନରେ ନ ଭାବି କାଗଜ କଲମରେ ଏକ, ଦୁଇ କରି ଲେଖି ରଖନ୍ତୁ। ଯେଉଁ ନମ୍ବର କାମଟି ସରିଲା ତା’ ପାଖରେ ଠିକ୍ ଚିହ୍ନ ମାରନ୍ତୁ। ତେବେ କାମଟି ଆଉ ବଡ଼ ଦିଶିବନି।

କାମଟିକୁ ବହୁତ ବଡ଼ ଭାବି ପକାଇ ରଖିବା ଅପେକ୍ଷା ଛୋଟ ଛୋଟ କରି ଆରମ୍ଭ କରିଦେବା ଭଲ। ଯେମିତିକି ଯଦି ୨ହଜାର ଶବ୍ଦର ଗୋଟେ ପ୍ରବନ୍ଧ ଲେଖିବାର ଅଛି, ତେବେ ଏକ ନମ୍ବରରେ ଦୁଇ ଶହ ଶବ୍ଦ ଲେଖିବେ ବୋଲି ଲେଖି ରଖନ୍ତୁ। ମାନେ ଖାଲି ଉପକ୍ରମ ଲେଖିବା କଥା ହିଁ ଭାବନ୍ତୁ। ଦୁଇ ନମ୍ବରରେ ଅମୁକ ବହିରୁ ତଥ୍ୟ ସଂଗ୍ରହ ହେବ, ତିନି ନମ୍ବରରେ ଇଣ୍ଟର୍‌ନେଟ୍‌ରୁ ତଥ୍ୟ ସଂଗ୍ରହ ହେବ, ଚାରି ନମ୍ବରରେ ଅମୁକ ଲୋକର ମତାମତ ନିଆଯିବ ଓ ପାଞ୍ଚ ନମ୍ବରରେ ନିଜ ମତାମତ ଲେଖି ଉପସଂହାର କରାଯିବ ବୋଲି ଯୋଜନାରେ ଲେଖିଦିଅନ୍ତୁ।

ଗୋଟିଏ ଗୋଟିଏ ନମ୍ବରରେ ଲେଖାଥିବା କାମ ସାରି ଚାଲନ୍ତୁ। ସରିଯାଉଥିବା କାମ ପାଖରେ ଠିକ୍ ଚିହ୍ନ ଦେଇଚାଲନ୍ତୁ। ଏହା ଦ୍ୱାରା ମନକୁ ବୁଝେଇ ଦେଇହେବ ଯେ, ହଁ କାମଟି କରିହେବ। ଏହି ଆତ୍ମବିଶ୍ୱାସ ହିଁ କାମଟି ସାରିବାରେ ଆପଣଙ୍କୁ ସାହାଯ୍ୟ କରିବ।

୩. ଅନ୍ୟମନସ୍କତା ଦୂର କରିବା:

ଆପଣଙ୍କ ମନ ଭିତରେ ବା ବାହାରେ କାମ କରୁଥିବା ଜାଗାରେ ଯଦି କିଛି ଆପଣଙ୍କୁ ଅନ୍ୟମନସ୍କ କରିବାର କାରଣ ଥାଏ ତେବେ ତାକୁ ଆଗ ଦୂରେଇବାର ଚେଷ୍ଟା କରନ୍ତୁ। ବାହ୍ୟ କାରଣ କହିଲେ; ମୋବାଇଲ୍ ନୋଟିଫିକେସନ୍ ଶବ୍ଦ ବାରବାର ହେବାରୁ ଯଦି ଆପଣଙ୍କୁ ମୋବାଇଲ୍ ଦେଖିବାକୁ ପଡୁଛି ତେବେ ନୋଟିଫିକେସନ୍ ବନ୍ଦ କରିଦିଅନ୍ତୁ। କାମ କରିବା ଜାଗାଟିକୁ ସଫାସୁତର କରି ରଖନ୍ତୁ, ଯେମିତି କି ଦରକାରୀ ଜିନିଷ ଖୋଜିବାରେ ସମୟ ନଷ୍ଟ ନ ହୁଏ।

କେଉଁ କାମ ପରେ କେଉଁ କାମ କରିବେ ତା’ର ଲିଷ୍ଟ୍‌ ଆଗରୁ ତିଆରି କରି ପାଖରେ ରଖନ୍ତୁ, ଯେମିତିକି କ’ଣ କରିବେ ଭାବି ସମୟ ନଷ୍ଟ ନ ହୁଏ। ଅନ୍ତଃ କାରଣ କହିଲେ; ଆପଣଙ୍କୁ ଯଦି କିଛି ବି ଭାବନା ଅସୁବିଧାରେ ପକାଉଛି ତାହା ଲେଖି କି ରଖନ୍ତୁ। ନିଜ ଅସୁବିଧା ବିଷୟରେ କାହା ସହ ଗୋଟେ କଥା ହୁଅନ୍ତୁ। ବେଶୀ କିଛି ନ ଭାବି ଯେଉଁ କାମ ଅଛି ସେଥିରୁ କିଛି ଗୋଟେ କରନ୍ତୁ। ଏହା ଦ୍ୱାରା ଚିନ୍ତିତ ହେବାରେ ସମୟ ନଷ୍ଟ ହେବ ନାହିଁ।

୪. ସମୟ ବିତାଇବାର ଯୋଜନା:

ନିଜର ଖାଲି ସମୟ କିପରି ବିତାଇବେ ତାହାର ଯୋଜନା କରନ୍ତୁ। ଆମେ ସବୁବେଳେ କାମ କିପରି କରିବା ସେଲାଗି ଯୋଜନା କରୁ, କିନ୍ତୁ ଖାଲି ସମୟ କେମିତି ବିତେଇବା ସେଥିପାଇଁ କେବେ କିଛି ଭାବି ନଥାଉ। ଏହା ଦ୍ୱାରା କ’ଣ ହୁଏନା, ଆମେ କାମ ମଝିରୁ ଉଠି କୋଡିଏ ମିନିଟ୍ ପାଇଁ ଖାଲି ସମୟ ବିତେଇବାକୁ ଯାଇ ୬୦ ମିନିଟ୍ ପରେ ଫେରୁ। ସତ ନା ନାହିଁ?

କେତେବେଳେ ଲକ୍ଷ୍ୟହୀନ ଭାବରେ ସୋସିଆଲ୍ ମିଡିଆର ପୋଷ୍ଟ୍‌ ଗଡ଼ଉ ଗଡ଼ଉ ନ ହେଲେ ଫେସ୍‌ବୁକ୍ କି ଇନ୍‌ଷ୍ଟାଗ୍ରାମ୍ ରିଲ୍ ସବୁ ଦେଖୁ ଦେଖୁ ସମୟ କେମିତି ବିତିଯାଏ ଜଣାପଡ଼େନି। ଭିଡିଓ ଦେଖି ପୁଣି ନାନା ବୁଦ୍ଧି ଜୁଟେ। ଏମିତି କଲେ ଏସା ହୋଇଯିବ, ତେସା ହୋଇଯିବ, ଅଳ୍ପ କାମ କଲେ ବି ସହଜରେ ବହୁତ ଅର୍ଥ ମିଳିବ ଆଦି ଭ୍ରାନ୍ତ ଧାରଣା ସବୁ ଆସେ। କିନ୍ତୁ ସେମିତି କିଛି ହୁଏନି ରିଏଲ୍ ଲାଇଫ୍‌ରେ।

ତେଣୁ ଖାଲି ସମୟରେ କ’ଣ କରିବେ ସେ ବିଷୟରେ ଟିକେ ଭାବନ୍ତୁ। କେମିତି ରିଲାକ୍ସ କରିବାକୁ ଆପଣଙ୍କୁ ଭଲଲାଗେ ସେଇ ଅନୁସାରେ ଯୋଜନା କରନ୍ତୁ। ଖାଲି ଫୋନ୍‌କୁ ଅନେଇ ରହିବାରେ ସମୟ ନ ବିତେଇ ଟିକେ ଦୁଇ ଘେରା ବାହାରେ ବୁଲି ଆସନ୍ତୁ, ମ୍ୟୁଜିକ୍ ଶୁଣନ୍ତୁ, ଭିଡ଼ିମୋଡି ହୋଇ ଦେହକୁ ସତେଜ କରନ୍ତୁ ନହେଲେ କାହା ସହ କଥା ହେବାର ଥିଲେ ଏହି ସମୟରେ କଥା ହୋଇଯାଆନ୍ତୁ। ଏହାଦ୍ୱାରା ଆପଣ ପୁଣି କାମ ପାଖକୁ ଫେରିବାକୁ ଇଚ୍ଛା କରିବେ।

୫. ନିଜକୁ ନିଜେ ପୁରସ୍କୃତ କରିବା:

ନିଜକୁ ପୁରସ୍କୃତ କରନ୍ତୁ । ଦିନ ସାରା ଯାହା ଯାହା କାମ କରିବେ ବୋଲି ସ୍ଥିର କରିଛନ୍ତି, ସେସବୁ ଯଦି ଠିକ ସମୟରେ ସାରି ଦେଉଛନ୍ତି ତାହାଲେ ନିଜ ପସନ୍ଦର କିଛି କାମ କରି ବା ଜିନିଷ ଦେଇ ନିଜକୁ ପୁରସ୍କୃତ କରନ୍ତୁ। ପ୍ରାରମ୍ଭିକ ଦିନଗୁଡିକରେ କାମରେ ଲାଗି ରହିବା ପାଇଁ ଏହା ଆପଣଙ୍କୁ ପ୍ରୋତ୍ସାହିତ କରିବ। ଧୀରେ ଧୀରେ ଅଭ୍ୟସ୍ତ ହୋଇଗଲା ପରେ ଏହା ଆଉ ଆବଶ୍ୟକ ପଡ଼ିବନି। ତା’ପରେ ନିଜ କାମରୁ ହିଁ ଖୁସି ମିଳିବ।

ସବୁବେଳେ ମନେ ରଖିବାକୁ ହେବ ଯେ, ଆମେ ଯାହା କରିବାକୁ ଯାଉଛୁ ତାହା ଆମ ନିଜ ପାଇଁ। କାମ କଲେ ଯେଉଁ ଭଲ ଫଳ ମିଳିବ ତାହା ଆମର ଓ ଯାହା କ୍ଷତି ହେବ ତାହା ବି ଆମର। ତେବେ ଯାଇ ଆଉ କାମଟିକୁ ପକେଇ ରଖିବାକୁ ଇଚ୍ଛା ହେବନି। ଆଉ ଥରେ କାମରେ ମନ ଲାଗିଗଲେ ତାପରେ ଆଉ ଅଟକିବାକୁ ଇଚ୍ଛା ହେବନି। ତେଣୁ ବ୍ୟସ୍ତ ନ ହୋଇ କାମ କରନ୍ତୁ ଓ ଖୁସିରେ ରୁହନ୍ତୁ।

(ବି.ଦ୍ର: ଏହି ଲେଖାରେ ଦିଆଯାଇଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Article
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ