Advertisment

Nutrients: ଖରାଦିନେ ସୁସ୍ଥ ରହିବା ପାଇଁ କିପରି ସହଯୋଗ କରେ ଆମ୍ବ

ଆପଣ ଜାଣନ୍ତି କି, ଫଳମାନଙ୍କ ରାଜା କୁହାଯାଉଥିବା ଆମ୍ୱ ଖାଇବାକୁ ଯେତିକି ମିଠା ସେତିକି ପୁଷ୍ଟିତତ୍ତ୍ୱରେ ମଧ୍ୟ ଭରପୂର। ତେବେ ଆସନ୍ତୁ ଆମ୍ୱର ଏହି ପୌଷ୍ଟିକ ଗୁଣ ବିଷୟରେ ଜାଣିନେବା।

author-image
Jyotsna Mohapatra
ଅଦ୍ୟତନ ହୋଇଛି
How Mangoes help to Stay Healthy in the Summer

How Mangoes help to Stay Healthy in the Summer

ଖରାଦିନ ଆରମ୍ଭ ହେବା କ୍ଷଣି ବଜାରରେ ମିଳୁଥିବା ଫଳଗୁଡିକ ଭିତରୁ ସବୁଠାରୁ ସ୍ୱାଦିଷ୍ଟ ଓ ଚାହିଦାଯୁକ୍ତ ହେଲା ଆମ୍ୱ। କଞ୍ଚା ଆମ୍ୱଠାରୁ ନେଇ ପାଚିଲା ଆମ୍ୱରୁ ଅନେକ ପ୍ରକାର ଖାଇବା ପ୍ରସ୍ତୁତ ହୁଏ। ଆମ୍ୱ ଖଟା, ଆମ୍ବ ଚଟଣି, ପାଚିଲା ଆମ୍ୱରୁ ଜୁସ୍, ସେକ୍, ଆମ୍ୱ ସଢା ଆଦି ଅନେକ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ତିଆରି ହୁଏ ଏଥିରୁ। ତେବେ ଆପଣ ଜାଣନ୍ତି କି, ଫଳମାନଙ୍କ ରାଜା କୁହାଯାଉଥିବା ଆମ୍ୱ ଖାଇବାକୁ ଯେତିକି ମିଠା ସେତିକି ପୁଷ୍ଟିତତ୍ତ୍ୱରେ ମଧ୍ୟ ଭରପୂର। ତେବେ ଆସନ୍ତୁ ଆମ୍ୱର ଏହି ପୌଷ୍ଟିକ ଗୁଣ ବିଷୟରେ ଜାଣିନେବା।

Advertisment

ଆମ୍ୱକୁ ବୈଜ୍ଞାନିକ ଭାଷାରେ ମ୍ୟାଞ୍ଜିଫେରା ଇଣ୍ଡିକା କୁହାଯାଏ। ଏହାର ମଞ୍ଜି ବା ଟାକୁଆ ଓ ଚୋପା ମଧ୍ୟରେ ଥିବା ରସାଳ ଅଂଶକୁ ହିଁ ଖାଦ୍ୟଭାବେ ନିଆଯାଏ। ଏହି ଅଂଶରେ ରିଡ୍ୟୁସିଂ ସୁଗାର ବା ଜାରିତ ହୋଇ ନଥିବା ଶର୍କରା, ଆମିନୋ ଏସିଡ୍, ପେକ୍ଟିନ୍, ଭିଟାମିନ୍ ସି ଓ ଏ, କ୍ୟାରୋଟିନଏଡ୍ ଆଦିରେ ଭରପୂର ଥାଏ, ଯାହା ଏହାକୁ ଆମ ଶରୀର ପାଇଁ ପୋଷଣଯୁକ୍ତ କରିଥାଏ। ୧୦୦ଗ୍ରାମ ଆମ୍ୱରୁ ଆମକୁ ମିଳୁଥିବା କ୍ୟାଲୋରୀ ହେଉଛି ୭୪ କିଲୋ.କ୍ୟା।

ଅଧିକ ପଢ଼ନ୍ତୁ: ବ୍ଲଡ୍ ପ୍ରେସର୍‌ ଓ ଡାଏବେଟିସକୁ ରୋକିବ ମଖନା; ଜାଣନ୍ତୁ କେମିତି ଖାଇବେ

Advertisment

ଏହାଛଡ଼ା ଏଥିରେ ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ପରି ମିନେରାଲ୍‌ ମଧ୍ୟ ଯଥେଷ୍ଟ ପରିମାଣରେ ଥାଏ ଯାହା ଖରାଦିନେ ଆମ ଶରୀରର ଇଲେକ୍ରୋଲାଇଟ୍ ପରିମାଣ ଠିକ୍ ରଖେ। ୮୧ ପ୍ରତିଶତ ଜଳୀୟ ଅଂଶ ଥିବା ହେତୁ ଏହା ଏକ ଉପକାରୀ ଖରାଦିନିଆ ଫଳ। ଲାଇସିନ୍, ଟ୍ରିପ୍ଟୋଫାନ୍ ଆଦି ଆମିନୋ ଏସିଡ୍ ଏହାକୁ ଆହୁରି ସ୍ୱାସ୍ଥ୍ୟକର କରେ।

ଏହାର ଶର୍କରା ସୂଚକାଙ୍କ ସାଧାରଣତଃ ଟିକେ ଅଧିକ ଥିବାରୁ ପାଚିଲା ଆମ୍ୱ ଡାଇବେଟିସ୍ ରୋଗୀଙ୍କ ପାଇଁ ଉପଯୁକ୍ତ ନ ହେବା ବେଳେ କଞ୍ଚା ଆମ୍ୱର ଫାଇବର ପରିମାଣ ଅଧିକ ଥିବା ହେତୁ ଏହା ସେମାନେ ଚଟଣି କରି କିମ୍ୱା ବିନା ମିଠାରେ ପଣା କରି ଖାଇପାରିବେ।

ଭାରତର ତୃତୀୟ ଅଧିକ ଉତ୍ପାଦନ ହେଉଥିବା ଫଳ ଭାବେ ଆମ୍ୱ ସାରା ବିଶ୍ୱରେ ଆଦୃତ। ଭାରତରେ ପ୍ରାୟ ୩୦ ପ୍ରକାରର ଆମ୍ୱ ମିଳେ ଯେଉଁଥିରୁ ବାଇଗଣପଲେଇ, ତୋତାପରି, ସୁନ୍ଦରୀ, ନିଲମ୍, ଆମ୍ରପଲ୍ଲୀ ଆଦି ଜାତୀୟ ଆମ୍ୱ ଆମ ସ୍ଥାନୀୟ ବଜାରରେ ମିଳେ। ଆମ୍ୱ ଆମର ପାଚନ ତନ୍ତ୍ର ପାଇଁ ମଧ୍ୟ ଉପାଦେୟ। ଏହାର ପଲିଫେନଲ୍‌ ଯୌଗିକ କ୍ୟାନ୍‌ସର୍‌ ପ୍ରତିରୋଧୀ କ୍ଷମତା ରଖେ ଏବଂ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆମ ଚର୍ମ ପାଇଁ ଭଲ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ ଅନୁସାରେ ପ୍ରତି ବ୍ୟକ୍ତି ଦିନକୁ ୪୦୦ଗ୍ରାମ ଫଳ ଖାଇବା ଆବଶ୍ୟକ। ଋତୁକାଳୀନ ଫଳ ସବୁ ଖାଇବା ଦ୍ୱାରା ଆମେ ସନ୍ତୁଳିତ ଖାଦ୍ୟସାର ସହ ବିଭିନ୍ନ ପୋଷକ ପାଇପାରିବା। ତେଣୁ ଆମ୍ୱ ଏପରି ଏକ ଫଳ ଯାହା ଏକ ଫଙ୍କ୍‌ସନାଲ୍ ଫ୍ରୁଟ୍ ଭାବେ ଚାହିଦା ବଢ଼ାଇପାରିଛି। ଏହାର ରସରେ ଥିବା ମିନେରାଲ୍‌ ତଥା ମାଇକ୍ରୋ ଓ ମାକ୍ରୋ ନ୍ୟୁଟ୍ରିଏଣ୍ଟସ ସବୁ ଆମ ଶରୀରର ଚାହିଦା ପୂର୍ତ୍ତି କରନ୍ତି।

ଏହା ସହ ଏଥିରେ ଥିବା ରିଡ୍ୟୁସିଂ ସୁଗାର ଯେପରିକି ସୁକ୍ରୋଜ୍‌, ଫ୍ରୁକ୍ଟୋଜ୍ ଓ ଗ୍ଲୁକୋଜ୍ ପାକସ୍ଥଳୀର ଆମାଇଲେଜ୍ ସହ ମିଶି ପାଚନରେ ବିକାଶ କରନ୍ତି। ଶ୍ୱେତସାର ତୁଳନାରେ ଆମ୍ୱରେ ପ୍ରୋଟିନ୍ କମ୍(୦.୫-୫.୫ ପ୍ରତିଶତ) ରହୁଥିବା ବେଳେ ପେରୁରେ ଅତି ଉଚ୍ଚ ପ୍ରୋଟିନ୍‌ଯୁକ୍ତ ଆମ୍ୱ ଉତ୍ପାଦନ ହୋଇଥାଏ। ଭିଟାମିନ୍ ସି ଭଲ ପରିମାଣରେ ଥିବା ଯୋଗୁଁ ଏହାକୁ ଖାଇଲେ ସ୍କର୍ଭି ଆଦି ରୋଗ ହୋଇ ନ ଥାଏ।

ପ୍ରୋଟିନ୍ ଓ ଶ୍ୱେତସାର ତୁଳନାରେ ଏହାର ସ୍ନେହସାର ପରିମାଣ ଖୁବ୍ କମ୍ ଯାହା କି ୦.୮ ପ୍ରତିଶତରୁ ୧.୩୬ ପ୍ରତିଶତ। ପାଚିବା ସମୟରେ ଏଥିରେ ଥିବା ଏସେନ୍‌ସିଆଲ୍ ଫ୍ୟାଟି ଏସିଡ୍ ବଢ଼ି ଏକ ପ୍ରତିଶତ ହୋଇଥାଏ। ଏହା ଛଡ଼ା ଅକ୍ଜାଲିକ୍ ଏସିଡ୍, ସକ୍ସିନିକ୍ ଏସିଡ୍, ମ୍ୟାଲିକ୍ ଏସିଡ୍ ପରି ଅର୍ଗାନିକ୍‌ ଏସିଡ୍ ମଧ୍ୟ ଏଥିରେ ରହିଛି ଯାହା ଏହାର ସ୍ୱାଦ ପାଇଁ ଦାୟୀ।

ଏଥିରେ ଥିବା କ୍ୟାରୋଟିନଏଡ୍‌ର ପରିମାଣ ୨୭୪୩ ଯାହା ଏକ ଜୈବଆକ୍ଟିଭ୍ ପଦାର୍ଥ ହୋଇଥାଏ। ଏଥିରେ ଅନେକ ପ୍ରକାର ପିଗ୍‌ମେଣ୍ଟ୍‌ ବା ବର୍ଣ୍ଣକ ଯେପରିକି କ୍ୟାରୋଟିନଏଡ୍, ଫ୍ଲେବନେଡ୍, କ୍ଲୋରୋଫିଲ୍‌ ଆଦି ମଧ୍ୟ ରହିଥାଏ ଯାହା ଏହା କଞ୍ଚାରୁ ପାଚିଲା ହେବା ବେଳେ ରଙ୍ଗ, ବାସ୍ନା ଓ ସ୍ୱାଦ ପରିବର୍ତ୍ତନ ପାଇଁ ଦାୟୀ।

କଞ୍ଚା ଓ ପାଟିଲା ଆମ୍ୱ ଉଭୟ ଖାଦ୍ୟୋପଯୋଗୀ। ଏବେ ବଜାରରେ ବିଭିନ୍ନ କିସମର ଆମ୍ୱ ମିଳୁଥିଲେ ହେଁ ଦେଶୀ ବାଡ଼ି ବା ତୋଟାରୁ ଆସୁଥିବା ଆମ୍ୱ ଖୁବ୍ କମ୍ ମିଳୁଛି। ଆମ୍ୱ ଗଛ ଏକ ଦୀର୍ଘକାଳୀନ ଉପକାରୀ ଉଦ୍ଭିଦ ତଥା ଏହାର ପତ୍ର ଓ ଡାଳ ମଧ୍ୟ କାମରେ ଲାଗେ। ଏଣୁ ଆମେ ଏହାର ଟାକୁଆକୁ ସଂରକ୍ଷିତ ରଖି ସହଜରେ ଆମ ବାଡ଼ିରେ କିମ୍ୱା କିଚେନ୍ ଗାର୍ଡ଼ନ୍‌ରେ ଗଛଟିଏ ଲଗାଇ ପାରିଲେ ଏହି ଫଳର ବିଭିନ୍ନ ପ୍ରଜାତି ସଂରକ୍ଷିତ ହୋଇପାରିବ।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Nutrients Health Tips
Advertisment
Advertisment